Unknown

 

 

 

 

 

 

 

 

 

 

ଏକଲବ୍ୟ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ଏକଲବ୍ୟ କଥା

୨.

ତଥାପି

୩.

ଜୀବନ ନା ରଙ୍ଗ ?

୪.

ମଣିଷ କାହିଁ ?

୫.

କୋଡ଼ିଏ ବର୍ଷ ପରେ

୬.

ଜନତା ଓ ଜନଶକ୍ତି

୭.

ନବ କଳେବର : କଳ୍‌କି ଅବତାର

୮.

ସାହିତ୍ୟ–ତାମସା

୯.

ସବୁଜ ଆଉ ବିପ୍ଳବ

୧୦.

ଯୁବ-ଉଦ୍‌ବେଳନର ପ୍ରକାଶ

୧୧.

ଯୁବ-ଅସନ୍ତୋଷ ଓ ତା’ର ପ୍ରତିକ୍ରିୟା

୧୨.

ଏବ୍ୟ ମେ ପ୍ରାଣ ମା ବିଭେ

୧୩.

ସେମାନଙ୍କୁ କହିବ କିଏ ?

୧୪.

ଗ୍ରନ୍ଥାଗାର ଓ ଗ୍ରନ୍ଥାଗ୍ରହ

୧୫.

ବିଜ୍ଞାନର ଭୂମି

୧୬.

ଉଚ୍ଛନ୍ନ ସ୍ରୋତ (୧)

୧୭.

ଉଚ୍ଛନ୍ନ ସ୍ରୋତ (୨)

୧୮.

ଉଚ୍ଛନ୍ନ ସ୍ରୋତ (୩)

୧୯.

ଉଚ୍ଛନ୍ନ ସ୍ରୋତ (୪)

୨୦.

ସିଦ୍ଧି-ବିନିଶ୍ଚୟ

୨୧.

ହିସାବ-ସମୀକ୍ଷା

☆☆☆

 

ଏଗୁଡ଼ିକ ସମ୍ୱନ୍ଧରେ.....

 

ଏହି ସଂକଳନ ପ୍ରବନ୍ଧଗୁଡ଼ିକ ୧୯୬୫ରୁ ୧୯୭୪ ପର୍ଯ୍ୟନ୍ତ ନାନା ସମୟରେ ନାନା ପତ୍ରପତ୍ରିକା ଓ ସ୍ମରଣିକା ଲାଗି ଲେଖା ହୋଇଥିଲା । ଏଗୁଡ଼ିକ ନାନାବିଧ । ତଥାପି ବିଷୟ ଅନେକ ପ୍ରକାରର ହୋଇଥିଲେ ମଧ୍ୟ ଏଗୁଡ଼ିକରେ ନିହିତ ଦୃଷ୍ଟିକୋଣଟି ଆପଣାର ଏକ ସ୍ୱକୀୟ ସଙ୍ଗତି ରକ୍ଷା କରିବାକୁ ଚେଷ୍ଟା କରିଛି ବୋଲି ସମ୍ଭବତଃ କୁହାଯାଇ ପାରିବ ।

 

ପ୍ରକାଶକ-ବନ୍ଧୁ ଶ୍ରୀଯୁକ୍ତ ରାଧାଶ୍ୟାମ ମହାନ୍ତି ମୋତେ ସେଗୁଡ଼ିକୁ ଅଳିଆ ଭିତରୁ ଘାଣ୍ଟି ଏକାଠି ଗୁନ୍ଥିବାର ଅବସର ଦେଇଛନ୍ତି । ସେଥିଲାଗି ମୁଁ ତାଙ୍କଠାରେ କୃତଜ୍ଞ । ସମ୍ପୃକ୍ତ ପତ୍ରପତ୍ରିକା ଓ ସ୍ମରଣିକାଗୁଡ଼ିକର ସମ୍ପାଦକମାନଙ୍କୁ ମଧ୍ୟ ମୋର କୃତଜ୍ଞତା ଜଣାଉଛି । ଇତି ।

 

କଟକ

ଚିତ୍ତରଞ୍ଜନ ଦାସ

୨୬ । ୭ । ୧୯୭୭

 

☆☆☆

 

ଏକଲବ୍ୟ କଥା

 

ଇଂରାଜୀ ଭାଷା ଶିକ୍ଷା କରିବାପାଇଁ ଉତ୍ତର ପ୍ରଦେଶର ହାଇସ୍କୁଲମାନଙ୍କରେ ଯେଉଁ ପାଠ୍ୟ ପୁସ୍ତକ ଏବେ ବି ଚଳୁଛି, ସେଥିରେ ମହାଭାରତର ଏକଲବ୍ୟ କଥା ଏକ ଅନ୍ୟତମ ବିଷୟରୂପେ ସ୍ଥାନ ପାଇଚି । କଥାଟି ଲେଖିଚନ୍ତି ଶ୍ରୀମତୀ ଆନି ବେସାନ୍ତ । ଆମ ଭାରତବର୍ଷର ନବଜାଗରଣ ଓ ଆତ୍ମା-ଆବିଷ୍କାରର ପର୍ଯ୍ୟାୟରେ ଶ୍ରୀମତୀ ବେସାନ୍ତ ଆମକୁ ଅନେକ ପ୍ରେରଣା ଦେଇଚନ୍ତି । ପାଶ୍ଚାତ୍ୟ ଧର୍ମ, ସଂସ୍କୃତି ଓ ମୂଲ୍ୟବୋଧର ଜଳବାୟୁରେ ପ୍ରତିପାଳିତ ହୋଇଥିଲେ ମଧ୍ୟ ସେ ଭାରତର ଧର୍ମ, ସଂସ୍କୃତି ଓ ମୂଲ୍ୟବୋଧ ଭିତରେ ନାନା ନୂତନ ବ୍ୟଞ୍ଜନାର ଠାଣ କରିଚନ୍ତି ଓ ଭାରତୀୟତାକୁ ଏକ ସ୍ୱତନ୍ତ୍ର ଜୀବନମାର୍ଗରୂପେ ପ୍ରତିପାଦିତ କରିବାଲାଗି ସେ ସଂପୂର୍ଣ୍ଣ ନିଷ୍ଠାର ସହିତ ଅନେକ ଉଦ୍ୟମ ମଧ୍ୟ କରିଚନ୍ତି ।

 

ଏକଲବ୍ୟ କଥା ଆମ ଭାରତରେ କାହାରିକୁ ଅଜଣା ନାହିଁ । ହାଇସ୍କୁଲର ପାଠ୍ୟ ପୁସ୍ତକରେ ଏହି କାହାଣୀଟିକୁ ଇଂରାଜୀ ଭାଷାରେ ପଢ଼ି ତା’ର ଅର୍ଥ କରି ଶିଖିବା ପୂର୍ବରୁ ଭାରତର ପ୍ରତ୍ୟେକ ପିଲା ଯେ ଏକଲବ୍ୟର ଉପାଖ୍ୟାନ ଜାଣିଚି, ସେ ବିଷୟରେ କୌଣସି ସନ୍ଦେହର ଅବକାଶ ନାହିଁ । ଏକଲବ୍ୟ ଶବର ପିଲା, ଅବର୍ଣ୍ଣ ପିଲା । ତଥାପି ତା’ର ହୃଦୟରେ ବିଦ୍ୟାଲାଗି ଅମିତ ପିପାସା ରହିଚି । ଗୁରୁ ଖୋଜି ଖୋଜି ସେ ରାଜଗୁରୁ ଦ୍ରୋଣଙ୍କ ପାଖରେ ଯାଇ ପହଞ୍ଚିଚି । ଦ୍ରୋଣାଚାର୍ଯ୍ୟ ତାକୁ ଫେରାଇ ଦେଇଚନ୍ତି । ସେ ଯେଉଁ କୁଳରେ ଜନ୍ମଲାଭ କରିଚି, ବିଦ୍ୟାଲାଭ କରିବାଲାଗି ସେହି କୁଳର ସମାଜ-ସମର୍ଥିତ କୌଣସି ଅଧିକାର ନାହିଁ ବୋଲି ଏକ ପରମ୍ପରାଗତ ଶାସ୍ତ୍ରବାଣୀର ବୋଲ ମାନି ଦ୍ରୋଣ ଏକଲବ୍ୟକୁ ଫେରାଇ ଦେଇଚନ୍ତି । ଏକଲବ୍ୟ ସେଥିରେ ଦବି ଯାଇନାହିଁ ବା ମନ ଶୁଖାଇ ଭାଗ୍ୟକୁ ନିନ୍ଦି ସେତିକିରେ ନିରସ୍ତ ହୋଇ ରହିନାହିଁ । ଗୁରୁର ପ୍ରତୀକ ଭିତରେ ସେ ଗୁରୁର ସାନ୍ନିଧ୍ୟ ଓ ତଜ୍ଜନିତ ପ୍ରେରଣା ମଧ୍ୟ ଲାଭ କରିଚି । ଏହି ବାଟରେ ଯାଇ ଆପଣାର ବିଶ୍ୱାସ ଏବଂ ଉଦ୍ୟମ ଦ୍ୱାରା ସେ ବିଦ୍ୟା ବଳରେ ବଳୀୟାନ ହୋଇଚି, ଶରବିଦ୍ୟାରେ ଅତୁଳ କୁଶଳତା ଲାଭ କରିଚି । କିନ୍ତୁ ବେଦବ୍ୟାସଙ୍କର ମହାଭାରତରେ ବର୍ଣ୍ଣିତ ହୋଇଥିବା କାହାଣୀ ଏତିକିରେ ଶେଷ ହୋଇ ଯାଇନାହିଁ ।

 

ଯୋଗକୁ ହେଉ ବା ଦୁର୍ଯୋଗକୁ ହେଉ କୁରୁ-କୁଳର ଆଚାର୍ଯ୍ୟ ଦ୍ରୋଣ ଓ ପ୍ରତ୍ୟାଖ୍ୟାତ ଏକଲବ୍ୟ ମଧ୍ୟରେ ପୁଣି ଥରେ ସାକ୍ଷାତ ହୋଇଚି । ଗୁରୁଙ୍କୁ ଚକିତ କରି ଏକଲବ୍ୟ ତା’ର ବିଦ୍ୟାର ପରିଚୟ ଦେଇଚି । ଅବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଏବଂ ବିଶ୍ୱାସ ବଳରେ କିପରି ପରମ୍ପରାଗତ ସକଳ ନିୟମର ନିୟନ୍ତ୍ରଣକୁ ଲଙ୍ଘନ କରି ଯାଇପାରେ, ଦ୍ରୋଣାଚାର୍ଯ୍ୟଙ୍କୁ ଏକଲବ୍ୟ ତାହାରି ପରିଚୟ ଦେଇଚି । ଯେକୌଣସି ଆଚାର୍ଯ୍ୟଙ୍କର ଏଥିରେ ଗୌରବାନ୍ୱିତ ଅନୁଭବ କରିବାର କଥା । ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ଦ୍ରୋଣ ସେଦିନ ଏକଲବ୍ୟକୁ ଆହ୍ଲାଦରେ କୁଣ୍ଢାଇ ଧରିଥାନ୍ତେ । ଗୁରୁ ଛାତ୍ରଠାରୁ ଶିଖିଥାଆନ୍ତା, ପରମ୍ପରାର ନିର୍ମୋକ ଖସି ପଡ଼ିଥାଆନ୍ତା, ଦ୍ରୋଣାଚାର୍ଯ୍ୟଙ୍କ ଭିତରେ ଥିବା ଅସଲ ଗୁରୁ ସେଦିନ ନବଜନ୍ମ ଲାଭ କରି ଥାଆନ୍ତା । କିନ୍ତୁ ମହାଭାରତକାର ବ୍ୟାସଦେବଙ୍କର କାବ୍ୟଦୃଷ୍ଟିରେ ହୁଏତ ଏତକ ସାହସ ନ ଥିଲା । ସାମାଜିକ ପ୍ରେୟ ଉପରେ ମାନବିକ (ଆଧ୍ୟାତ୍ମିକ-?) ଶ୍ରେୟର ବିପୁଳତରତାକୁ ଚିହ୍ନି ନେବା ଲାଗି ସାହିତ୍ୟ-ଦୃଷ୍ଟିରେ ଯେଉଁ ସାହସ ରହିଥିବା ଦରକାର, ବ୍ୟାସଦେବଙ୍କର ହୁଏତ ସେହି ସାହସ ନ ଥିଲା । ତେଣୁ ଏକଲବ୍ୟର ସାହସ ତାଙ୍କୁ ପ୍ରଧାନତଃ ଦୁଃସାହସ ବୋଲିହିଁ ମନେହେଲା ଓ ସେ ଏହି ଦୁଃସାହସର ଶାସ୍ତି ଦେବାକୁ ଏକ ସାହିତ୍ୟିକ ନ୍ୟାୟ (Poetic Justice) ବୋଲି ବିଚାର କଲେ । ଏହି ଶାସ୍ତିକୁ ଏକ ଆବଶ୍ୟକତା ବୋଲି ଦେଖାଇବା ଉଦ୍ଦେଶ୍ୟରେ ତାଙ୍କୁ ଦ୍ରୋଣାଚାର୍ଯ୍ୟଙ୍କୁ ଆଚାର୍ଯ୍ୟର ଆସନରୁ ତଳକୁ ଓହ୍ଲାଇ ଆଣିବାକୁ ପଡ଼ିଲା । ତେବେ ଯାଇ ଏକଲବ୍ୟ-କଥା ସମ୍ପୂର୍ଣ୍ଣ ହେଲା । କୌଳିକତା ଜିତିଲା, କୁଳୀନତା ଜିତିଲା; କିନ୍ତୁ ଆଚାର୍ଯ୍ୟ-ପଦର ଅପମାନ କରାଗଲା ।

 

ଫଳତଃ ଜ୍ଞାନୀ ଦ୍ରୋଣ ଦ୍ୱେଷୀ ଦ୍ରୋଣରେ ରୂପାନ୍ତରିତ ହେଲେ, ଆଚାର୍ଯ୍ୟ ଦ୍ରୋଣ ଆପଣାର ପ୍ରଧାନତମ ଆଚାରଧର୍ମ ଭୁଲି ଜଣେ ବିଦ୍ୟାର୍ଥୀର ଉତ୍କର୍ଷରେ ଈର୍ଷା ପ୍ରକାଶ କଲେ । ତାଙ୍କର ଈର୍ଷା ତାଙ୍କର ଶ୍ରଦ୍ଧାଶୀଳତାକୁ ମାରିଦେଲା, ତାହାର ବଦଳରେ ସେ ଚତୁରତାକୁ ଆପଣାର ସର୍ବୋପାଦେୟ ସନ୍ତକରୂପେ ବ୍ୟବହାର କରିବାକୁ ବାହାରିଲେ । ଏକଲବ୍ୟକୁ ସେ ଗୁରୁଦକ୍ଷିଣା ମାଗିଲେ । ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ଭିତରେ ଏକ ଧାତୁମୂଳ ସମ୍ୱନ୍ଧ ରହିଚି । କିନ୍ତୁ ଏକଲବ୍ୟ ଓ ଦ୍ରୋଣଙ୍କର ଉପାଖ୍ୟାନରେ ଏଣିକି ଯେଉଁ ଦକ୍ଷିଣା ମାଗିବା ଓ ଦକ୍ଷିଣା ଦେବାର ଅଭିନୟ କରାଗଲା, ସେଥିରେ ଦାକ୍ଷିଣ୍ୟଲାଗି କୌଣସି ସ୍ଥାନ ହିଁ ନ ଥିଲା । ଦ୍ରୋଣ ଆଙ୍ଗୁଠି ମାଗିଲେ, ଏକଲବ୍ୟ ଆପଣା ହାତରେ ଆଙ୍ଗୁଠି କାଟିକରି ତାଙ୍କୁ ଦେଲା । ମହାଭାରତର ରଚୟିତା ବ୍ୟାସଦେବ କେଉଁ ଉଦ୍ଦେଶ୍ୟର ସାଧନ ବା କେଉଁ ଯୁକ୍ତିର ପ୍ରତିଷ୍ଠାଲାଗି ଏପରି ଏକ ଦୃଶ୍ୟର ଅବତାରଣା କରାଇଲେ କେଜାଣି ? ଭାରତୀୟ ଶାସ୍ତ୍ରରେ ଗୁରୁଙ୍କୁ ପିତା ବୋଲି କୁହାଯାଇଚି । କେଉଁ ପିତା ପୁତ୍ରଠାରୁ ଆଙ୍ଗୁଠି ମାଗିଥାଆନ୍ତା ? କେଉଁ ପିତା ପୁଅଠାରୁ ପୁରୁଷାର୍ଥ ମାଗିଥାଆନ୍ତା ? ଯେଉଁ କବି ବା କଥାକାର ଆପଣାର କାବ୍ୟଗ୍ରନ୍ଥରେ ଏପରି ଏକ ଅଭିଆଣରେ ଭିଆଣ କରାଇଲେ, ସେହି କବି ପ୍ରକୃତରେ କେଉଁ ସାଂସ୍କୃତିକ ପରମ୍ପରାର ପ୍ରତିନିଧିତ୍ୱ କରୁଥିଲେ ? ଏ ଦେଶର ଇତିହାସରେ ପ୍ରକୃତରେ ଯଦି ସେପରି କୌଣସି ପରମ୍ପରା କୌଣସି ଯୁଗରେ ସମାଜର ସ୍ୱୀକୃତି ପାଇଥିଲା, ଆଜି ସେହି ପରମ୍ପରାକୁ ଆପଣାର ବୋଲି କହି ମୁଁ କେତେଦୂର ଗର୍ବ ବା ଗୌରବ ଅନୁଭବ କରିପାରିବି ? ମୋର ସମାଜ ସହିତ ସମ୍ମିଳିତ ହେବାଲାଗି ଏହି ପରମ୍ପରା ମୋତେ ପ୍ରକୃତରେ କେତେଦୂର ସତ୍‌ପ୍ରେରଣା ଦେଇ ପାରିବ ? ଅନେକ ସମୟରେ ମୁଁ ଆପଣାକୁ ଏହିପରି ନାନା ପ୍ରଶ୍ନ ପଚାରିଚି ।

 

ଉତ୍ତର ପ୍ରଦେଶର ହାଇସ୍କୁଲମାନଙ୍କରେ ପଢ଼ାଯାଉଥିବା ଉଲ୍ଲିଖିତ ବହିଟିରେ ଶ୍ରୀମତୀ ଆନି ବେସାନ୍ତ ତାଙ୍କର ଏକଲବ୍ୟ କଥାରେ ପ୍ରସଙ୍ଗଟିର ଏକ ବ୍ୟାଖ୍ୟା ଦେବାର ପ୍ରୟାସ ମଧ୍ୟ କରିଚନ୍ତି । ସେ କହିଚନ୍ତି ଯେ ଏକଲବ୍ୟ ସମ୍ୱନ୍ଧୀୟ କାହାଣୀକୁ ଆମର ଏକ ନୃଶଂସ କାହାଣୀର ଦୃଷ୍ଟାନ୍ତରୂପେ ଗ୍ରହଣ କରିବା ଉଚିତ ନୁହେଁ, କାରଣ ତାଙ୍କ ମତରେ ଏଥିରେ ଏକ ଉପାଦେୟ ଦାର୍ଶନିକ ସତ୍ୟ ନିହିତ ହୋଇ ରହିଚି । ତାଙ୍କରି ଭାଷାରେ କହିବାକୁ ଗଲେ ଆପଣାର ଅତୀତ ଜନ୍ମର ବିଚାର ଓ କର୍ମ ଅନୁସାରେ ପ୍ରତ୍ୟେକ ମଣିଷ ଏହି ସଂସାରରେ ଜନ୍ମଲାଭ କରେ । ତାହାର ଶରୀର ମଧ୍ୟ ତା’ର ପୂର୍ବକୃତ କର୍ମର ଅଧୀନ । ଆପଣା କର୍ମ ଅନୁସାରେ ତା’ଲାଗି ଯେତିକି ସମ୍ଭାବନା ଓ ଯେତିକି ସମ୍ଭାବ୍ୟତା ପୂର୍ବନିର୍ଦ୍ଦିଷ୍ଟ ହୋଇ ରହିଥିବ, ପ୍ରତ୍ୟେକ ମଣିଷର ସେହି ସବୁ ସମ୍ଭାବନା ଓ ସମ୍ଭାବ୍ୟତାର ସୀମା ମାନି ରହିବା ହେଉଚି କର୍ତ୍ତବ୍ୟ । ଅଧିକ ସମ୍ଭାବ୍ୟତର ହାସଲ କାରିବାର ଲୋଭରେ ଏହି ସୀମାକୁ ଲଙ୍ଘନ କରିଯିବା ମଣିଷର କର୍ତ୍ତବ୍ୟ ନୁହେଁ, ତେଣୁ ଏହା ଅଧର୍ମ-। ଭଲ ମଣିଷର କର୍ତ୍ତବ୍ୟ ହେଉଚି ଯେ ସେ ଏହିସବୁ ସୀମା ବା ନିୟନ୍ତ୍ରଣକୁ ଅନିବାର୍ଯ୍ୟ ଓ ଅଲଂଘନୀୟ ବୋଲି ମାନିନେବା– ଆପଣା ଜୀବନରେ ସେ ଏ ସବୁକୁ ସ୍ୱୀକାର କରିନେବ-। ତେବେ ଯାଇ ପୂର୍ବ କର୍ମର ଖଣ୍ଡନ ସମ୍ଭବ ହେବ, ଆଗକୁ ଯିବା ସମ୍ଭବ ହେବ । ତେଣୁ ଅପେକ୍ଷା କରିବାକୁ ପଡ଼ିବ, ନିଜର କର୍ମ ପାଶକୁ ସ୍ୱୀକାର କରିନେଇ ତାହାର ସୀମାବନ୍ଧନର ବାଧ୍ୟତା ଭିତରେ ରହି ଅପେକ୍ଷା କରିବାକୁ ପଡ଼ିବ । ଏକଲବ୍ୟ ଅସ୍ଥିର ହୋଇ ପଡ଼ିଲା, ସେ ଅପେକ୍ଷା କରିବାକୁ ଇଚ୍ଛା କଲା ନାହିଁ । ତା’ଲାଗି ଯେଉଁସବୁ କ୍ଷେତ୍ର ଓ ଯେଉଁସବୁ ବିଦ୍ୟା ତା’ର ପୂର୍ବ କର୍ମର ସୀମାବନ୍ଧନ ଦ୍ୱାରା ନିଷିଦ୍ଧ ହୋଇ ରହିଥିଲା, ସେ ସେହି ସବୁ କ୍ଷେତ୍ର ଓ ସେହିସବୁ ବିଦ୍ୟାକୁ ମନ ବଳାଇଲା-। ଏପରି କରି ସେ ଏକ ପାପ କର୍ମରେ ଲିପ୍ତ ହୋଇ ପଡ଼ିଲା ଏବଂ ଆପଣା ଶରୀରକୁ ଶାସ୍ତି ଦେଇ ତାକୁ ସେହି ପାପର ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିଲା । ପୁଣି ଏହି ପ୍ରାୟଶ୍ଚିତ୍ତ-ବିଧାନରେ ନିୟାମକ-ରୂପେ କାର୍ଯ୍ୟ କରି ଦ୍ରୋଣ ଆଚାର୍ଯ୍ୟରୂପେ ଆପଣାର କର୍ତ୍ତବ୍ୟ ସମ୍ପାଦନ କଲେ ।

 

ସତ୍ୟର ବ୍ୟାଖ୍ୟା କରିବାର ଅନ୍ୟ ନାମ ହେଉଚି ଦର୍ଶନ । ସତ୍ୟର ବ୍ୟାଖ୍ୟା ନାନା ପ୍ରକାରେ କରାଯାଇ ପାରେ । ଶ୍ରୀମତୀ ବେସାନ୍ତଙ୍କର ବିଶ୍ଳେଷଣକୁ ମୁଁ ଏହିପରି ଏକ ବ୍ୟାଖ୍ୟାରୂପେ ଗ୍ରହଣ କରିବି । କିନ୍ତୁ ଶ୍ରୀମତୀ ବେସାନ୍ତ ହାଇସ୍କୁଲର ପିଲାଙ୍କ ଲାଗି ହୁଏତ ଏହି ବ୍ୟାଖ୍ୟା କଦାପି କରି ନ ଥିଲେ । ହାଇସ୍କୁଲ ପିଲାଙ୍କର ପାଠ୍ୟ ପୁସ୍ତକରେ ଏହିସବୁ ଗୁରୁଜନୋକ୍ତିକୁ ପୂରାଇ କିଶୋର ବୟସର ପିଲାମାନଙ୍କୁ ଜବରଦସ୍ତି ଏହି ବ୍ୟାଖ୍ୟାକୁ ବୁଝାଇବା ଲାଗି ଶ୍ରୀମତୀ ବେସାନ୍ତ ହୁଏତ ଆଦୌ ପସନ୍ଦ କରି ନ ଥାନ୍ତେ । ବିଶେଷକରି ଆଧୁନିକ ପୃଥିବୀରେ ଯେଉଁ ପିଲା ବଢ଼ୁଚି, ଚାରିପାଖରେ ଆଖି ପକାଇ ଯିଏ ଆଜି ଆଧୁନିକ ପୃଥିବୀକୁ ଆପଣାର ପୃଥିବୀ ବୋଲି ଗ୍ରହଣ କରିବାକୁ ଯାଉଚି, ତାର ଜୀବନ-ପ୍ରସ୍ତୁତିରେ ଏହିପରି ଏକ ବ୍ୟାଖ୍ୟା ଆଦୌ ସାହାଯ୍ୟ କରି ପାରିବନାହିଁ । ଯେଉଁ ସମାଜ ଜାତିବାଦ ଉପରେ ବିଶ୍ୱାସ କରୁଥିଲା, ସେହି ସମାଜ ହିଁ କର୍ମବାଦ ଉପରେ ବିଶ୍ୱାସ କରୁଥିଲା । ଜୀବନ ଓ ଜୀବନପ୍ରୟାସର କର୍ମବାଦୀ ବ୍ୟାଖ୍ୟାକୁ ହିଁ ସେ ଏକମାତ୍ର ଦାର୍ଶନିକ ବ୍ୟାଖ୍ୟା ବୋଲି ବୁଝୁଥିଲା । ଏହିପରି ଏକ ସମାଜରେ ଦ୍ରୋଣ ଆଚାର୍ଯ୍ୟ ବୋଲାଉଥିଲେ ଓ ବ୍ୟାସଦେବ ବିଦ୍ୟା ଓ ବେଦର ବଖାଣ କରୁଥିଲେ । ଯେକୌଣସି କାରଣରୁ ହେଉ, ସେ ଯୁଗର କର୍ମବାଦୀ ମୂଲ୍ୟବୋଧ ଏ ଯୁଗରେ ପୁରୁଣା ବୋଲି ସାବ୍ୟସ୍ତ ହୋଇ ସାରିଲାଣି । ଏ ଦେଶର ସାଂସ୍କୃତିକ ମୂଲ୍ୟବୋଧର ଜଳବାୟୁରେ ନାନା ଅନ୍ୟମୂଲ୍ୟର ସଂସ୍ପର୍ଶ ଲାଗି ଆମେ ଆଜି ଆମକୁ ଓ ଆମର ସମାଜକୁ ଏକ ଅନ୍ୟ ଦୃଷ୍ଟିରେ ଦେଖିବାକୁ ଓ ଅନ୍ୟପ୍ରକାରେ ସଜାଡ଼ିବାକୁ ଯୋଜନା କରି ବାହାରିଲୁଣି । ଏବର ରାଜନୀତିରେ ଏହି ଦୃଷ୍ଟିକୁ ଗଣତନ୍ତ୍ର ବୋଲି କୁହାଯାଉଚି । ପ୍ରତ୍ୟେକ ମଣିଷକୁ ସମାନ ପ୍ରୟାସର ଅଧିକାର ମିଳିବ, କାରଣ ମୂଳତଃ ମଣିଷ ହିସାବରେ ସେ ଅନ୍ୟ ସବୁରି ସହିତ ସମାନ ସମ୍ମାନର ଅଧିକାରୀ ହୋଇ ଜନ୍ମଲାଭ କରିଚି,–ଆଧୁନିକ ମଣିଷର ଜୀବନରେ ଏହାହିଁ ନିପୁଣତମ ଦାର୍ଶନିକ ବ୍ୟାଖ୍ୟା ବୋଲି ଗୃହୀତ ହୋଇ ସାରିଲାଣି । ଏହାକୁ ଭାରତୀୟ ବା ଅଭାରତୀୟ ଯାହା କୁହାଯାଉ ପଛକେ, ଏହାହିଁ ହେଉଚି ଏହି ଯୁଗରେ ମଣିଷର ଦର୍ଶନ,–ଏହି ଦର୍ଶନ ଏ ଯୁଗର ଆଚାରକୁ ପ୍ରାଣ ଓ ପ୍ରକାଶ ଦେବାକୁ ଯାଉଚି । ଶିକ୍ଷାନିୟମନର ବ୍ୟବସ୍ଥାପକରୂପେ ଯେଉଁମାନେ ଏକଲବ୍ୟ-କଥାକୁ ହାଇସ୍କୁଲ ପିଲାଙ୍କର ପାଠ୍ୟପୁସ୍ତକରେ ସ୍ଥାନ ଦେଇ ସେମାନଙ୍କୁ ଧର୍ମ ଶିଖାଇବାର ଉତ୍ସାହ ଦେଖାଉଚନ୍ତି, ସେମାନେ ପିଲାଙ୍କର ଆଧୁନିକ ଜୀବନ ସହିତ ସକ୍ରିୟ ଭାବରେ ସମ୍ମିଳିତ ହେବାର ଉତ୍ସାହକୁ ମାରିଦେବାକୁ ଯାଉନାହାନ୍ତି କି ? ଗୁରୁଜନମାନେହିଁ ଏହାର ବିଚାର କରନ୍ତୁ ।

 

ସ୍ୱାଧୀନତା ପରେ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ଭାରତବର୍ଷରେ ହେଉଥିବା ଉଦ୍ୟମ ଓ ସେଥିରୁ ମିଳୁଥିବା ସଫଳତା ବିଷୟରେ ବିଦେଶରେ ଏବେ ଅନେକ ବହି ଲେଖାଯାଉଛି-। ସମସ୍ତେ କହୁଚନ୍ତି ଭାରତବର୍ଷରେ ଏସବୁ ଉଦ୍ୟମ ଓ ସଫଳତା ଯେତେଦୂର ଦ୍ରୁତ ହେବାର କଥା, ତାହା ହୋଇ ପାରୁନାହିଁ । ଏହାର କାରଣ ଏକାଧିକ । କିନ୍ତୁ ଗୋଟିଏ କାରଣ ପ୍ରତି ସାଧାରଣତଃ ସବୁ ବିଦେଶୀ ପର୍ଯ୍ୟବେକ୍ଷକଙ୍କର ଦୃଷ୍ଟି ପଡ଼ିଯାଇଥାଏ । ସେମାନେ ଆଙ୍ଗୁଠି ଦେଖାଇଲା ପରି କହି ଦିଅନ୍ତି ଯେ ଭାରତରେ ଆଚରିତ ହିନ୍ଦୁଧର୍ମ ହିଁ ଦେଶର ଉଦ୍ୟମ ଓ ଅଗ୍ରଗତିକୁ ବଡ଼ ମନ୍ଦ ଓ ଶିଥିଳ କରି ରଖିଚି । କର୍ମବାଦ ଅର୍ଥାତ୍ କର୍ମକୁ ଆଦରି ନେବାର ଧର୍ମ ଜୀବନବାସନାର ହାତ ଗୋଡ଼କୁ ଏହି ଦେଶରେ ସ୍ଥବିର ବା ପଙ୍ଗୁ କରି ରଖିଚି । ଯାହାର ଭାଗ୍ୟରେ ଯେତିକି ଲେଖା ଅଛି, ସେ କେବଳ ସେତିକି ଭୋଗ କରିବ, ମଣିଷର ଚେଷ୍ଟା ମଣିଷର ପୂର୍ବନିୟନ୍ତ୍ରିତ କର୍ମକୁ କଦାପି ଗାରେହେଲେ ଏପାଖ ସେପାଖ କରି ପାରିବ ନାହିଁ, ତେଣୁ ପ୍ରୟାସ କରିବାରେ ପ୍ରୟୋଜନ ନାହିଁ-। ଯାହା ହେବାର କଥା, ତାହା ବଳେ ବଳେ ହୋଇଯିବ । କର୍ତ୍ତାର ଇଚ୍ଛାଥିଲେ କର୍ମ କଦାପି ଅଟକି ରହିବ ନାହିଁ– ତେଣୁ କର୍ତ୍ତାର ଇଚ୍ଛାରେ ସବୁ ଛାଡ଼ିଦେଇ ଆମେ କେବଳ କର୍ମକୁ ହିଁ ମାନିନେବା-। ଭାରତର ସାମାଜିକ ମଞ୍ଚକୁ ଏହିପରି ଏକ ଷ୍କ୍ରିୟତାଦ୍ୟୋତକ ଜୀବନ-ଦୃଷ୍ଟି କାମୁଡ଼ି ଧରିଚି ବୋଲି ଆମ ଦେଶର ଆର୍ଥିକ ଓ ସାମାଜିକ ବିକାଶ ଯଥେଷ୍ଟ ଆଗେଇ ପାରୁନାହିଁ, ବିଦେଶୀ ସମୀକ୍ଷକମାନେ ଏହି ଯୁକ୍ତି ଦର୍ଶାଇ ଥାଆନ୍ତି ! କାହାର ପିଲା ଭଲ ପଢ଼ିଲେ, ତାହା ହେଉଚି ତାର ଭାଗ୍ୟର ଫଳ । ମୋ’ ପିଲାଏ ମୂର୍ଖ ହେଲେ, ଏହା ହେଉଚି ମୋର ମନ୍ଦକର୍ମର ପରିଣାମ । କିଏ ରାସ୍ତା କଡ଼ରେ ନାରଖାର ହୋଇ ମରୁଚି, ସିଏ ତାର କର୍ମହିଁ ଭୋଗ କରୁଚି । ପୁଣି କିଏ ଚତୁରପଣିଆର ଜିପ୍‌ଗାଡ଼ି ଚଢ଼ି ମହଲାକୁ ଦୁଇମହଲା କରୁଚି ବା ହଜାରକୁ ଲକ୍ଷେ କରିପାରୁଚି, ସିଏ ମଧ୍ୟ କର୍ମର କରାମତି । ସମାଜର ଦୁଃଖ, ଯାତନା, ସୁଖ ଓ ସମ୍ପଦ, ଏସବୁ ମଣିଷ ଭିଆଇ ନାହିଁ, ଏସବୁ କର୍ମ ଭିଆଇଚି । ଏଥିରେ ମଣିଷର କିଛି କରିବାର ନାହିଁ, କେବଳ ତାହାକୁ ହିଁ ଏକମାତ୍ର ସମ୍ଭାବ୍ୟତା ବୋଲି ମାନିନେବା ବ୍ୟତୀତ ତାର ଆଉ କିଛିହେଲେ କରିବାର ନାହିଁ-। କର୍ମବାଦରେ ଆମର ବିଶ୍ୱାସ ଯୁଗ ଯୁଗ ଧରି ଆମକୁ ବଡ଼ ଉଦାସ କରି ପକାଇଚି ତେଣୁ ବଡ଼ ନିଷ୍ଠୁର ଓ ହୃଦୟହୀନ ମଧ୍ୟ କରି ପକାଇଚି । ସମାଜକୁ ଭଲ ବା ମନ୍ଦ କରି ଗଢ଼ିବାର ଗୌରବ ବା ଅଗୌରବ ଯେ ପ୍ରଧାନତଃ ମଣିଷର ହିଁ ରହିଚି ଓ ଆମେ ଇଚ୍ଛାକଲେ ଯେ ଆପଣା ପ୍ରୟାସରେ ସମାଜକୁ ଅନେକ ପରିମାଣରେ ବଦଳାଇ ପାରିବା, ଅନେକ ଅନ୍ୟାୟ ଓ ଅସୁନ୍ଦରତାର ଅନ୍ତ କରି ପାରିବା, କର୍ମବାଦରୂପୀ ଦର୍ଶନ-ଚକ୍ରର ଘୂର୍ଣ୍ଣନ ଭିତରେ ପଡ଼ିଥିବା ଆମେ ଏକଥା ଆଜି କଳ୍ପନା ମଧ୍ୟ କରି ପାରୁନାହୁଁ । ଆମର ଅନୁଭବ କରିବାର ଶକ୍ତି କ୍ରମେ ବଡ଼ ଦନ୍ଥରା ହୋଇ ଯାଉଚି, କର୍ମବାଦୀ ଏକ ସାମାଜିକ ଦର୍ଶନର ଆମ ଉପରେ ଏହାକୁ ହିଁ ମୁଁ କ୍ରୂରତମ ଅଭିଶାପ ବୋଲି କହିବି ।

 

ପ୍ରାୟ ପାଞ୍ଚବର୍ଷ ତଳର କଥା । ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଯିବା ବାଟରେ ମୁଁ ଋଷିକେଶରେ ଏକ ସଂସ୍କୃତ ବିଦ୍ୟାଳୟରେ କେତୋଟି ଦିନ ରହିଥିଲି । ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କର ବୟସ ୧୦ରୁ ୧୭ ଭିତରେ ହେବ । ଦିନେ ଭଗବାନଙ୍କର ଆରତି କଲାବେଳେ ସେମାନେ ଯେଉଁ ଭଜନଗୀତଟି ଗାଇ ଶୁଣାଇଲେ, ତାହା ଆମ ସମାଜର ଗୁରୁଜନ ଧର୍ଷିତ ବିଦ୍ୟାର୍ଜନ-ବ୍ୟବସ୍ଥା ବିଷୟରେ ମୋତେ ସେଦିନ ବଡ଼ ବ୍ୟଥିତ କରି ପକାଇଥିଲା । ହିନ୍ଦୀ ଭଜନଟିର ମର୍ମ ହେଉଚି, ଏହି ଶରୀର ଖଣ୍ଡେ ଶୁଖିଲା କାଠପରି, ନିଆଁ ଲଗାଇଲେ ଫସ୍ କରି ଜଳି ପାଉଁଶ ହୋଇଯିବ । ଏହି ଶରୀର ତୁଚ୍ଛ କୁଟାଖଣ୍ଡେ ପରି, ପବନର ଫୁତ୍କାରରେ କୁଆଡ଼େ ଉଡ଼ିଯିବ-। ତେଣୁ ଶରୀରକୁ ଓ ଶରୀରଗତ ଜୀବନକୁ ଅଳୀକ ମନେ କରି ଭଗବାନଙ୍କର ଭଜନ କରିବା ଉଚିତ । ଯେଉଁ ଦେଶରେ ଜୀବନର ତୋରଣଦେଶରେ ଠିଆ ହୋଇ କିଶୋର ବୟସର ପିଲାମାନେ ଇହ ଜୀବନର ବ୍ୟର୍ଥତା ବିଷୟରେ ପ୍ରଶସ୍ତି ଗାନ କରନ୍ତି, ଭଗବାନ ଇଚ୍ଛାକଲେ ମଧ୍ୟ ସେହି ଦେଶର କୌଣସି ହିତ ହୋଇପାରିବ ନାହିଁ । ସେଦିନ ଏହିପରି ଏକ ଅଶୁଭ ମନାସ ମୋର ମନଟାକୁ ବଡ଼ ଉତ୍ତପ୍ତ କରି ରଖିଥିଲା । ମୁଁ ଭାବୁଥିଲି ଶଙ୍କରାଚାର୍ଯ୍ୟ ଦେହକୁ ଦେବାଳୟ ବୋଲି କହିଛନ୍ତି । ଓଡ଼ିଶାର ସନ୍ଥମାନେ ଶରୀରକୁ ଶ୍ରୀକ୍ଷେତ୍ର ବୋଲି କହିଚନ୍ତି । ମଣିଷର ପ୍ରୟାସ ତା’ର କର୍ମଦ୍ୱାରା ନିୟନ୍ତ୍ରିତ ହୁଏନାହିଁ । ମଣିଷର ପ୍ରୟାସ ହିଁ ତା’ର କର୍ମକୁ ନିୟନ୍ତ୍ରିତ କରେ । ଏକଲବ୍ୟର ପ୍ରୟାସ ଏକଲବ୍ୟର କର୍ମକୁ ନିୟନ୍ତ୍ରିତ କରିଥାନ୍ତା, ସେଯୁଗର ସମସ୍ତ କୁଳୀନତା ଉପରେ ଜୀବନ-ବାସନାର ବିଜୟ ଘୋଷଣା କରିଥାନ୍ତା । ବ୍ୟାସଦେବଙ୍କର କାବ୍ୟ-ଦୃଷ୍ଟି ଅନୁସାରେ ମହାଭାରତରେ ସେହି ପ୍ରୟାସର ଏକ କର୍ମବାଦୀ ବ୍ୟାଖ୍ୟା କରାଯାଇଚି ମାତ୍ର ।

 

ଏ ଯୁଗର ମହାଭାରତ ଲେଖୁଥିବା ବ୍ୟାସଦେବ ଏକଲବ୍ୟ-ଚରିତ୍ରର ଚିତ୍ରଣ କିପରି କରିବେ ? ଭାରତରେ ଆଜି ଅନେକ ପିଲାଙ୍କୁ ବିଦ୍ୟାରୁ ବଞ୍ଚିତ କରି ରଖାଯାଉଚି । ଅନେକ ପିଲା ଦ୍ରୋଣାଚାର୍ଯ୍ୟମାନଙ୍କର ଦୁଆରୁ ପ୍ରତ୍ୟାଖ୍ୟାତ ହୋଇ ଲେଉଟି ଆସୁଚନ୍ତି । ନାନା ପ୍ରକାର ଅସମର୍ଥତାର ଯୁକ୍ତି ଦେଖାହୋଇ ଏହି ସ୍ଥିତିକୁ ଅନେକ ସମୟରେ ଏକ ସ୍ୱାଭାବିକ ସ୍ଥିତି ବୋଲି ମାନି ନିଆଯାଉଚି । ସ୍ୱାଭାବିକ ବୋଲି କୁହା ନ ଗଲେ ମଧ୍ୟ ଅନ୍ତତଃ ଅପରିହାର୍ଯ୍ୟ ବୋଲି ମାନି ନିଆଯାଉଚି । ଆମ ସମାଜରେ କେତେ ମଣିଷ ପ୍ରସ୍ତୁତ ନ ଥିଲେ ମଧ୍ୟ ସେମାନଙ୍କ ପାଖରେ କେତେ କେତେ ବାଟ ଆଣି ଯୋଗାଇ ଦିଆ ଯାଉଚି । ପୁଣି ଅନେକ ଅନେକଙ୍କ ଲାଗି କୌଣସି ବାଟ ନାହିଁ । ସେମାନେ ଦରିଦ୍ର ହୋଇ ଜନ୍ମିଚନ୍ତି । ଅକିଞ୍ଚନ ବୋଲି ପରିଗଣିତ ହେଉଚନ୍ତି । ସେମାନଙ୍କର ଜୀବନ-ଯାତନା ଗୁଡ଼ାକୁ ଆଳଙ୍କାରିକ ଭାଷା ଦେଇ ସାହିତ୍ୟ ଲେଖାଯାଉଚି ସତ, କିନ୍ତୁ ସେହି ସାହିତ୍ୟ ସେମାନଙ୍କର ପେଟ ପୂରାଇ ପାରୁନାହିଁ । ସେହି ସାହିତ୍ୟ ସେମାନଙ୍କ ହାତରେ କୌଣସି ନୂତନ ପ୍ରବେଶପତ୍ର ଦେବାର ବାଟ ବତାଇ ପାରୁନାହିଁ । ସର୍ବହରାର ସାହିତ୍ୟ ପଢ଼ି ସର୍ବଭୁକ୍‍ ଅବସର-ବିନୋଦନ କରୁଚି, ଜୀବନର ଏକ ସୈଦ୍ଧାନ୍ତିକ ବିଲୋକନ କରିବାଲାଗି ସେ ସେଥିରୁ ଖାଦ୍ୟ ସଂଗ୍ରହ କରୁଚି । ରାଜନୀତିର ମଣ୍ଡପମାନଙ୍କରେ ଏ ଦେଶର ବଞ୍ଚିତ ଓ ଅବହେଳିତମାନଙ୍କର ଭାଗ୍ୟ ଫେରାଇ ଆଣିବା ବିଷୟରେ ସ୍ୱପ୍ନ ଦେଖାଯାଉଚି । କଳ୍ପନାର ସ୍ୱାଦ ଚଖାଯାଉଚି, କିନ୍ତୁ ରାଜନୀତି ଦ୍ୱାରା ତଥାପି ମଙ୍ଗ ମୋଡ଼ାହୋଇ ପାରୁନାହିଁ । କାରଣ ରାଜନୀତିର ନାବରେ କାତ ଧରିଥିବା ସମର୍ଥକମାନେ ଅସମତାକୁ ହିଁ ଆପାତତଃ ଏକ ସ୍ୱାଭାବିକତା ବୋଲି ଗ୍ରହଣ କରି ନେଉଚନ୍ତି ।

 

କେବଳ ବର୍ଜିତ ଓ ପ୍ରତ୍ୟାଖ୍ୟାତ ହେଲେ ହିଁ ଏକଲବ୍ୟର ଗୌରବଲାଭ ସମ୍ଭବ ହୁଏ ନାହିଁ । ଯିଏ ମାନିନେବ, ସାମାଜିକ ଓ ସ୍ଥିତିଗତ ଦାରିଦ୍ର୍ୟକୁ ଯିଏ ଦରିଦ୍ରମନର ଦାରିଦ୍ର୍ୟ ଦେଇ ଆଦରିନେବ, ଏ ଯୁଗର ମହାଭାରତରେ ସେ କୌଣସି ସ୍ଥାନ ପାଇପାରିବ ନାହିଁ । ଯାହା ରହିଚି, ଯାହାକୁ ପରମ୍ପରା ବୋଲି କୁହାଯାଉଚି, ତାହା ଯେ ଏକମାତ୍ର ସତ୍ୟନୁହେଁ, ସତ୍ୟର ଯେ ବହୁଳ ଓ ବହୁଧା ସମ୍ଭାବନା ରହିଚି, ଆମର ବାସନା ଅନୁସାରେ ଯେ ଆମ ସତ୍ୟଦର୍ଶନର ବ୍ୟାସ ମଧ୍ୟ ବଦଳିବାରେ ଲାଗିଚି, ଯେଉଁମାନେ ଏହିପରି ଏକ ଉଦ୍ୟମଭୂମି ଉପରେ ଆପଣାର ଜୀବନ ବାସନାକୁ ନ୍ୟସ୍ତକରି ପାରିବେ, ସେହିମାନଙ୍କ ଭିତରୁ ହିଁ ଏ ଯୁଗର ଏକଲବ୍ୟ ବାହାରିବେ । ସେମାନଙ୍କ ଲାଗି ସକଳ ପାଠାଶାଳା ବନ୍ଦ ହୋଇଗଲେ ମଧ୍ୟ ସେମାନେ ତଥାପି ହଟି ଯିବେନାହିଁ, ଏହି ସମାଜର ସ୍ୱୀକୃତ ଦରବାରମାନଙ୍କରେ ନାନା ଭେକ ପିନ୍ଧି ବସିଥିବା ଦ୍ରୋଣାଚାର୍ଯ୍ୟମାନେ ସେମାନଙ୍କୁ ଫେରାଇ ଦେଲେ ମଧ୍ୟ ସେମାନେ ଭାଗ୍ୟକୁ ମାନି ଅପରିବର୍ତ୍ତନୀୟତାର କାରାଗାର ଭିତରକୁ ଫେରି ଆସିବେ ନାହିଁ । ସେମାନେ ତଥାପି ପରିବର୍ତ୍ତନ ଉପରେ ବିଶ୍ୱାସ ରଖିବେ, ଆପଣାର ପ୍ରୟାସ ଉପରେ ବିଶ୍ୱାସ ରଖିବେ । ଏହି ଦୁର୍ଦମ ଅର୍ଜନ-ପଥରେ ନାନା ବେଳ ଓ ଅବେଳରେ ସେମାନଙ୍କର ଆମ ସମାଜର ଦ୍ରୋଣାଚାର୍ଯ୍ୟମାନଙ୍କ ସହିତ ଅବଶ୍ୟ ସାକ୍ଷାତ ହେବ । ଚତୁର ପଣ୍ଡିତ ଦ୍ରୋଣାଚାର୍ଯ୍ୟମାନେ ହୁଏତ ସେମାନଙ୍କୁ ଦକ୍ଷିଣା ମାଗିବେ, ଆଙ୍ଗୁଠି କାଟି ଦେବାକୁ କହିବେ । ଆଧୁନିକ ମହାଭାରତର ଏକଲବ୍ୟ ଏହି ଆଦେଶର ମଧ୍ୟ ଅମାନ୍ୟ କରିବ । ଅଯୋଗ୍ୟ ଗୁରୁର ଆଜ୍ଞା ପାଳନ କରିବାକୁ ଯୋଗ୍ୟ ସାହସ ଦେଖାଇ ସେ ସଫା ସଫା ମନା କରିଦେବ ।

 

ଆମ ଯୁଗରେ ଆମ ଦେଶରେ ଏବେ ପିଲାମାନେ ବଡ଼ ଅବାଧ୍ୟ ହେଉଚନ୍ତି । କୋଡ଼ିଏ ବର୍ଷ ତଳେ ଏପରି ଆଦୌ ହେଉ ନ ଥିଲା । ସେହି ସ୍ୱର୍ଣ୍ଣଯୁଗରେ ସାନ ବଡ଼ର କୁହା ମାନୁଥିଲା, ଲଘୁଜନ ଗୁରୁଜନ କୁହା ମାନୁଥିଲା, ଅର୍ବାଚୀନ ପ୍ରବୀଣର କୁହା ମାନୁଥିଲା । ସେତେବେଳେ କାଣି ଆଙ୍ଗୁଠି ମଝି ଆଙ୍ଗୁଠିକୁ ମାନି ନେଉଥିଲା । ନିଧିଆ ବାଉରି ନିଧି ସାଆନ୍ତଙ୍କୁ ମାନି ନେଉଥିଲା । ଇସ୍କୁଲରେ ପିଲାଏ ଆଚାର୍ଯ୍ୟମାନଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ସମତୁଲ କରି ମାନୁଥିଲେ । ଅବଶ୍ୟ ତାହା ବୋଲି କୁହାଯାଇ ପାରିବ ନାହିଁ ଯେ ସେତେବେଳେ କାହାରି ମନରେ କୌଣସି ଅସନ୍ତୋଷ ନ ଥିଲା ବା ସବୁ ମାନିବା ପଛରେ କେବଳ ଶ୍ରଦ୍ଧା ବା ଭକ୍ତି ହିଁ ଏକମାତ୍ର ପ୍ରେରକ ହୋଇ ରହିଥିଲା । ସେତେବେଳେ ଭୟ ହିଁ ଆମକୁ ଅମାନିଆ ହେବାର ପ୍ରମାଦରୁ ବଞ୍ଚାଇ ରଖୁଥିଲା । ଅସନ୍ତୁଷ୍ଟ ହେଲେ ମଧ୍ୟ ଆମେ ମାନି ନେଉଥିଲୁ । ଆଚାର୍ଯ୍ୟ ଯେତେ କ୍ରୂର ହେଲେ ମଧ୍ୟ ଛାତ୍ର ତାଙ୍କରି କଥାକୁ ହିଁ ମାନି ନେଉଥିଲେ । କାରଣ ମାନିନେବାଟାକୁ ସାମାଜିକ ଧର୍ମ ବୋଲି କୁହାଯାଉଥିଲା । ଆଗେ ଅସନ୍ତୋଷ ଥିଲା, କିନ୍ତୁ ସେ କଥା କେହି କହୁ ନ ଥିଲେ । କିନ୍ତୁ ଏବେ ଯିଏ ଯେଉଁଠି ଅସନ୍ତୁଷ୍ଟ ହେଉଚି, ସିଏ କ୍ରମେ ତାହା କହିବାକୁ ମଧ୍ୟ ଆରମ୍ଭ କଲାଣି । ସେ ତାହାକୁ କେବଳ ମାନି ନେବାକୁ ଆଉ ବାଧ୍ୟ ହୋଇ ପାରୁନାହିଁ । ସେ ଆଉ ଆପଣାକୁ ଠକାଇ ପାରୁନାହିଁ । ତେଣୁ ତା’ର ଦେଶରେ ଯେଉଁଠି ଯାହା ତାକୁ ଅନ୍ୟାୟ ବୋଲି ଦିଶୁଚି, ଯେକୌଣସି ଉପାୟରେ ହେଲେ ମଧ୍ୟ ସେ ତାହାକୁ ଅନ୍ୟାୟ ବୋଲି କହିବାକୁ ବାହାରି ପଡ଼ୁଛି । ଏହିମାନଙ୍କୁ ଆମେ ଗୁରୁଜନମାନେ ଅମାନିଆ ବୋଲି କହି ଆପତ୍ତି କରୁଚୁ । ଆଚାର୍ଯ୍ୟମାନେ ଏହିମାନଙ୍କୁ ଅଯୋଗ୍ୟ ବୋଲି ସାର୍ଟିଫିକେଟ୍ ଦେଉଚନ୍ତି । ତେଣୁ ଆମ ସମାଜରେ ଆଜି ଅମାନିଆପଣ ବଢ଼ି ଯାଉଚି ବୋଲି ଯାହା କୁହାଯାଉଚି, ତାହାକୁ ମୁଁ ବରଂ ଆପଣା ମନ ଓ ବିବେକର ପ୍ରତିକ୍ରିୟାକୁ ପ୍ରକାଶ କରିବାର ନିର୍ଭୟତା ବଢ଼ିଚି ବୋଲି କହିବାକୁ ଅଧିକ ପସନ୍ଦ କରିବି ।

 

ସମାଜର ସବୁ ଅମାନିଆ ଏକଲବ୍ୟ ହୋଇ ପାରିବେ ବୋଲି ଦାବୀକଲେ ମୁଁ କେବଳ ମୋର ମୂର୍ଖତାର ପରିଚୟ ଦେବି । ତଥାପି ମୁଁ କହିବି ଏହି ଅମାନିଆମାନଙ୍କ ଭିତରୁ ହିଁ ଏକଲବ୍ୟ ବାହାରିବେ ।

☆☆☆

 

ତଥାପି

 

ସମସ୍ତେ କହନ୍ତି ମଣିଷର ଜୀବନ ମାତ୍ର ଅଳ୍ପ କେଇଟା ଦିନର । ଧର୍ମ ସେଇକଥା କହେ, ଶାସ୍ତ୍ର ସେଇକଥା କହେ, ବଡ଼ମାନେ ବି ଠିକ୍ ସେଇକଥା କହନ୍ତି । ସେମାନେ କହନ୍ତି ଏ ଜୀବନ କିଛି ନୁହେଁ, ଏ ମଣିଷ ବି କିଛି ନୁହେଁ । ମଣିଷ ତା’ଇଚ୍ଛାରେ କିଛିହେଲେ କରେ ନାହିଁ । ସବୁ କେବଳ ତାଙ୍କରି ଇଚ୍ଛାରେ ହୁଏ, ଅର୍ଥାତ୍ ଆଉ କାହାର ଇଚ୍ଛାରେ ହୁଏ । ସେଇ ଆଉକିଏ ଏଠାରେ ମଣିଷଙ୍କୁ ନେଇ ନଚାଇବାରେ ଲାଗି ଥାଆନ୍ତି । କେବଳ ସେଇ ମଣିଷକୁ ସଂସାର ଭିତରକୁ ଆଣିଥାନ୍ତି, ପୁଣି ସେଇ ଇଚ୍ଛା କଲା ମାତ୍ରକେ ତାକୁ ଏଠାରୁ ହକାରି ନେଇ ଯାଆନ୍ତି । ସିଏ ତାକୁ ଖେଳନା ପରି ନଚାଉଥାଆନ୍ତି । ଆପଣାର କୌଣସି ଲୀଳାରେ ତାକୁ କ୍ରୀଡ଼ନକ କରି ରଖିଥାନ୍ତି ।

 

ତଥାପି ଏ ମଣିଷ ମାନେ ନାହିଁ । ତଥାପି ଏ ମନ ମାନେ ନାହିଁ । ଆଉ କାହାରି ଖେଳନା ହୋଇ ଆଉ କାହାରି ଖିଆଲ ଅନୁସାରେ ଗଢ଼ା ହେବାକୁ ଆଉ ଭଙ୍ଗା ହେବାକୁ ତଥାପି ମନ ହୁଏ ନାହିଁ । ଅଳପ ଦିନର ଏହି ଭଙ୍ଗୁର ଦେହଟା ଭିତରେ ସତେଅବା ଚିରଦିନର କୌଣସି ଏକ ସମ୍ପଦ ପ୍ରଚ୍ଛନ୍ନ ହୋଇ ରହିଥାଏ, ସେଇ ସବୁଥିରୁ ଅଧିକ ଶକ୍ତିଶାଳୀ ହୋଇ ରହିଥାଏ । ସେଇ ଗଢ଼େ, ପୁଣି ସେଇ ଭାଙ୍ଗେ । ସେ ଆଉ କାହାରି କ୍ରୀଡ଼ନକ ନ ହୋଇ ଆପେ କ୍ରୀଡ଼ନକ ଗଢ଼ିବାଲାଗି ମନ ବଳାଏ । ସେଗୁଡ଼ାକୁ ନେଇ ଆପେ ଖେଳେ ଏବଂ ତାହାରି ଭିତର ଦେଇ ସେ ସୁନ୍ଦରର ଅନ୍ୱେଷଣ କରେ, ଶିବର ଅନ୍ୱେଷଣ କରେ; ଏବଂ ଯାହା ପାଏ, ତାକୁ ତା’ର ଆପଣା ସତ୍ୟାଦର୍ଶର ତଉଲ ଦେଇ ପରଖିବାରେ ଲାଗିଥାଏ । ଏଠି ସେ ସବୁଦିନର ଏକ କାରବାର ଲଗାଇ ଦିଏ । ତେଣୁ ସକଳ ମରଣ ସତ୍ତ୍ୱେ ଜୀବନ ହିଁ ଜୟୀ ହୁଏ, ଜୀବନ ହିଁ ସ୍ଥାୟୀ ହୋଇ ରହିଥାଏ । ମଣିଷ ନିତି ମରୁଥିଲେ ମଧ୍ୟ ତଥାପି ଅମର ହୋଇ ରହେ ।

 

ସମସ୍ତେ କହନ୍ତି, ଏ ସଂସାରରେ ମଣିଷ କିଛିହେଲେ କରିପାରିବ ନାହିଁ । ସିଏ ଯେତେ ଯାହା କରିବାର ଦମ୍ଭ ଧରି ବାହାରୁଥିବ, ଉପରେ ଥାଇ ଭଗବାନ ସବୁଥିର ତା’ର ଅଣ୍ଟା ଭାଙ୍ଗି ଦେଉଥିବେ । ଏହି ସଂସାର ଯେମିତି ଅଛି, ଠିକ୍ ସେମିତି ରହିଥିବ । ଅର୍ଥାତ୍ ଏଠାରେ ଦୁଃଖ ରହିଥିବ, ଦ୍ୱେଷ ରହିଥିବ, ଦୁଃଶାସନ ରହିଥିବ ଓ ଦୁର୍ବିପାକ ରହିଥିବ । ଭଗବାନ ଯାହାକୁ ବଡ଼ କରିବାକୁ ଇଚ୍ଛା କରିବେ, ତାକୁ ବଡ଼ କରି ରଖିବେ; ସାନକୁ ସାନ କରି ରଖିବେ । ସାନକୁ ଆଣି ବଡ଼ର ଦୂଆରେ ଖଟାଇବେ, ତାହାରି କୁହାରେ ରଖାଇବେ । ଆମ ସଂସାରରେ ଏଇଗୁଡ଼ାକ ଚିରଦିନ ହୋଇ ଆସିଛି, ଆଜି ମଧ୍ୟ ହେଉଚି । ଆମ ଆଖି ଆଗରେ ଏଠି ନିତି ହେଉଚି । ତଥାପି ମାନିବାକୁ ମନ ହୁଏ ନାହିଁ । ଭଗବାନଙ୍କୁ କୌଣସି ଅସହିଷ୍ଣୁ ପ୍ରଭୁ ବୋଲି କଳ୍ପନା କରିବାକୁ ଆଦୌ ଇଚ୍ଛା ହୁଏ ନାହିଁ । ତାଙ୍କୁ ଆପଣା ଭିତରେ ହିଁ ଦେଖିବାକୁ ଇଚ୍ଛା ହୁଏ । ଏହି ସଂସାରର ସକଳ ଅସୁନ୍ଦରତା ସତ୍ତ୍ୱେ ତଥାପି ତାଙ୍କୁ ଏହି ସଂସାର ଭିତରେ ଆଣି ଥାପିବାକୁ ଇଚ୍ଛା ହୁଏ । ତଥାପି ସ୍ୱପ୍ନ ଦେଖିବାକୁ ମନ ହୁଏ, ସ୍ୱପ୍ନକୁ ସତ୍ୟରେ ପରିଣତ କରିବାକୁ ମନ ହୁଏ, ଏବଂ ସେଥିଲାଗି ଆପଣାକୁ ଉତ୍ସର୍ଗ କରି ରଖିବାକୁ ମନ ହୁଏ । ତଥାପି ମନ କହେ ଯେ ଏହି ସଂସାର ଯେମିତି ରହି ଆସିଛି, କଦାପି ସବୁଦିନ ଲାଗି ଠିକ୍ ସେହିପରି ହୋଇ ରହିବ ନାହିଁ । ସଂସାର ନୂଆ ହୋଇ ଗଢ଼ାହେବ । ନୂଆ ରୀତିରେ ଗଢ଼ାହେବ । ମୂଲ୍ୟଗୁଡ଼ିକର ନୂତନ ପ୍ରତିଷ୍ଠା ହେବ । ମଣିଷ ମଣିଷ ପରି ପ୍ରତିଷ୍ଠିତ ହେବ । ଏଠି ଅନେକଙ୍କ ଉପରେ ବଡ଼ ହୋଇ ରହିବାକୁ ଲାଜ ଲାଗିବ ଓ ଭାଗ୍ୟ ଆଦରି ପ୍ରବଳର ପ୍ରବଳତା ଗୁଡ଼ାକୁ ମାନିନେଇ ସାନ ହୋଇ ରହିବାକୁ ମଧ୍ୟ ଅସହ୍ୟ ଲାଗିବ । ମଣିଷକୁ ସମାନସ୍କନ୍ଧ ସହଚର ରୂପେ ଦେଖି ଓ ପାଇ ମଣିଷ ସବୁଠାରୁ ଅଧିକ ଆନନ୍ଦ ଅନୁଭବ କରିବ । ଏହି ସ୍ୱପ୍ନ ଆଜି ଅନେକ ଦୂରରେ ରହିଚି, ଅନେକ ଯୋଜନ ଦୂରର ଏକ ଆଦର୍ଶ ହୋଇ ରହିଚି ସତ, ତଥାପି ଠିକ୍ ସେଇଠାରେ ଯାଇ ପହଞ୍ଚିବାକୁ ଓ ଅନ୍ୟ କେଉଁଠି ଭୁଲି ନ ରହିବାକୁ ଅଥବା ଅନ୍ୟମାନଙ୍କୁ ଅନ୍ୟ କେଉଁଠି ଭଣ୍ଡାଇ ନ ରଖିବାକୁ ହିଁ ଇଚ୍ଛା ହୁଏ ଏବଂ ହାତ ବଢ଼ାଇଦେଲା ମାତ୍ରକେ, ଗୋଡ଼ ପକାଇ ଚାଲିବା ମାତ୍ରକେ ସତେଅବା ସେହି ଆକାଙ୍‌କ୍ଷିତ ସ୍ଥିତିଟିକୁ ଛୁଇଁ ଆସିବା ପରି ମନେ ହୁଏ ।

 

ସମସ୍ତେ କହନ୍ତି, ଏହି ସଂସାରରେ ଯେତିକି ହୋଇଚି ସେତିକି, ଆଉ ଅଧିକ କିଛି ହୋଇପାରିବ ନାହିଁ । ସାଧାରଣତଃ ପ୍ରବୀଣମାନେ ଏପରି କହିଥିାନ୍ତି । ସେମାନେ ଆମକୁ ଅତୀତର ଗୌରବଗୁଡ଼ାକୁ ସ୍ମରଣ କରାଇ ଦେଇଥାନ୍ତି । ସେଗୁଡ଼ାକ ଗୋଟାସୁଦ୍ଧା ଆମର, ତେଣୁ ଗୋଟାସୁଦ୍ଧା ଅନତିକ୍ରମ୍ୟ ବୋଲି ସେମାନେ ଝିଙ୍ଗାସି କହିଥାଆନ୍ତି । ସେମାନେ ନୂଆକୁ ଡରନ୍ତି, ଭବିଷ୍ୟ କହିଲେ ସତେଅବା ଏକ ଅପରିଚିତ ଶତ୍ରୁ-ଦୁର୍ଗର କଳ୍ପନା କରିଥାନ୍ତି । ମାଳିକା ଦେଖି ପ୍ରମାଦଗୁଡ଼ାକର ମାତ୍ରା ହିସାବ କରନ୍ତି । ତଥାପି ସେମାନଙ୍କୁ ଏଡ଼ିଯାଇ ଆଗକୁ ଅନାଇବାକୁ ଇଚ୍ଛା ହୁଏ, ଅତୀତର ମାଟି ଆଉ ବର୍ତ୍ତମାନର ଏହି ଖୁଣ୍ଟଗୁଡ଼ାକ ଉପରେ ଭବିଷ୍ୟ ବୋଲି କିଛି ଗଢ଼ିବାଲାଗି ତଥାପି ସାହସ ଡାକେ । ସୃଷ୍ଟିକୁ ଗୋଟାସୁଦ୍ଧା ନିଶ୍ଚିନ୍ତ ହୋଇ ଭୋଗ ନ କରି ତାହାକୁ ଗୋଟାସୁଦ୍ଧା ନୂଆକରି ତିଆରି କରିବାକୁ ମନ ଧାଏଁ । ସେଥିଲାଗି ପ୍ରବୀଣମାନଙ୍କୁ ଘରୁ ନିକାଲି ଦେବାକୁ ପଡ଼େ ନାହିଁ କିମ୍ୱା ଆଦୌ ପ୍ରତ୍ୟାଖ୍ୟାନ କରିବାକୁ ପଡ଼େ ନାହିଁ । ସାହସ କରି ଆପଣା ଭିତରେ ଏକ ସାହସୀ ନୂତନକୁ ଜନ୍ମ ଦେବାପାଇଁ ଆଗକୁ ଅଭିଳାଷ କଲାମାତ୍ରକେ ସତେଅବା ସବୁ ଅତୀତର ଓ ସବୁ ପ୍ରବୀଣଙ୍କର ଆଶୀର୍ବାଦ ପାଇଗଲା ପରି ମନେ ହୁଏ । ପୁରୁଣା ଅବତାରଯାକ ସମସ୍ତେ ମିଶି ଏଠି ଆମରି ଶପଥ ଆଉ ସଂକଳ୍ପ ମଧ୍ୟରେ ସତେଅବା ଏକ ପୂର୍ଣ୍ଣତର ନୂତନ ଅବତାରଟିକୁ ପ୍ରସ୍ତୁତ କରୁଥିବା ପରି ମନେ ହୁଅନ୍ତି । ‘ପୂର୍ଣ୍ଣାତ୍ ପୂର୍ଣ୍ଣ ତରାକୃତିଃ’– ସେତେବେଳେ ଭଗବାନଙ୍କର ଏହି ବ୍ୟାଖ୍ୟାଟି ଭାରି ଆକର୍ଷକ ପରି ମନେ ହୁଏ, ଭାରି ପ୍ରେରଣା ଦିଏ । ଆମକୁ କେତେକେତେ ଆହ୍ୱାନ ଦେଇଯାଏ ।

 

ସମସ୍ତେ କହନ୍ତି, ବଡ଼ ବଡ଼ ସ୍ୱପ୍ନ ଦେଖ, ସେଥିରେ କିଛି ବାଧା ନାହିଁ । ନୂତନ ମଣିଷ ଓ ନୂତନ ପୃଥିବୀର କଳ୍ପନା-ମଣ୍ଡନରେ ସାହିତ୍ୟ ଲେଖ, ସେଥିରେ ବି କୌଣସି ବାଧା ନାହିଁ; କାରଣ ସେଥିରେ କୌଣସି ବିପଦ ନାହିଁ । ମାତ୍ର ଯାହା ଦେଖୁଛ ବା ଯାହା ଲେଖୁଛ, ସେଥିଲାଗି ଗୋଟାସୁଦ୍ଧା ଉଚ୍ଛନ୍ନ ହୋଇ ପଡ଼ନାହିଁ । ଅର୍ଥାତ୍ ସେଥିଲାଗି ନିଜକୁ ଗୋଟାସୁଦ୍ଧା ପାଣି ଛଡ଼ାଇ ଦିଅନାହିଁ । ସେପାଖର ସ୍ୱପ୍ନ ଦେଖ, ସେପାଖର ସାହିତ୍ୟ ଲେଖ; ମାତ୍ର ଆପଣାର ଦୁଇଟିଯାକ ଗୋଡ଼କୁ ଏଇଠି ଟାଣକରି ରଖିଥାଅ, ଆପଣାକୁ ନିରାପଦ କରି ରଖିଥାଅ । ଏଇଠି ଏଇ ପୁରାତନ, ପ୍ରଚଳିତ ଓ ପ୍ରତିଷ୍ଠିତ ଭିତରେ ନିରାପଦ ଭାବରେ ଜଣେ ହୋଇ ରହିଥାଅ, ପୁରୁଣା ରୀତିରେ ଆପଣାର ଗଦାଟିକୁ ଜଗି କରି ରହିଥାଅ । ଯେତେବେଳେ ସମସ୍ତେ ବଦଳିଯିବେ, ନୂଆ ରୀତିରେ ସବୁ ବଦଳିଯିବ, ସ୍ୱପ୍ନଗୁଡ଼ାକ ସତକୁ ସତ ଫଳିବାକୁ ଆରମ୍ଭ କରିବେ ଓ ଆଦର୍ଶଗୁଡ଼ାକ ବାସ୍ତବରେ ପରିଣତ ହୋଇ ଏଇଠି ହାତପା’ନ୍ତାରେ ମିଳିପାରିବେ, ସେତେବେଳେ ପଛେ ତୁମେ ସେହି ଦଳରେ ସାମିଲ ହୋଇଯିବ । ମାତ୍ର ବର୍ତ୍ତମାନ ଏଇଠି ଥାଅ । ନହେଲେ କଷ୍ଟ ଭୋଗ କରିବ, ନହେଲେ ଆଗ ମାଡ଼ ଖାଇବ ଏବଂ ଜୀବନ-ସଂଗ୍ରାମରେ ବୋକା ବନିଯିବ । ଏକଥା ଚତୁରମାନେ କହିଥାନ୍ତି, ସଫଳ ଓ ସତର୍କମାନେ ଏପରି କଥା କହିଥାନ୍ତି । ତଥାପି ମାନିବାକୁ ମନ ହୁଏନାହିଁ । ତଥାପି ପ୍ରତାରଣା କରିବାକୁ କିମ୍ବା ପ୍ରତାରିତ ହୋଇ ରହିବାକୁ ମୋଟେ ମନ ହୁଏନାହିଁ । ଆପଣା ସ୍ୱପ୍ନ-ଦେଖିବାର ଅନୁରୂପ ହୋଇ ବଞ୍ଚିବାକୁ ଇଚ୍ଛା ହୁଏ । ଆପଣାର ହୃଦୟଟାକୁ ସାଙ୍ଗରେ ନେଇ ଗୋଟାସୁଦ୍ଧା ଜୀବନ ବଞ୍ଚିବାକୁ ଇଚ୍ଛା ହୁଏ । ଅନ୍ୟ ଅନେକେ ହୁଏତ ବୋକା ବୋଲି କହୁଥାନ୍ତି, ହୁଏତ କୃପା କଲାପରି ମୁଖାକୃତି କରୁଥାନ୍ତି; ତଥାପି ଅଳ୍ପସଂଖ୍ୟକଙ୍କ ଭିତରେ ରହିବାକୁ ସେତେବେଳେ ସତେଅବା ସ୍ୱାଭିମାନ ଓ ସ୍ୱଗୌରବ ବୋଲି ମନେ ହୁଏ । ସ୍ୱଧର୍ମକୁ ସ୍ୱଧର୍ମ ବୋଲି ହିଁ ସ୍ୱୀକାର କରିବାକୁ ମନ ହୁଏ । ସେତେବେଳେ ସଫଳ ଓ ସତର୍କମାନଙ୍କୁ କୌଣସି ପ୍ରକାର ଭରସା କରିବାକୁ ମନ ହୁଏ ନାହିଁ ବା ବୋକା ବୋଲି କହିବାକୁ ସରାଗ ଲାଗେନାହିଁ ସତ, ତଥାପି ନିରାପଦ ହୋଇ ରହିବାକୁ ଆତ୍ମ-ପ୍ରବଞ୍ଚନା ପରି ଲାଗେ । ଯିଏ କେବଳ ନିରାପଦ ହୋଇ ରହିବାକୁ ମନ କରୁଚି, ସିଏ ଆଉ ପ୍ରେମରେ ପଡ଼ିଲା କେତେବେଳେ-ସେତେବେଳେ ଆପଣାର ମନ ଭିତରେ ଏହି ଭଳି ଗୋଟାଏ ସଂଶୟ ରହିଯାଏ । ଯିଏ ଅଧିକ ଅନେକଙ୍କ ମେଳରେ ସମ୍ପୂର୍ଣ୍ଣ ପ୍ରମାଦମୁକ୍ତ ହୋଇ ରହିବାକୁ ଯୁଗଧର୍ମ ବୋଲି ମଣୁଚି, ସିଏ ଆଉ ସତକୁସତ ବାଟ ଚାଲି ଶିଖିଲା କେତେବେଳେ-ସେତେବେଳେ ମନରେ ଏହିପରି ଏକ ସଂଶୟ ଆସି ଦେଖାଯାଏ ।

 

କେତେଆଡ଼ୁ କେତେଭଳି ଲୋକ ଆସି ସାହିତ୍ୟସଭାରେ ବସନ୍ତି । ସାହିତ୍ୟର ସଭାକୁ ସେମାନେ ଖ୍ୟାତିର ସଭା ବୋଲି ଧରି ନେଇଥାନ୍ତି । ତେଣୁ ଖ୍ୟାତିଟା ହାସଲ ହୋଇଗଲେ ସାହିତ୍ୟ ମଧ୍ୟ ହାସଲ ହୋଇପାରିବ ବୋଲି ଏକ ମର୍ମଘାତୀ ଫିସାଦରେ ପଡ଼ି ରହିଥାନ୍ତି । କୌଣସି ସୃଷ୍ଟି ନ କରି ଆପଣାକୁ ସୃଷ୍ଟିଧର ବୋଲି ବିଚାରୁଥାନ୍ତି । ଆପଣାର କ୍ଷମତାଟାକୁ କଳି ସେମାନେ ଆପଣାର ସୃଜନଶୀଳତାଟାକୁ ମଧ୍ୟ କଳିବାର ସୌଖିନ୍ ବାହାଦୂରୀ ଦେଖାଉଥାନ୍ତି । ସେମାନେ କେତେ ପଇସା ବିଞ୍ଚନ୍ତି, କେତେ ପ୍ରଗଳ୍‍ଭତା କରନ୍ତି, ମଞ୍ଚଟାକୁ ହିଁ ସତେଅବା ଜୀବନ ବୋଲି ଭାବି ବାଉଳା ହୋଇ ରହିଥାନ୍ତି । ଏହି ବାଉଳା ହୋଇ ରହିବାରେ ସେମାନେ ଜାତି ଓ ଦେଶର ନାଆଁକୁ ସତେ ଅବା ନିଦ-ଔଷଧ ପରି ବ୍ୟବହାର କରନ୍ତି । ସାହିତ୍ୟ ସୃଷ୍ଟି କରିବାକୁ ଜାତି ଓ ଦେଶର ସେବା କରିବା ବୋଲି କହନ୍ତି । ସେମାନେ ସରସ୍ୱତୀଙ୍କର ସେବାକୁ ଜାତିତ୍ୱ ଓ ଦେଶତ୍ୱର ସେର ଆଉ ମାଣରେ ମାପି ସାହିତ୍ୟର ସଦର ଓ ମଫସଲ ନିରୂପଣ କରୁଥାନ୍ତି । ବେଳେବେଳେ ସେଇମାନଙ୍କର ଅଢ଼ାରେ ହିଁ ସବୁ କାରବାର ଚାଲୁଥାଏ । ସାହିତ୍ୟର ଭବନ ସତେଅବା ସେଇମାନଙ୍କର ଭବନରୂପେ ସଜାହୋଇ ରହିଥାଏ, ସେଠି କେତେକେତେ ଆଲୁଅ ଆଉ ଫାନୁସ ଖଞ୍ଜା ହୋଇ ରହିଥାଏ । କେତେ ଲୋଭର ଫାଶ ବସାଇ ସ୍ତାବକ ବା ଶାବକ ଧରିବାର ଚେଷ୍ଟା କରାଯାଇ ଥାଏ । ତଥାପି କେବଳ ଦାଣ୍ଡେ ଦାଣ୍ଡେ ଅଘର ହୋଇ ରହିଯିବାକୁ ମନ ହୁଏ । ନଅର ଭିତରକୁ ପାଦ ପକାଇବାକୁ ମୋଟେ ମନ ହୁଏ ନାହିଁ । ଉଆସ ଭିତରୁ ଆପଣାକୁ ବାସନ୍ଦ କରି ରଖିବାକୁ ମନ ହୁଏ ।

 

ସେମାନେ କହନ୍ତି, ଏଇ ଯୁଗଟା ହେଲା ଏ’ମିତି । ଏଠି ଆପଣାକୁ ତୁମେ ଯେତିକି ବେଶୀ ପ୍ରଦର୍ଶିତ କରିପାରିବ, ସେତିକି ବେଶୀ ସମ୍ମାନ ପାଇବ, ସେତିକି ବେଶୀ ଥାନ ପାଇବ । ନହେଲେ କେହି ପଚାରିବେ ନାହିଁ, କେହି ଶୁଣିବେ ନାହିଁ, ତୁମେ ସେମିତି ପଚି ସଢ଼ି ରହିଯିବ;– ଆପଣାକୁ ଯୁଗନ୍ଧର ବୋଲି ବିଚାରୁଥିବା ବ୍ୟକ୍ତିମାନେ ଏହିଭଳି କହିଥାନ୍ତି । ସେମାନେ ଆପଣାକୁ ଯୁଗର ଅନୁରୂପ କରି ଦେଖାଇବାର ମନ୍ଦ ପ୍ରୟାସ କରୁ କରୁ ଆଖର ଯୁଗଟାକୁ ହିଁ ଆପଣାର ଅନୁରୂପ କରି ଗଢ଼ି ଥୋଇଦିଅନ୍ତି ଏବଂ ଆପେ ଆଦରି ରହିଥିବା ମୋହ ଗୁଡ଼ାକ ଭିତରେ ହିଁ ଯୁଗଟାକୁ ଲଟରପଟର କରି ରଖିଥାନ୍ତି । ଆଗକୁ ବାଟ ଛାଡ଼ିବେ ନାହିଁ ବୋଲି ପଣକରି ବସିଥାନ୍ତି, ଦିଅଁ ଦେଖାଇ ଦେବେ ନାହିଁ ବୋଲି ଜିଦ୍ ଧରି ବସିଥାନ୍ତି । ତଥାପି ଏହି ଯୁଗଟା ବି ଦିନେ ଚାଲିଯିବ, ତଥାପି ଯେ ଦିଅଁଙ୍କର ଦର୍ଶନ ମିଳିବ, ଆପଣାର ସାହିତ୍ୟ ମଧ୍ୟ ଦେଇ ତଥାପି ଯେ ବିଶ୍ୱର ନୂତନ ପରିଚୟ ଉପଲବ୍‌ଧ ହୋଇ ପାରିବ– ଏହି ଅଳସ ଆଉ ତାମସା ଖେଳକୁ ଭାଙ୍ଗି ଏଠି ଯେ ସାହସ ଓ ସୃଜନର ଆସ୍ପର୍ଦ୍ଧା କରାଯାଇ ପାରିବ, ଅପ୍ରମତ୍ତ ହୋଇ ଆପଣାକୁ ସାଙ୍ଗରେ ନେଇ ବାଟ ଚାଲୁଥିବା ସମୟରେ ତଥାପି ଆପଣା ଭିତରୁ ହିଁ କିଏ ଯେପରି ବାରମ୍ୱାର ଏହି ପ୍ରତ୍ୟୟଟି ଦେଇଯାଏ ।

 

ଆମର ଏହି ପୃଥିବୀରେ ଅନେକ କିଛି ହୋଇଛି, ତଥାପି ଆହୁରି ଅନେକ ହେବାକୁ ବାକୀ ରହିଛି । ଏଠି ଗଢ଼ିବା ନାଆଁରେ ଅନେକ ଭଙ୍ଗା ହୋଇଚି, ତଥାପି ଆହୁରି ଗଢ଼ିବାର ସ୍ୱପ୍ନକୁ ନେଇ ଆମକୁ ବାଟ ଚାଲିବାକୁ ହେବ । ନକଲି ଅନେକ ଚାଲିଚି, ତଥାପି ଅସଲି ଉପରେ ବିଶ୍ୱାସ ରଖିବାକୁ ହେବ । ପୋଷାକୀ ପଛରୁ ତଥାପି ଅସଲ ସତ୍ୟରୂପଟାକୁ ଆବିଷ୍କାର କରିବାକୁ ପଡ଼ିବ ଏବଂ ତାହାରି ପ୍ରାଣ-ପ୍ରତିଷ୍ଠା ଲାଗି ଆପଣାକୁ ତିଆରି କରିବାକୁ ହେବ । ଏଠି ଆମ ସଂସାରରେ ଅନେକ ବ୍ୟର୍ଥତା ରହିଚି, ଅନେକ ଶଠତା ଓ କ୍ଷୁଦ୍ରତା ରହିଛି, ତଥାପି ଆଶା ବାନ୍ଧି ବାଟ ଚାଲିବାକୁ ହେବ । ଏଠି ଅଶ୍ରଦ୍ଧା, ଅବଜ୍ଞା ଅନେକ ରହିଚି, ହୁଏତ ଅତିରିକ୍ତ ପରିମାଣରେ ରହିଚି; ତଥାପି ସାହସର ସହିତ ଶ୍ରଦ୍ଧାକୁ ଜୀଆଇ ରଖିବାକୁ ହେବ । ପାଚିଲା ପତରର କୁଢ଼ ଭିତରେ ତଥାପି ନୂତନ ସମ୍ଭାବନାର ବୀଜଟିଏ ହୋଇ ସଞ୍ଚିତ ଓ ସ୍ପର୍ଦ୍ଧିତ ହୋଇ ରହିବାକୁ ପଡ଼ିବ ।

☆☆☆

 

ଜୀବନ ନା ରଙ୍ଗ ?

 

ଆମ ଓଡ଼ିଶାରେ ଯାହାକୁ ଦୋଳ ଉତ୍ସବ କହନ୍ତି, ଉତ୍ତର ଭାରତରେ ତାକୁ ହୋଲି ବୋଲି କହନ୍ତି । କୃଷ୍ଣଙ୍କର ଜନ୍ମଭୂମି ଉତ୍ତର ଭାରତରେ ହୋଲି ପର୍ବାନୁଷ୍ଠାନରେ କୃଷ୍ଣ-ଭଗବାନଙ୍କର ଅର୍ଚ୍ଚନା ଓ ଉତ୍ସବ ବିଷୟରେ ଯେତେ ଆଗ୍ରହ ପ୍ରକାଶ କରା ଯାଏନାହିଁ, ହୋଲିଖେଳ ଉପରେ ତା’ଠାରୁ ଯଥେଷ୍ଟ ଅଧିକ ଆଗ୍ରହ ପ୍ରକାଶ କରାଯାଏ । ବଞ୍ଚିଥିବା ସମୟରେ ବ୍ରଜର ଦୁଲାଳ କୃଷ୍ଣ ଓ ବ୍ରଜର ଦୁଲାଳୀ ରାଧା କୁଆଡ଼େ ପ୍ରତ୍ୟେକ ବର୍ଷ ଦୋଳ ସମୟକୁ ମନମଉଜରେ ହୋଲି ଖେଳୁଥିଲେ । ସେମାନଙ୍କର ଜୀବନଲୀଳାରେ ପ୍ରଧାନତଃ ଏକ ଲୀଳାୟିତ ସଙ୍ଗ ଦେବାଲାଗି ସଂସାରକୁ ଆସିଥିବା ଗୋପିକା ଓ ଗୋପାଳ ବାଳକମାନେ ମଧ୍ୟ ସେମାନଙ୍କ ସହିତ ହୋଲି ଖେଳୁଥିଲେ । ଏହି ମନୋରମ ଉପଲକ୍ଷ୍ୟଟିକୁ ଆଳ କରି ଆଜି ମଧ୍ୟ ବ୍ରଜଭୂମିରେ ପରିପୂର୍ଣ୍ଣ ସରାଗରେ ହୋଲି ଖେଳା ଯାଉଚି । ଆଗେ ଗୋପାଳ ଓ ଗୋପବାଳାମାନେ ହୁଏତ କେବଳ ଅବିର ଓ ରଙ୍ଗପାଣିରେ ହୋଲି ଖେଳୁଥିଲେ, କେବଳ ଆପଣାର ପରିଚିତ ଗୋଷ୍ଠୀ ଭିତରେ ସେମାନେ ହୋଲି ଖେଳୁଥିଲେ । ଆମ ଏ କାଳରେ ଆଧୁନିକ ଉତ୍ସବମୁଗ୍‌ଧମାନେ ଖାଲି ଅବିର ଓ ରଙ୍ଗ ପାଣିରେ ନୁହେଁ, କାଦୁଅ ଓ ପଙ୍କପାଣି, ଆଲକାତରା ଓ କିରାସିନି ତେଲରେ ମଧ୍ୟ ହୋଲି ଖେଳୁଛନ୍ତି । ଆମ ବିଜ୍ଞାନ-ଯୁଗରେ କେତେ ପ୍ରକାର ରଙ୍ଗ, ଲେପ ଓ ପୁଟ ବ୍ୟବହାର କରି ସେମାନେ ହୋଲି ଖେଳୁଛନ୍ତି ।

 

ମୋର ଅନୁମାନ, ଆମ ଓଡ଼ିଶାରେ ହୋଲିଖେଳ ହେଉଚି ଅତି ଏବର କଥା । ଫଗୁଣ ମାସରେ ସ୍ୱୟଂ ପରମାନନ୍ଦ ଫଗୁ ଖେଳୁଥିଲେ ବୋଲି ଓଡ଼ିଶାରେ ବାରମାସୀ କୋଇଲିରେ ବର୍ଣ୍ଣନା କରାଯାଇଚି । ଦୋଳପୂର୍ଣ୍ଣିମା ଦିନ ଝୁଲଣ-ବେଦୀ ଆଗରେ ଓଡ଼ିଶାର ଗଉଡ଼େ ଲଉଡ଼ି ଖେଳୁଥିଲେ, କେତେକ ସ୍ଥାନରେ ହୁଏତ ଏପର୍ଯ୍ୟନ୍ତ ବି ଖେଳୁଛନ୍ତି । କିନ୍ତୁ ସମ୍ଭ୍ରମ ଓ ସଙ୍କୋଚର ଚାରିଦଉଡ଼ି କାଟି ହୋଲି ଖେଳିବାର ନୂଆ ପରମ୍ପରାଟି ଓଡ଼ିଶାକୁ ବାହାରୁ ଆମଦାନୀ ହୋଇ ଆସିଛି । ହୁଏତ ପ୍ରଥମେ ପଶ୍ଚିମାଗତ ମାର୍‌ବାଡ଼ିମାନଙ୍କ ଜରିଆରେ ଏହା ଓଡ଼ିଶାର କଟକ ଓ ସେହିପରି ଆଉ କେତେକ ସହର ନାଧଧେୟ ସ୍ଥାନମାନଙ୍କରେ ପ୍ରବେଶ କରିଛି । ସହରରୁ ଏହା ଗାଆଁକୁ ଯାଇଚି, ଖୁବ୍ ସମ୍ଭବ ଚାକିରିଆ ଓ ପାଠୁଆ ପିଲାଙ୍କ ଦ୍ୱାରା ହିଁ ଏହା ଗାଆଁକୁ ଯାଇଚି ।

 

କିନ୍ତୁ ଭାରି ରକ୍ଷା ହୋଇଚି ଯେ ବରଷରେ କେବଳ ଗୋଟାଏ ପର୍ବ ବା ପର୍ଯ୍ୟାୟଲାଗି ଏହି ହୋଲିଖେଳର ଭିଆଣ ହୋଇଚି । କେବଳ ଫଗୁଣ ମାସରେ ହିଁ ହୋଲି ଖେଳର ପରମ୍ପରା ରହିଚି । ବରଷଯାକର ସଭ୍ୟାଚାରକୁ ବରଷରେ କେବଳ ଗୋଟାଏ ଦିନ ସକାଶେ ପାସୋରି ପକାଇଲେ ହୁଏତ ସେଥିରେ ପ୍ରମାଦ ଗଣିବାର ସେପରି କିଛି ନାହିଁ । ନିତିଦିନର ସାବଲୀଳତାକୁ ଗୋଟାଏ ବିଶେଷ ଦିନର ହେରେଷା ଉଦ୍ଦଣ୍ଡତା ଭିତରେ ବିସର୍ଜିଦେଇ ହୁଏତ ତଦ୍ଦ୍ୱାରା କୌଣସି ସତ୍ୟାନାଶ ହୋଇ ଯାଉନାହିଁ, ବରଂ ହୁଏତ କିଞ୍ଚିତ୍ ଉପକାର ମଧ୍ୟ ମିଳୁଚି । କିନ୍ତୁ ବରଷର ବାରମାସ ପ୍ରତ୍ୟେକ ଦିନ ଯଦି ଏହି ହୋଲିଖେଳ ଚାଲିଥାଆନ୍ତା ପରମାନନ୍ଦଙ୍କର ନାମରେ ଯଦି ଆମେ ପ୍ରତ୍ୟେକ ଦିନ ଫଗୁ ଖେଳିବାର ବିଡ଼ମ୍ୱନାତ୍ମକ ଏହି ଭିଆଣଟିକୁ ଆମ ସ୍ୱାଭାବିକ ଜୀବନରେ ରୀତି କରି ରଖିଥାନ୍ତୁ, ତେବେ ଆମର ଜୀବନଟା ପ୍ରକୃତରେ କେଡ଼େ ଦୁର୍ବହ ହୋଇ ପଡ଼ିଥାନ୍ତା ?

 

ଆଧୁନିକ ବିକାରଶାସ୍ତ୍ରର ବଡ଼ ଗୁରୁମାନେ ଯୁକ୍ତି ଦେଖାଇ କହନ୍ତି ଯେ ସମାଜର ଆକଟ ଭୟରେ ଆମେ ଆପଣାର ଯେଉଁ ଉଗ୍ର ଓ ଦୂଷିତ ଇଚ୍ଛାଗୁଡ଼ିକୁ ପୂରଣ କରି ପାରୁନାହୁଁ ଓ ସମାଜରେ ଭଲ ମଣିଷ ପରି ଦିଶିବାଲାଗି ଯେଉଁ ଇଚ୍ଛାଗୁଡ଼ିକୁ ଆମେ ପ୍ରାଣପଣେ ନାନା କୌଶଳରେ ଆପଣା ଭିତରେ ଦବାଇକରି ରଖିଚୁ, ସେହିଗୁଡ଼ିକ ହିଁ ଆମର ଜୀବନରେ ବିକାରର ସୃଷ୍ଟି କରୁଚି । ଏହି ଶାସ୍ତ୍ରର ଚରମପନ୍ଥୀ ଦାର୍ଶନିକମାନେ ଆପଣାର ସ୍ୱାଭାବିକ ବା ପ୍ରକୃତିଗତ ଇଚ୍ଛାଗୁଡ଼ିକୁ ଚାପି ଦବାଇକରି ରଖିବାକୁ ହିଁ ସଭ୍ୟ ହେବାର ସମବାଚୀ ବୋଲି ଦେଖାଇବାର ଚେଷ୍ଟା କରିଚନ୍ତି । ଅର୍ଥାତ୍ ଅସଭ୍ୟ ସମାଜର ଆଦିମ ମଣିଷ ଯେତେବେଳେ ଯାହା ଇଚ୍ଛା କରେ, ସେ ତତ୍‌କ୍ଷଣାତ୍ ତାହାର ପୂରଣ କରିବାକୁ ମଧ୍ୟ ଧାଇଁଯାଏ । ଠିକ୍ ଯେମିତି ପଶୁ ଧାଇଁଯାଏ, ଯେମିତି ପଶୁ ଦେଶ, କାଳ ଓ ପାତ୍ରର ହିସାବ ରଖି ପାରେ ନାହିଁ ଓ ସେହିସବୁ ହିସାବର ବୋଲ ଅନୁସାରେ ଆପଣା ଜୀବନର ନିୟନ୍ତ୍ରଣ କରିପାରେ ନାହିଁ, ଆଦିମ ଅର୍ଥାତ୍ ପ୍ରକୃତିଚାଳିତ ମଣିଷ ଠିକ୍ ସେମିତି କରେ । ଅପର ପକ୍ଷରେ ସଭ୍ୟତାକାଙ୍‌କ୍ଷୀ ମଣିଷ ଏହିସବୁ ନିୟନ୍ତ୍ରଣ ଦ୍ୱାରା ଆପଣାର ଜୀବନକୁ ବାନ୍ଧି ରଖିବାକୁ ଏକ ଗୁରୁତର କର୍ତ୍ତବ୍ୟ ବୋଲି ଗ୍ରହଣ କରିଥାଏ । ସଭ୍ୟ ସମାଜରେ ଅନ୍ୟମାନଙ୍କ ସହିତ ବାସ କରିବାର ଆବଶ୍ୟକତା ଦୃଷ୍ଟିରୁ ସେ ଆପଣାର ବ୍ୟକ୍ତିଗତ ଜୀବନଚାରଣାକୁ ଶୃଙ୍ଖଳବଦ୍ଧ କରି ରଖେ । ସାମୂହିକ ଶାଳୀନତା ଓ ସୌଷ୍ଠବ ଦୃଷ୍ଟିରୁ ସେ ଆପଣାର ଏକାନ୍ତ ବ୍ୟକ୍ତିଗତ ଜୀବନରେ ନିଜ ମଉଜ ସଉକୀ ମନର ନାନା ଇଚ୍ଛା ଓ ଅଭିଳାଷକୁ ଦବାଇ କରି ରଖେ । ଫଳତଃ ସମାଜ ଆଗକୁ ଯାଏ, ସଭ୍ୟତା ଆଗକୁ ବଢ଼େ, ମାତ୍ର ସଭ୍ୟ ମଣିଷ ଏକ ସ୍ୱାଭାବିକ ଜୀବନଯାପନ କରିବାର ସୁଖରୁ ବଞ୍ଚିତ ହୋଇ ରହେ । ଏହି ସୁଧୀସୁଲଭ ଯୁକ୍ତିରେ ମାତ୍ର ଆଉ କେତେପାଦ ଆଗକୁ ଯାଇ ବିକାରଶାସ୍ତ୍ରର ଚିହ୍ନରା ବଣିଆମାନେ କହନ୍ତି ଯେ ଅଧିକରୁ ଅଧିକ ସଭ୍ୟ ହେଉଥିବା ସଙ୍ଗେ ସଙ୍ଗେ ଆଧୁନିକ ସମାଜରେ ଆମେ ଆମର ନାନାବିଧ ଇଚ୍ଛା ଅପୂର୍ଣ୍ଣ ଓ ଅତୃପ୍ତ ରହିଯିବା ଜନିତ ଅସନ୍ତୋଷ ଓ କ୍ଲେଶକୁ ବି ଅଧିକରୁ ଅଧିକ ବହନ କରି ଚାଲିଛୁ-। ବାହାରେ ଆମ ଭଣ୍ଡାରଗୁଡ଼ାକ ଭର୍ତ୍ତିହୋଇ ଚାଲିଥିବାବେଳେ ଏବେ ଆମ ଭିତରର ଜୀବନଗହ୍ୱରରେ ଶୂନ୍ୟତା ଓ ତଜ୍ଜନିତ ଉଗ୍ରତାଗୁଡ଼ାକ ମଧ୍ୟ ବଢ଼ି ବଢ଼ି ଚାଲିଚି । ବାହାରେ ଯାବତୀୟ ସଭ୍ୟାବରଣର ଅଲିଅଳରେ ବଢ଼ୁଥିବା ସୁଠାମ ଓ ସୁକୁମାର ଡାଳିମ୍ୱ-କୁମର ଏଣେ ଭିତରେ ଆପଣାକୁ ବଡ଼ ନିଃସ୍ୱ ଓ ବଡ଼ ବର୍ଜିତ ପରି ଅନୁଭବ କରିବାକୁ ଆରମ୍ଭ କରୁଚି । ଭିତରର ଶୂନ୍ୟତାକୁ ଆଦରି ନେଇ ସେ ବାହାରର ସୁଖ-ସମ୍ଭୋଗ ଲାଗି କ୍ରୂର ସାମାଜିକ ଜୀବନର ବିଧାତା ପାଖରେ ଟିକସ ଗଣିବାକୁ ବାଧ୍ୟ ହେଉଚି ।

 

ଏହି ପ୍ରମାଦରୁ ଆପାତତଃ ରକ୍ଷା ପାଇବାକୁ ହେଲେ ମଝିରେ ମଝିରେ ଆପଣାକୁ ଅବଶ୍ୟ ସୁନାପୁଅ କରି ରଖିବାର ସଭ୍ୟତାକାମୀ ଜୀବନ-କଷଣରୁ ଟିକିଏ ନିଷ୍କୃତି ମିଳୁଥିବା ଦରକାର । ସମାଜର ଶାସନବଦ୍ଧ ଘର ଭିତରେ ଅମୁହାଁ ହୋଇ ରହିଥିବା ମଣିଷକୁ ମଝିରେ ମଝିରେ ଜଳାକବାଟି ଭାଙ୍ଗି ବାହାରକୁ ବାହାରି ଆସିବାର ଅବକାଶ ମିଳିବା ଦରକାର । ଏଇଥିପାଇଁ କଳାର ସୃଷ୍ଟି; ସଙ୍ଗୀତ, ସାହିତ୍ୟ, ପର୍ବ-ଉତ୍ସବର ସୃଷ୍ଟି । ବିକାରଶାସ୍ତ୍ରର ସେହି ପାରଙ୍ଗତମାନଙ୍କର ମତରେ ଏଇଥିପାଇଁ ଯୁଦ୍ଧର ମଧ୍ୟ ସୃଷ୍ଟି । ଯୁଦ୍ଧ ହେଉଚି ଏକ ଉପକାରୀ ଆବଶ୍ୟକତା । ସଭ୍ୟ ହେବାର ଆକର୍ଷଣହୀନ ଜୀବନ-ଚର୍ଯ୍ୟାରେ ମଣିଷ ଭିତରେ ଯେଉଁ ଅତୃପ୍ତ ବାସନାମାନ ଅବରୁଦ୍ଧ ହୋଇ ରହିଥାଏ, ଯୁଦ୍ଧ ସମୟରେ ତା’ର ସେହି ବାସନାଗୁଡ଼ିକ ହିଁ ଆପଣାକୁ ତୃପ୍ତ କରିବା ପାଇଁ ଏକ ପ୍ରକାର ମାର୍ଗାନ୍ତର ପାଇ ଥାଆନ୍ତି । ସାଧାରଣ ସମୟରେ ଯେପରି ଆଚରଣ କରିବାକୁ ଅପରାଧ ବୋଲି କୁହାଯାଏ, ଯୁଦ୍ଧ ସମୟରେ ସେହିପରି ଆଚରଣ କରିବାକୁ ହିଁ ଅନୁମତି ମିଳିଯାଏ । ମଣିଷହତ୍ୟା, ମନୁଷ୍ୟଧର୍ଷଣ ଓ ସମଗ୍ରତଃ ମନୁଷ୍ୟତାର ମୁଷ୍କଚ୍ଛେଦନ,–ଜାତି, ଦେଶ ଓ ରାଜାର କାନି ଧରି ଏଗୁଡ଼ିକ କରିପାରିବାର ପ୍ରଶସ୍ତ ଅବସର ମିଳିଯାଏ । ଯୁଦ୍ଧ ଓ ତାହାର ଆନୁସଙ୍ଗିକ ଯାବତୀୟ କଦାଚରଣ ଦ୍ୱାରା ଜାତି, ଦେଶ ବା ରାଜାଲାଗି କେତେଦୂର କ’ଣ ଯଥାର୍ଥ କଲ୍ୟାଣ ସାଧିତ ହୁଏ, ସେ କଥା ଦୂରଦର୍ଶୀ ଇତିହାସକାରମାନେ ହୁଏତ କହି ପାରିବେ, କିନ୍ତୁ ଏହାଦ୍ୱାରା ମଣିଷ ବ୍ୟକ୍ତିର ଅତୃପ୍ତ ବାସନାଗୁଡ଼ାକ ତୃପ୍ତ ହେବାର ଅତି ଚମତ୍କାର ଅବସରମାନ ପାଇଥାନ୍ତି, ମଣିଷ ଭିତରେ ଦବି କରି ରହିଥିବା ଦୈତ୍ୟ ମୁକୁଳି ବାହାରି ପଡ଼ିବା ଲାଗି ଏକ ଚମତ୍କାର ଅବସର ପାଏ । ସଭ୍ୟତା ନଷ୍ଟହୁଏ; ତଥାପି ସ୍ୱାଭାବିକତାର ରକ୍ଷା ହୁଏ । ବିକାର-ଶାସ୍ତ୍ରୀମାନେ ଏହାକୁ ଯୁଦ୍ଧରୁ ଏକ ମହତ୍ତ୍ୱପୂର୍ଣ୍ଣ ଲାଭ ବୋଲି ବିଚାର କରନ୍ତି ।

 

ହୁଏତ ଏକ ଅନୁରୂପ କାରଣରୁ ହିଁ ଆମ ସମାଜର ଚଳି ଆସୁଥିବା କେତେକ ପର୍ବପର୍ବାଣିର ଉଦ୍‌ଭବ ମଧ୍ୟ ହୋଇଚି । ଆଦିବାସୀ ସମାଜର ପର୍ବପର୍ବାଣିକୁ ଯିଏ ଦେଖିଥିବ, ସିଏ ନିଶ୍ଚୟ ଏହି ଅନୁମାନଟିର ତାତ୍ପର୍ଯ୍ୟ ବୁଝିପାରିବ । ପର୍ବଦିନମାନଙ୍କରେ ଆତ୍ମଭୋଳା ଆଦିବାସୀ ନିତ୍ୟଜୀବନର ସବୁ କଷଣ ଭୁଲି ଯାଇଥିବା ପରି ନାଚେ, ମଦ ପିଏ ଓ ଉଲ୍ଲସିତ ହୁଏ । ପର୍ବଦିନରେ ନିତ୍ୟ ଦିନଗୁଡ଼ିକ ବିଷୟରେ ତା’ର ଆଉ କୌଣସି ହୋସ୍ ରହେ ନାହିଁ । ଆମ ସମାଜରେ ପରମ୍ପରା ଭୁକ୍ତ ହୋଇ ରହି ଆସିଥିବା ଯାତ୍ରା, ମଉଚ୍ଛବ ଓ ନାମସଂକୀର୍ତ୍ତନଗୁଡ଼ିକ ପଛରେ ମଧ୍ୟ ହୁଏତ ସେହିପରି ଏକ ନିର୍ଗମନମୂଳକ ବ୍ୟଞ୍ଜନା ରହି ଆସିଛି । ହୋଲି ଖେଳ ହେଉଚି ସମାଜବାଧ୍ୟ ଅତୃପ୍ତ ମଣିଷର ତୃପ୍ତି ସାଧନ ଲାଗି ସମାଜ ସମର୍ଥିତ ଗୋଟିଏ ବାଟ । ଦିନକ ସକାଶେ ଶ୍ଳୀଳତାର ଜାଲ ଛିଡ଼ାଇ ପଦାକୁ ବାହାରି ଆସି ଆଦିମ ଓ ସ୍ୱାଭାବିକ ଜୀବନ ମେଳାରେ ସମବେତ ହେବା ଦ୍ୱାରା ମଣିଷ ପ୍ରକୃତରେ ବଡ଼ ଉଶ୍ୱାସ ହୋଇ ଯାଉଥିବ । ତା’ ଭିତରର ଜାତିଗୁଡ଼ାକ ତଦ୍ୱାରା ଅନେକ ପରିମାଣରେ କମି ଯାଉଥିବ, ଅନ୍ତର୍ଗତ ବାସନାଗୁଡ଼ିକର ନାନବିଧ ଜ୍ୱାଳାରୁ ସେ ବେଶ୍ ଉପଶମ ପାଉଥିବ । ଏହିପରି ଭାବରେ ବିଚାର କଲେ ଆମ ପର୍ବପର୍ବାଣିର ଅନୁଶାସନହୀନ ବିଧିଗୁଡ଼ିକ ଆମକୁ ସଭ୍ୟତା ଓ ସଂସ୍କୃତି ନିର୍ମାଣରେ ଉଦ୍ୟତ ହେବା ଲାଗି ପ୍ରକାରାନ୍ତରେ କମ୍ ସାହାଯ୍ୟ କରିନାହିଁ ବୋଲି ବେଶ୍ କୁହାଯାଇ ପାରିବ ।

 

ଜୀବନର ଅଭିବୃଦ୍ଧି ଲାଗି ରଙ୍ଗର ଆବଶ୍ୟକତା ଅବଶ୍ୟ ରହିଚି । ନିତ୍ୟ ଦିନର ଜୀବନରେ ପର୍ବର ଆବଶ୍ୟକତା ଯେମିତି ରହିଛି, ଠିକ୍ ସେମିତି । ସର୍କସରେ ଜୋକରର ବି ଆବଶ୍ୟକତା ରହିଛି । ରାଜସଭାରେ ଗୋପାଳଭାଣ୍ଡର ଆବଶ୍ୟକତା ରହିଚି । ଆଗେ ଆମ ଗାଆଁ ନାଟମାନଙ୍କରେ ରଙ୍ଗିଆ ଦୁଆରୀ ବାହାରୁଥିଲା । ରଙ୍ଗିଆ ଦୁଆରୀ ଆସି ଚାଲିଗଲା ପରେ ଯାଇ ନାଟକଟିର ଅନ୍ୟାନ୍ୟ ପାତ୍ରମନ୍ତ୍ରୀ ଓ ରାଜାରାଣୀ ବାହାରୁଥିଲେ । ତେଣୁ ନାଟକର ଆରମ୍ଭରେ ଆମେ ସମସ୍ତେ ଆଗ ରଙ୍ଗିଆ ଦୁଆରୀର ଅପେକ୍ଷା କରି ରହିଥିଲୁ । କିନ୍ତୁ ଅସଲ ନାଟକର ପାତ୍ରପାତ୍ରୀମାନେ ବାହାରି ସାରିବା ପରେ ଆମେ ନାଟକ ଭିତରେ ହିଁ ମଜ୍ଜି ରହୁଥିଲୁ, ରଙ୍ଗିଆ ଦୁଆରୀ ପାସୋର ଯାଉଥିଲା । ମାତ୍ର ଯଦି ରାତିଟା ସାରା ଖାଲି ଦୁଆରୀ ଆସିବାରେ ଲାଗିଥାନ୍ତେ, ତେବେ ସେପରି ନାଟକକୁ ନାଟକ ବୋଲି କିଏ କହନ୍ତା, ସେପରି ନାଟକ ଦେଖିବାକୁ ବା କିଏ ଯାଆନ୍ତା ? ଠିକ୍ ସେହିପରି ଆମ ଜୀବନରେ ରଙ୍ଗର ପ୍ରୟୋଜନ ଅବଶ୍ୟ ରହିଛି; ମାତ୍ର ଯେଉଁଠି ଜୀବନ କହିଲେ ଖାଲି ରଙ୍ଗକୁ ହିଁ ବୁଝାଉଛି, ସେଠାରେ ଜୀବନର ଅବଶେଷ ଖୋଜିବା ଲାଗି ଆମେ ପୁଣି ଆଉ କେଉଁଠାକୁ ଯିବା ? ପୁଣି ଜୀବନକୁ ବହିଷ୍କୃତ କରି ରଖିଥିବା ପର୍ଯ୍ୟନ୍ତ ଆମର ଏହି ରଙ୍ଗଲିପ୍ତତା ମଧ୍ୟରେ ବି କେଉଁ ସାର୍ଥକତା ମିଳି ପାରିବ ?

 

ଗତ କୋଡ଼ିଏ ବର୍ଷ ହେଲା ଆମ ଓଡ଼ିଶା ବା ଆମ ଭାରତବର୍ଷରେ ସାମୂହିକ ଜୀବନରେ ଯେଉଁ ରୁଚିବିହୀନ କିସ୍କିନ୍ଧ୍ୟାକାଣ୍ଡ ଚାଲିଛି, ତାକୁ ଆମେ ଜୀବନ ବୋଲି କହିବା ନା ରଙ୍ଗ ବୋଲି କହିବା ? କୋଡ଼ିଏ ବର୍ଷ ତଳେ ଅର୍ଥାତ୍ ଭାରତବର୍ଷକୁ ସ୍ୱାଧୀନତା ଆସିବାବେଳେ ଯେଉଁମାନେ ଏ ଦେଶରେ ଟୋକା ବୋଲାଉଥିଲେ, କାଳର କରାମତି ଅନୁସାରେ ଆଜି ସେମାନେ ବୁଢ଼ା ହୋଇ ସାରିଲେଣି ବା ବୁଢ଼ା ହେବାକୁ ବସିଲେଣି । ମାତ୍ର କୋଡ଼ିଏ ବର୍ଷ ହେଲା ସେହିମାନଙ୍କର ତତ୍ତ୍ୱାବଧାନରେ ଏହି ଦେଶରେ ଜୀବନର ନାନା ଦାଣ୍ଡରେ ସତେ ଯେମିତି ଖାଲି ରଙ୍ଗ ହିଁ ଚାଲିଚି । ସ୍ୱାଧୀନତା ପୂର୍ବରୁ ସେମାନଙ୍କର କେବେ କୌଣସି ଜୀବନଧର୍ମୀ ନିର୍ମାଣ ସ୍ୱପ୍ନ ରହିଥିଲା କି ନାହିଁ, ଆଜି ସେମାନଙ୍କର ଭେକ, ବୁଦ୍ଧି ଓ ବାକ୍ୟବହପ ଦେଖିଲେ ସେ ବିଷୟରେ କିଛି ଅନୁମାନ କରିବାକୁ ମଧ୍ୟ ଲାଜ ଲାଗୁଚି । କେବଳ ରାଜନୀତିକ୍ଷେତ୍ରରେ ରହିଥିବା ଦୁଆରୀମାନଙ୍କର ରଙ୍ଗଚାତୁର୍ଯ୍ୟକୁ ଲକ୍ଷ୍ୟ କରି ମୁଁ ଆଦୌ ଏପରି କହୁନାହିଁ । ଯେ କୌଣସି ଦେଶର ରାଜନୀତି ହେଉଚି ସେହି ଦେଶର ସାମାଜିକ ଜୀବନର ପ୍ରତିନିଧିତ୍ୱ କରୁଥିବା ପ୍ରଧାନତଃ ଏକ ପ୍ରତିଛବି ମାତ୍ର-। ଆମର ସାମାଜିକ ଜୀବନଟା ଆଜି ଯେପରି ସର୍ବଥା ଏକ ରଙ୍ଗରେ ପର୍ଯ୍ୟବସିତ ହୋଇ ସାରିଲାଣି, ଆମ ରାଜନୀତି ମଧ୍ୟ ଠିକ୍ ସେହିପରି ଏହି ରଙ୍ଗର ହିଁ ପ୍ରଦର୍ଶନ କରିବାରେ ଲାଗିଲାଣି-। ଆମ ନିତ୍ୟଦିନର ଜୀବନକୁ ଟିକିଏ ଜମାଇ ରଖିବାକୁ ସିନା ରଙ୍ଗର ଆବଶ୍ୟକତା ରହିଥାନ୍ତା, କିନ୍ତୁ ଏବେ ରଙ୍ଗଟା ହିଁ ଜୀବନର ସ୍ଥାନାପନ୍ନ ଭାବରେ ଆମ ଉପରେ ଘୋଡ଼ା ଚଢ଼ିବାରେ ଲାଗିଚି । ପୁଣି ସବୁଠାରୁ ଅଧିକ ବିଚିତ୍ର କଥା ହେଉଛି ଯେ ଏ ରଙ୍ଗ ଆମକୁ ଆଉ କୌଣସି ପ୍ରକାରେ ଅଶୋଭନ ଲାଗୁନାହିଁ ବା ଏହି ରଙ୍ଗକ୍ରୀଡ଼ାର ଅଭଦ୍ର ବେଉସାରେ ପୁରୋଧା, ପାରିଷଦ ବା ସହଯୋଗୀ ପୁରବାସୀ ହେବାରେ ଆମକୁ ଆଉ କୌଣସି ଲାଜ ବି ମାଡ଼ୁ ନାହିଁ । ଆମେ ସମସ୍ତେ କେହି ସଚେତ, କେହି ଅଭ୍ୟସ୍ତ ବା କେହି ଅସଚେତ ଭାବରେ ରହି ରଙ୍ଗ-ପ୍ରହସନରେ ଜୟାଶୀଳ ହୋଇ ରହିଛେ, ହେଁସ ଧୋଇବାର ଆଉ ପ୍ରଶ୍ନ ହିଁ ଉଠୁ ନାହିଁ ।

 

......ମୁଁ ନିଜେ ଜଣେ ଶିକ୍ଷକ । ତେଣୁ ଆମର ଚତୁର୍ଦ୍ଦିଗରେ ଅଭିନୀତ ହେଉଥିବା ରଙ୍ଗର ଉପାଖ୍ୟାନଟିର ଚର୍ଚ୍ଚା କରିବାକୁ ଯାଇ ପ୍ରଥମେ ମୁଁ ଶିକ୍ଷାର ପ୍ରସଙ୍ଗ ପକାଇବି । ଶିକ୍ଷା ଜୀବନୋପଯୋଗୀ ହେବା ଉଚିତ, ଶିକ୍ଷା ଯୁଗୋପଯୋଗୀ ହେବା ଉଚିତ, ଆମେ ଏହିକଥା ଲକ୍ଷଣା ଓ ଅଲକ୍ଷଣା କେତେ ନେତା ଓ କେତେ ଉଦ୍‌ଗାତାଙ୍କ ମୁହଁରୁ ଶୁଣି ଆସୁଛୁ । ଏ ବିଷୟରେ କେତେ କଥା କୁହାହେଇଚି, କେତେ କମିଶନ ବସାଇ ଲାଜକୁ ଘୋଡ଼ାଇ ରଖିବାର ଚେଷ୍ଟା କରାଯାଇଚି, କେଡ଼େ କେଡ଼େ ମୋଟା ପଇତା ବଡ଼ ଚାକିରିଆଙ୍କୁ ଶିକ୍ଷାର ମନ୍ତ୍ରଣାଳୟମାନଙ୍କରେ କୈକେୟୀର କ୍ଷମତାରେ ନେଇ ବସାଇ ଦିଆଯାଇଛି, ତଥାପି ଆମର ସଂବିଧାନ ଅନୁସାରେ ଶିକ୍ଷାରେ ଅତି କମ୍‌ରେ ଯାହା ହୋଇପାରିବା ଉଚିତ ଥିଲା, ତାହା ଏଯାଏ ହୋଇ ପାରିନାହିଁ । ଶିକ୍ଷାକୁ କାହାର କେତେ ଦୂର ଉପଯୋଗୀ କରି ତିଆରି କରିବା ତ ଦୂରର କଥା, ଦେଶରେ ପାଠ ପଢ଼ି ପାରିଲା ସବୁ ପିଲାଙ୍କ ପାଇଁ ସ୍କୁଲରେ ବସିବାର ବ୍ୟବସ୍ଥା ମଧ୍ୟ ହୋଇ ପାରିନାହିଁ । ପୁଣି ଯେଉଁମାନେ ତଥାକଥିତ ଶିକ୍ଷା ପାଇବାର ଝକ୍ ମାରିଛନ୍ତି, ସେମାନଙ୍କୁ ଆମେ ଆଜି କିପରି ଦଶାରେ ଦେଖିବାକୁ ପାଉଚୁ ? ବିଦ୍ୟାଳୟମାନଙ୍କରେ ପାଠ ଅପେକ୍ଷା ଧର୍ମଘଟର ବାତାବରଣ ଅଧିକ ପରିମାଣରେ ରହିଚି, ପରୀକ୍ଷାମାନଙ୍କରେ ହୁଏତ ଚୋରି ଓ ପଇସାଖୋରିକୁ ହିଁ ବେଶି ପ୍ରଶ୍ରୟ ଦିଆଯାଉଚି, ମାଷ୍ଟରମାନେ ସ୍କୁଲ ଛାଡ଼ି ମନ୍ତ୍ରୀଙ୍କ ଘରକୁ ଘେରାଉ କରିବାକୁ ଯାଉଛନ୍ତି । ଆମ ଶିକ୍ଷା ଭିତରେ ଯେ ବ୍ୟବସ୍ଥା ଅପେକ୍ଷା ଅଧିକ ଅବ୍ୟବସ୍ଥା ରହିଚି, ଏସବୁ ହେଉଚି ତାହାରି ପ୍ରମାଣ । ତଥାପି ଆମେ ଯୋଜନା କରୁଚୁ, ତଥାପି ଆମେ ଅନାସକ୍ତ ଭାବରେ ଅଥଚ ପ୍ରସନ୍ନ ମୁଖରେ ଭାଷଣ ଦେଇ ଚାଲିଚୁ, ସବୁ କଥା ସନ୍ତୋଷଜନକ ଭାବରେ ଚାଲିଚି ବୋଲି ବେଳେ ବେଳେ ବଡ଼ାଇ ମଧ୍ୟ କରୁଚୁ । ଏଗୁଡ଼ାକୁ ଆମେ ଜୀବନ ବୋଲି କହିବା ନା ରଙ୍ଗ ବୋଲି କହିବା ?

 

ଦେଶର ସାହିତ୍ୟ କୁଆଡ଼େ ଦେଶକୁ ବାଟ ଦେଖାଇବାର କଥା । ଆମ ଦେଶର ସାହିତ୍ୟ ଦଳେ ଉପରମୁହାଁ ଉଗ୍ରାଭିଳାଷୀଙ୍କୁ ଆପଣାର ଗମ୍ଭୀରି ଘରେ ନିର୍ବାସିତ ହୋଇ ରହିବାକୁ ଓ ତାହାକୁ ହିଁ ସବୁଠାରୁ ବଡ଼ ମଜା ବୋଲି ଅନୁଭବ କରିବାକୁ ଯେପରି ଅଧିକ ଖୋରାକ ଯୋଗାଇ ଦେବାରେ ହିଁ ଲାଗିଚି ! ଆମ ଦେଶର ସାହିତ୍ୟିକମାନେ ଅଧିକାଂଶତଃ ଗତ କୋଡ଼ିଏ ବର୍ଷ ହେଲା ଆମ ଦେଶକୁ ଆସିଥିବା ସ୍ୱାଧୀନତାକୁ ଭୋଗ କରିବାରେ ହିଁ ଲାଗିଛନ୍ତି । କିନ୍ତୁ ସ୍ୱାଧିୀନତା ସହିତ ସୃଜନ ଓ ଲୋକ ନିର୍ମାଣର ଯେଉଁ ଦାୟିତ୍ୱ ମଧ୍ୟ ଆସିଥାଏ, ଆମର ସାହିତ୍ୟ ସେହିସବୁ ଦାୟିତ୍ୱବୋଧର ବିକାଶ ଲାଗି ଆଉ କୌଣସି ପ୍ରେରଣା ଦେଇ ପାରୁନାହିଁ । ବନ୍ଦୋବସ୍ତ ସମୟରେ ପ୍ରତ୍ୟେକ ଗୃହସ୍ଥ ଯେପରି ଅଧିକରୁ ଅଧିକ ଜମିକୁ ଯେକୌଣସି ପ୍ରକାରେ ଆପଣା ନାମରେ ଲେଖି ଦେଇ ତାହାକୁ କାମୁଡ଼ି ରହିବାର ଫିକର କରୁଥାଏ ଜାତୀୟ ଜୀବନରେ ଲାଗିଥିବା ଗତ କୋଡ଼ିଏ ବର୍ଷର ବନ୍ଦୋବସ୍ତ ଭିତରେ ଆମର ସାହିତ୍ୟିକମାନେ ମୂଳତଃ ଆପଣା ଲାଗି ଅଧିକରୁ ଅଧିକ ଡିହ ସଂଗ୍ରହ କରିବାରେ ଲାଗିଛନ୍ତି । ସାହିତ୍ୟର ଚାନ୍ଦୁଆ ଟାଣି ବଡ଼ ଅଫିସର, ବଡ଼ ଅଧ୍ୟାପକ ଓ ବଡ଼ ରାଜନୀତିକ ଲାଭଖିଆମାନେ ସାହିତ୍ୟିକ ମଣୋହିକୁ ଭୁଞ୍ଜିବାରେ ଲାଗିଛନ୍ତି । ଜଣେ ଅକସ୍ମାତ୍ ମନ୍ତ୍ରୀ ଗାଦୀରେ ଆସି ବସି ପଡ଼ିଲେ ସିଏ ମଧ୍ୟ ସାହିତ୍ୟର ସିଡ଼ିରେ ପ୍ରଥମ ସୁଯୋଗରେ ହିଁ ଶୂନ୍ୟସ୍ଥାନରୁ ଦ୍ୱିଜସ୍ଥାନକୁ ପ୍ରମୋଶନ ପାଇ ଯାଉଚି । ମନ୍ତ୍ରୀ ନ ହେଲେ ସାହିତ୍ୟ ସମ୍ଭବ ହୋଇ ପାରୁନି । କାରଣ ସାହିତ୍ୟିକ ଉତ୍ସବରେ ମାତିଥିବା ଆମର ମନ ସିଧା ଯାଇ ଖ୍ୟାତି ଓ ପ୍ରଶସ୍ତିର ତେଲ ଘଡ଼ି ଭିତରେ ଜୁଡ଼ୁ ବୁଡ଼ୁ ହୋଇ ପଡ଼ିରହିଚି । ସାହିତ୍ୟିକର ଆଖିକୁ ଅନ୍ୟାୟ ଦିଶୁନାହିଁ, ଅସୁନ୍ଦରତା ଦିଶୁନାହିଁ– ତେଣୁ ସେଗୁଡ଼ିକର ସମ୍ମୁଖୀନ ହେବା ଭଳି ଜୀବନପ୍ରେରଣା ସୃଷ୍ଟି କରିବା ଲାଗି ତା’ପାଖରେ କୌଣସି ଅବକାଶ ନାହିଁ । ଗତ କୋଡ଼ିଏ ବର୍ଷର ସାହିତ୍ୟ ଦଉଡ଼ରେ ମୁଖ୍ୟତଃ ଯାହାର ଜିତାପଟ ହୋଇଆସିଚି, ତାକୁ ଆମେ ଜୀବନ ବୋଲି କହିବା ନା ରଙ୍ଗ ବୋଲି କହିବା ?

 

ଗତ କୋଡ଼ିଏ ବରଷର ରାଜନୀତି ଫଳରେ ଆମ ସାମୂହିକ ଜୀବନର ସ୍ୱାସ୍ଥ୍ୟ ଓ ସମ୍ପନ୍ନତା ଯେ ବଢ଼ି ବଢ଼ି ଚାଲିଚି, ନାନା ପ୍ରୟୋଜନରେ ପଡ଼ି ମନଟାକୁ ଏକାବେଳକେ ମାଦଳ କରି ଦେଇ ନ’ଥିଲେ କେହି କଦାପି ଏପରି କଥା କହିବାକୁ ଯିବନାହିଁ । କୋଡ଼ିଏ ବର୍ଷ ଆଗରୁ ଆମ ଦେଶରେ ରାଜନୀତିକ ଆଦର୍ଶ କହିଲେ କେବଳ ରାଜନୀତିକ ସ୍ୱାଧୀନତା ହାସଲ କରିବାଠାରୁ ଅନେକ ଅଧିକ କର୍ତ୍ତବ୍ୟ ଓ କାର୍ଯ୍ୟକ୍ରମକୁ ବୁଝାଉଥିଲା । ଆଜି ମଧ୍ୟ ଆମେ ସେହିସବୁ କର୍ତ୍ତବ୍ୟର ଜପ କରିବାରେ ଲାଗିଚୁ । ମାତାଲର ଲକ୍ଷ୍ମୀଛଡ଼ା ଘରେ ମଧ୍ୟ ଦିନେ ଦିନେ ଲକ୍ଷ୍ମୀପୁରାଣର ପାଠ ହେଉଥିଲା ଭଳି ଆମେ ବି ନାନା ଔପଚାରିକ ଅବସରମାନଙ୍କରେ ସେହିସବୁ କାର୍ଯ୍ୟକ୍ରମର ପାରାୟଣ କରୁଚୁ । କିନ୍ତୁ ଯାବତୀୟ ଜାକଜମକ୍ ସତ୍ତ୍ୱେ ତଥାପି କହିବାକୁ ହେବ ଯେ ଆମ ଦେଶର ରାଜନୀତିରେ ଗତ କୋଡ଼ିଏ ବର୍ଷ ହେଲା ପ୍ରଧାନତଃ ଦ୍ୟୁତକ୍ରୀଡ଼ା ହିଁ ଚାଲିଚି । ଏହି ଦ୍ୟୁତକ୍ରୀଡ଼ାରେ ବାଇ ହୋଇ ଅଧଃପତନର ପ୍ରଥମ ସୋପାନରେ କାଲିର ବିପ୍ଳବୀ ଓ ଆଦର୍ଶବାଦୀ ପ୍ରତିକ୍ରିୟାଶୀଳ ଚତୁର କ୍ଷମତା ଲୋଭୀରେ ପରିଣତ ହୋଇ ସାରିବା ପରେ ଆଜି ଦ୍ୱିତୀୟ ସୋପାନରେ କ୍ଷମତା ଆତ୍ମସାତ୍ କରିବାର ଏକ ହାସ୍ୟାସ୍ପଦ ଅଥଚ କରୁଣ ଗୃହ ଯୁଦ୍ଧରେ ହିଁ ବ୍ୟାପୃତ ରହିଚି । ନାନା ପ୍ରଲୋଭନରେ ପଡ଼ି ମେଣ୍ଢାମାନେ ଏପଲ ସେପଲ ହେବାପରି ଆମ ରାଜନୀତି କ୍ଷେତ୍ରର ଚିହ୍ନା ସୌଦାଗରମାନେ ଘଡ଼ିକୁ ଘଡ଼ି ଭେକ ବଦଳାଉଛନ୍ତି, ମସିଣା ବଦଳାଉଛନ୍ତି । ଅତି ସ୍ୱାଭାବିକ କଥା ପରି ଏଗୁଡ଼ାକ ଆମ ଦେଶରେ ହେଉଚି । ଏଣେ ମୂଲ୍ୟ ବଢ଼ୁଚି, ମଣିଷ ଶସ୍ତା ହେଉଛି; କୋଠା ଓ କଉଡ଼ିର କଦର ବଢ଼ୁଚି, ନିଷ୍ଠାକୁ କେବଳ ନିର୍ବୋଧମାନଙ୍କର କାମ୍ୟ ବୋଲି କହି ଅବଜ୍ଞା କରାଯାଉଚି । ମୂର୍ଖ ଓ ଅଧପେଟ ଏହି ଦେଶରେ ଜାତୀୟତାର ଫମ୍ପା ଢୋଲଟା ସବୁଠାରୁ ଅଧିକ ଜୋରରେ ପିଟାଯାଉଚି । ଭୋକ ଦୂର କରିବା ଅପେକ୍ଷା ବୋମା ତିଆରି କରି ଶତ୍ରୁ ଲଢ଼ିବାର ଦମ୍ଭ ଦେଖାଇବାରେ ରାଜନୀତିର ପାଗ ବାନ୍ଧିଥିବା ଲୋକେ ଅଧିକ ଉତ୍ସାହ ସାରୁଚନ୍ତି । କଳାହାଣ୍ଡି ବା ବିହାରରେ ଅନାହାରରେ ମଣିଷର ପ୍ରାଣ ଗଲେ ଏମାନଙ୍କର ମୁଣ୍ଡ ଯେତେ ବଥାଉନାହିଁ, ଦେଶରେ ମଟରଗାଡ଼ି ବନି ପାରିଲା ନାହିଁ ବୋଲି ତା’ଠାରୁ ଅଧିକ ମୁଣ୍ଡ ବଥାଉଚି । ଅନ୍ୟାୟର ପ୍ରତିରୋଧ କରିବାକୁ, ସବୁରି ଶୁଭର ବାସନା ରଖି ନିଜେ କଷ୍ଟ ଓ ଅପ୍ରିୟତାକୁ ବରଣ କରି ନେବାକୁ ଆଗେ ଏ ଦେଶରେ ସତ୍ୟାଗ୍ରହ ବୋଲି କୁହାଯାଉଥିଲା । ଏହି ଆଗ୍ରହଟିର ବଳରେ ଆମେ ଏ ଦେଶରୁ ବ୍ରିଟିଶ୍ ଶାସନକୁ ହଟାଇ ଦେଇ ପାରିଲେ ଓ ପୃଥିବୀର ସଂଗ୍ରାମ-ଇତିହାସରେ ଏକ ଅସାଧାରଣ ଦୃଷ୍ଟାନ୍ତ ଦେଖାଇ ପାରିଲେ ବୋଲି ଯେଉଁମାନେ ପୁଲକିତ ହୋଇ ଉଠୁଥିଲେ, ସେମାନଙ୍କ ଭିତରେ ଆଜି ଆଉ ଯେ କୌଣସି ଆଗ୍ରହ ରହିଥାଉ ପଛକେ, ଅନ୍ତତଃ ସତ୍ୟର ଆଗ୍ରହ ଯେ କଦାପି ନାହିଁ, ଏକଥା ସେମାନେ ନିଜେ ମଧ୍ୟ ହୃଦୟଙ୍ଗମ କରୁଥିବେ । ଯଦି ଅତି କମ୍‌ରେ ରାଜନୀତିକୁ ଲୋକ ନିର୍ମାଣ ଲାଗି ଉଦ୍ଦିଷ୍ଟ ଗୋଟାଏ ବେପାର ବୋଲି ମଧ୍ୟ କୁହାଯାଏ, ତେବେ ସେହି ବେପାରରେ ଆମେ ଅତି ଦୟନୀୟ ଭାବରେ ବିଫଳ ହୋଇଚୁ ବୋଲି କହିବାକୁ ଅନାଟନ, ଅଶିକ୍ଷା, ଅନୀତି ଓ ଉଦାସୀନତାର ଏହି ଦେଶରେ ଆମକୁ ଆଦୌ କାହାରି ସଂଶୟ ଫେଡ଼ିବାକୁ ପଡ଼ିବ ନାହିଁ । ତେଣୁ ଏସବୁ ଅବଲୋକନ କରି ଆପଣାକୁ ପ୍ରଶ୍ନ କରିବାକୁ ଇଚ୍ଛା ହୁଏ, ଏଗୁଡ଼ାକୁ ଆମେ ଜୀବନ ବୋଲି କହିବା ନା ରଙ୍ଗ ବୋଲି କହିବା ?

 

ଆଗରୁ କହିଚି, ବରଷଯାକର ଜୀବନ ଜଞ୍ଜାଳରୁ ଟିକିଏ ନିଷ୍କୃତି ପାଇବା ଲାଗି ବରଷରେ ଗୋଟାଏ ଦିନ ହୋଲି ଖେଳିବାର ପ୍ରୟୋଜନ ହୁଏ । ବରଷଯାକ ସଭ୍ୟ ଓ ସୁନ୍ଦର ଜୀବନର ଯୋଗ୍ୟ ହେବା ଲାଗି ଆମ ଭିତରେ ଆମେ ଯେଉଁସବୁ ଆଦିମ ଅସୁର-ବାସନାଗୁଡ଼ାକୁ ଅନ୍ତରାଳରେ ରଖିଥାଉ ବା ଦବାଇ କରି ରଖିଥାଉ, ଦିନଟାଏ ହୋଲି ଖେଳରେ ମାତି ଆମେ ତଦ୍ଦ୍ୱାରା ଟିକିଏ ଉଶ୍ୱାସ ହୋଇଯାଉ ଓ ପୁଣି ଜୀବନରେ ପ୍ରବୃତ୍ତ ହେବାକୁ ଯାଉ । ବତିଶି-ଘଡ଼ି ଜୀବନର ନାନା ଉଦ୍‌ଯୋଗପର୍ବରେ ଯୋଗ୍ୟ ଭାବରେ ପ୍ରବୃତ୍ତ ହୋଇ ରହିବାକୁ ହୁଏତ ଘଡ଼ିକ ଲାଗି ରଙ୍ଗର ଦରକାର ହୁଏ । କିନ୍ତୁ ସତରେ ହେଉ କି ଗେଲରେ ହେଉ, ବିଗତ କୋଡ଼ିଏ ବର୍ଷ ହେଲା ଯେଉଁମାନେ ଜୀବନର ନାଆଁରେ ଏଠି କେବଳ ରଙ୍ଗ ହିଁ ଲଗାଇ ଆସିଛନ୍ତି, ସେମାନେ ତେବେ କେଉଁସବୁ ଅତୃପ୍ତ ବାସନାର ଅଭିଶାପରେ ଅଭିଶପ୍ତ ହୋଇ ରହିଚନ୍ତି ? ଏମାନେ ଆଉ କୋଉଦିନ ଉଶ୍ୱାସ ହେବେ, ନିଶ୍ୱାସ ମାରିବାର ସମୟ ପାଇବେ, ଆଖି ଫିଟାଇ ମଣିଷ ଆଡ଼କୁ ଅନାଇବେ, ଶାନ୍ତ ହୋଇ ନିଜ ଆଡ଼କୁ ବି ଅନାଇ ପାରିବେ ? ତୁଚ୍ଛା ରଙ୍ଗର ସଭାପର୍ବ ଶେଷ ହୋଇ ଏ ଦେଶରେ ଜୀବନର ଉଦ୍‌ଯୋଗପର୍ବ ଆଉ କେବକୁ ଆରମ୍ଭ ହେବ ? ବାହାରେ ଯେତେ ଲଣ୍ଡଭଣ୍ଡ ଓ ଫଡ଼ଫଡ଼ ହେଉଥିଲେ ମଧ୍ୟ ଏମାନେ ଭିତରେ ପ୍ରକୃତରେ ବଡ଼ ଦୁଃଖୀ । ଶିକ୍ଷା, ସାହିତ୍ୟ, ଧର୍ମ ଓ ରାଜନୀତିର ନାନା କ୍ଷେତ୍ରରେ ଯେଉଁମାନେ ଆଜିଯାଏ ଖାଲି ରଙ୍ଗ ହିଁ ଲଗାଇ ଆସିଚନ୍ତି, ସେମାନେ ଜୀବନକୁ ଫାଙ୍କି ଦେଇ ଦେଇ ଆସିଚନ୍ତି, ଆପଣାଠାରୁ ପଳାଇବା ବ୍ୟତୀତ ସେମାନେ ଅନ୍ୟ ଫନ୍ଦା ହିଁ ଜାଣିନାହାନ୍ତି, ଆପଣା ଭିତରର ମଣିଷଟାକୁ ହୁଏତ ଫାଙ୍କି ଦେଉଥିବାରୁ ହିଁ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ସବୁ ମଣିଷକୁ ଭଣ୍ଡାଇବା ବ୍ୟତୀତ ଆଉ ଅନ୍ୟ କୌଣସି ବୁଦ୍ଧି ଦେଇ ପାରୁନାହାନ୍ତି । କେତେ କାରଣଜନିତ କେତେ ନୈରାଶ୍ୟ ସେମାନଙ୍କୁ ସେମାନଙ୍କର ପୋଷାକୀ ଜୀବନରେ ଏପରି ଉଗ୍ର କରି ରଖିଚି, ଗୋଟାଏ କ୍ଷେତ୍ରରେ ଜୀବନଗତ ନୈରାଶ୍ୟକୁ ଭୁରୁଡ଼ାଇ ଦେବାପାଇଁ ସେମାନେ ହୁଏତ ଆହୁରି ନାନା କ୍ଷେତ୍ରରେ ରଙ୍ଗ ଲଗାଇ ଦେବାର ଅପବେଉସାରେ ପଡ଼ିଯାଇଚନ୍ତି । ସେମାନେ ଜୀବନକୁ ହିଁ ରଙ୍ଗ ବୋଲି କହୁଚନ୍ତି, ଜୀବନର ନାଟକରେ ଦୁଆରୀ ହୋଇ ବାହାରିବା ବ୍ୟତୀତ ସେମାନେ ଆଉ କୌଣସି ବିଦ୍ୟା ପଢ଼ିବାର ସାହସ କେବେହେଲେ କରିନାହାନ୍ତି । ସେମାନଙ୍କର କ୍ଷମତା, ସେମାନଙ୍କର କୋଠା, ସେମାନଙ୍କର ସ୍ତାବକ-ଦରବାର ଓ ସେମାନଙ୍କର ଜଳକା କଥାଗୁଡ଼ାକ ସେମାନଙ୍କର ଦୁର୍ବଳ ଆହତ ମନ ଉପରେ ଠିକ୍ ଅଫିମ ପରି କାମ କରୁଚି, ସେମାନଙ୍କ ଜରିଆରେ ଏହି ଦେଶର ରାତିକୁ ଆହୁରି ପ୍ରଲମ୍ୱିତ କରିଦେଉଚି । ମନ କହୁଚି, ସେମାନଙ୍କର ଅତୃପ୍ତି ଧର୍ଷିତ ଏହି ଗେହ୍ଲା ଉଦାସୀ ଦମ୍ଭ ଆଉ କେତେ ଦିନଯାଏ ଦେଶମୟ ଏହି ରାତ୍ରିର ବୃକ୍ଷଶାଖା ଉପରେ ଲକ୍ଷ୍ମୀଙ୍କର ବାହନ ପରି ହୋଇ ବସି ରହିଥିବ ?

 

ଡେନ୍‌ମାର୍କର ବିଶ୍ରୁତ କଥାକାର ହାନ୍‌ସ କ୍ରିଷ୍ଟିଆନ୍ ଆନର୍‌ସନ୍‌ଙ୍କର ଗୋଟାଏ ଗପ ମୋର ଅନେକ ସମୟରେ ମନେ ପଡ଼େ । ଗପଟିରେ ଜଣେ ସଉକୀ ସମ୍ରାଟଙ୍କର ଗପ ରହିଚି, ଯିଏ କି ବଢ଼ିଆରୁ ବଢ଼ିଆ ପୋଷାକ ପିନ୍ଧିବାରେ ଭାରି ଶ୍ରଦ୍ଧା ଦେଖାଉଥିଲେ । ମଜା ଦେଖିବାକୁ ଜଣେ ଚତୁର ଦର୍ଜୀ ଥରେ ତାଙ୍କପାଇଁ ସାରେ ପୋଷାକ ତିଆରି କରି ଆଣିଦେଲେ । ଯିଏ ଜୀବନରେ କୌଣସି ପ୍ରକାର ଅସତ୍‌କାର୍ଯ୍ୟ କରିଥିବ, ସିଏ କୁଆଡ଼େ ଏହି ପୋଷାକକୁ ଆଖିରେ ଦେଖି ପାରିବନାହିଁ ବୋଲି ଏଥିରେ ଗୋଟିଏ କେଁ ରହିଥିଲା । ସଭା ଡକାଗଲା, ପାରିଷଦ ବସିଲେ ଓ ସମସ୍ତଙ୍କର ସାମନାରେ ସମ୍ରାଟ ପୁରୁଣା ପୋଷାକ ବଦଳି ନୂଆ ପୋଷାକ ପରିଧାନ କଲେ । ନୂଆ ପୋଷାକ ତାଙ୍କ ଆଖିକୁ ଦିଶିଲା ନାହିଁ ସତ, ମାତ୍ର ସେ ନିଜର ଆଖି ଦୁଇଟାକୁ ପାପ ଆଖି ବୋଲି କହିବାକୁ ବା ଜୀବନରେ ଅସତ୍‌କାର୍ଯ୍ୟ କରିଚନ୍ତି ବୋଲି ଧରାପଡ଼ିଯିବାକୁ ସାହସ କଲେ ନାହିଁ । ଏହିପରି ଏକ ଅଡ଼ୁଆରେ ପଡ଼ି ତାଙ୍କୁ ଆପଣା ନୂତନ ବସ୍ତ୍ରର ଗୌରବଗାନ କରିବାକୁ ପଡ଼ିଲା । ସିଆଣିଆ ସମ୍ରାଟଙ୍କର ସଭାରେ ତାଙ୍କରି ଦ୍ୱାରା ପ୍ରତିପାଳିତ ମନ୍ତ୍ରୀ ଓ ପାରିଷଦମାନେ ଆପଣାକୁ ଓଲା ବୋଲି ପ୍ରମାଣ କରିଥାନ୍ତେ ବା କିପରି ? ତେଣୁ ସେମାନେ ମଧ୍ୟ ନ ଦେଖିବା ବସ୍ତ୍ରକୁ ଦେଖୁଥିବା ଭଳି ଅଭିନୟ କରି ଅପୂର୍ବ ବସ୍ତ୍ର-ପରିହିତ ସମ୍ରାଟଙ୍କର ଗୁଣଗାନ କରିବାକୁ ଲାଗିଲେ । ସମ୍ରାଟଙ୍କୁ ଧରି ଉତ୍ସାହୀ ସଭା ନଗର ଭିତରକୁ ଶୋଭାଯାତ୍ରାରେ ବାହାରିଲା । ପୁରବାସୀ ସମସ୍ତେ ନୂତନ ପୋଷାକ ଭିତରେ ରହିଥିବା ରାଜାଙ୍କର ଶୋଭାକୁ ପ୍ରଶଂସା କରି ବିଚଳିତ ହୋଇ ପଡ଼ୁଥାନ୍ତି । ହଠାତ୍ କେଉଁଠି ରାସ୍ତା କଣରେ ଠିଆ ହୋଇଥିବା ସାନପିଲାଟିଏ ପାଟି କରି ସମ୍ରାଟ ଲଙ୍ଗଳା ହୋଇଛନ୍ତି ବୋଲି କହିଦେଲା । ସେତେବେଳେ ଯାଇ ସମ୍ରାଟଙ୍କ ସମେତ ସଭିଙ୍କର ହୋସ୍ ଆସିଲା, ସବୁ ରଙ୍ଗ ସେଇଠି ଭାଙ୍ଗିଗଲା । ଆମ ସମସ୍ତଙ୍କୁ ନେଇ ଆମ ଦେଶରେ ବର୍ତ୍ତମାନ ଯେଉଁ ରଙ୍ଗ ଚାଲିଚି, ତାହାକୁ ରଙ୍ଗ ବୋଲି କହିବା ଲାଗି କାହାର ସାହସ ଅଛି-? ଲଙ୍ଗଳା ତାମସାବାଲାମାନଙ୍କୁ ଲଙ୍ଗଳା ବୋଲି କହିବା ଲାଗି ଆମ ସାମୂହିକ ପଥର କେଉଁ କଣରେ କେଉଁ ପିଲା ଅପେକ୍ଷା କରି ରହିଚି କେଜାଣି ? ସେପରି ହୋଇ ପାରିଲେ ଯାଇ ଆମ ଦେଶର ରାଜନୀତି, ଶିକ୍ଷା ଓ ସାହିତ୍ୟ ସବୁ କ୍ଷେତ୍ରରେ ହୋସ୍ ଆସିବ, ସେତେବେଳେ ଯାଇ ଲୋକ ଠକାଇ ବପୁ ଫୁଲାଇବାକୁ ଆମକୁ ଲାଜ ଲାଗିବ । ଜୀବନ ଭିତରେ ରଙ୍ଗଟା ହିଁ ସଜାଇ ହୋଇ ରହିଥିବାର ହାସ୍ୟାସ୍ପଦ ଓ ନିଷ୍ଠୁର ଦଶା ସେତେବେଳେ ଯାଇ ଦୂର ହେବ । କିନ୍ତୁ ସେ ଦିନ କେବେ ଆସିବ ? ସେହି ନିର୍ଭୀକତା କେବେ ସମ୍ଭବ ହେବ ? ଜୀବନକୁ ଭଲ ପାଇ ଆମେ କେବେ ଜୀବନ ଆଡ଼କୁ ଆକୃଷ୍ଟ ହେବା, ଜୀବନମୁହାଁ ହୋଇ ବାଟଚାଲି ଶିଖିବା, ଆପଣାକୁ ଆଦରି ନେଇ ପାରିବା, ମଣିଷକୁ ମଣିଷର ସମ୍ମାନ ଦେଇ ଆଦରି ନେଇ ପାରିବା, କେବେ ଯାଇ ଆପଣାର ଲଙ୍ଗଳା ଆଚାରଗୁଡ଼ାକୁ ଦେଖି ଆମକୁ ଲାଜ ଲାଗିବ ? ସେ ଦିନ କେବେ ଆସିବ ?

 

ଏହାର ଉତ୍ତର ନାହିଁ । ତଥାପି ମନ କହୁଚି ଏ ରଙ୍ଗ କଦାପି ରହିବ ନାହିଁ ।

☆☆☆

 

ମଣିଷ କାହିଁ ?

 

ଆମର ଏ ଯୁଗକୁ ଭାରି ସୁନ୍ଦରିଆ କରି ଜନତାର ଯୁଗ ବୋଲି କୁହାଯାଉଛି । ଯେଉଁମାନେ ଉପରେ ଥାଇ ଜନତାକୁ ଚରାଉଛନ୍ତି, ସେହିମାନେ ହିଁ ଆବଶ୍ୟକତା ଅନୁସାରେ ଏପରି କରୁଛନ୍ତି । ଦଶ ବର୍ଷରେ ଥରେ ଲେଖାଏଁ ଜନଗଣନା ବା ମୁଣ୍ଡ ସୁମାରି ହେଉଛି । ଦଳ ଓ ସରକାରମାନେ ଜନସମ୍ପର୍କ କରୁଛନ୍ତି । ଜନମତ ଉପରେ କୁଆଡ଼େ ଜନଗଣର ଶାସନ ଚାଲୁଛି । କୋଟି କୋଟି ଖରଚ ହୋଇ ଜନକଲ୍ୟାଣ କରାଯାଉଛି । ସାହିତ୍ୟ ଜନ-ସାହିତ୍ୟ ହେଲାଣି । ନେତାମାନେ ଜନନେତା ବୋଲାଇଲେଣି । କିନ୍ତୁ ମଣିଷ କାହିଁ ? ମଣିଷର କଥା କୋଉଠି ହେଉଛି-? କେତେଜଣ ମଣିଷ ଆପଣାକୁ ମଣିଷ ବୋଲି ଭାବୁଛନ୍ତି ? ଅପରଙ୍କୁ ବି ମଣିଷ ବୋଲି ଭାବିବାର ପ୍ରସଙ୍ଗଟା ତ ତା’ ପରେ ଯାଇ ଉଠିବା କଥା । ସଂସାରରେ ଶକ୍ତି ବଢ଼ୁଛି, ଜ୍ଞାନ ଓ ବିଜ୍ଞାନର ଶକ୍ତି ବଢ଼ୁଛି, ରାଜଶକ୍ତି ଓ ସୈନ୍ୟ ଶକ୍ତି ବଢ଼ୁଛି, କ୍ଷମତା ବଢ଼ୁଛି, ଦକ୍ଷତା ବି ବଢ଼ୁଛି-ମାତ୍ର ଜନଶକ୍ତି ସତେ ଯେପରି ଲୁଚି ପଳାଉଛି । ମଣିଷର ଯାବତୀୟ ସଭାରେ ମଣିଷ ଲାଜରା ହୋଇ ରହିଛି । ଆପଣା ଭିତରର ମଣିଷଟାକୁ ଭେଟି କୁଶଳ ପଚାରିବାକୁ ବି ତା’ର ବେଳ ନାହିଁ ।

 

ଗତ ପ୍ରାୟ ଛଅମାସ ଭିତରେ କଲିକତାର ପୂର୍ବପଟେ ଯାହାସବୁ ଘଟିଗଲା ବା ଘଟିଯାଉଛି, ସେଗୁଡ଼ାକ ଅଙ୍କୁଶ ମାରିବା ପରି ପ୍ରତ୍ୟେକ ମଣିଷକୁ ଯେପରି ତାହାହିଁ ପଚାରିବାରେ ଲାଗିଛି । ସେଠାରେ କ୍ଷମତା ଲଙ୍ଗଳା ହୋଇ ନାଚୁଛି, ରାଜସଭା ବିଭୀଷିକାକୁ ହିଁ ଦୈନନ୍ଦିନ ଭକ୍ଷ୍ୟ ରୂପେ ବ୍ୟବହାର କଲାଣି । ମଣିଷର ଘର ଉଜୁଡ଼ି ଯାଉଛି, ମଣିଷର ଆକାଶଟା ସତେଅବା ଠିକ୍ ତାହାରି ଉପରେ ଭାଙ୍ଗି ପଡ଼ୁଛି । ହିନ୍ଦୁ କି ମୁସଲମାନ୍ ବୋଲି ପଚାରିବାକୁ ବେଳ ନାହିଁ, ଧନୀ କି ଗରିବ ବୋଲି ପଚାରିବାକୁ ବି ବେଳ ନାହିଁ । ମଣିଷ ଯାହା କହିବ, ସେକଥା କଦାପି ହେବ ନାହିଁ; ବନ୍ଧୁକ ଓ ଗୁଳା ବାରୁଦ ଯାହା ଚାହିଁବ ସେଇଟା ହିଁ ହେବ ଓ ସେଇଟା ହିଁ ଘଟିବ-ବଙ୍ଗଳା ଦେଶର ଔଦ୍ଧତ୍ୟଗୁଡ଼ାକ ଆଖିରେ ଆଙ୍ଗୁଠି ପୂରାଇ ଯେପରି ଏହି କଥାଟାକୁ କହିବାରେ ଲାଗିଛନ୍ତି । ସେଠି ସୈନ୍ୟଶକ୍ତି ଜନଶକ୍ତିକୁ ମାରି ଦେବାକୁ ବସିଛି, ହଜାର ହଜାର ସଂଖ୍ୟାରେ ମଣିଷ ମାରି ଏକଥା ଅବଶ୍ୟ ହୋଇ ପାରିବ ବୋଲି ସେଠି ଧର୍ମ ପରି ବିଶ୍ୱାସ କରାଯାଉଛି । ଏବଂ ସାରା ସଂସାର ବୋକା ହୋଇ ଅନାଇ ରହିଛି । ଧନତନ୍ତ୍ର ବି ଅନାଇ ରହିଛି । ଆପଣାର ସ୍ୱାର୍ଥକୁ ଆଖି ରଖି ବାଟ ଚାଲିବାର ସାବଧାନ ବୁଦ୍ଧିକୁ ଆପଣାର ଅସଲ ଘାଆଟା ଆଦୌ ଦେଖା ଯାଉନାହିଁ ।

 

ସଂସାରସାରା ସକଳ ଆଦର୍ଶବାଦ ଓ ପ୍ରଗତିବାଦର ଭିଡ଼ ଓ ବଚସା ଭିତରେ ସତେ ଯେପରି ସବୁରି ଭିତରେ ମଣିଷଟା ହିଁ ଦିନକୁ ଦିନ ଅଧିକରୁ ଅଧିକ ଦୁର୍ବଳ ହେବାରେ ଲାଗିଛି । ଆପଣାର ଅସଲ ପ୍ରେରଣା ଲାଗି ଆପଣା ଭିତରକୁ ଅନାଇବାକୁ ଆଜି ଯେପରି କେହିହେଲେ ଆଦୌ ପସନ୍ଦ କରୁନାହାନ୍ତି । ଆପଣାର ଅସଲ ପ୍ରେରଣାଗୁଡ଼ାକୁ ଜାଣିବାଟା ମଧ୍ୟ ଯେପରି ପୂରାପୂରି ଅଚଳନ୍ତି ହୋଇ ରହିଲାଣି । ଧର୍ମ କହିଲେ ଆପଣା ଭିତରେ କୌଣସି ନିଧାନଶକ୍ତି ସହିତ ଏକତ୍ର ବାସ କରିବାକୁ ବୁଝାଉନାହିଁ, ଦୀକ୍ଷା ନେଇ ଗୁରୁ କରି ଗୋଟା ସୁଦ୍ଧା ମେଣ୍ଢା ହୋଇଯିବାକୁ ବୁଝାଉଛି । ଗୋଟାଏ ମେଣ୍ଢାପଲରେ ମିଶି ଆଉ ଗୋଟାଏ ମେଣ୍ଢାପାଲ ସହିତ ମୁଣ୍ଡ ଲଢ଼େଇ କରିବାକୁ ବୁଝାଉଛି । ଆପଣା ଭିତରେ କୌଣସି କବାଟ ଫିଟାଇବା କି ପାହାଚ ଉଠିବାକୁ ବୁଝାଉନାହିଁ, ହାତରେ ଗୁଡ଼ାଏ ଟଙ୍କା ଧରି ପ୍ରସାଦର ହାଟରେ ସତେଅବା ସଉଦା କରି ବାହାରିବାକୁ ବୁଝାଉଛି । ଆଉ ଆପଣା ଉପରେ ଭରସା ରଖିବାକୁ ଭରସା ପାଉନାହିଁ ।

 

ଆପଣା ଉପରେ ଭରସା କଲେ ମଣିଷକୁ ଯେଉଁ ଶକ୍ତି ମିଳେ, ତାହାହିଁ ହେଉଛି ମଣିଷର ଅସଲ ଶକ୍ତି । ଆପଣାକୁ ଜଣେ ମଣିଷ ହିସାବରେ ଯଥାର୍ଥ ସମ୍ମାନ କରୁଥିଲେ ମଣିଷ ଆପଣାର ଚାରିପାଖକୁ ଅନାଇଲା ବେଳେ ଯେଉଁ ଶକ୍ତିଟି ଅନୁଭବ କରେ, ତାହାହିଁ ଜନଶକ୍ତି । ଆମେସବୁ ଏବେ ସେହି ଶକ୍ତିରୁ ହିଁ ଆପଣାକୁ ବଞ୍ଚିତ କରି ରଖିଛୁ । ତେଣୁ ଆମ ପାଖରେ ସବୁକିଛି ମହଜୁଦ ଥାଇ ମଧ୍ୟ ଆମେ ସବୁଆଡ଼ୁ ଏପରି ବିକଳ ଓ ଅକର୍ମଣ୍ୟ ହୋଇ ବସିଛୁ । ଆମର ଏଠି ସ୍କୁଲ ଅଛି, କଲେଜ ଅଛି, ତଥାପି ସେଠି କେହି ଆଜିକାଲି ପାଠ ଉପରେ ଭରସା କରି ରହିବାକୁ ପସନ୍ଦ କରୁନାହାନ୍ତି । ପିଲାମାନେ ନକଲ କରିବା ଉପରେ ଅଧିକ ନିର୍ଭର କରୁଛନ୍ତି । ମାଷ୍ଟରମାନେ ଉପରବାଲାଙ୍କୁ ଖୁସି କରି ରହିବା ଉପରେ ଅଧିକ ନିର୍ଭର କରୁଛନ୍ତି । ଏହିପରି କରି ଏଣେ ଗଜମୂର୍ଖ ହୋଇ ରହିଲେ ମଧ୍ୟ ସେମାନଙ୍କୁ ଲାଜ କାଟୁନାହିଁ, କାରଣ ତାଦ୍ୱାରା ବେଶ୍ କାମ ଚଳି ଯାଉଛି । କାମ ଅପେକ୍ଷା ଖୁସାମତି ଉପରେ ଅଧିକ ନିର୍ଭର କରାଯାଉଛି । ବିବେକ ଅପେକ୍ଷା ଅଭିନୟ ଉପରେ ଅଧିକ ନିର୍ଭର କରାଯାଉଛି । ଆପଣାକୁ ବିକିଦେବା ସମୟରେ ଆଉ ଭିତରକୁ ବାଧୁନାହିଁ । କାରଣ ଭିତରେ ତାଲା ଦିଆହୋଇ ରହିଛି ।

 

ଏବେ ଦିନେ କଲିକତାରେ ଏକ ବିରାଟ ସଭାରେ ଲୋକମାନେ ବିଶ୍ୱର ବିବେକକୁ ପାଳଭୂତ କରି ଜଳାଇଲେ । ବିଶ୍ୱର ବିବେକ ମରିଗଲାଣି ବୋଲି ନେତାମାନେ ଭାଷଣ ଦେଲେ । ମଣିଷଟା ବଞ୍ଚିଥିଲେ ସିନା ବିବେକଟା ବଞ୍ଚିଥାନ୍ତା କିନ୍ତୁ ଆପଣାକୁ ବିକି ସୌଖୀନ୍ ହୋଇ ବସିଥିବା ସଭ୍ୟତା ଭିତରେ ପୁଣି ବିବେକ ଆସିବ କୁଆଡ଼ୁ ? ମେଣ୍ଢାଙ୍କର ସମାଜରେ ବଡ଼ ମେଣ୍ଢା ସାନ ମେଣ୍ଢାଙ୍କ ଉପରେ ପ୍ରଭୁ ହୋଇ ବସି ରହିବା ହିଁ ସାର ହେବ, ସାନ ଭୟ ଉପରେ ବଡ଼ ଭୟର ପ୍ରବଳତା ଗ୍ରାସି ରହିଥିବ ଏବଂ ଏହି ଗ୍ରାସ କରିବାଟାକୁ ହିଁ ଯୁଗନୀତି ବୋଲି କୁହା ଯାଉଥିବ ।

 

ଆମ ସଂସାରରେ ଐଶ୍ୱର୍ଯ୍ୟ ଅଛି, ଧନ ଅଛି । ସାଧନ ଅଛି, ସାମଗ୍ରୀ ଅଛି । କେତେ କେତେ କ୍ଷମତା କେତେ ଅଭିନବ କଉଶଳରେ ଠୁଳ ହୋଇ ରହିଛି, ବନ୍ଧୁକ ଓ ବୋମାଗୁଡ଼ାକ ଭାଡ଼ି ବନ୍ଧା ହୋଇ ରହିଛି । ଆମେ ବା ଆମର ଭାଗ୍ୟ କହିଲେ ସତେ ଯେପରି ପୋଷାକୀ ଠାରରେ ଆଗ ଏଇଗୁଡ଼ାକୁ ହିଁ ବୁଝାଉଛି । କିନ୍ତୁ ମଣିଷ କାହିଁ ? ଅମାନିଆ ହୋଇ ଏହି ପ୍ରଶ୍ନଟି ପଚାରିବାର ଜିଦ୍ ବା କାହିଁ ? ମାତ୍ର ଏହି ଜିଦ୍‌ଟି ଭିତରେ ହିଁ ଅସଲ ଶକ୍ତି ରହିଛି, ଏବଂ ଏହି ଶକ୍ତି ଭିତରେ ହିଁ ଏଯୁଗର ଅନେକ ରୋଗପାଇଁ ଔଷଧ ମଧ୍ୟ ରହିଛି ।

☆☆☆

 

କୋଡ଼ିଏ ବର୍ଷ ପରେ

 

ଅଗଷ୍ଟ ପନ୍ଦର କଥା ଭାବିଲାବେଳକୁ ମୋର ଆଗ ଅଗଷ୍ଟ ନଅ କଥା ମନେ ପଡ଼ିଯାଏ-। ୧୯୪୨ ମସିହା ଅଗଷ୍ଟ ନଅ ତାରିଖ ଦିନ ଆମ ଦେଶରେ ‘ଭାରତ ଛାଡ଼’ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଖାଲି ଇଂରେଜମାନେ ଏ ଦେଶ ଛାଡ଼ି ଚାଲିଗଲେ ଏହି ଆନ୍ଦୋଳନ ବା ସଂଗ୍ରାମ ବନ୍ଦ ହୋଇଯିବ ବୋଲି ସେଦିନ କେହି ଭାବି ନ ଥିଲେ । ଇଂରେଜ-ଶାସନ କହିଲେ ସେତେବେଳେ ଭାରତରେ ଥିବା ଗୋରା ହାକିମ ମାନଙ୍କଠାରୁ ଆହୁରି ଅନେକ କଥାକୁ ବୁଝାଉଥିଲା । ଭାରତରୁ ଇଂରେଜ ଶାସନ ଯିବ, ଏବଂ ତା’ ସହିତ ଶୋଷଣ ଯିବ, ଭୋକ ଉପାସ ଯିବ, ମୂର୍ଖ ହୋଇ ଭାଗ୍ୟ ଆଦରି ରହିବାର ଦୁର୍ଦ୍ଦଶା ଯିବ । ଦେଶର ସମସ୍ତେ ଏହି ଦେଶକୁ ଆପଣାର ବୋଲି ଭାବିବେ, ଅର୍ଥାତ୍ ଦେଶର ବ୍ୟବସ୍ଥାରେ ଏଠି ସମସ୍ତଙ୍କର ବିଚାର ହେବ, କାହାକୁ ସାନ, ନୀଚ ବା ଅକିଞ୍ଚନ କହି ଛାଡ଼ି ଦିଆଯିବ ନାହିଁ । ‘ଭାରତ-ଛାଡ଼’ ଆନ୍ଦୋଳନ କହିଲେ ମୁଁ ସେତେବେଳେ ଏହିପରି ବୁଝିଥିଲି । ବର୍ତ୍ତମାନ ମଧ୍ୟ ତାହାହିଁ ବୁଝୁଚି । ଏହି ଆନ୍ଦୋଳନ ଆଜି ବି ସରିନାହିଁ ।

 

ଅଗଷ୍ଟ ପନ୍ଦର ତାରିଖ ଦିନ ଇଂରେଜ ଶାସକମାନେ ଆମହାତକୁ ଗାଦୀ ଦେଇ ଅପସରି ଗଲେ । କିନ୍ତୁ ସେମାନେ ଆମ ଘରକୁ ଦୁଇଭାଗ କରି ଆମ ଦେଶରୁ ଅପସରି ଯାଇଥିଲେ । ସେଇମାନଙ୍କର ମଧ୍ୟସ୍ଥତାରେ ଦେଶ ବଣ୍ଟାହେଲା, ସୈନ୍ୟସାମନ୍ତ ବଣ୍ଟାହେଲେ, ଗୋଟାଏ ଇତିହାସ ସେଦିନ ଦୁଇଭାଗ ହୋଇଗଲା । ଆମରି ନେତାମାନେ ସେଇ ବଣ୍ଟୁଆରାକୁ ମାନି ନେଲେ । ଯେଉଁ ଅଳ୍ପ କେତେଜଣ ଏସବୁକୁ ନ ମାନିବାକୁ କହୁଥିଲେ, ସେମାନଙ୍କ କଥା ରହିଲା ନାହିଁ । ଯେଉଁମାନେ ମାନିନେଲେ ସେମାନେ ହୁଏତ ସଂଗ୍ରାମରେ ଅଳ୍ପ ବହୁତ କ୍ଲାନ୍ତ ହୋଇ ପଡ଼ିଥିଲେ । ଏହି ଖଣ୍ଡିଆ ଦେଶଟାରେ ମଧ୍ୟ ଆମେ ଯଦି ମଣିଷକୁ ଘେନିଲା ଭଳି କିଛି ଗଢ଼ିପାରିବା, ତେବେ କେବଳ ଆର ଖଣ୍ଡଟିରେ ନୁହେଁ, ସମଗ୍ର ଏସିଆରେ ମଧ୍ୟ ତାହାର ପ୍ରଭାବ ପଡ଼ିବ, ସେମାନେ ସେଦିନ ମନକୁ ଏହିପରି ଦମ୍ଭଦେଇ ବଣ୍ଟୁଆରାକୁ ମାନିନେଲେ । କିନ୍ତୁ ଗତ କୋଡ଼ିଏ ବର୍ଷର ଗୋଟାଏ ପୁରୁଷ ଭିତରେ ଆମ ଦେଶରେ କ’ଣ ଗଢ଼ା ହୋଇପାରିଲା ? ଏଠି ମଣିଷମାନେ କିପରି ଗଢ଼ାହେଲେ ? ନୂଆ ଦେଶର ପିଲାଏ କିପରିଭାବେ ଗଢ଼ାହେଲେ, ନୂଆ ଦେଶର ସହର ଓ ଗାଆଁଗୁଡ଼ିକରେ ଆମେ କେଉଁଭଳି ଦିଅଁ ଗଢ଼ିବାକୁ ମନ କରିଥିଲୁ, ଆଉ କିଭଳି ମାଙ୍କଡ଼ ଗଢ଼ି ଥୋଇଦେଲୁ ? ଏସବୁ ଭାବିଲା ବେଳକୁ ପୁଣି ଅସନ୍ତୁଷ୍ଟ ମନଟା ଅଗଷ୍ଟ ପନ୍ଦର ପାଖରୁ ହଟି ଅଗଷ୍ଟ ନଅ ପର୍ଯ୍ୟନ୍ତ ଚାଲିଗଲା ପରି ବୋଧହୁଏ । ଅଗଷ୍ଟ ନଅର ଆହ୍ୱାନଗୁଡ଼ିକୁ ଆମେ ଯେତିକି ସାଧୁ ଭାବରେ ଗ୍ରହଣ କରିବା, ଆମ ଅଗଷ୍ଟ ପନ୍ଦରର ଉତ୍ସବ ଓ ଖୁସି ଭିତରେ ବୋଧହୁଏ ସେତିକି ବେଶୀ ସାଧୁତା ରହିପାରିବ ।

 

୧୯୪୨ ମସିହା ପୂର୍ବରୁ ଆମେ ଏହି ଦେଶକୁ ଅର୍ଥାତ୍ ଏଇ ଦେଶର ମଣିଷକୁ କେତେକଣ କରିଦେବୁ ବୋଲି ସ୍ୱପ୍ନ ଦେଖୁଥିଲୁ । ସେଇ ସ୍ୱପ୍ନକୁ କିଏ ସ୍ୱରାଜ ବୋଲି କହୁଥିଲା କିଏ ରାମରାଜ୍ୟ କହୁଥିଲା ଓ କିଏ ସାମ୍ୟବାଦ ବୋଲି କହୁଥିଲା । ବହିପାଠରେ ଏସବୁ କଥା ବା କଳ୍ପନା ମଧ୍ୟରେ ଯେତେ ଫରକ କଢ଼ାଯାଇପାରୁ ପଛକେ, ମାତ୍ର ଭାରତ ପରି ଏକ ଦରିଦ୍ର ଦେଶରେ ଆମେ ଫରକ ଅପେକ୍ଷା ସାମଞ୍ଜସ୍ୟଗୁଡ଼ାକୁ ହୁଏତ ଆଗ ଦେଖିଥାଆନ୍ତେ । ସ୍ୱାଧୀନତା ପରେ ବି ଏସବୁ କଥାର ଚର୍ଚ୍ଚା ଖୁବ୍ ହୋଇଚି, ଏସବୁ ବିଷୟରେ ଦଶଗୁଣ ଅଧିକ ଭାଷଣ ଦିଆଯାଇଚି ଓ କଥା କହି ଏଦେଶର ଆଶାୟୀ ମଣିଷକୁ ହଜାରେ ଗୁଣ ଚତୁର ଭାବରେ ଠକି ଦିଆଯାଇଚି । କୋଡ଼ିଏ ବର୍ଷ ପୂର୍ବେ ଆମ ଦେଶରେ ନେତାଏ ଯାହା କହୁଥିଲେ, କୋଡ଼ିଏ ବର୍ଷ ପରେ ମଧ୍ୟ ଆଜି ଶୁଆସାରି ସେଇଗୁଡ଼ାକର ପୁନରାବୃତ୍ତି କରୁଚନ୍ତି । ଅର୍ଥାତ୍ ସେମାନେ ସେତେବେଳେ ଯେଉଁ ତିମିରରେ ଥିଲେ, ଏବେ ବି ସେହି ତିମିରରେ ଅଛନ୍ତି । ଅନ୍ଧାରଟା ସେମାନଙ୍କୁ ଅଧିକ ସୁହାଉଥିବା ପରି ମନେହେଉଚି । ଏହି ଅନ୍ଧାର ଭିତରେ ସାମ୍ୟବାଦର କଥାବାର୍ତ୍ତା ଗୁଡ଼ାକ ବେଶ୍ ଶୁଭୁଚି, ମାତ୍ର ସାମ୍ୟବାଦର ବାଟ ହୁଏତ କୋଉଠିହେଲେ ଦିଶୁନାହିଁ ।

 

ବିଷମତା ଭାଙ୍ଗିଲେ ସାମ୍ୟବାଦ ଆସେ । ସବୁ ମଣିଷଙ୍କର ଯେଉଁଠି ସମାନ ବିଚାର ହୁଏନାହିଁ, ତାହାକୁ ଆମେ ବିଷମ ସମାଜ ବୋଲି କହିବା । ସବୁପିଲା ପାଠ ପଢ଼ିବେ, ସବୁପିଲା ପାଠ ପଢ଼ିବାର ସମାନ ସୁଯୋଗ ପାଇବେ, ମଣିଷମାତ୍ରକେ ବିକାଶର ପଥକୁ ସମସ୍ତଙ୍କ ଲାଗି ଫିଟାଇ ଦିଆଯିବ, ବାବୁମାନଙ୍କର ଅନୁଗ୍ରହରେ ନୁହେଁ, ମାତ୍ର ମଣିଷର ମାନରକ୍ଷା ଲାଗି ଶାସନ ଚଳିବ,–ଏହିଗୁଡ଼ାକ ହେଲେ ତାହାକୁ ବିଷମତା ଭାଙ୍ଗିଲା ବୋଲି କୁହାଯାଏ । ମାତ୍ର ଆମ ଦେଶରେ କୋଡ଼ିଏ ବର୍ଷର ଅଳସ ରାଜୁତି ଓ ଅଳସ ରାଜନୀତି ପରେ ଏଗୁଡ଼ାକ କୋଉଠି କେତେଦୂର ସମ୍ଭବ ହୋଇଚି ? ଏବେ ବି ଆମ ଦେଶରେ ସବୁପିଲା ପାଠ ପଢ଼ିବାକୁ ଆସୁନାହାନ୍ତି । ଯେଉଁ ପିଲାଏ ଆସୁଛନ୍ତି, ସେମାନେ ଏକାଭଳିଆ ପାଠ ପଢ଼ୁନାହାନ୍ତି । ବାବୁଘର ପିଲା ବାବୁପରି ପାଠ ପଢ଼ୁଚି, ସାଧାରଣ ପିଲାଏ ନାମକୁମାତ୍ର ପାଠ ପଢ଼ୁଚନ୍ତି । ମୂଲିଆ ଜମିରେ କାମ କରୁଚି, କିନ୍ତୁ ଜମି ତା’ହାତରେ ନାହିଁ । ତିନିପୁରୁଷ ହେଲା ସେ ଯାହାରି କୋଠିଆ ହୋଇ କାମ କରୁଚି, ତାହାରି ହାତରେ ଜମି ରହିଚି । କୋଡ଼ିଏ ବର୍ଷ ପୂର୍ବେ ଯେଉଁମାନେ ଏ ଦେଶରେ ରାଜା ଓ ନବାବ ବୋଲାଉଥିଲେ, ଏବେବି ରାଜା ଓ ନବାବ ବୋଲାଇବାକୁ ସେମାନଙ୍କୁ କୌଣସି ସଙ୍କୋଚ ଲାଗୁନାହିଁ, ଦୁର୍ଭିକ୍ଷରେ ନିତି ମଣିଷ ଝାଉଁଳି ପଡ଼ୁଥିବା ବେଳେ ସେମାନେ ତଥାପି ଲକ୍ଷ ଟଙ୍କାର ଭତ୍ତା ପାଇ ଆପଣାର ଭାଗ୍ୟ-ପଲଙ୍କରେ ଶୋଇରହିଛନ୍ତି, କୋଡ଼ିଏ ବର୍ଷ ପରେ ବି ସେହି ଦୁଗ୍‌ଧପୋଷ୍ୟମାନଙ୍କର ଏ ଦେଶକୁ ଅନାଇ ଦେଖିବା ଲାଗି ଆଖି ଫିଟିନାହିଁ । ରାଜ୍ୟର ରାଜନୀତିରେ କୋଉଠି କ’ଣ ଅସଜ ହୋଇଯାଇଚି କେଜାଣି, ଏଠି ଯାହାପାଖରେ ସବୁ ଅଛି, ତାହାରିଲାଗି ଅଧିକ ଖରଚ କରାଯାଉଚି; ମାତ୍ର ଯାହାପାଖରେ କିଛି ନାହିଁ, ତାହାକୁ ହିଁ ଜନ୍ମାନ୍ଧ କରି ରଖିବାର ଫିକର କରାଯାଉଚି । ବ୍ରିଟିଶ ଅମଳପରି ଆଜି ମଧ୍ୟ ଭାତ, ଲୁଗା ଓ ପାଠ ଅପେକ୍ଷା ଗୁଳା ବାରୁଦରେ ବେଶୀ ଖରଚ ହେଉଚି । ପେଟରୁ କାଟି ବନ୍ଧୁକ ସଜଡ଼ା ଯାଉଚି । ଅର୍ଥାତ୍ ଆଗରୁ ରହିଥିବା ବିଷମତା ଗୁଡ଼ାକ ଭାଙ୍ଗିନାହିଁ, ଆଗରୁ ରହିଆସିଥିବା ସମାଜଟା ଆଦୌ ଭାଙ୍ଗିନାହିଁ । ଖାଲି ଶାସନଟା ବଦଳିଯାଇଚି ଓ ତାହାକୁ ହିଁ ସମାଜ ବଦଳି ଗଲାବୋଲି ଭ୍ରମକରି ଆମଦେଶର ବଡ଼ବଡ଼ିଆମାନେ ନିଶ୍ଚିନ୍ତ ହୋଇ ବସିଚନ୍ତି । ସେମାନଙ୍କର ପଇସା ଓ କ୍ଷମତା ସେମାନଙ୍କୁ ବାତୁଳ କରି ରଖିଚି । ମଣିଷ ଆଡ଼କୁ ଅନାଇବାକୁ ଆଉ ବେଳନାହିଁ ।

 

ଶାସନ ଭାଙ୍ଗିଗଲେ ସମାଜ ଆପେ ଆପେ ଭାଙ୍ଗିଯାଏ ନାହିଁ । ଦେଶ ସ୍ୱାଧୀନ ହେଲେ ସାମ୍ୟବାଦ ଆପେ ଆପେ ଆସେନାହିଁ । ସ୍ୱାଧୀନତାର ଅର୍ଥାତ୍ ଶାସନ ଭାଙ୍ଗିବାର ସଂଗ୍ରାମ ଦ୍ୱାରା ପୁରୁଣା ସମାଜ ଭାଙ୍ଗି ନୂଆ ସମାଜ ଗଢ଼ାହେବାର କାମଟି ଆଦୌ ହୋଇ ଯାଏନାହିଁ । ଏଥିଲାଗି ଆଉ ଗୋଟିଏ ସଂଗ୍ରାମ ଦରକାର ହୁଏ, ଏଥିଲାଗି ଆଉ ଗୋଟାଏ ପ୍ରକାରର ନେତୃତ୍ୱ ବି ଦରକାର ହୁଏ । ପୃଥିବୀର ଯେଉଁ ଯେଉଁ ଦେଶରେ ପୁରୁଣା ସମାଜ ଭାଙ୍ଗି ନୂଆ ସମାଜ ଗଢ଼ା ହୋଇଚି, ସେଠାରେ ସବୁଠି ଏହାହିଁ ହୋଇଚି । ମାତ୍ର ଆମେ ଆମ ଦେଶରେ ଠକାମିରେ ପଡ଼ିଯାଇଚୁ । ଏଦେଶରେ ଯେଉଁମାନେ ସ୍ୱାଧୀନତାର ସଂଗ୍ରାମ କରିଥିଲେ, ଆମେ ସେହିମାନଙ୍କ ଉପରେ ହିଁ ସମାଜ ଭାଙ୍ଗିବାର ଅର୍ଥାତ୍ ସମାଜ ଗଢ଼ାହେବାର କାମଟିକୁ ମଧ୍ୟ ଛାଡ଼ି ଦେଇଚୁ । ମାତ୍ର ସତକଥା ହେଉଚି, ବିଦେଶୀ ଶାସନକୁ ଭାଙ୍ଗି ଏମାନେ ଆଜି ଆପେହିଁ ଏଦେଶର ସକଳ ଶାସନ-ପରିସରକୁ ମାଡ଼ି ବସିଚନ୍ତି । ଆମ ରାଜନୀତି, ଶିକ୍ଷା, ଯୋଜନା, ଶାସନ ଓ ସମାଜବ୍ୟବସ୍ଥା,-ଆଜି ସବୁଠାରେ ଆମେ ଏହି ଅନିଚ୍ଛୁକ ବୁଢ଼ାମାନଙ୍କୁ ହିଁ ଦେଖିବାକୁ ପାଇବା । ଏମାନେ ବୃହସ୍ପତି ପରି କଥା କହୁଚନ୍ତି, ମାତ୍ର ଶୁକ୍ରପରି କେବଳ ଗୋଟାଏ ଆଖିରେ ଦେଖୁଛନ୍ତି । ଆପଣା ଦଳକୁ ଦେଖୁଚନ୍ତି, ଆସନକୁ ଦେଖୁଚନ୍ତି, ପଦକୁ ଦେଖୁଚନ୍ତି ଓ ଖବରକାଗଜରେ ବାହାରୁଥିବା ଆପଣାର ଫଟକୁ ଦେଖୁଚନ୍ତି । ଏମାନଙ୍କ ଭିତରୁ ବାରୁଦ ସରିଗଲାଣି । ସେଇଥିଲାଗି ଏମାନଙ୍କର କବଳରେ ପଡ଼ି କୋଉଠି କିଛି ବଦଳୁନାହିଁ । କେଉଁଠି କିଛି ପାଚୁନାହିଁ, ସବୁ ଖାଲି କଇଁଥା ପଡ଼ିଯାଉଚି । ଦେଶରେ ସବୁପିଲା ପାଠ ପଢ଼ି ପାରିଲେ, ସମସ୍ତଙ୍କର ପେଟ ପୂରିଲେ ଓ ମଣିଷ ମାତ୍ରକେ ସଭିଙ୍କୁ ପ୍ରାପ୍ୟନ୍ୟାୟ ମିଳିଲେ ଏମାନଙ୍କର ଏ ଦୌରାତ୍ମ୍ୟ ଦିନେ ସୁଦ୍ଧା ରହିବ ନାହିଁ । ସେଇଥିଲାଗି ଏମାନେ ଦେଶର ମଣିଷ ଆଗରେ ବାଟ ଓଗାଳି ବସିଛନ୍ତି ।

 

କାଉ ବସାରେ କୋଇଲିଛୁଆ ପୋଷା ହେବା ପରି ସାମ୍ୟବାଦ ବଦଳରେ ଆମ ଦେଶରେ ଏବେ ଜାତୀୟତାବାଦ ପୋଷା ହେବାରେ ଲାଗିଚି । ଜାତିର ସଂହତି ରଖ, ଜାତିର ସୁରକ୍ଷା କର, ଜାତିକୁ ବଡ଼ ବୋଲି ମାନ ଓ ଜାତିଲାଗି ମର,-ଏବେ ଉପରୁ ଏଇ କଥାଟାହିଁ ଭାରି ଜୋରରେ ଶୁଣାଯାଉଛି । ସରକାରୀ, ବେସରକାରୀ, ବାମ ଓ ଡାହାଣ ସବୁ ତରଫରୁ ଏହାରି ଉଚ୍ଚାଟ କୀର୍ତ୍ତନ କରାଯାଉଚି । ଜାତିଲାଗି ମରିବାକୁ ହେଲେ ଯେ ଆଗ ମଣିଷ ହୋଇ ବଞ୍ଚି ରହିବାକୁ ପଡ଼େ, ଏକଥା ସେମାନେ ସମସ୍ତେ ଭୁଲିଗଲେଣି । ଭୋକିଲା ମଣିଷକୁ ଏମାନେ ଧାନଅମାର ଜଗିକରି ବସିବାକୁ କହୁଚନ୍ତି, ବର୍ତ୍ତମାନରୁ ହାତ ଛାଡ଼ି ଯାଇଥିବା ମଣିଷକୁ ଏମାନେ ଅତୀତର କାହାଣୀ ଶୁଣାଇ ଭୋକ ଭୁଲାଇ ରଖିବାକୁ କୌଶଳ କରୁଛନ୍ତି । ଏହି କୌଶଳର କବଳରେ ପଡ଼ି ଆମେ ମଣିଷ ହେବାର ଭୋକକୁ ଭୁଲିଯାଉଚୁ । ମଣିଷ ହେବାର ଭୋକ କହିଲେ ପେଟର ଭୋକଠାରୁ ଆରମ୍ଭ କରି ମନୁଷ୍ୟୋଚିତ ନ୍ୟାୟ ଓ ସମ୍ମାନ ପାଇବାର ଭୋକ ପର୍ଯ୍ୟନ୍ତ ସବୁଟିକୁ ବୁଝାଏ । ଭେକ ପିନ୍ଧି ବା ଅଫିମ ଖାଇ ଏହି ଭୋକ କଦାପି ବୁଝେ ନାହିଁ । ଅସଲ ଭୋକକୁ ଭୂଲି ବସିଲେ ମଣିଷ ଭେକରେ ବା ଅଫିମରେ ଭଳିଯାଏ । ଜାତୀୟତାବାଦ ଗୋଟାଏ ଭେକ, ଜାତି ନାମରେ ମଜ୍ଜି ରହିବା ବି ଗୋଟାଏ ପ୍ରକାର ଅଫିମଖାଇ ବସିବା । ସାମ୍ୟବାଦ କହିଲେ ମଣିଷ ବିଷୟରେ ଯେଉଁ ମନୁଷ୍ୟୋଚିତ କଳ୍ପନାଗୁଡ଼ିକୁ ବୁଝାଏ, ସେହି କଳ୍ପନାଗୁଡ଼ିକୁ କାମରେ କରି ଦେଖାଇ ପାରିଲେ ଯାଇ ମଣିଷର ଅସଲ ଭୋକ ଶାନ୍ତ ହୁଏ ।

 

ଭାରତର ଲଢ଼େଇ ପାକିସ୍ତାନ ସାଙ୍ଗରେ । କାଶ୍ମୀରକୁ ନେଇ ଏହି ଲଢ଼େଇ । ଭାରତର ଲଢ଼େଇ ଚୀନ ସାଙ୍ଗରେ । କୁଆଡ଼େ କମୁନିଷ୍ଟବାଦକୁ ନେଇ ଏହି ଲଢ଼େଇ । ଏହି ତିନୋଟି ଦେଶରେ ଆଜି ଯେଉଁ ନେତାମାନେ ଦେଶକୁ ଚଳାଉଛନ୍ତି, ସେମାନେ ସମସ୍ତେ ମଣିଷକୁ ତାର ଅସଲ ଭୋକ ଭୁଲାଇ ରଖିବାଲାଗି ତାକୁ ଅଫିମ ଖୁଆଇ ରଖିଛନ୍ତି । ଭାରତ, ପାକିସ୍ତାନ ବା ଚୀନ, ଏହି ତିନୋଟି ଦେଶରେ ଅସଲ ସମସ୍ୟାଗୁଡ଼ିକୁ ଆଡ଼େଇ ଦିଆଯାଉଚି । କାଶ୍ମୀର ଭାରତ ବା ପାକିସ୍ତାନର ସର୍ବାଗ୍ର ସମସ୍ୟା ନୁହେଁ । ଏହି ଦୁଇ ଦେଶରେ ବାସ କରୁଥିବା କୋଟି କୋଟି ଲୋକ ମଣିଷ ପରି ବଞ୍ଚିବେ, ଅର୍ଥାତ୍ ସେମାନଙ୍କର ପେଟ ପୂରିବ, ସେମାନଙ୍କର ଆଖି ଖୋଲିବ, ସେମାନେ ନ୍ୟାୟ ପାଇବେ ଓ ଅନ୍ୟାୟକୁ ଅନ୍ୟାୟ ବୋଲି କହିପାରିବେ-ଏହାହିଁ ସର୍ବପ୍ରଧାନ ସମସ୍ୟା । ମାତ୍ର ଗତ କୋଡ଼ିଏ ବର୍ଷ ହେଲା ଆମେ ଅପ୍ରଧାନକୁ ପ୍ରଧାନ କରି ଦେଖାଇ ଆସୁଚୁ ଏହାହିଁ ଲଜ୍ଜାର କଥା । ଆଜି ବି ଏହି ଲଜ୍ଜାକୁ ଆମେ ଅର୍ଥାତ୍ ଉପରସ୍ଥ ଆଖିଥିବା ଲୋକେ ଲଜ୍ଜା ବୋଲି ମାନିଲୁ ନାହିଁ । ତେଣୁ ଏ ଦେଶରେ ସାମ୍ୟବାଦ କୁଆଡ଼ୁ ଆସିବ ଏବଂ ସାମ୍ୟବାଦ ଅର୍ଥାତ୍ ସାମାଜିକ ନ୍ୟାୟର ପ୍ରତିଷ୍ଠା ନହେଲେ ଗଣତନ୍ତ୍ର ବି କୁଆଡ଼ୁ ଆସିବ ? ଶାସନ ଓ ରାଜନୀତି, ଶିକ୍ଷା ଓ ଗୃହସଂସ୍କାର ନାମରେ ଯେଉଁ ତାମସା ଗତ କୋଡ଼ିଏ ବର୍ଷ ହେଲା ଏଠି ଚାଲିଆସିଚି, ସେଇଟାହିଁ ଚାଲିଥିବ । ଆମେ ଏ ଦେଶରେ କସ୍ମିନ୍‌କାଳେ ମଧ୍ୟ ଆମର ଅତ୍ୟାବଶ୍ୟକ ଦ୍ୱିତୀୟ ସଂଗ୍ରାମଟି ଲାଗି ପ୍ରସ୍ତୁତ ହୋଇ ପାରିବା ନାହିଁ । ଜାତି ଲାଗି ଅର୍ଥାତ୍ କେତେଜଣ ବା କେତେଟା ଶ୍ରେଣୀର ଛଳ ନା ଖଳ ରାଜତ୍ୱ ଚାଲିବ ବୋଲି ଏଠି ମଣିଷକୁ ବଳି ଦିଆଯିବ ନାହିଁ । ମଣିଷକୁ ମଣିଷ ହେବାର ପରିପୂର୍ଣ୍ଣ ସୁଯୋଗ ମିଳିବ, ଏବଂ ଯୋଗ୍ୟ ମଣିଷ ଯୋଗ୍ୟ ଜାତିର ନିର୍ମାଣ କରିବ,–ଏହିପରି ବିଶ୍ୱାସ କରୁଥିବା ମଣିଷହିଁ ବର୍ତ୍ତମାନର ଅମୁହାଁ ଗୁମ୍ଫା ଭିତରୁ ନୂତନ ପରିବର୍ତ୍ତନ ଲାଗି ବାଟ ଫିଟାଇ ପାରିବ ।

 

ଆସନ୍ତାବର୍ଷ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ନୂଆକଳେବର ହେଉଚନ୍ତି । ଅର୍ଥାତ୍ ଦେବତାଙ୍କର କଳେବର ବଦଳୁଛି, ଦାରୁବ୍ରହ୍ମଙ୍କ ଦେହରେ ଲାଗିଥିବା ଦାରୁ ବଦଳୁଛି । ପ୍ରତି ବାରବର୍ଷରେ କୁଆଡ଼େ ଥରେ ଏମିତି ତାଙ୍କର କଳେବର ବଦଳେ । ପୁରାଣରେ ବାରବର୍ଷକୁ ଗୋଟିଏ ଯୁଗ ବୋଲି କୁହାଯାଏ । ଗୋଟିଏ ଦେଶର ଭାଗ୍ୟରେ କୋଡ଼ିଏ ବରଷକୁ କ’ଣ ଆମେ ଯୁଗେ ବୋଲି କହି ପାରିବା ନାହିଁ ? ମାତ୍ର ଖାଲି କଳେବର ବଦଳିଲେ ବି ଦେଶର ଭାଗ୍ୟ ଅର୍ଥାତ୍ ଦେଶ ମଣିଷର ଭାଗ୍ୟ କଦାପି ବଦଳିବନାହିଁ । ଦେଶର କଳେବର ତ ଏଠି ଆବଶ୍ୟକତାରୁ ଅଧିକ ବଦଳିଚି । ବହୁତଳ ପ୍ରାସାଦରେ ସରକାରୀ ସିରସ୍ତା ବସୁଚି । ନେତାମାନେ ଆଗେ ଚାଲିଚାଲି ବା ସାଇକେଲରେ ଯାଉଥିଲେ । ଏବେ ଉଡ଼ାଜାହାଜରେ ଚମ୍ପଟ କରୁଚନ୍ତି । ବଢ଼ିପାଣି ପଶିଲେ ସେମାନେ ଆଗେ ଚୂଡ଼ାଚାଉଳ ବାଣ୍ଟିବାକୁ ଯାଉଥିଲେ, ଏବେ ଉଡ଼ି ଉଡ଼ି ଦୁଃଖ ଦେଖି ଆସୁଚନ୍ତି । ଲୋକଶକ୍ତି ଜାଗ୍ରତ ହେଲେ ଦେଶରେ ଆବଶ୍ୟକ ପରିବର୍ତ୍ତନମାନ ସମ୍ଭବ ହେବ ବୋଲି ଆଗେ ବିଶ୍ୱାସ କରୁଥିଲେ, ଏବେ ଗାଦୀରେ ବସିଲେ ବା ପାର୍ଲିଆମେଣ୍ଟରେ ପାଟି କଲେ ସବୁ ହୋଇଯିବ ବୋଲି ବିଚାରୁଚନ୍ତି । ଲୋକମାନଙ୍କ ପାଖକୁ ଯିବାକୁ କାହାରି ବେଳ ନାହିଁ । କେତେ କୋଠା, କେତେ ଗାଡ଼ି ମଟର ଓ କେତେ ନୂଆ ଅଫିସ ଓ ଅଫିସରଙ୍କ ଦ୍ୱାରା ଆମ ଦେଶର କଳେବର କେତେ ଗୁଣରେ ବୃଦ୍ଧି ପାଇଚି । ହିସାବ ଅନୁସାରେ ଜାତୀୟ ଆୟ ବୃଦ୍ଧି ପାଇଚି, ସରକାରୀ ଖର୍ଚ୍ଚ-ଅଟ୍ଟକଳ ବୃଦ୍ଧି ପାଇଚି, ଉତ୍ପାଦନ ବୃଦ୍ଧି ପାଇଚି । ଗୁଣେ ଯାଗାରେ ସାତଗୁଣ ଉତ୍ପାଦନ ବଢ଼ିଲେ ସାମ୍ୟବାଦ ଆସିଯାଏ ନାହିଁ । ନେତୃତ୍ୱ ବଦଳିଲେ ଯାଇ ଦ୍ୱିତୀୟ ସଂଗ୍ରାମ ସମ୍ଭବ ହୁଏ । ଖାଲି ରାଜନୀତିରେ ନୁହେଁ, ଆମ ଦେଶର ଶିକ୍ଷା, ସମାଜରୀତି, ଧର୍ମ– ସବୁଥିରେ ନେତୃତ୍ୱ ବଦଳି ପାରିବା ଉଚିତ । ଗତ କୋଡ଼ିଏ ବର୍ଷ ହେଲା ଏହି ବଦଳିବା ବିଷୟରେ ଖାଲି କଥା କୁହାଯାଇଚି, ମାତ୍ର ବଦଳିବାଟାହିଁ ବାକି ରହିଯାଇଚି । ଅଳସ ନେତୃତ୍ୱର ପ୍ରଶ୍ରୟ ନେଇ ଏଣେ ସଂକୀର୍ଣ୍ଣ ଜାତୀୟତାବାଦ ବଢ଼ିବାରେ ଲାଗିଚି ।

 

ଏସବୁ ବାକି କାମ କିଏ ପୂରା କରିବ ? କଥା କହି କହି କୋଡ଼ିଏ ବର୍ଷ ହେଲା କେବଳ, ବୁଢ଼ା ହେବାର ଧର୍ମପାଳନ କରିଥିବା ନେତୃତ୍ୱ ଏହା କରିପାରିବ ନାହିଁ । ଦେଶର ଯୁବକଶକ୍ତି ହୁଏତ ଦ୍ୱିତୀୟ ସଂଗ୍ରାମର ଦାୟିତ୍ୱ ବହନ କରି ପାରିବ । ପୃଥିବୀର ଅନ୍ୟାନ୍ୟ ନାନା ଦେଶରେ ଯୁବଶକ୍ତି କ୍ରମେ ଏକଥା ହୃଦୟଙ୍ଗମ କରିବାକୁ ଲାଗିଲାଣି । ସବୁ ବାଦ ଓ ବଚସା ଭିତରୁ ସେ ମଣିଷକୁ ଚିହ୍ନିବାର ଜିଦ୍ ଧରି ବାହାରିଲାଣି । ତା’ ଆଗରେ ପୁରୁଣାମାନଙ୍କର ବୁଢ଼ା ତର୍କ ହାର ମାନି ଯାଉଚି, ପୁରୁଣା ସତ୍ତାର ସୈନ୍ୟବଳ ହାର ମାନି ଯାଉଚି । କାଲିର ମହାଭୟଙ୍କର ଏକଛତ୍ର ଶାସନ ଆଜି ଲାଙ୍ଗୁଳ ଜାକି ସେମାନଙ୍କୁ ବାଟ ଛାଡ଼ି ଦେଉଚି । ରାଜନୀତିରେ ଯୁଗ ବଦଳୁଚି । ଆମ ଦେଶରେ ଆମେ ବି କ’ଣ ପ୍ରକୃତରେ ଏଥିରେ ଯୋଗ ଦେଇ ପାରିବା ? କିନ୍ତୁ ଗତ କୋଡ଼ିଏ ବର୍ଷ ହେଲା ମଣିଷ ଜୀବନର ଚକଗୁଡ଼ାକୁ ଅଟକାଇ ଧରିଥିବା ନେତୃତ୍ୱର ପଦାଙ୍କ ଅନୁସରଣ କଲେ ଏକଥା ହେବ ନାହିଁ । ତା’ହେଲେ ବୟସରେ ଯେଡ଼େ ଗଜା ହୋଇଥିଲେ ମଧ୍ୟ ଆମ ଦ୍ୱାରା ବହୁ ପ୍ରତ୍ୟାଶିତ ଦ୍ୱିତୀୟ ସଂଗ୍ରାମଲାଗି ଗୋଟିଏ ହେଲେ ଦୁଆର ବି ଖୋଲିବନାହିଁ । ଏହି ଦ୍ୱିତୀୟ ସଂଗ୍ରାମ ଆମ ଦେଶରେ ସାମ୍ୟବାଦର ସଂଗ୍ରାମ । ଜାତି ବିରୁଦ୍ଧରେ ଜାତିକୁ ଲଢ଼ାଇବାର ସଂଗ୍ରାମ ନୁହେଁ, ସବୁ ମଣିଷର ଉଦୟଲାଗି ବାଟ କାଢ଼ିବାର ସଂଗ୍ରାମ ।

 

[କୃଷକ, ୧୫ । ୮ । ୬୮]

☆☆☆

 

ଜନତା ଓ ଜନଶକ୍ତି

 

ଏଯୁଗ ଜନତାର ଯୁଗ, ଏହି ରାଜତ୍ୱ ଜନତାର ରାଜତ୍ୱ । ସ୍ୱାଧୀନତା ପୂର୍ବରୁ ଆମ ଦେଶର ସେକାଳକୁ ଯଦି ଦାସତାର ଯୁଗ ବୋଲି କୁହାଯାଏ, ତେବେ ସ୍ୱାଧୀନତା ପରେ ଗତ କୋଡ଼ିଏ ବର୍ଷ ହେଲା ଏଠି ବନି ଆସୁଥିବା ଏ କାଳକୁ ଆମେ ଜନତାର ଯୁଗ ବୋଲି କହି ପାରିବା-। ଆଗେ ଓଡ଼ିଆ ଭାଷାରେ ‘ଜନତା’ ଶବ୍ଦଟି ଏତେ ପ୍ରଚଳିତ ନ ଥିଲା । ଆମ ନେତାଏ ବକ୍ତାବତାର ଧାରଣ କଲାବେଳେ ସେତେବେଳେ ଜନସାଧାରଣଙ୍କୁ ଉଦ୍ଦେଶ୍ୟ କରି ଏହି ଶବ୍ଦଟିର ପ୍ରୟୋଗ କରୁଥିଲେ । ମାତ୍ର ସ୍ୱାଧୀନତା ପରେ ଏହି ଶବ୍ଦ ଥଳରେ ଅଥଳରେ ବ୍ୟବହୃତ ହେଲା । ନୂଆ ଶବ୍ଦଟି ହୁଏତ ଆମ ସମସ୍ତଙ୍କୁ ଭାରି ଭଲ ଲାଗିଲା । ଆମେ ସମସ୍ତେ ସେଇଟିରେ ଭାରି ଆଗେଇ ଗଲୁ-। ଆମେ ସ୍ୱାଧୀନ ହେବାପରେ ଦେଶକୁ ‘ଜନତା’ ଗାଡ଼ି ଆସିଲା । ଖାଲି ରେଳଗାଡ଼ିରେ ନୁହେଁ, ଜୀବନ ଓ ସମାଜର ଯାବତୀୟ ଗାଡ଼ିରେ ଗତ ପୁରୁଷ ପୁରୁଷ ଧରି ପାହାଚ ପାହାଚ ଭେଦରେ ବସି ଆସିଥିବା ଆମର ମନ ସତେ ଅବା ସ୍ୱର୍ଗକୁ ଛୁଇଁ ଆସିବା ପରି ଅନୁଭବ କଲା । ବଡ଼ ସାନ, ବାବୁ ଓ କାବୁ ସମସ୍ତେ ଗୋଟିଏ ଗାଡ଼ିରେ ଏକାଠି ବସି ପାରିଲେ । ସମସ୍ତେ ଏକାକାର ହେଲେ, ସମାନ ହେବାର ସ୍ୱାଦ ପାଇଲେ ।

 

‘ଜନତା’ ଗାଡ଼ିରେ ବସି ‘ଜନତା’ ଶବ୍ଦଟିର ବ୍ୟଞ୍ଜନା ଆମ ସାମୂହିକ ଜୀବନର କେତେ କୁଆଡ଼େ କ୍ଷେପିଗଲା । ଜନତା ହୋଟେଲ ବସିଲା, ବାଳ କାଟିବା ଲାଗି ଜନତା ସେଲୁନ୍ ଖୋଲାହେଲା, ସଉଦା କରିବାଲାଗି ଜନତା ଷ୍ଟୋର ଅଙ୍କ ପ୍ରସାରିଦେଲା ଓ ଆମକୁ ରାନ୍ଧିବାଢ଼ି ଦେବାଲାଗି ଆମ ଭିତରଘରେ ଜନତା ଷ୍ଟୋଭ୍ ଆସି ପଶିଲା । ଏବଂ ତା’ପରେ ମିଠେଇ ଦୋକାନଠାରୁ ଆରମ୍ଭ କରି ଲୁଗାଧୁଆ ସାବୁନ ଓ ଦାନ୍ତ ଘଷା ଗୁଡ଼ାଖୁ ପର୍ଯ୍ୟନ୍ତ ସମସ୍ତେ ଜନତାର କାନି ଧରିଲେ ଓ ବଜାରରେ ଚଳିଲେ । ଏହି ପର୍ଯ୍ୟାୟରେ ‘ଜନସାହିତ୍ୟ’ ଶବ୍ଦଟିର ପ୍ରଚଳନ ବି ଆରମ୍ଭ ହେଲା । ଆଗେ ସମସ୍ତେ ସାହିତ୍ୟ ପଢ଼ୁ ନଥିଲେ, ବାର ସଉକ ଭିତରେ ଏକ ଅନ୍ୟତମ ସଉକରୂପେ ମାତ୍ର କେତେଜଣ ସାହିତ୍ୟ ପଢ଼ୁଥିଲେ । ଏ ଯୁଗର ନୂଆ ହାଉଆ ଅନୁସାରେ ସମସ୍ତଙ୍କର ସାହିତ୍ୟ ପଢ଼ିବାଟାକୁ ଏଣିକି ଆବଶ୍ୟକ ମନେ କରାଗଲା । ସାହିତ୍ୟ ସମସ୍ତଙ୍କ ପାଇଁ ହେଲା, ଅର୍ଥାତ୍ ବହି ସମସ୍ତଙ୍କ ପାଇଁ ଲେଖାଗଲା, ସମସ୍ତେ କିଣି ପାରିବା ଭଳି ବହିକୁ ଯଥାସମ୍ଭବ ଶସ୍ତା କରାଗଲା, ଏବଂ ସମସ୍ତଙ୍କର ମନକୁ ଘେନିବାଭଳି ଯଥା ସମ୍ଭବ ସୁଦୃଶ୍ୟ ମଧ୍ୟ କରାଗଲା । ପେପରବ୍ୟାକ୍ ଓ ପକେଟ୍ ବୁକ୍‍ର ଜନ୍ମ ହେଲା, ସମସ୍ତଙ୍କର ଜୀବନ କଥାକୁ ସାହିତ୍ୟର ବିଷୟବସ୍ତୁ ରୂପେ ଗ୍ରହଣ କରାଗଲା । ସବୁ ପ୍ରକାର ଜୀବନ ବୃତ୍ତାନ୍ତକୁ ନେଇ ସାହିତ୍ୟ ଲେଖାଗଲା । ଆଉ କିଛି ବାରଣ ରହିଲା ନାହିଁ, ବାଡ଼ ବି ରହିଲା ନାହିଁ ।

 

ସ୍ୱାଧୀନତାପରେ ଆମ ଦେଶରେ ସବୁ ସାବାଳକଙ୍କୁ ଭୋଟ ଦେବାର ଓ ଭୋଟରେ ଠିଆ ହେବାର ଅଧିକାର ବି ମିଳିଲା । ଅର୍ଥାତ୍ ଦେଶରେ କିପରି ଶାସନ ରହିବ ବା ମୋଟେ କୌଣସି ଶାସନ ନ ରହିବ, ସେ କଥା ଠିକ୍ କରିବାର ଅଧିକାର ପରୋକ୍ଷ ଭାବରେ ସର୍ବସାଧାରଣଙ୍କ ଉପରେ ରହିଲା । ଶାସନ ଶାସ୍ତ୍ରର ଭାଷାରେ ଏହି ବ୍ୟବସ୍ଥାକୁ ଗଣତନ୍ତ୍ର ବୋଲି କୁହାଯାଏ । ପୃଥିବୀର ଇତିହାସରେ ନାନାପ୍ରକାର ତନ୍ତ୍ର ପରୀକ୍ଷିତ ହୋଇ ସାରିବା ପରେ କ୍ରମେ ଅଧିକରୁ ଅଧିକ ଦେଶ ଗଣତନ୍ତ୍ରକୁ ହିଁ ସବୁଠାରୁ ଅଧିକ ଉପଯୋଗୀ ବୋଲି ବୁଝୁଚନ୍ତି । ସମସ୍ତଙ୍କର ଭଲ କରିବାର ଦାୟିତ୍ୱ ସମସ୍ତଙ୍କ ହାତରେ ରହିବ । ସମସ୍ତେ ପ୍ରତିନିଧି ବାଛିବେ, ସେହି ପ୍ରତିନିଧିମାନେ ଦେଶର ଶାସନ ଓ ଦେଶର ନିର୍ମାଣ କରିବେ । ସମସ୍ତଙ୍କ ମନ ଅନୁସାରେ କାମ ନ ହେଲେ ପ୍ରତିନିଧିମାନେ ବଦଳିଯିବେ । ଅର୍ଥାତ୍ ରଜ୍ଜୁ ସମସ୍ତଙ୍କ ହାତରେ ରହିବ । ଆପଣାର କର୍ତ୍ତବ୍ୟ ଓ ଅଧିକାର ବିଷୟରେ ସମସ୍ତେ ସଚେତ ହେବେ । ଆପଣାର ଭାଗ୍ୟ ଓ ଭବିଷ୍ୟତ ବିଷୟରେ ସଚେତ ହେବେ । ସେମାନେ ସତ୍ୟ ଉପରେ ଭରା ଦେଇ ଚାଲୁଥିବା ଶାସନର କାମନା କରିବେ, କଲ୍ୟାଣଲାଗି ମନ ରଖିବେ, ସୁନ୍ଦର ଲାଗି ରୁଚି ରଖିବେ । ସେ ଯୁଗରେ ଗାନ୍ଧୀ ଏହିପରି ଏକ ବ୍ୟବସ୍ଥାକୁ ସ୍ୱରାଜ ବୋଲି କହୁଥିଲେ । ଆମେ ଏ ଯୁଗରେ ଏହାକୁ ଜନତାର ଶାସନ ବୋଲି କହୁଚୁ । ଜନତାର ଶାସନ କାୟମ ରଖିବାକୁ ହେଲେ ଜନତା ଉପରେ ବିଶ୍ୱାସ ରଖିବାକୁ ହୁଏ । ଜନତା ଉପରେ ବିଶ୍ୱାସ ରଖିବା ଅର୍ଥାତ୍ ଜନଶକ୍ତି ଉପରେ ବିଶ୍ୱାସ ରଖିବା । ଯଥାର୍ଥ ଗଣତନ୍ତ୍ର ଜନଶକ୍ତିକୁ ଆଶ୍ରା କରି ରହିଥାଏ । ପ୍ରତ୍ୟେକ ମଣିଷର ପରିପୂର୍ଣ୍ଣ ବିକାଶ ହେବ, ପ୍ରତ୍ୟେକ ମଣିଷ ଆପଣାକୁ ଓ ଅପରକୁ ମଣିଷ ପରି ଭାବିବ, ଗୋଡ଼ିମାଟି ପରି ଭାବିବ ନାହିଁ, ତେବେ ଯାଇ ପ୍ରତ୍ୟେକ ମଣିଷ ଭିତରେ ମନୁଷ୍ୟୋଚିତ ଶକ୍ତିର ବିକାଶ ହେବ ଏବଂ ଏହାଦ୍ୱାରା ଜନଶକ୍ତିର ବିକାଶ ହେବ । ଜନଶକ୍ତିର ଉଚିତ ବିକାଶ ହେଲେ ଗଣତନ୍ତ୍ର ଶକ୍ତିଶାଳୀ ହେବ । ଏହାହିଁ ରୀତି । ଗଣତନ୍ତ୍ର ମଣିଷକୁ ମଣିଷ ହିସାବରେ ଶକ୍ତିଶାଳୀ ଓ ସମ୍ପନ୍ନ କରି ଗଢ଼ିବ ଏବଂ ସଚେତ ମଣିଷ ଗଣତନ୍ତ୍ରକୁ ମଜଭୂତ କରିବ । ଯେଉଁଠି ଏପରି ହୋଇ ନ ପାରିବ, ସେଠାରେ ମଣିଷ ଓ ଗଣତନ୍ତ୍ର ଉଭୟେ ବିପନ୍ନ ହେବେ ।

 

ମଣିଷ ହାତରେ ରଜ୍ଜୁ ରଖିବାକୁ ହେଲେ ଆମର ଶିକ୍ଷା, ସମାଜନୀତି ଓ ରାଜନୀତି ମଧ୍ୟ ଅନୁରୂପ ଭାବେ ତିଆରି ହେବା ଉଚିତ । କିନ୍ତୁ ଅନେକ ସମୟରେ ଶାସକମାନେ ହିଁ ଆପଣା ହାତରେ ରଜ୍ଜୁ ଧରି ରଖିବାର ଶରଧା କରନ୍ତି ଓ ମଣିଷକୁ ମୃଗୀପରି ନଚାଇବାକୁ ଚାହାନ୍ତି । ସେତେବେଳେ ଜନଶକ୍ତିକୁ ଅବହେଳା କରାଯାଏ । ଜନତାକୁ ଖାଲି କାମର ଲଗାଯାଏ । ଜନତା ଏକ ସଂଖ୍ୟାବାଚକ ଶବ୍ଦ ଏକ ପଲବାଚକ ଶବ୍ଦ । ମଣିଷମାନଙ୍କୁ ମେଣ୍ଢା କରିଦେଲେ ତା’ପରେ ସେମାନଙ୍କର ଯେଉଁ ପଲ ଉତ୍ପନ୍ନ ହୁଏ, ତାହାକୁ ଆମେ ଜନତା ବୋଲି କହିପାରିବା । ଜନଶକ୍ତି ସହିତ ଖେଳିବା ଯେତିକି ବିପଜ୍ଜନକ, ଜନତାକୁ ଯନ୍ତାରେ ପକାଇ ଦେବା ଠିକ୍ ସେତିକି ସହଜ । ଯୋଉଠି ଜନଶକ୍ତିକୁ ମାରି କେବଳ ଜନତାର କର୍ଷଣ କରାଯାଏ, ସେଠି ମଣିଷକୁ ପ୍ରଧାନତଃ ଗଧ କରି ତିଆରି କରିବାକୁ ପାଠ ପଢ଼ାଯାଏ । ସେଠି ସ୍କୁଲରେ ପିଲାଏ ମାଷ୍ଟ୍ରଙ୍କୁ ଡରନ୍ତି, ପିଲାଙ୍କର ଚୁଟିକୁ ମାଷ୍ଟ୍ରେ ଆପଣା ହାତରେ ରଖିଥାନ୍ତି । ସେଠି କାହାରିକୁ ମଣିଷପରି ଦେଖିବା ଦରକାର ହୁଏ ନାହିଁ । ପିଲାଏ ବସ କହିଲେ ବସନ୍ତି, ଉଠ୍ କହିଲେ ଉଠନ୍ତି, ପାସ କର କହିଲେ ପାସ୍ କରନ୍ତି ଓ ଫେଲ୍ ହ, କହିଲେ ଫେଲ୍ ହୁଅନ୍ତି । ନେତାମାନେ ଜନତାକୁ ସମ୍ୱୋଧନ କରି ବକ୍ତୃତା ଦିଅନ୍ତି, ମଣିଷକୁ ଠଉରାଇ ପାରନ୍ତି ନାହିଁ । ‘ଜନତା’ ଗାଡ଼ିରେ ସବୁ ଥାର୍ଡ଼ କ୍ଲାସ ହେଲାପରି ଜନତାକୁ ଭଲେଇ ଯେଉଁ ଗଣତନ୍ତ୍ର ଚାଲେ, ସେଥିରେ ମଧ୍ୟ ସମସ୍ତେ ସେଇ ଥାର୍ଡ଼୍‍କ୍ଲାସ୍‌କୁ ଆବୋରି ପଡ଼ି ରହିଥାନ୍ତି । ଥାର୍ଡ଼୍‍କ୍ଲାସ୍ ଉଦ୍ଧବ ଥାର୍ଡ଼୍‍କ୍ଲାସ କୃଷ୍ଣଙ୍କର କଥାମୃତ ପାନ କରେ । ଥାର୍ଡ଼କ୍ଲାସ ନାରଦ ଥାର୍ଡ଼୍‍କ୍ଲାସ୍ ସିଂହାସନ ପାଖରେ ଠିଆ ହୋଇ ବୀଣା ବଜାନ୍ତି । ଜନତାର ଆଖି ଝଲସାଇ ଯେଉଁ ଇନ୍ଦ୍ରପୁରୀମାନ ତିଆରି ହୁଏ, ସେଠି ଥାର୍ଡ଼କ୍ଲାସ ଖଟଣିଆମାନେ ଥାର୍ଡ଼କ୍ଲାସ ବାବୁମାନଙ୍କର ଖଟଣି ଖଟୁଥାନ୍ତି । ନେତାକୁ ଜନତା ବେଶ୍ ସୁହାଏ, ଅର୍ଥାତ୍ ଆପଣା ଶକ୍ତିର ପରିଚୟ ପାଇ ନ ଥିବା ଜନତାକୁ କ୍ଷମତା କାମୁଡ଼ି ରହିବାକୁ ଇଚ୍ଛା କରୁଥିବା ନେତା ବେଶ ସୁହାନ୍ତି । ଦୁହେଁ ଦୁହିଁଙ୍କୁ ସତତ ଲୋଡ଼ୁଥାନ୍ତି । ଠିକ୍ ଏତିକିବେଳେ ଜାତୀୟତାର ଜାଦୁଗିରି ମଧ୍ୟ ଭାରି କାମରେ ଲାଗେ । ଉପରେ ଥାଇ ମଣିଷକୁ ତା’ର ଆପଣା ଶକ୍ତି ବିଷୟରେ ଭୁଲାଇ ରଖିବାର ମତଲବରେ ନେତା ଜାତୀୟତାର ସଂକୀର୍ତ୍ତନ ଆରମ୍ଭ କରେ, ଜନତା ବି ନିଶାଖାଇ ତାହାରି ବୋଲ ମାନି ନଗରକୀର୍ତ୍ତନ କରେ । ଜାତି ନାମରେ ସମସ୍ତଙ୍କୁ ଏକାଭଳି ସାଜିବାକୁ ଓ ଏକାଭଳି ନାଚିବାକୁ କୁହାଯାଏ । ଧର୍ମପଦକୁ ବଳି ଦେଇ ବାରଶହ ବଢ଼େଇଙ୍କର ମୂର୍ଖତାଟା ହିଁ କାୟମ ରହେ । ଜାତିର ଦ୍ୱାହି ଦେଇ ବ୍ୟକ୍ତିକୁ ଗଧ କରି ରଖାଯାଏ ।

 

ସାହିତ୍ୟ ଜନସାହିତ୍ୟ ହେବା ଗୌରବର କଥା । କିନ୍ତୁ ସାହିତ୍ୟ ମଣିଷ ସମୂହ ଭିତରେ ଜନତାକୁ ଲୋଡ଼ିବ ନା ଜନଶକ୍ତିକୁ ଲୋଡ଼ିବ ? ମଣିଷ ଗଧ ହୋଇ ରହୁ ବାଧ୍ୟ ହୋଇ ବୋଲ ମାନୁ, ପତଙ୍ଗ ପରି ନାଚି ନାଚି ନିଆଁରେ ପୋଡ଼ୁବୋଲି କହିବ ନା ପ୍ରତ୍ୟେକ ମଣିଷ ଭିତରେ ରହିଥିବା ଶକ୍ତିର ଉଦ୍‌ଘାଟନ କରିବାକୁ ଆପଣାର ବ୍ରତ ବୋଲି ଗ୍ରହଣ କରିବ ? ଆମ ସାହିତ୍ୟରେ ଅଦ୍ୟାବଧି ଜନତାକୁ ଅଧିକ ଲୋଡ଼ାଯାଇଚି । ଜନଶକ୍ତିର ଖୁବ୍ କମ୍ ଚର୍ଚ୍ଚା ହୋଇଚି । ପ୍ରାୟ ପଚିଶି ବର୍ଷତଳେ କଟକ ସତ୍ୟବାଦୀ ପ୍ରେସରୁ ‘ଜନଶକ୍ତି’ ନାମରେ ଖଣ୍ଡେ ବହି ବାହାରିଥିଲା । ଲେଖକ ପଣ୍ଡିତ ୰ଲିଙ୍ଗରାଜ ମିଶ୍ର । ବହିରେ ସେ ଆଧୁନିକ ପୃଥିବୀରେ ଘଟିଥିବା ବିପ୍ଳବ ଓ ବିଦ୍ରୋହଗୁଡ଼ିକର ବିବରଣୀ ଦେଇଥିଲେ । ଏଥିରେ ଫରାସୀ ବିପ୍ଳବ, ଋଷବିପ୍ଳବ ଓ ନାତ୍‌ସି ବିଦ୍ରୋହ ସବୁ ଏକାଠି ଘଣ୍ଟାଘଣ୍ଟି ହୋଇ ରହିଥିଲା । ହିଟ୍‌ଲର୍, ଲେଲିନ୍ ଓ ମୁସୋଲିନୀଙ୍କୁ ଗୋଟାଏ ପିଢ଼ାରେ ବସାଇ ଦିଆଯାଇଥିଲା ଓ ସମସ୍ତଙ୍କୁ ଜନନାୟକ କୁହାଯାଇଥିଲା ।

 

ଆମେ ଆଜି ହିଟ୍‌ଲର୍‍ଙ୍କୁ କେତେଦୂର ଜଣେ ଜନନାୟକ ବୋଲି କହିପାରିବା, ତାହା ବିଚାର କରିବାର କଥା । ନିଶାଖିଆ ହିଟ୍‌ଲର୍ ନିଶାଖିଆ ଜନତାକୁ ଆପଣାର କାମରେ ଲଗାଇଥିଲେ । ତାଙ୍କ ଜର୍ମାନୀରେ ଅସ୍ତ୍ରଶକ୍ତିର ଭୟ ଦେଖାଇ ଜନଶକ୍ତିକୁ ପଙ୍ଗୁକରି ରଖାଯାଇଥିଲା-। ଜର୍ମାନୀକୁ ମୁକ୍ତ ଓ ବଡ଼ କରିବା ଲାଗି ଜର୍ମାନୀରେ ବାସ କରୁଥିବା ମଣିଷମାନଙ୍କୁ ସମ୍ପୂର୍ଣ୍ଣ ଅଧୀନସ୍ଥ କରି ରଖିବାକୁ ହେବ ବୋଲି ହିଟ୍‌ଲର୍‍ ସଭାମାନଙ୍କରେ କହି ବୁଲୁଥିଲେ ଓ ମୋହବଶ ଜନତା ସେଥିରେ ଅତ୍ୟନ୍ତ ହୃଷ୍ଟ ହୋଇ ଜୟ ହିଟ୍‍ଲର୍‍ ବୋଲି ନାଦ କରୁଥିଲେ । ଜର୍ମାନୀର ବିଜ୍ଞାନ, ସାହିତ୍ୟ, ଧର୍ମ ଓ ବିଦ୍ୟାଧ୍ୟୟନକୁ ମଣିଷ-ସମାଜକୁ ଗଧପଲ କରି ରଖିବାର ଦୈତ୍ୟଗିରିରେ ଲଗାଯାଇଥିଲା ।

 

ଆଜି ତିରିଶି ବର୍ଷ ପରେ ବି ଆମ ସାହିତ୍ୟରେ ଜନଶକ୍ତିର କଳ୍ପନା ହୁଏତ ଠିକ୍ ସେହିପରି ଅସ୍ପଷ୍ଟ ହୋଇ ରହିଚି । ଏଠି ଦେଶର ମଣିଷଙ୍କୁ ଆମେ ପ୍ରଧାନତଃ ଜନତା ପରି ଦେଖି ଆସିଚୁ । ସେମାନଙ୍କୁ ଭୁଲାଇ ହେବ ଓ ନିଶା ଖୁଆଇ ହେବ ବୋଲି ଭାବିଚୁ । ଅନେକ ସମୟରେ ଧର୍ମ ମଣିଷଲାଗି ଅଫିମ ପରି କାର୍ଯ୍ୟ କଲାଭଳି ଆମର ସାହିତ୍ୟ ବି ଅନେକତଃ ଅଫିମ ପରି କାର୍ଯ୍ୟ କରିଚି । ମଣିଷର ବିଚାରରେ ନିଆଁ ଲଗାଇବା ପରିବର୍ତ୍ତେ ଏହା ମଣିଷର ଅଗ୍ନିକୁ ଭାଙ୍ଗ ପିଆଇ ଶୀତଳ କରି ରଖିଛି । ମଣିଷର ନିଦ ଭଙ୍ଗାଇବା ପରିବର୍ତ୍ତେ ମଣିଷକୁ ଶୁଆଇ ରଖିଚି ।

 

ଆମ ସାହିତ୍ୟରେ ବ୍ୟକ୍ତି ଅପେକ୍ଷା ଜାତିର ବଖାଣ ଅଧିକ ହୋଇଚି, ଆତ୍ମବିଶ୍ୱାସ ଅପେକ୍ଷା ନୈରାଶ୍ୟ ଓ ଅସମର୍ଥତାର ଚର୍ଚ୍ଚା ଅଧିକ ହୋଇଚି । ଆପଣା ଆଡ଼କୁ ନ ଅନାଇ ଆମେ ପରର ନିନ୍ଦା ବେଶୀ କରିଚୁ । ଆପଣାର ଦୁର୍ଭାଗ୍ୟ ଲାଗି ପରକୁ ବେଶୀ ଦୋଷ ଦେଇଚୁ । ଆମ ଠାକୁର ଆମକୁ କର୍ତ୍ତବ୍ୟ ସାଧନ ଲାଗି ପ୍ରେରଣା ଦେଇ ନାହାନ୍ତି । ଅହଙ୍କାର ଲାଗି ଅଧିକ ମୁହଁ ଦେଇଚନ୍ତି । ଆମ ରାଜନୀତି ଲୋକଶକ୍ତି ଉପରେ ବିଶ୍ୱାସ କରିବାର ଭଦ୍ରୋଚିତ ସାହସ ହରାଇ ବସିଚି । ଆମ ନେତାଏ ତଳୁ ଗଢ଼ା ହୋଇ ନାହାନ୍ତି । କୁଆଡ଼ୁ ଉଡ଼ି ଆସିଲା ପରି ସେମାନେ ଉପରୁ ଆସି ଆମ କାନ୍ଧ ଉପରେ ବସି ଯାଇଚନ୍ତି । ସେମାନଙ୍କ ଆଖିକୁ ମଣିଷଗୁଡ଼ାକ କେବଳ ସହଜବଶ୍ୟ ଜନତା ପରି ଦିଶିଚନ୍ତି ।

 

ଆମ ଶାସ୍ତ୍ରରେ ଦେବୀଙ୍କର ନାନା ରୂପରେ କଳ୍ପନା କରାଯାଇଚି । ଦେବୀଙ୍କୁ ଶକ୍ତିରୂପେ ଆରାଧନା କରିବା ଲାଗି ଦଶହରା ଓ ଦୁର୍ଗାପୂଜାର ଭିଆଣ । ତନ୍ତ୍ରରେ କୁହାଯାଇଚି ଯେ ଆରାଧକ ମଣ୍ଡଳ ଉପରେ ଦେବୀ ଶକ୍ତିର ପ୍ରତିଷ୍ଠା କରି ଆତ୍ମଶକ୍ତିର ପରିଚୟ ପାଏ । ଦେବୀଯନ୍ତ୍ରକୁ ଆପଣା ଭିତରେ ଆରୋପଣ କରିପାରିଲେ ସାଧନାରେ ସିଦ୍ଧି ଆସେ । ଆମ ସାହିତ୍ୟ ଆମ ଭିତରେ ଏହି ଶକ୍ତିର ହିଁ ଉଦ୍ରେକ କରୁ । ମଣିଷ ହିସାବରେ ଆମକୁ ଆମ ବିରାଟ ରୂପର ସଙ୍କେତ ଦେଇଯାଉ । ଜନସାହିତ୍ୟ ଜନଶକ୍ତିକୁ ଜାଗ୍ରତ କରୁ ।

 

[ଜନସାହିତ୍ୟ, ଦଶହରା, ୧୯୬୮]

☆☆☆

 

ନବ କଳେବର: କଲ୍‌କି ଅବତାର

 

ଏବର୍ଷ ଜଗନ୍ନାଥଙ୍କର ନବକଳେବର ହେଲା । ‘ଜଗନ୍ନାଥ’ କଳ୍ପନାଟି ସମସ୍ତ ଜଗତର ନାଥଙ୍କୁ ବୁଝାଉଥିଲେ ମଧ୍ୟ ଆମ ଓଡ଼ିଶାରେ ତାଙ୍କୁ ଆମେ ଆମ ନିଜର ଦେବତା ବୋଲି ମାନିଥାଉ-। ତାଙ୍କୁ ଗୋଟାସୁଦ୍ଧା ନିଜର ସମ୍ପତ୍ତି କରି ପକାଉ । ତାଙ୍କୁ ଓଡ଼ିଆ ସଂସ୍କୃତିର ପୁରୁଣା ଗୁହାଳ ଭିତରେ ଆଣି ବାନ୍ଧି ଦେଉ । ତାଙ୍କର ପ୍ରଶସ୍ତି ଗାଇ ଆମେ ଓଡ଼ିଆ ସଂସ୍କୃତିର ପ୍ରଶସ୍ତି ଗାଉ, ଅର୍ଥାତ୍ ଆପଣାର ପ୍ରଶସ୍ତି ଗାଉ । ପିଣ୍ଡ ଭିତରେ ବ୍ରହ୍ମାଣ୍ଡକୁ ଦେଖିବା ଲାଗି ଆମର ଧର୍ମସଂସ୍କୃତି ଆମକୁ ଉଦ୍‌ବୋଧନ ଦେଇଥିଲା ସିନା, ମାତ୍ର ଏବେ ଆମେ ସକଳ ବ୍ରହ୍ମାଣ୍ଡକୁ ଆମର ଜାତୀୟ ବା ସ୍ଥାନୀୟ ପିଣ୍ଡଭିତରେ ଆଣି ଖୁନ୍ଦିଖାନ୍ଦି ଭର୍ତ୍ତି କରିବାର ଏକ ନୂତନ ପରମ୍ପରା ଚଲାଇଲୁଣି, ସେଇଥିରେ ସୁଖ ପାଇଲୁଣି ।

 

ନବ କଳେବରରେ ଜଗନ୍ନାଥ ନୂଆ ହୁଅନ୍ତି ନାହିଁ, କେବଳ ତାଙ୍କର କଳେବରଟାହିଁ ନୂଆ ହୋଇଥାଏ । ପୁରୁଣା କାଠକୁ ଦାହ କରି ଦିଆଯାଏ, ନୂଆ କାଠରେ ମୂର୍ତ୍ତି ଗଢ଼ାଯାଏ । ନୂଆ ରଙ୍ଗ ଚଢ଼ାଇ ଦିଆଯାଏ, ନୂଆ ବେଶ ପିନ୍ଧାଇ ଦିଆଯାଏ । ସେଇ ପୁରୁଣା ନାଭିକୁ ଆଣି ନୂଆ ମୂର୍ତ୍ତି ଭିତରେ ଭରି ଦିଆଯାଏ । ନୂଆ ମୂର୍ତ୍ତି ଗଢ଼ା ହେବା ବେଳେ ବି ଖୋଜି ଖୋଜି ପୁରୁଣା ଗଛର କାଠହିଁ ସଂଗ୍ରହ କରାଯାଏ । ପୁରୁଣା ପରମ୍ପରା ଉପରେ ଚନ୍ଦନ ବୋଳି ଦିଆଯାଏ । ଯାହା ଥାଏ ତାହାହିଁ ରହେ, ତଥାପି ବେଶଟାକୁ ନବଯୌବନ ବେଶ ବୋଲି କୁହାଯାଏ ଏବଂ ସମଗ୍ର ଅନୁଷ୍ଠାନଟିକୁ ନବ କଳେବର କୁହାଯାଏ । ଉତ୍ସବ ସରିଲେ ଠାକୁରେ ପୁଣି ସେଇ ପୁରୁଣା ମନ୍ଦିରରୁ ଯାଆନ୍ତି, ପୁରୁଣା ଖଟୁଲିରେ ବସନ୍ତି ଓ ପୁରୁଣା ରୀତିରେ ଭୋଗ ଖାଆନ୍ତି ।

 

ଓଡ଼ିଆ ଭକ୍ତି–ସାହିତ୍ୟରେ ଜଗନ୍ନାଥଙ୍କୁ ବୁଦ୍ଧ ଅବତାର ବୋଲି କୁହାଯାଇଚି । ଯୋଉ ପଣ୍ଡିତମାନେ ପୋଥି ଓ କିମ୍ୱଦନ୍ତୀର ପେଟରାମାନ ଘାଣ୍ଟି ଜଗନ୍ନାଥଙ୍କୁ ଏକ ବୌଦ୍ଧକଳ୍ପନାର ମୂତ୍ତିମନ୍ତ ଅବଶେଷ ବୋଲି କହନ୍ତି, ମୁଁ ଏଠାରେ ସେମାନଙ୍କର କଥା ଆଦୌ କହୁ ନାହିଁ । ମୁଁ ଭକ୍ତମାନଙ୍କର କଥାହିଁ କହୁଚି । ଭକ୍ତମାନେ ଜଗନ୍ନାଥଙ୍କ ଭିତରେ ବୁଦ୍ଧଙ୍କୁ ଦେଖିଚନ୍ତି । ହିନ୍ଦୁ ପରମ୍ପରାରେ ବୁଦ୍ଧଦେବଙ୍କୁ ଭଗବାନଙ୍କର ନବମ ଅବତାର ରୂପେ କଳ୍ପନା କରାଯାଇଚି । କବି ଜୟଦେବ ମଧ୍ୟ ନବମ ଅବତାରକୁ ବୁଦ୍ଧ ଶରୀର ବୋଲି ମାନିଚନ୍ତି । ହିନ୍ଦୁଧର୍ମ ବୌଦ୍ଧଧର୍ମକୁ ଗ୍ରାସକଲା ପରେ ହିଁ ବୁଦ୍ଧଦେବଙ୍କୁ ହିନ୍ଦୁଧର୍ମର ଅବତାରଚକ୍ର ଭିତରକୁ ଆମଦାନୀ କରି ଅଣାଯାଇଚି-। ଇତିହାସର ବୁଦ୍ଧଦେବ ପ୍ରତିଷ୍ଠିତ ହିନ୍ଦୁଧର୍ମର ବିରୋଧ କରିଥିଲେ । ହିନ୍ଦୁ ସମାଜବ୍ୟବସ୍ଥାର ବିରୋଧ କରିଥିଲେ । ବେଦ ଓ ବେଦାଧିକାରୀମାନଙ୍କର ବିରୋଧ କରିଥିଲେ । ଏହି ବିରୋଧୀକୁ ଶୀତଳ କରି ଦେବାଲାଗି ବୁଦ୍ଧଙ୍କ ଅନ୍ତେ ହିନ୍ଦୁଧର୍ମ ବୁଦ୍ଧଦେବଙ୍କୁ ଦେବତା କରି ବସାଇ ଦେଲା-। ବୁଦ୍ଧଦେବଙ୍କର ମୁହଁ ବନ୍ଦ କରିଦେଲା । ବୁଦ୍ଧଦେବ ପୂଜା ପାଇଲେ, ମାନ ପାଇଲେ । ପ୍ରତିବାଦୀ ବୁଦ୍ଧ ହିସାବରେ ନୁହେଁ, ଧ୍ୟାନୀ ବୁଦ୍ଧ ଓ ମୌନୀ ବୁଦ୍ଧ ହିସାବରେ ପୂଜା ପାଇଲେ । ପୂଜା ପାଇବାକୁ ହେଲେ କେବଳ ମଣିଷକୁ ନୁହେଁ, ଦେବତାମାନଙ୍କୁ ମଧ୍ୟ ଏହିପରି ମୌନ ହୋଇଯିବାକୁ ପଡ଼େ-। ଦେବତାର ମାନ ପାଇବାକୁ ହେଲେ ମହାପୁରୁଷମାନଙ୍କୁ ବି ମୌନ ହେବାକୁ ହୁଏ । ହୁଏତ ଏହି ମୌନୀ ବୁଦ୍ଧ ହିଁ କାଳକ୍ରମେ ସୁଲଭ ଓଡ଼ିଆ ସଂସ୍କରଣରେ ଆମ ଘରେ ଜଗନ୍ନାଥ ରୂପେ ପୂଜା ପାଇଲେ । ବଡ଼ ଦେଉଳ ଭିତରେ ଜଗନ୍ନାଥ ଯେ ଭୋଗଖାଇ ମଉନ ହୋଇ ରହିଲେ, ମଣିଷର କଥା ବୁଝିଲେ ନାହିଁ, ଓଡ଼ିଆ ଭକ୍ତଙ୍କର ଏକାଧିକ ଭଜନରେ ଏହିପରି ଶେଷୋକ୍ତି ଶୁଣିବାକୁ ମିଳିଥାଏ । ଏହି ମୌନୀ ବୁଦ୍ଧ କୋଡ଼ିଏ ବରଷରେ ଥରେ କଳେବର ବଦଳାନ୍ତି । ଭାରି ଜାକଜକମରେ ଆମେ ତାଙ୍କର କଳେବର ବଦଳାଇ ଏହି ଉତ୍ସବଟିକୁ ପାଳନ କରୁ । ତାଙ୍କୁ ଦେଖିବା ଲାଗି ଦଶଗୁଣ ଅଧିକ ସଂଖ୍ୟାରେ ବଡ଼ଦାଣ୍ଡରେ ଭିଡ଼ ଲଗାଇ ଦେଉ । ଘଡ଼ିକ ଲାଗି କୋଳାହଳ ଲାଗିଯାଏ । ଠାକୁରେ ଆମର ଅତି ପାଖକୁ ଆସିଗଲା ପରି ମନେହୁଏ । ମୌନୀ ଠାକୁରଙ୍କର ମୌନ ତଥାପି ଭାଙ୍ଗେ ନାହିଁ । ରଥ ଉପରେ ଭାଙ୍ଗେ ନାହିଁ ବା ଆମର ଅନ୍ତର ଭିତରେ ବି ଭାଙ୍ଗେ ନାହିଁ ।

 

ହିନ୍ଦୁ ଅବତାର କ୍ରମରେ ଏକ ଦଶମ ଅବତାରର କଥା ମଧ୍ୟ କୁହାଯାଇଛି । ନବମ ଅବତାର ବୁଦ୍ଧ ଅବତାର ଓ ଦଶମ ଅବତାର ହେଉଛି କଳ୍‌କି ଅବତାର । ଦଶମ ଅବତାରରେ ଭଗବାନ ଚୁପ୍ ହୋଇ ବସି ରହିବେ ନାହିଁ । ଜଗନ୍ନାଥଙ୍କ ପରି ଚୁପ୍ ହୋଇ ବସି ଭୋଗ ଖାଇବେ ନାହିଁ । ସେ କଳ୍‌କି ଅବତାର ଧାରଣ କରିବେ । ମ୍ଳେଚ୍ଛ ସଂହାର କରି ବାହାରିବେ । କଳ୍‌କି ଅବତାର ପ୍ରସଙ୍ଗ ପଡ଼ିଲା ମାତ୍ରକେ ଅନେକ ଲୋକ ତ୍ରସ୍ତ ହୋଇ ପଡ଼ନ୍ତି । ସଂସାରରେ କ’ଣ ବୋଲି କ’ଣ ହୋଇଯିବ ବୋଲି ଭାବନ୍ତି । ସଂସାର ଲୁପ୍ତ ହୋଇଯିବ ବୋଲି ବିଚାରନ୍ତି । ସଂସାର ଲୁପ୍ତ ହୋଇଗଲେ ସେମାନେ ବି କ’ଣ ଆଉ ଲୁପ୍ତ ନ ହୋଇ ସତେ ବଞ୍ଚି ରହିବେ, ଏହିପରି ଗୋଟାଏ ଭୟ ସେମାନଙ୍କୁ ଆଉ ଆଗକୁ କିଛି ନ ଭାବିବାକୁ ହିଁ ଡରାଇ ରଖେ । କଳ୍‌କି ଅବତାରରେ ଭଗବାନ ମ୍ଳେଚ୍ଛସଂହାର କରି ବାହାରିବେ । ମ୍ଳେଚ୍ଛମାନଙ୍କର ସଂହାର କରିବେ । ସଂସାରର ସଂହାର କରିବେ ନାହିଁ । ମ୍ଳେଚ୍ଛତାର ସଂହାର କରି ବାହାରିବେ । ଜୀବନର ସଂହାର କରିବେ ନାହିଁ । ତେଣୁ କଳ୍‌କି ଅବତାରରେ ମ୍ଳେଚ୍ଛତାର ଲୋପ ହେବ, ଯୁଗର ଲୋପ ହେବ ନାହିଁ-। ଆପଣାର ଚତୁର୍ଥ ଅବତାରରେ ଭଗବାନ ଯେତେବେଳେ ନୃସିଂହ ରୂପ ଧାରଣ କରି ଖମ୍ୱରୁ ଉଭା ହେଲେ, ସେତେବେଳେ ହିରଣ୍ୟକଶିପୁ ସିନା ଭୟରେ ଥରହର ହୋଇ ପଡ଼ିଲା, କିନ୍ତୁ ଭକ୍ତ ପ୍ରହ୍ଲାଦ କୌଣସି ଭୟ କରି ନ ଥିଲା । ହୁଏତ ସିଏ ଏହି ଅବତାରର ଅପେକ୍ଷା କରି ରହିଥିଲା । ନୃସିଂହ ଅବତାର ଧାରଣ କରି ଭଗବାନ ଅବିଶ୍ୱାସର ବିଲୋପ କରାଇଥିଲେ, ବିଶ୍ୱାସର ପ୍ରତିଷ୍ଠା କରାଇଥିଲେ । ସଂସାରର ଲୋପ ହେଲାନାହିଁ, ସଂସାର ଉଶ୍ୱାସ ହେଲା । ସେହିପରି ଆଗତପ୍ରାୟ କଳ୍‌କି ଅବତାରରେ ମ୍ଳେଚ୍ଛମାନଙ୍କର ସଂହାର ହେବ, ମଣିଷର ପ୍ରତିଷ୍ଠା ହେବ । ମ୍ଳେଚ୍ଛତା ନାକୋଇ ହୋଇ ପଳାଇବ, ମଣିଷପଣିଆ ନୂଆ ଘର କରି ରହିବ । ତେଣୁ ଆମେ ଏଥିରେ ଆପଣାକୁ ଏପରି ବିପନ୍ନ ବୋଲି ମନେ କରିବା କାହିଁକି ?

 

ନୂଆ କଳେବରରେ ଜଗନ୍ନାଥଙ୍କର କଳେବର ବଦଳେ, ଆଉ କିଛି ବଦଳେ ନାହିଁ । କାଳକାଳରୁ ପୂଜା ପାଇ ଆସିଥିଲା ପରି ସେଇ ପୁରୁଣାଟାକୁ ହିଁ ନୂଆ ବେଶରେ କାଳକାଳକୁ ପୂଜାପାଏ । ଆମେ ସମସ୍ତେ ସେତିକି ଭିତରେ ମାତିରହୁ, ସେତିକିର ଜୟଜୟକାର କରୁ । ଗତ କୋଡ଼ିଏ ବର୍ଷ ହେଲା ଆମ ଦେଶରେ ମଧ୍ୟ ସେହିପରି ଏକ କଳେବର ବଦଳା ଚାଲିଥିଲା । ସବୁଠି ଖାଲି କଳେବର ହିଁ ବଦଳୁଥିଲା । ନୂଆ କୋଠା ତିଆରି ହେଉଥିଲା, ନୂଆ ରାଜଧାନୀ ତିଆରି ହେଉଥିଲା । ନୂଆ ଯୋଜନାମାନ ତିଆରି ହେଉଥିଲା । ପାଠ ନାମରେ ନୂଆ ବେଶ ପିନ୍ଧି ତୁଚ୍ଛା ବାବୁମାନେ ତିଆରି ହେଉଥିଲେ । ଛଦାମକର ମଣିଷ ନୂଆ ଟୋପି ପିନ୍ଧି ଓ ନୂଆ ଆସନରେ ବସି କାହାଣକର ମଣିଷ ବୋଲାଉଥିଲା । କ୍ଷୁଦ୍ରମତି ମହତ୍‌ମତି ବୋଲାଉଥିଲା । ମ୍ଳେଚ୍ଛ ମଣିଷ ବୋଲାଉଥିଲେ, ଅର୍ଥାତ୍ ମଣିଷ ଭିତରର ମଣିଷଟାକୁ ତଳକୁ ଦାବିଦେଇ ମ୍ଳେଚ୍ଛମାନେ ହିଁ ସମାଜ, ଶାସନ ଓ ସଂସ୍କୃତିର ଚଟୁଧରି ମହାଡ଼ମ୍ୱର ସହିତ ଜୀବନର ରୋଷଘରେ ବିକ୍ରମ ଦେଖାଉଥିଲେ । ପୁରୁଣା ଗଲା ଓ ନୂଆ ଆସିଲା ବୋଲି ଚାରିଆଡ଼େ ହୋ’ ହୋ ହେଉଥିଲା, ମାତ୍ର ପ୍ରକୃତରେ କିଛି ହେଉ ନ ଥିଲା । ଖାଲି କଳେବରଟାହିଁ ବଦଳି ଯାଉଥିଲା । ମଂଜ ବଦଳୁ ନ ଥିଲା କି ନୂତନ ଜୀବନ୍ୟାସ ହେଉ ନ ଥିଲା । ସେଥିଲାଗି ସ୍ୱାଧୀନତା ପାଇବାର ବାଇଶିବର୍ଷ ପରେ ହଠାତ୍ ଆପଣା ଆଡ଼କୁ ଅନାଇ ଆମେ ଦେଖିବାକୁ ପାଉଛୁ, ସତେ ଯେପରି ମଣିଷ ହୋଇ ଗଢ଼ାହେବା ପରିବର୍ତ୍ତେ ଆମେ ସମସ୍ତେ ଗୋଟିଏ ଗୋଟିଏ ମ୍ଳେଚ୍ଛ ହୋଇ ଗଢ଼ା ହୋଇଛୁ । ବଡ଼ରୁ ସାନଯାଏ ସମସ୍ତେ ମ୍ଳେଚ୍ଛମୁହାଁ ଓ ମ୍ଳେଚ୍ଛମୁଣ୍ଡିଆ ହୋଇ ବସିଛୁ ! ଏ ଦେଶରେ କୋଉଦିନ ମଣିଷ ରହୁଥିଲେ ବୋଲି ଆମର ଆଉ ବିଶ୍ୱାସ ହେଉନାହିଁ । ଏହି ଦେଶର ନେତୃତ୍ୱ କେବେ ମଣିଷ ଗଢ଼ିବାର ସ୍ୱପ୍ନ ଦେଖୁଥିଲା ବୋଲି ବି ବିଶ୍ୱାସ ହେଉନାହିଁ । କଳ୍‌କି ଅବତାରରେ କଳେବର ବଦଳିବ ନାହିଁ, ମ୍ଳେଚ୍ଛତାର ବିଲୋପ ସାଧନ ହେବ । ରଥ ଉପରେ ଜଗନ୍ନାଥଙ୍କୁ ଦେଖିଲେ ପୁନର୍ଜନ୍ମ ହୁଏନାହିଁ ବୋଲି ଜଗନ୍ନାଥଙ୍କର ଏକ ସ୍ତୋତ୍ରରେ କୁହାଯାଇଛି । ଏହି ସ୍ତୋତ୍ର କେବଳ କଳେବର ବଦଳାଉଥିବା ଜଗନ୍ନାଥଙ୍କର ସ୍ତୋତ୍ର । କଳ୍‌କି ଅବତାରରେ କଳେବର ବଦଳିବ ନାହିଁ, ମ୍ଳେଚ୍ଛ ସଂହାର ହେବ । ଆମରି ଭିତରୁ ମଣିଷର ଜନ୍ମହେବ । ଆମର ପୁନର୍ଜନ୍ମ ହେବ, ନବଜନ୍ମ ହେବ ।

 

ଆମ ସାମାଜିକ ଜୀବନର ମହୁଡ଼ ଉପରେ ଠିଆହୋଇ ମଣିଷର ଆଖିରେ କେବେ ଚାରି ଆଡ଼କୁ ଅନାଇଲେ ଆମେ କେବଳ ‘ମନୁଷ୍ୟରୂପେଣ ମ୍ଳେଚ୍ଛାଶ୍ଚରନ୍ତି’ ହିଁ ଦେଖିବାକୁ ପାଇବା । ଆମ ବାଣୀବିହାରଠାରୁ ଆରମ୍ଭ କରି ବିନୋଦବିହାର ପର୍ଯ୍ୟନ୍ତ ସବୁଠାରେ ମ୍ଳେଚ୍ଛମାନେହିଁ ସଂଖ୍ୟାଗରିଷ୍ଠ ହୋଇ ରହିଛନ୍ତି ବୋଲି ଦେଖିବାକୁ ପାଇବା । ସବୁଠାରେ ଭଳି ଭଳି କଳେବର ଲଗାଇ ସତେଅବା ମ୍ଳେଚ୍ଛମାନେହିଁ ବିଚରଣ କରୁଛନ୍ତି । ଅର୍ଥାତ୍ ମ୍ଳେଚ୍ଛପରି ହିଁ ଆଚରଣ କରୁଛନ୍ତି । ପାଠୁଆଙ୍କ ଭିତରେ କହ କି ପଣ୍ଡିତଙ୍କ ଭିତରେ କହ, ବାବୁମାନଙ୍କ ଭିତରେ କହ କି ହାକିମଙ୍କ ଭିତରେ କହ, ଶାସନରେ କହ କି ଆସନରେ କହ-ସବୁଠାରେ ମ୍ଳେଚ୍ଛ ହିଁ ଚରି ବୁଲୁଛନ୍ତି । ମଣିଷ ସମାଜକୁ ସେମାନେ ମେଣ୍ଢାପଲ କରି ରଖିଛନ୍ତି । ଆପଣା ଭିତରର ମଣିଷକୁ ଅଫିମ ଖୁଆଇ ରଖିଛନ୍ତି । ସେମାନଙ୍କର ଛତ୍ରତଳେ ସାହିତ୍ୟ ଚାଲିଛି, ସଂସ୍କୃତି ଚାଲିଛି, ଜାତୀୟତାର ଚାନ୍ଦୁଆ ଟଣାହୋଇ ଘମାଘୋଟ ଜୁଆଖେଳ ବି ଚାଲିଛି । ହିରଣ୍ୟକଶିପୁର ଯୁଗରେ ହୁଏତ ଠିକ୍ ଏହିପରି ସରାଗ ଓ ସୌଜନ୍ୟରେ ସାହିତ୍ୟ ଓ ସଂସ୍କୃତି ଚାଲିଥିଲା । ଏ ଦେଶରେ ଗତ ବାଇଶିବର୍ଷ ହେଲା ଯେପରି ଲଗାତାର ଖାଲି ମଳବର୍ଷ ହିଁ ପଡ଼ି ପଡ଼ି ଆସୁଛି । ଅଶୁଦ୍ଧ କାଳ ଲାଗି ରହିଛି । ତେଣୁ ଦେଶ ସ୍ୱାଧୀନ ହେଲାପରେ ମଣିଷର ଉଦୟ ଲାଗି ଏଠି ଯେଉଁସବୁ ଶୁଭ କାର୍ଯ୍ୟ ଓ ଶୁଭ ପରିବର୍ତ୍ତନ ହେବାର ଥିଲା, ସେସବୁ ଏପର୍ଯ୍ୟନ୍ତ ହୋଇ ପାରିନାହିଁ । ପାଠ ବଦଳି ନାହିଁ, ମଣିଷ ଘରୁ ଅନ୍ଧାର ଯାଇନାହିଁ, ମଣିଷ ମଣିଷ ଭିତରେ ରହିଥିବା ସମ୍ପର୍କ ଉପରେ ସେହି ପୁରୁଣା ମଳିଗୁଡ଼ାକ ବୋଳି ହୋଇ ବସିଛି । ଆଧୁନିକ ଜ୍ଞାନ ଓ ଆଧୁନିକ ହୃଯୟକୁ ନେଇ ବଣିଜ କରିବା ଏଠି ଏବେ ସୁଦ୍ଧା ଆରମ୍ଭ ହୋଇନାହିଁ । ଆମ ଭାଗ୍ୟର ଆକାଶ ଗୋଟାକୁ ମ୍ଳେଚ୍ଛ-ବିବେକ ଗ୍ରାସ କରି ରହିଛି । ତେଣୁ ମ୍ଳେଚ୍ଛ ସଂହାର ଅତ୍ୟାବଶ୍ୟକ ହୋଇ ପଡ଼ିଛି ଏବଂ ଯାହା ଅତ୍ୟାବଶ୍ୟକ, ଆମେ ସେଥିପାଇଁ ଡରିବା କାହିଁକି ? ଯେଉଁମାନେ କେବଳ ମ୍ଳେଚ୍ଛତା ବ୍ୟତୀତ ଜୀବନରେ ଅନ୍ୟ କୌଣସି ଅବଲମ୍ୱନର ପରିଚୟ ହିଁ ପାଇନାହାନ୍ତି, ସେମାନେ ଆପଣାକୁ ନିଶ୍ଚୟ ବିପନ୍ନ ମଣିବେ । ମ୍ଳେଚ୍ଛତା ଉପରେ ଆପଣାର ହର୍ମ୍ୟ ବନାଇ ରଖିଥିବା ଚତୁରମାନେ ନିଶ୍ଚୟ ଆପଦ ଗଣିବେ । କିନ୍ତୁ ମଣିଷ ଡରିବ କାହିଁକି ?

 

ମଣିଷ ଏହି ମ୍ଳେଚ୍ଛସଂହାରର ସ୍ୱାଗତ କରିବ । ମଣିଷର ସାହିତ୍ୟ ମଧ୍ୟ ତାହାର ସ୍ୱାଗତ କରିବ । ଭକ୍ତ ପ୍ରହ୍ଲାଦ ଯେପରି ନୃସିଂହ-ଅବତାରର ସ୍ୱାଗତ କରିଥିଲା, ଠିକ୍ ସେମିତି । ହିରଣ୍ୟକଶିପୁର ରାଜ୍ୟରେ ରହି ମଧ୍ୟ ନୃସିଂହ ଅବତାରକୁ ସମ୍ଭବ କରାଇବା ଲାଗି ଭକ୍ତ ପ୍ରହ୍ଲାଦ ଆପଣାକୁ ଏକ ନିମିତ୍ତରୂପେ ନିୟୋଜିତ କରିଥିଲା । ହିରଣ୍ୟକଶିପୁର ରାଜ୍ୟ ଉଜୁଡ଼ିଗଲା, ମାତ୍ର ପ୍ରହ୍ଲାଦ ଅମର ହୋଇ ରହିଲା । ମ୍ଳେଚ୍ଛତା ଉପରେ ଭରା ଦେଇ ଠିଆ ହୋଇଥିବା ସାହିତ୍ୟ ସେହିପରି ମରି ଉଡ଼ି ଯିବ, ମାତ୍ର ମଣିଷର ଉଦୟ ଲାଗି ପ୍ରୟାସ କରୁଥିବା ସାହିତ୍ୟ ଅମର ହୋଇ ରହିବ । ମଣିଷର ସାହିତ୍ୟ ମ୍ଳେଚ୍ଛସଂହାରକୁ ଡରିବନାହିଁ, ତାହା ମ୍ଳେଚ୍ଛସଂହାରରେ ନିମତ୍ତରୂପେ କାର୍ଯ୍ୟ କରିବ ।

 

ମ୍ଳେଚ୍ଛର ବି ଗୋଟାଏ ପ୍ରକାର ସଂସ୍କୃତି ରହିଚି । ମଣିଷର ମାପଦଣ୍ଡ ଉପରେ ଆମେ ହୁଏତ ଏହାକୁ ବିକୃତି ବୋଲି କହିପାରିବା । ଏହିପରି ଅନେକ ବିକୃତିକୁ ବର୍ତ୍ତମାନ ସଂସ୍କୃତି ବୋଲି କୁହାଯାଉଛି । ଅନେକ ସୁଆଙ୍ଗକୁ ଜୀବନ ବୋଲି କୁହାଯାଉଚି । ଅନେକ ଆସ୍ଫାଳନକୁ ଆଦର୍ଶ ବୋଲି କୁହାଯାଉଚି । କଳ୍‌କି ଅବତାର, ଯେତିକି ଆସନ୍ନହେଇ ଆସୁଚି, ଏହି ମିଥ୍ୟାଗୁଡ଼ାକ ସେତିକି ସେତିକି ଧରାପଡ଼ି ଯାଉଛି । ଏଥର ଆମେ ସମସ୍ତେ ଧରା ପଡ଼ିଯିବା । ଆମ ଭିତରର ମ୍ଳେଚ୍ଛ ଧରାପଡ଼ିଯିବ । ମ୍ଳେଚ୍ଛତାର ସୁସଜ୍ଜିତ କାନ୍ଥଗୁଡ଼ାକ ଭୁଷୁଡ଼ି ପଡ଼ିବ । ମଣିଷ ବନ୍ଦୀଘରୁ ମୁକୁଳି ଆସିବ । ଆପଣାର ଭାଗ୍ୟକୁ ନେଇ ନୂଆ ପରୀକ୍ଷା ଆରମ୍ଭ କରିବ । ଆପଣା ସହିତ ସମସ୍ତଙ୍କୁ ସମ୍ଭାଳି ଧରି ସେ ନୂତନ ସ୍ୱପ୍ନ ଦେଖିବ । ଦାସତାର ଯୁଗ ଯିବ, ଇତିହାସ ଗଢ଼ାହେବ । ମ୍ଳେଚ୍ଛ-ମଣିଷ ବାହାରକୁ ଭାରି ପରାକ୍ରମ ଦେଖାଯାଉଥାଏ ସତ, ମାତ୍ର ଭିତରେ ସେ ଦାସ ହୋଇ ରହିଥାଏ । ଆପଣା ହୀନତାର ଦାସ ହୋଇ ରହିଥାଏ, ଆପଣା ରଜ୍ଜୁଗୁଡ଼ାକରେ ଆପେ ବାନ୍ଧି ହୋଇ ପଡ଼ିଥାଏ । ସେହି ରଜ୍ଜୁଗୁଡ଼ାକ କଟି ନ ଯିବାଯାଏ ସିଏ ନିଜକୁ ମଧ୍ୟ ମଣିଷ ବୋଲି ଚିହ୍ନି ପାରେନାହିଁ । ମଣିଷକୁ ସେ ଭୟ କରୁଥାଏ । ମ୍ଳେଚ୍ଛସଂହାର କହିଲେ ହୁଏତ ଆପଣାର ସଂହାର ବୋଲି ବୁଝୁଥାଏ ।

 

ଏଣିକି ଆଉ ନବକଳେବରରେ କାମ ଚଳିବ ନାହିଁ । ବେଶ ବଦଳାଇଲେ କାମ ସରିବନାହିଁ । ରଥ ଉପରେ ଚୁପ୍ ହୋଇ ବସିଥିବା ବାମନଦ୍ୱାରା କାମ ଚଳିବ ନାହିଁ । ମ୍ଳେଚ୍ଛସଂହାରରେ ସହଯୋଗ ଦେବାକୁ ପଡ଼ିବ । ସାହସୀ ମଣିଷ ପରି ବାହାରି ଆସିବାକୁ ପଡ଼ିବ ।

 

[ଜନସାହିତ୍ୟ, ଦଶହରା, ୧୯୬୯]

☆☆☆

 

ସାହିତ୍ୟ-ତାମସା

 

ସାହିତ୍ୟ ଭଲ, ତାମସା ବି ଭଲ । କିନ୍ତୁ ସାହିତ୍ୟକୁ ନେଇ ଯେତେବେଳେ ତାମସା କରାଯାଏ, ସେତେବେଳେ ଆମେ ତାକୁ ଭଲ ବୋଲି କହିବା ନା ମନ୍ଦ ବୋଲି କହିବା ? ସାହିତ୍ୟ କରୁଥିବା ଲୋକକୁ ସାହିତ୍ୟିକ କୁହାଯାଏ । ତାମସାବାଲା ତାମସା କରନ୍ତି । କିନ୍ତୁ ଯେଉଁମାନେ ପରମନିଷ୍ଠା ସହକାରେ ସାହିତ୍ୟକୁ ନେଇ ତାମସା କରିବାରେ ଲାଗିଥାନ୍ତି, ସେମାନଙ୍କୁ ଆମେ ପ୍ରକୃତରେ କ’ଣ ବୋଲି କହିବା ? ସାହିତ୍ୟିକମାନଙ୍କ ପାଇଁ ସାହିତ୍ୟ ଗୋଟାଏ ନିଶା, ତାମସାବାଲାଙ୍କ ପାଇଁ ତାମସା ବି ଗୋଟାଏ ନିଶା; ମାତ୍ର ଯେଉଁମାନେ ଠିକ୍ ନିଶା ଖାଇଥିଲା ପରି ସାହିତ୍ୟତାମସାର ମଞ୍ଜୁଳ ତଥା ଅତୁଳ ଆୟୋଜନମାନ କରି ବୁଲୁଥାନ୍ତି, ସେମାନଙ୍କର ନିଶାଟାକୁ ଆମେ ସାହିତ୍ୟର ନିଶା ବୋଲି କହିବା ନା ତାମସାର ନିଶା ବୋଲି କହିବା ?

 

ଏକଥା ବିଲକୁଲ ସତ ଯେ ସାହିତ୍ୟ ଆଉ ତାମସା ଭିତରେ ଗୋଟିଏ ଜାଗାରେ ଏକ ସାମଞ୍ଜସ୍ୟ ଅବଶ୍ୟ ରହିଚି, ଆଗକାଳେ ରହିଥିଲା, ଏବେ ମଧ୍ୟ ରହିଚି । ଅନେକ ଲୋକଙ୍କୁ ନେଇ ସାହିତ୍ୟ ହୁଏ, ପୁଣି ଅନେକ ଲୋକଙ୍କୁ ନେଇ ତାମସା ବି ହୁଏ । ସାହିତ୍ୟିକ ଏକୁଟିଆଟି ବସି ସାହିତ୍ୟ ଲେଖେ ସତ, ମାତ୍ର ସାହିତ୍ୟ ଭଳି ଗୋଟାଏ କିଛି ସମ୍ଭବ କରିବାକୁ ହେଲେ ତାକୁ ଜୀବନର କେତେ କେତେ ପ୍ରକାଶ୍ୟ ତଥା ପ୍ରଚ୍ଛନ୍ନ କ୍ଷେତ୍ରକୁ ଯାଇ ଘାଣ୍ଟିବାକୁ ହୋଇଥାଏ । କେତେ କେତେ ଥାନାରେ ଏକାତ୍ମତା ଅର୍ଜନ କରିବାକୁ ପଡ଼େ । ଆତ୍ମୀୟ ହୋଇ ବସିବାକୁ ପଡ଼େ । ଶେଷରେ ସେ ଆପଣାର ସାହିତ୍ୟ ବୋଲି ଯାହା ସୃଷ୍ଟି କରେ, ସେହି ସୃଷ୍ଟିକୁ ପରିପୂର୍ଣ୍ଣ କରି ଅନୁଭବ କରିବା ଲାଗି ମଧ୍ୟ ତାକୁ ଅନ୍ୟମାନଙ୍କୁ ଲୋଡ଼ିବାକୁ ପଡ଼େ, ଅର୍ଥାତ୍ ପାଠକମାନଙ୍କୁ ଲୋଡ଼ିବାକୁ ପଡ଼େ । ପାଠକ ନ ହେଲେ ସାହିତ୍ୟ, ସାହିତ୍ୟ ହୁଏ ନାହିଁ । ରସର ସୃଷ୍ଟି ସହିତ ରସର ବିତରଣ ଏବଂ ରସର ଆସ୍ୱାଦନଟି ମଧ୍ୟ ନିବିଡ଼ ଭାବରେ ଜଡ଼ିତ ହୋଇ ରହିଥାଏ । ଏହି ନିବିଡ଼ତାର ସ୍ତର ଆଉ ଗୁଣଭେଦ ଅନୁସାରେ ସାହିତ୍ୟ କେତେବେଳେ କେବଳ ସ୍ଥାନୀୟ ସାହିତ୍ୟ ହୋଇ ରହିଯାଏ । କେତେବେଳେ ଜାତୀୟ ସାହିତ୍ୟ ହୁଏ, ପୁଣି କେତେବେଳେ ବିଶ୍ୱସାହିତ୍ୟ ବୋଲାଇବାର ବି ସ୍ପର୍ଦ୍ଧା ରଖେ । କବି ସ୍ଥାନୀୟ କବି ହୁଏ, ଜାତୀୟ କବି ହୁଏ, ପୁଣି ବିଶ୍ୱକବି ମଧ୍ୟ ହୁଏ ।

 

ଅନେକ ମଣିଷ ଏକାଠି ନଜୁଟିଲେ ତାମସା ବି ହୁଏ ନାହିଁ । ସମ୍ଭବତଃ ସେହି କାରଣରୁ ସାହିତ୍ୟକୁ ନେଇ ସଭା ଜମାଉ ଜମାଉ ତାହା କେତେବେଳେ ଯେ ଏକ ତାମସାରେ ପରିଣତ ହୋଇଯାଏ, ସେ କଥାଟି ଅନେକ ସମୟରେ ଠଉରାଇ ହୁଏ ନାହିଁ ଏବଂ ସାହିତ୍ୟିକ ଆଗ୍ରହଟି ଯେ କେତେବେଳେ ସଂକ୍ରାମିତ ହୋଇ ଏକ ତାମସାର ଆଗ୍ରହରେ ଅର୍ଥାତ୍ ତାମସା ଆଗ୍ରହରେ ପରିଣତ ହୁଏ, ତାମସାଭୋଳ ବିହ୍ୱଳମଣିଷମାନଙ୍କୁ ସେକଥା ସହଜରେ ଆଦୌ ଜଣାପଡ଼େ ନାହିଁ । ମାତ୍ର ଯେତେବେଳେ ସାହିତ୍ୟର ସମ୍ପୂର୍ଣ୍ଣ ଆୟୋଜନଗୁଡ଼ାକ ତୁଚ୍ଛ ତାମସାରେ ହିଁ ପରିଣତ ହୋଇ ରହେ, ଅର୍ଥାତ୍ ସାହିତ୍ୟକୁ ଲୋଡ଼ିବାର ଛଳନାରେ ଯେତେବେଳେ କେବଳ ତାମସାକୁ ହିଁ ଲୋଡ଼ାଯାଏ, ସେତେବେଳେ ଅରସିକତା ସତେ ଅବା ସୀମା ଲଙ୍ଘନ କରେ ଏବଂ ସାହିତ୍ୟ ଭ୍ରଷ୍ଟାଚାରରେ ପରିଣତ ହୁଏ । ସାହିତ୍ୟ ନାମରେ ଯାହା ଚାଲେ, ତାହାହିଁ ସାହିତ୍ୟର ବେକକୁ ମୋଡ଼ିଦିଏ । ସାହିତ୍ୟିକ ଉତ୍ସାହ ନାମରେ ଅନେକ ଖଳ ଅନ୍ୟ ଉତ୍ସାହକୁ ପ୍ରଶ୍ରୟ ଦିଏ । ସାହିତ୍ୟିକମାନେ ପ୍ରମାଦ ଗଣନ୍ତି । ସିଆଣିଆମାନେ ସାହିତ୍ୟିକର ପାଟମଠା ପିନ୍ଧି ବାହାରକୁ ବାହାରନ୍ତି ।

 

ଆମ ଓଡ଼ିଶାରେ ଏବେ ସତେ ଅବା ସିଆଣିଆମାନଙ୍କର ପାଳି ପଡ଼ିଥିବା ପରି ମନେ ହେଉଚି । ଆମ ସାହିତ୍ୟ ସଭାମାନଙ୍କରେ ପ୍ରଧାନତଃ ସିଆଣିଆମାନେ ହିଁ ରାଜା, ମନ୍ତ୍ରୀ, ସୁଧୀ ଓ ସାଧବ ହୋଇ ବସିବାର ଏକାଧିକାର ପାଇଥିବା ପରି ଲାଗୁଚି । ଯଦି ସିଆଣିଆ ହେବା ଦ୍ୱାରା ସବୁ ହୋଇ ପାରୁଛି, ତେବେ ଯୁଗ ଅନୁସାରେ ଆମେ ବି ଆପଣାକୁ ନ ବଦଳାଇବା କାହିଁକି–ଏହି ପ୍ରକାରେ ଭାବି ଏବେ ସାହିତ୍ୟିକମାନେ ମଧ୍ୟ ଅନେକ କ୍ଷେତ୍ରରେ ନିଜର ସାହିତ୍ୟିକ ବେଶଟାକୁ ଲୁଚାଇ ରଖି କ୍ରମେ ସିଆଣିଆଙ୍କ ପରି ଦିଶିବାର ଓ ଆଚରିବାର ପ୍ରୟାସ କଲେଣି । ସାହିତ୍ୟିକ ପରି କଥା ନ କହି ସେମାନେ ଏବେ ସିଆଣିଆଙ୍କ ପରି କଥା କହି ଶିଖିଲେଣି । ସାହିତ୍ୟିକଙ୍କ ପରି ନ ଭାବି ସିଆଣିଆଙ୍କ ପରି ଭାବିଲେଣି । ସାହିତ୍ୟିକ ବିବେକଗୁଡ଼ାକୁ କ୍ରମେ ଲୁଚାଇ ରଖିବାକୁ ଚେଷ୍ଟା କରି ସେମାନେ ଗୋଟାସୁଦ୍ଧା ତାମସା ଭିତରେ ମିଶିଯିବାକୁ ଚେଷ୍ଟା କଲେଣି । ଆମ ସାହିତ୍ୟରେ ଆଧୁନିକ ଆଉ ପୁରାତନଙ୍କ ଭିତରେ ସିନା ଭେଦ ରହିଚି, ନବୀନ ଓ ପ୍ରବୀଣମାନଙ୍କ ମଧ୍ୟରେ ବ୍ୟବସାୟଗତ ମତାନ୍ତର କିମ୍ୱା ମନାନ୍ତର ରହିଚି, ମାତ୍ର ସିଆଣିଆ ହେବା ବେଳକୁ ସେମାନଙ୍କ ଭିତରେ ଆଉ କୌଣସି ଭେଦ ରହୁ ନାହିଁ; ଉଭୟେ ଉଭୟଙ୍କର ପୂର୍ଣ୍ଣ ସମକକ୍ଷ ହୋଇ ପାରୁଛନ୍ତି । ଯୁଗ ଅନୁସାରେ ଉଭୟେ ସାଜି ପାରୁଚନ୍ତି, ଆପଣା ଦେହରେ ପୁଚ୍ଛ ସଜାଇ ଉଭୟେ ପରିସ୍ଥିତି ଅନୁସାରେ ପୁତ୍ତଳି ହୋଇ ପାରୁଚନ୍ତି ଏବଂ ସାହିତ୍ୟ ପାଖରେ ବୋକା ବନି ଏଣେ ସଂସାରଟା ଯାକକୁ ବୋକା ବନାଇବାକୁ ଫିସାଦ ଧରି ବାହାରିଚନ୍ତି ।

 

ସିଆଣିଆମାନଙ୍କର ସାହିତ୍ୟ-ଆୟୋଜନରେ ଅର୍ଥାତ୍ ତାମସାମାନଙ୍କରେ ରାଜା ହୋଇ ବସିବା ଲାଗି ହାତ ବଢ଼ାଇ ଦେବା ମାତ୍ରକେ ଏଠି ହାକିମମାନେ ମିଳି ଯାଉଚନ୍ତି । ସରକାରୀ ସର୍ବୋଚ୍ଚ ହାକିମ ଅର୍ଥାତ୍ ଆମ ମନ୍ତ୍ରୀମାନେ ସବୁଠାରୁ ଅଧିକ ସହଜରେ ମିଳୁଚନ୍ତି । ପୁଣି ଭଗବାନଙ୍କ କୃପାରୁ ରାଜ୍ୟରେ ମନ୍ତ୍ରୀମାନେ ଏପରି ଘନ ଘନ ଓ ସତ୍ୱର ଭାବରେ ବଦଳି ଯାଉଚନ୍ତି ଯେ ସଭାମାନଙ୍କରେ କାମ ତୁଲାଇବା ଲାଗି ଆଗ୍ରହୀମାନଙ୍କୁ ଗୋଟାଏ ବରଷରେ ଭଳିକି ଭଳି କେତେ ମନ୍ତ୍ରୀ ମିଳି ଯାଉଚନ୍ତି; ସେହି ପୁରୁଣା ଓ ଚିହ୍ନାମାନଙ୍କ ଉପରେ ବାରବାର ନିର୍ଭର କରିବାକୁ ପଡ଼ୁନାହିଁ । କିଏ କେବେ କେଉଁ ଭେକରେ ଥିଲେ, ମନ୍ତ୍ରୀ ନ ଥିବାବେଳେ କେବେ ସାହିତ୍ୟ ଲାଗି ଡକରା ହେଉଥିଲେ କି ନାହିଁ ଓ ଆପଣା ଜୀବନରେ ଆପଣା ଆଗ୍ରହରେ କେବେ ସାହିତ୍ୟର ଖଞ୍ଜା ମାଡ଼ୁଥିଲେ କି ନାହିଁ, ସେଗୁଡ଼ାକ ଭାବି ସମୟ ନଷ୍ଟ କରିବା ଲାଗି କାହାରି ବିବେକ କହୁନାହିଁ । କାରଣ ଏମାନେ ସମସ୍ତେ ଆମରି ରାଜ୍ୟର ମନ୍ତ୍ରୀ, ତେଣୁ ଆମ ମହୁଡ଼ ଗୁଡ଼ାକର ମଣି; ଏତିକି କଥାକୁ ସମସ୍ତେ ଯଥେଷ୍ଟ ବୋଲି ଭାବୁଚନ୍ତି । ତେଣୁ ବିଭାଗ ଅଥବା ଅନୁରାଗ ନିର୍ବିଶେଷରେ ଆଖି ବୁଜି ସେମାନଙ୍କୁ ଡାକି ଆଣିବାର ତାମସାଗୁଡ଼ାକୁ ଆଦୌ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବାକୁ ପଡ଼ୁନାହିଁ ଏବଂ ମନ୍ତ୍ରୀମାନେ ନ ହେଲେ ଯେ କେଉଁଠିହେଲେ କୌଣସି କାମ କଦାପି ଚଳିବ ନାହିଁ, ଆପଣାର ଅକ୍ଳାନ୍ତ ଉଦ୍ୟମରେ ସିଆଣିଆମାନେ ଏଇଟାକୁ ହିଁ ପରମ୍ପରାରେ ପରିଣତ କରିଦେଇ ସାରିଲେଣି । ସହରର ସିଆଣିଆମାନଙ୍କଠାରୁ ମଫସଲର ସିଆଣିଆମାନେ ବି କ୍ରମେ ରୀତିଗୁଡ଼ାକୁ ଆୟତ୍ତ କରିନେଲେଣି । ସିଆଣିଆ ତାମସାଧର୍ମୀମାନଙ୍କ ଲାଗି ସିଆଣିଆ ମନ୍ତ୍ରୀ ଓ ସିଆଣିଆ ହାକିମମାନଙ୍କର ସବୁବେଳେ ସମୟ ରହିଚି । ସେମାନେ ସବୁବେଳେ ଲୋଡ଼ିଲା ମାତ୍ରକେ ମିଳି ଯାଉଚନ୍ତି । ରାଜଧାନୀରେ ଯାଇ ପହଞ୍ଚିଲା ମାତ୍ରକେ ମିଳି ଯାଉଚନ୍ତି, ଇଏ ନ ମିଳିଲେ ସିଏ ମିଳି ଯାଉଚନ୍ତି । ଶାସନ ପ୍ରତି ସେମାନଙ୍କର କର୍ତ୍ତବ୍ୟ ଅପେକ୍ଷା ସଂସ୍କୃତି ଓ ସାହିତ୍ୟ ପ୍ରତି ସେମାନଙ୍କର କର୍ତ୍ତବ୍ୟକୁ ସେମାନେ ଯେ ଅଧିକ ଜରୁରୀ ବୋଲି ଭାବୁଚନ୍ତି, ସେ କଥା ଅବଶ୍ୟ ସବୁ କ୍ଷେତ୍ରରେ ଏଡ଼େ ସହଜରେ କୁହାଯାଇ ପାରିବ ନାହିଁ’ । ମାତ୍ର ଏହା ପ୍ରକୃତରେ ଏକ ସୌଭାଗ୍ୟର କଥା ଯେ, ସେମାନେ ସର୍ବଦା ସହଜଲଭ୍ୟ ହୋଇ ରହିଚନ୍ତି ।

 

ଏବେ ମନ୍ତ୍ରୀ ନ ଆସିଲେ ଜୟନ୍ତୀଗୁଡ଼ାକ ମୋଟେ ଚଳୁ ନାହିଁ । ସଭା ଶେଷରେ ମନୋରଞ୍ଜନର କାର୍ଯ୍ୟକ୍ରମ ରହିଚି ଏବଂ ସଭା ଭିତରେ ମନ୍ତ୍ରୀମାନଙ୍କର କାର୍ଯ୍ୟକ୍ରମ ରହିଚି । ତେଣୁ ସାହିତ୍ୟ ସଭାଗୁଡ଼ାକ ଠିକ୍ ଦରବାର ପରି ମାନୁଚି । ମନ୍ତ୍ରୀମାନେ ଆସି ପହଞ୍ଚିଲାବେଳକୁ ସତେ ଅବା ଗଜପତି ରାଜା ଆସି ଦରବାରରେ ବିଜେ କରୁଥିଲା ପରି ଲାଗୁଚି । ଓଡ଼ିଶାର ସେହି ସୁବର୍ଣ୍ଣ ଅତୀତର ଠାଣି, ମଣ୍ଡଣିଗୁଡ଼ାକ ଆଖି ଆଗରେ ଝଲକି ଉଠିଲା ପରି ଲାଗୁଚି । ସିଆଣିଆମାନେ ନଶ୍ୱର ଜୀବନକୁ ସାର୍ଥକ ମଣୁଚନ୍ତି । ମନ୍ତ୍ରୀମାନଙ୍କର ବିଜେ ହେବାଟାକୁ ହିଁ ସେମାନେ ଚରମ ଚରିତାର୍ଥତା ବୋଲି ମଣୁଚନ୍ତି । ତେଣୁ ମନ୍ତ୍ରୀମାନେ କ’ଣ କହିଲେ କି ନ କହିଲେ, ସେଗୁଡ଼ାକ ଉପରେ ଧ୍ୟାନ ଦେବା ଦରକାର ନାହିଁ । ଏବେ କଲେଜମାନଙ୍କରେ ସାହିତ୍ୟ ସେମିନାର ହେଲାବେଳକୁ ମଧ୍ୟ ମନ୍ତ୍ରୀମାନଙ୍କର ଲୋଡ଼ା ପଡ଼ୁଚି, ହାକିମମାନଙ୍କର ଲୋଡ଼ା ପଡ଼ୁଚି । ସେମିନାରଗୁଡ଼ାକ ନିୟମିତଃ ଛାତ୍ର ଓ ଅଧ୍ୟାପକମାନଙ୍କୁ ନେଇ ହେବାର କଥା । ମାତ୍ର ସିଆଣିଆ ଅଧ୍ୟାପକମାନେ ଏବେ ପ୍ରୟୋଜନରେ ପଡ଼ି ସେଠି ହାକିମମାନଙ୍କୁ ଆଣି ବିଜେ କରାଉଚନ୍ତି । ଛାତ୍ରମାନେ ବୋକା ହୋଇ ତାମସା ଦେଖୁଚନ୍ତି ଓ ସେମିନାର ବୋଲି କୁହାଯାଉଥିବା ଉପଲକ୍ଷଟି ଭିତରୁ ସେମାନଙ୍କୁ ଯାହା କିଛି ମିଳୁଛି, ତାହାକୁ ହିଁ ପ୍ରସାଦତୁଲ୍ୟ ଗ୍ରହଣ କରୁଚନ୍ତି । ଭବିଷ୍ୟତରେ ନିଜେ ମଧ୍ୟ ସିଆଣିଆ ହେବାର ଓ ତାମସାକୁ ସାହିତ୍ୟ ବୋଲି ଅନୁଭବ କରିବାର କଳାଗୁଡ଼ାକୁ ଆୟତ୍ତ କରୁଚନ୍ତି । ଯୁଗୋପଯୋଗୀ ହୋଇ ଶିଖୁଚନ୍ତି ।

 

ସାହିତ୍ୟ ନେଇ ବେଳେବେଳେ ଏଭଳି ତାମସା କରାଯାଏ କାହିଁକି ? ଅର୍ଥାତ୍ ଜୀବନକୁ ନେଇ ବେଳେ ବେଳେ ଏଭଳି ଅଭିନୟମାନ କରାଯାଏ କାହିଁକି ? ସାହିତ୍ୟିକମାନେ ସାହିତ୍ୟକୁ ଛାଡ଼ି ବେଳେବେଳେ ତାମସା ଭିତରେ ପଶି ଯାଆନ୍ତି କିପରି ଓ ତାମସା ସହିତ ସାହିତ୍ୟକୁ ଏପରି ଏକାଠି ଉଜାଇଁ ଦେବାକୁ ମନ କରନ୍ତି କିପରି ? ଆମର ସାମୁହିକ ଜୀବନରେ ଏଭଳି ଏକ ଦୁର୍ଗତି କେତେବେଳେ ଓ କାହିଁକି ଆସି ପହଞ୍ଚେ ? ଯେତେବେଳେ ସିଆଣିଆ ହେବାଟା ହିଁ ଜୀବନର ଧର୍ମ ହୋଇ ବସେ ଓ ସଫଳତା ଲାଭ କରିବା ହିଁ ଜୀବନରେ ପରମ ଧନ୍ଦା ହୋଇପଡ଼େ, ସେତିକିବେଳେ ସଫଳତା ଓ ସହଜ ସୁଖ୍ୟାତିର ଲୋଭରେ ମଣିଷ ଜୀବନକୁ ଛାଡ଼ି ବା ଜୀବନରୁ ହୁଡ଼ି ତାମସାକୁ ଆଦରି ବସେ । ଆସନର ଯୋଗ୍ୟ ହେବା ଆଗରୁ ଆସନଟାକୁ ମାଡ଼ି ବସିବାକୁ ଧାଇଁଯାଏ । ଆପଣା ଜୀବନରେ କିଛି ହେବା ଅପେକ୍ଷା ଦେଖାଇ ହେବାଟାକୁ ହିଁ ଶ୍ରେୟସ୍କର ବୋଲି ବିଶ୍ୱାସ କରେ ଓ ସକଳ ଲଜ୍ଜା ଛାଡ଼ି ତାହାରି ପଛରେ ହିଁ ଦଉଡ଼େ । ସାହିତ୍ୟରୁ ଲାଜ ଛାଡ଼ିଗଲେ ସାହିତ୍ୟ ତାମସାରେ ପରିଣତ ହୁଏ । ବଡ଼ଲୋକ ହେବାକୁ ମନ କଲେ ଅଥବା ଉଚ୍ଚପଦକୁ ଲାଳସା କଲେ ସାହିତ୍ୟିକ ଧର୍ମ ଛାଡ଼େ ଓ ଆପଣାର ଖଳତାଗୁଡ଼ାକ ଦ୍ୱାରା ସାହିତ୍ୟକୁ ଏକ ତାମସାରେ ପରିଣତ କରି ଦେବାର ଦୁର୍ବୁଦ୍ଧି ଧରେ । ଜାତୀୟ ସାହିତ୍ୟକୁ ଏକ ଜାତୀୟ ତାମସାରେ ପର୍ଯ୍ୟବସିତ କରି ରଖେ । ଡିହ ଉପରେ ଆଲୁଅ ଲଗାହୋଇ, ବାଣ ମରାହୋଇ ଓ ଚଉକି ପଡ଼ି ସେଇ ତାମସାଟାକୁ ହିଁ ନାନା ଚାଟୁ କଥାରେ ସାହିତ୍ୟ ବୋଲି ଘୋଷଣା କରାଯାଏ । ସକଳ ସାହିତ୍ୟିକତା କ୍ରମେ ଏକ ଚାତୁରୀରେ ହିଁ ପ୍ରବଞ୍ଚିତ ହୋଇ ରହେ । ସାଧନା ଉଡ଼ିଯାଏ, ଶାଳୀନତା ଉଡ଼ିଯାଏ, ସାହିତ୍ୟରେ ଯଥାର୍ଥ ରୀତି ଓ ସ୍ୱୀକୃତିଗୁଡ଼ାକ ପାସୋରି ହୋଇଯାଏ । ସାହିତ୍ୟ ଯାଇ କ୍ଷମତାର କାନି ଧରେ ଓ ସାହିତ୍ୟିକ କ୍ଷମତା ପରାହତ ହୋଇ ରହିଯାଏ ।

 

ସାହିତ୍ୟକୁ ନେଇ ତାମସା କରୁଥିବା ଲୋକ ତାମସାଟାକୁ ହିଁ ସାହିତ୍ୟ ବୋଲି କହେ । ତାହାରି ଚକ୍ରାନ୍ତରେ ଅନ୍ତତଃ କେତେ ସମୟ ସକାଶେ ସାହିତ୍ୟର ରୀତିଗୁଡ଼ାକ ବଦଳିଯାଏ ଓ ଅତୀତଗୁଡ଼ାକ ହିଁ ରୀତି ହେବାର ଅନୁମତି ପତ୍ର ପାଇ ଯାଆନ୍ତି । ସେତେବେଳେ କଟକ ଆଉ ଭୁବନେଶ୍ୱରରେ ଯେଉଁ ସଭାଗୁଡ଼ାକ ହେଉଚି ଓ ଯେଉଁମାନଙ୍କର କଥା ଦ୍ୱିଗୁଣିତ ସ୍ଫୀତିରେ ଖବରକାଗଜରେ ବାହାରୁଚି, ସାହିତ୍ୟ କହିଲେ ତାହାକୁ ହିଁ ବୁଝାଇବାକୁ ଆରମ୍ଭ କରେ । ତାମସା ବାଲାଏ ତାମସା ଭିତରେ ଏପରି ମଜ୍ଜି କରି ରହିଥାନ୍ତି ଓ ଆପଣାର ମୁଦ୍ରାଗୁଡ଼ିକୁ ହିଁ ଏପରି କୌଶଳର ସହିତ ବଜାରରେ ଚାଲୁକରି ରଖିଥାନ୍ତି ଯେ, ଏଣିକି ଯୁଗର ବୋଲି ମାନି ସାହିତ୍ୟ ଚିରଦିନ ଲାଗି କେବଳ ତାମସା ହୋଇ ରହିବ ବୋଲି ସେମାନେ ବିଶ୍ୱାସ ବି କରୁଥାନ୍ତି । ସେମାନଙ୍କର ଏହି ବିଶ୍ୱାସଟା ମଧ୍ୟ ଆଖର ଗୋଟାଏ ତାମସାରେ ହିଁ ପରିଣତ ହୁଏ । କାରଣ ଯୁଗ ବଦଳିଯାଏ, ନିଦ ଭାଙ୍ଗେ, ସଂବିତ୍ ଫେରିଆସେ, ନିଜକୁ ନୂତନ କରି ଆବିଷ୍କାର କରିବାର ଆହ୍ୱାନ ଆସି ପହଞ୍ଚେ । ସେତେବେଳେ ସାହିତ୍ୟ ପୁଣି ଆସି ଆସନରେ ବସେ, ତାମସାବାଲାଏ ବିଦା ହୋଇ ଯାଆନ୍ତି, ବିସ୍ମୃତ ହୋଇ ରହନ୍ତି ।

 

ଏହି ତାମସାର ଯୁଗରେ ସାହିତ୍ୟ ତଥାପି ବଞ୍ଚି ରହିଚି, ବଞ୍ଚି ରହିବ । ସାହିତ୍ୟ ସେହି ସାହିତ୍ୟ ସଭାରେ ପଶି ପାରୁନାହିଁ କିମ୍ୱା କ୍ଷମତାର କୃପାଲେହନ କରିପାରୁ ନାହିଁ ସତ ତଥାପି ବଞ୍ଚି ରହିଚି । ସେ ଅପେକ୍ଷା କରି ରହିଚି । ବିଶ୍ୱାସ କରି ବଞ୍ଚି ରହିଚି । ତାମସା ଭାଙ୍ଗିବାଯାଏ ଅପେକ୍ଷା କରିଚି । ରାତି ପାହିବା ଯାଏ ଅପେକ୍ଷା କରିବି ।

 

[ଜନ ସାହିତ୍ୟ, ଦଶହରା, ୧୯୭୨]

☆☆☆

 

ସବୁଜ ଆଉ ବିପ୍ଳବ

 

ସବୁଜ ରଙ୍ଗର କଳ୍ପନା କଲାମାତ୍ରକେ କେଉଁଠି ଖୋଲା ଆକାଶ ତଳେ ବିସ୍ତୀର୍ଣ୍ଣ ହୋଇ ରହିଥିବା ସବୁଜ ଘାସ ପଡ଼ିଆର କଥା ମନେ ପଡ଼ିଯାଏ, କୋଉ ଗଛଡାଳରେ ଥିବା ସବୁଜ କଅଁଳ ପତ୍ରଗୁଛମାନ ବି ମନେ ପଡ଼ିଯାଏ । ସବୁଜ ରଙ୍ଗ ସବୁଜ ପ୍ରକୃତିର ସୂଚନା ଦିଏ । ସହରର ମଣିଷ ସବୁଜ ରଙ୍ଗକୁ ମନେ ପକାଇବା ମାତ୍ରକେ ତା’ ମନର ଆଖି ଆଗରେ ଗାଁଆଗଣ୍ଡାର ସବୁଜ ଛବି ଭାସିଯିବାକୁ ଲାଗେ । ଗାଆଁର ସବୁଜତୋଟା, ସବୁଜ ଧାନଖେତ, ସବୁଜ ଧରଣୀ ଓ ସବୁଜ ଚକ୍ରବାଳ ଇତ୍ୟାଦି, ଇତ୍ୟାଦି । ସବୁଜଲୋଭୀ ମନଟା ସହରଜୀବନର ବାସ୍ତବ ଧୂସରତାଗୁଡ଼ାକୁ ଛାଡ଼ି ଗାଆଁ ଆଡ଼େ ମାଡ଼ି ପଳାଏ । ପିଲାଦିନର କେତେକଥା ମନେ ପଡ଼ିଯାଏ । ସ୍ୱପ୍ନ ଦେଖିବାକୁ ଇଚ୍ଛା ହୁଏ । ପଛକୁ ଧାଇଁଯାଇ ଛାଡ଼ି ଆସିଥିବା କେଉଁ ପଲ୍ଲୀ କୋଡ଼ରେ ଆଶ୍ରୟ ନେବାକୁ ମନହୁଏ-। ଗାଆଁର ପିଲାଟିଏ ପରି ସେଠି କେଉଁ ମାଆର କାନି ଉଢ଼ୁଆଳରେ ଯାଇ ନିଶ୍ଚିନ୍ତ ଓ ନିଶ୍ଚଳ ହୋଇ ଠିଆ ହେବାକୁ ଭାରି ଲୋଭ ଲାଗେ ।

 

କିନ୍ତୁ ବିପ୍ଳବ କହିଲେ ସାଧାରଣତଃ ଏକ ସମ୍ପୂର୍ଣ୍ଣ ଅନ୍ୟ ଆଦେଶକୁ ବୁଝାଏ । ଲାଠି, ବନ୍ଧୁକ ଓ ତରବାରୀ କଥା ମନେ ପଡ଼ିଯାଏ । ନାଲିଆ ରକ୍ତ ମନେ ପଡ଼ିଯାଏ । ବିଦ୍ରୋହ କହିଲେ ରକ୍ତପାତ ମନେ ପଡ଼େ । ଦେବୀଙ୍କ ପୂଜାରେ କୁଆଡ଼େ କେବଳ ନାଲିରଙ୍ଗର ଫୁଲମାନ ଦରକାର ହୁଏ । ସେଥିଲାଗି ଦେବୀଙ୍କର ସ୍ତୁତିରେ ରକ୍ତ ମନ୍ଦାର ଓ ରକ୍ତଜବାର ମୁହୁର୍ମୁହୁଃ ଉଲ୍ଲେଖ କରାଯାଇଥାଏ । ନାଲିଆ ରଙ୍ଗ ନ ଦେଖିଲେ କୁଆଡ଼େ ଦେବୀ ମୋଟେ ପ୍ରସନ୍ନ ହୁଅନ୍ତି ନାହିଁ । ସେଥିଲାଗି ଜୀଅନ୍ତା ପଶୁ ହାଣି ଦେବୀଙ୍କ ପାଖରେ ନାଲିଆ ରକ୍ତର ନୈବେଦ୍ୟ କରାଯାଇଥାଏ । ଆଦିବାସୀ ଗାଆଁର ବେଜୁ ବଳି ପଡ଼ିଥିବା ବୋଦାଗୁଡ଼ିକର ବେକରୁ ପିଚ୍‌ପିଚ୍‌ ହୋଇ ବାହାରୁଥିବା ରକ୍ତର ମୁହଁ ଲଗାଇ ପିଇଯାଏ । ତଦ୍ଦ୍ୱାରା ତା’ଠାରେ ଦେବୀ ଶକ୍ତି ବା ଦୈବୀ ଶକ୍ତିର ଆବିର୍ଭାବ ହୁଏ ବୋଲି ସମସ୍ତେ ବିଶ୍ୱାସ କରନ୍ତି । ବିପ୍ଳବ ବା ବିଦ୍ରୋହର ଦେବୀ ମଧ୍ୟ ସେହିପରି ରକ୍ତର ବାସନା ରଖିଥାନ୍ତି । ବିପ୍ଳବର ପତାକା ବୋଲି କୁହାଗଲେ ସମସ୍ତେ ସାଧାରଣତଃ ନାଲି ରଙ୍ଗର ଏକ ପତାକାକୁ ସ୍ମରଣ କରନ୍ତି । ଆଜିକୁ ପଚାଶ ବର୍ଷ ତଳେ ଋଷିଆରେ ଯେଉଁ ବିପ୍ଳବ ହୋଇଥିଲା, ତାହା ନଭେମ୍ୱର ମାସରେ ହୋଇଥିଲା । ଏବେ ବି ସେହି ମାସଟାକୁ ଲାଲ ନଭେମ୍ୱର ବୋଲି କୁହାଯାଏ । ବିପ୍ଳବ ଭିଆଇଥିବା ଓ ଶତ୍ରୁଗଡ଼ ଉପରେ ବିଜୟ ହାସଲ କରିଥିବା ସେବର ସେହି ସଶସ୍ତ୍ର ବାହିନୀର ପ୍ରେରଣା ପରମ୍ପରାଟିକୁ ରକ୍ଷା କରି ଆଜି ବି ଋଷିଆର ସୈନ୍ୟବାହିନୀକୁ ଲାଲସେନା ବା ଲାଲବାହିନୀ ବୋଲି କୁହାଯାଉଚି ।

 

ତେଣୁ ଯେଉଁମାନେ ସବୁଜ ସହିତ ବିପ୍ଳବକୁ ଆଣି ଯୋଡ଼ିବାର ଅଭିଲା ନୂଆ ଚେଷ୍ଟା କରନ୍ତି, ସେମାନଙ୍କର ଉଦ୍ୟମ ଆମକୁ ହଠାତ୍ ବଡ଼ ଖାପଛଡ଼ା ଓ ଖଟକା ଲାଗିବା ଅତି ସ୍ୱାଭାବିକ । କାରଣ ଲାଲପତାକା ଜାଗାରେ ବିପ୍ଳବୀମାନେ ସବୁଜ ପତାକା ଧରି ବାହାରିଲେ ତାହା କାହାକୁ ଖଟକା ନ ଲାଗିବ ? ଲାଲ ନଭେମ୍ୱରକୁ ସବୁଜ ନଭେମ୍ୱର ବା ଲାଲାସେନାକୁ ସବୁଜ ସେନା ବୋଲି କହିଲେ ଏଠି ଆମକୁ ମଧ୍ୟ ହସ ଲାଗିବ । ତେଣୁ ସେଠି ଋଷିଆ ଦେଶରେ ସେଇଟା ଯେ କେଡ଼େ ଲଜ୍ଜାକର ବ୍ୟାପାର ହୋଇପାରେ ସେକଥା ବେଶ୍ ସହଜରେ ଅନୁମାନ କରାଯାଇପାରେ । ଚୀନ ଦେଶର ବିପ୍ଳବକୁ ଏ ପର୍ଯ୍ୟନ୍ତ ଆପଣାର ଇଚ୍ଛାନୁରୂପ ମଣ କରିପାରି ନ ଥିବା ରେଡ଼୍‌ ଗାର୍ଡ଼୍‍ମାନଙ୍କୁ କାଲିଠାରୁ ସବୁଜଗାର୍ଡ଼ ବୋଲି କୁହାଗଲେ ସେଥିରେ ବି ବଡ଼ ରସଭଙ୍ଗ ହେବାର ବିପତ୍ତି ରହିଚି । ତେଣୁ ସବୁଜ ସହିତ ବିପ୍ଳବକୁ ଆଣି ଯୋଡ଼ିଦେଲେ ପାରମ୍ପରିକ ଆଖିରେ ତଦ୍ଦ୍ୱାରା ସବୁଜ ଓ ବିପ୍ଳବ ଦୁଇଟିଯାକର ମାନହାନି କରିବା ପରି ମନେହେବ ।

 

ମାତ୍ର ବିପ୍ଳବ ଭିତରେ ନ ହେଲେ ମଧ୍ୟ ସାହିତ୍ୟ ଭିତରେ ସଚରାଚର ଏକ ସବୁଜ ପରମ୍ପରା ରହିଆସିଚି । ସବୁଜ ରଙ୍ଗକୁ ‘ସରଳ’ ପଲ୍ଲୀ ଜୀବନର ପ୍ରତୀକରୂପେ ଗ୍ରହଣ କରି Pastoral Poetry ଏବଂ Pastoral ସାହିତ୍ୟ ଦୃଷ୍ଟିର ଗୋଟିଏ ପରମ୍ପରା ନାନା ସାହିତ୍ୟରେ ରହିଚି । ଇଉରୋପର ଚିତ୍ରକଳାରେ ମଧ୍ୟ ଆମେ ଗୋଟିଏ ଯୁଗରେ ଏହି Pastoral ବା ସବୁଜ ପ୍ରକୃତିର ପ୍ରାଦୁର୍ଭାବ ଭାରି ଦେଖିବାକୁ ପାଇବା । ଆମର ଏହି ଶତାଦ୍ଦୀର ଆରମ୍ଭ ସମୟରେ ବଙ୍ଗଳା ସାହିତ୍ୟରେ ଶ୍ରୀ ପ୍ରଥମ ଚୌଧୁରୀ ସବୁଜ ଯୁଗର ପ୍ରବର୍ତ୍ତନ କରାଇଥିଲେ । ନିଜେ ଗୋଟିଏ ନୂଆ ପତ୍ରିକା ବାହାର କରି ସେ ତାର ନାମ ‘ସବୁଜପତ୍ର’ ଦେଇଥିଲେ । ପୁରଣା ସାହିତ୍ୟ ପରମ୍ପରାର ଥୁଣ୍ଟା ଡାଳରେ ନୂତନ ପରମ୍ପରାର ନୂଆ ପତରଗଜା ବାହାର କରିବାର ନବପ୍ରବର୍ତ୍ତନଜନିତ ଉତ୍ସାହରେ ସେ ଆପଣାକୁ ଏକ ସବୁଜ ପରମ୍ପରାର ପୂରୋଗାମୀ ବୋଲି ଘୋଷଣା କରିଥିଲେ । ଖୋଦ୍ ରବୀନ୍ଦ୍ରନାଥ ମଧ୍ୟ ଏହି ସବୁଜର ନୂଆ ନିବେଦନରେ ସେତେବେଳେ କମ୍ ଆକୃଷ୍ଟ ହୋଇ ନଥିଲେ । ବଙ୍ଗଳା ସାହିତ୍ୟର ସେହି ପ୍ରେରଣା ତତ୍କାଳୀନ କେତେଜଣ ଯୁବକଙ୍କର ଉତ୍ସାହ ବୋଇତରେ ବସି ଓଡ଼ିଶାଯାଏ ବି ରପ୍ତାନୀ ହୋଇ ଆସିଥିଲା । ଏଠି ମଧ୍ୟ ‘ସବୁଜ ସାହିତ୍ୟ ସମିତି’ ଗଢ଼ା ହୋଇଥିଲା । ନୂଆ ଛନ୍ଦ, ନୂଆ ଆଭିମୁଖ୍ୟ ଓ ନୂତନ ପ୍ରୟୋଗରେ କବିତା ଲେଖାହେଲା, ନୂଆ ଢଙ୍ଗରେ ଉପନ୍ୟାସ ଲେଖାହେଲା । ଆମ ସାହିତ୍ୟରେ ନୂଆ ଯୁଗ ଆସିଲା, ନୂଆ ପବନ ବୋହିଲା, ନୂଆ ସ୍ୱପ୍ନ ଘାରିଲା । ସେବର ସେହି ସବୁଜ ଯୁଗର ପ୍ରତିନିଧିମାନେ ଆଜି ବୁଢ଼ା ହେଲେଣି, ସାହିତ୍ୟରେ ପ୍ରତିଷ୍ଠିତ ହୋଇ ସାରିଲେଣି । କଅଁଳ ପତର ହଳଦିଆ ହେଲାଣି । ନାଲିଆ ତାଜାରକ୍ତ ପୁରୁଣା ହୋଇ ଯେମିତି ଖଇରିଆ ହୋଇଆସେ, ଠିକ୍ ସେମିତି । ଏହିପରି ଏକ ରୀତିରେ ପଡ଼ି ଗୋଟାଏ ଗୋଟାଏ ବିପ୍ଳବ ମଧ୍ୟ କାଳକ୍ରମେ ଖଇରିଆ ପଡ଼ିଆସେ । ଖାଲି ଜଣେ ଜଣେ ନୁହନ୍ତି, ଦଳକୁ ଦଳ ବିପ୍ଳବୀ ବି ଖଇରିଆ ପଡ଼ି ଆସନ୍ତି । ମଣିଷ ବୁଢ଼ା ହୋଇଯାଏ, ବିଚରା ବୁଢ଼ା ହୋଇଯାଏ, ବିପ୍ଳବ ବୁଢ଼ା ହୋଇଯାଏ । ବୁଢ଼ା କାଳ ହସିବାରେ ଲାଗିଥାଏ । ଇତିହାସର ଅର୍ଥାତ୍ ମଣିଷ ଭାଗ୍ୟର ପୁନରାବୃତ୍ତି ହୁଏ ।

 

ଅଧ୍ୟାତ୍ମସାଧନାର ଶାସ୍ତ୍ରରେ ବିଭିନ୍ନ ରଙ୍ଗକୁ ବିଭିନ୍ନ ଭାବ ଓ ବିଭୂତିର ପ୍ରତୀକ ରୂପେ ବ୍ୟବହାର କରାଯାଇଚି । ଖାଲି ଆମ ଦେଶରେ ନୁହେଁ, ଇଉରୋପ ଓ ମିଶରରେ ମଧ୍ୟ କରାଯାଇଚି । ତନ୍ତ୍ରମାର୍ଗର ଆରୋହଣକ୍ରମରେ ବିଭିନ୍ନ ସ୍ତରରେ ବିଭିନ୍ନ ରଙ୍ଗର ଅବତାରଣା କରାଯାଇଚି । ସାଧକ ଯେତିକି ଯେତକି ଉପରକୁ ଯିବ, ଅର୍ଥାତ୍ ଆତ୍ମପରିଚୟର ଯେତିକି ଯେତିକି ନିକଟବର୍ତ୍ତୀ ହେବ, ବିଭିନ୍ନ ପର୍ଯ୍ୟାୟରେ ଆପଣାର ବୋଧିନେତ୍ରରେ ସେ ବିଭିନ୍ନ ରଙ୍ଗ ଦେଖିବାକୁ ପାଇବ ଓ ସେଇଥିରୁ ସେ ଆପଣା ମାର୍ଗଚାରଣାର ପ୍ରତ୍ୟୟଲାଭ କରୁଥିବ । ଆଧୁନିକ ମନବିଜ୍ଞାନରେ ବିଭିନ୍ନ ଲୋକଙ୍କର ବିଭିନ୍ନ ରଙ୍ଗପ୍ରତି ବିଶେଷ ରୁଚି ରହିଚି ବୋଲି କୁହାଯାଇଥାଏ । ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରାକୃତିକ ଓ ସାମାଜିକ ପରିବେଶରେ ମଧ୍ୟ ଭିନ୍ନ ଭିନ୍ନ ରଙ୍ଗ ଲାଗି ବିଶେଷ ରୁଚି ବଢ଼ିଥାଏ ବୋଲି ମନୋବିଜ୍ଞାନରୁ ସୂଚନା ମିଳେ । କିଏ ଧଳା କମିଜ ପିନ୍ଧେ, କିଏ ଛାପିଛାପିକିଆ ବା ଛଉଛଉକା ପିନ୍ଧେ । କାହାକୁ ଚକଚକ ଓ ଜକଜକ ଭଲ ଲଗେ ତ କିଏ ଅତି ଆଦରରେ ଛୁଞ୍ଚକନା ଓ ଚୁଚୁନ୍ଦ୍ରା ରଙ୍ଗକୁ ମନ ବଳାଏ । ଗେରୁଆ ନଥିଲେ ସନ୍ନ୍ୟାସୀ ସନ୍ନ୍ୟାସୀ ପରି ଦିଶେ ନାହିଁ । ହଁ, ସମଗ୍ର ମନର ବିଭିନ୍ନ ଅଭିରୁଚି ସ୍ତର ଅନୁସାରେ ରଙ୍ଗ ବିଷୟରେ ମଣିଷର ରୁଚି ମଧ୍ୟ ବଦଳି ବଦଳି ଯାଉଥାଏ ବୋଲି ମନଃ-ଚିକିତ୍ସକମାନେ ମତ ଦେଇଥାନ୍ତି । ତେଣୁ ଲାଲ ବିପ୍ଳବ ଓ ସବୁଜ ବିପ୍ଳବ ପଛରେ ରହିଥିବା ବୈପ୍ଳବିକ ରୁଚି ଯେ ପରସ୍ପରଠାରୁ ହୁଏତ ଭିନ୍ନ ବି ହୋଇପାରେ, ଏପରି କହିବା ଲାଗି ଏକାଧିକ କାରଣ ରହିଚି ।

 

ଅସନ୍ତୋଷ ଅସହିଷ୍ଣୁ ହେଲେ ସେଥିରୁ ବିପ୍ଳବର ଜନ୍ମ ହୁଏ । ବର୍ତ୍ତମାନ ପ୍ରତି ଅସନ୍ତୁଷ୍ଟ ହୋଇ ବିପ୍ଳବାକାଂକ୍ଷୀ ମଣିଷ ଏକ ସୁନ୍ଦରତର ଭବିଷ୍ୟତର ସ୍ୱପ୍ନ ଦେଖେ । ସେହି ଭବିଷ୍ୟତକୁ ଓ ସେହି ସ୍ୱପ୍ନକୁ ସେ ସାମାଜିକ ଓ ରାଜନୀତିକ ହାତଗୋଡ଼ ଦେବାକୁ ଚେଷ୍ଟା କରେ । ସେଇଥିରୁ ଆଦର୍ଶବାଦ ବାହାରେ । ବର୍ତ୍ତମାନ ଯାହା ଅଛି, ତାହାକୁ ଭାଙ୍ଗି କଳ୍ପିତ ଆଦର୍ଶବାଦର ଆବଶ୍ୟକତା ଅନୁସାରେ ସବୁ ନୂଆକରି ଗଢ଼ିବା ସକାଶେ ନୂଆ ସୂତ୍ରର ବ୍ୟାଖ୍ୟା କରାଯାଏ, ନୂଆ ମନ୍ତ୍ରରେ ଦୀକ୍ଷା ଦିଆଯାଏ । ନୂତନ ଦେବୀଭକ୍ତମାନଙ୍କର ଇଚ୍ଛା ପୂରଣ କରାଇବାକୁ ନୂତନ ପତାକା ବାହାରେ, ନୂଆ ସ୍ଳୋଗାନ୍ ଦିଆଯାଏ । ନୂଆ ବାହିନୀ ଗଢ଼ାଯାଏ, ନୂଆ ନେତାକୁ ନୂଆ ପ୍ରକାର ସାଲିଉଟ୍ ଦିଆଯାଏ । ସବୁ ସଜବାଜ ସରିବାପରେ ରଞ୍ଜକରେ ନିଆଁ ଧରାଇ ଦିଆଯାଏ । ହୁତୁ ହୁତୁ ହୋଇ ବିପ୍ଳବ ଜଳେ, ଆଖିବୁଜି ରକ୍ତପାତ ହୁଏ, ରକ୍ତ ଢଳାହୁଏ । କ୍ଷମତାସୀନମାନଙ୍କର ନିପାତ ହୁଏ ଏବଂ ବିପ୍ଳବୀମାନେ କ୍ଷମତାରେ ଆସି ବସନ୍ତି । ଆଗର ସବୁ ସ୍ୱପ୍ନ ସାର୍ଥକ ହୋଇ ଗଲାପରି ଲାଗେ । ଏଣୁ ଅନ୍ୟମାନଙ୍କୁ ଆଉ ଅଧିକ ସ୍ୱପ୍ନ ନ ଦେଖିବାଲାଗି ସତର୍କ କରି ଦିଆଯାଏ । ପୁଣି ଗାଡ଼ି ଅଟକିଯାଏ । ବିପ୍ଳବୀମାନେ ପରମ ସନ୍ତୋଷର ସହଜ ମୁକୁଟ ପିନ୍ଧି ଗାଦିରେ ବସିରହନ୍ତି । ବସୁଦେବର ଅନ୍ଧାରଘରେ ହୁଏତ ଆଉ କେଉଁ କୃଷ୍ଣର ଜନ୍ମ ହେବଣି ବୋଲି ଆଶଙ୍କା କରି ଏମାନେ କଂସପରି ସବୁ ବିକ୍ରମର ଅଧିକାରୀ ହୋଇ ରହିଥିଲେ ମଧ୍ୟ ତଥାପି ତ୍ରସ୍ତ ହୋଇ ରହିଥାନ୍ତି ।

 

ଏପରି ଏକ ବାସ୍ତବ ପୃଷ୍ଠଭୂମି ଉପରେ ଏହି ସବୁଜ ବିପ୍ଳବ ପୁଣି ଅଧିକ କ’ଣ କରିବ ? ରକ୍ତ ନ ବୁହାଇ କ’ଣ ଏହା ତଥାପି ବିପ୍ଳବକୁ ସମ୍ଭବ କରିପାରିବ ?

 

କ୍ଷମତାର କୂଅ ଭିତରକୁ ଡେଇଁ ନ ପଡ଼ି ଏହା ଆହୁରି ନୂଆ କିଛି କରିବାକୁ ମନ ବଳାଇବ କି ? କୌଣସି ଏକ ଆଦର୍ଶବାଦର ଦଉଡ଼ିରେ ଆପେ ଛନ୍ଦିହୋଇ ତାହା ଅତି କ୍ରୂର ଭାବରେ ସଂସାରର ସମସ୍ତଙ୍କୁ ମଧ୍ୟ ସେହିପରି ଛନ୍ଦି ହେବାକୁ ବାଧ୍ୟ କରିବ ନାହିଁ ତ ? ତେବେ ଲାଲବିପ୍ଳବ ତୁଳନାରେ ସବୁଜ ବିପ୍ଳବର ବିଶେଷତ୍ୱ ଆଉ କଅଣ ରହିବ ? ସନ୍ଦେହୀ ମନ ସ୍ୱତଃ ଏହିପରି ନାନା ପ୍ରଶ୍ନ ପଚାରି ବସିଥାଏ ।

 

ପ୍ରତ୍ୟେକ ମଣିଷ ଭିତରେ ଅମିତ ସମ୍ଭାବନାମାନ ରହିଚି । ଧର୍ମ ଆମକୁ ମୂଳତଃ ଏଇକଥା କହି ଆସିଥିଲା; ମାନବିକ ଜୀବନପ୍ରେରଣାର ଅଧ୍ୟୟନ କରୁଥିବା ଯାବତୀୟ ବିଜ୍ଞାନ ମଧ୍ୟ ଏବେ ଠିକ୍ ସେଇକଥା କହୁଚି । ମାତ୍ର ଆମ ଇତିହାସର ଧର୍ମଗୁଡ଼ାକ ନାନା ଆନୁଷ୍ଠାନିକତାରେ ଆପଣାକୁ ହରାଇ ବସିଥିଲା ପରି ଆମ ବିଜ୍ଞାନ ମଧ୍ୟ ନାନା ଅନ୍ଧତା ଭିତରେ ଆପଣାକୁ ହରାଇ ବସିଚି । କ୍ଷମତାଲୋଭୀ ମଣିଷର ହାତରେ ପଡ଼ି ଧର୍ମ କେଡ଼େ କେଡ଼େ ଅଧର୍ମମାନ ଭିଆଇଚି । ନାନବିଧ ଅନ୍ୟାୟକୁ ବୋଲ ମାନି ସହିଯିବାଲଗି ତାହା ମଣିଷର ବିବେକକୁ ଶୀତଳ କରି ରଖିଚି । ଠିକ୍‌ ସେହିପରି କ୍ଷମତାଲୋଭୀର ହାତରେ ପଡ଼ିଯାଇଥିବାରୁ ଏବେ ବିଜ୍ଞାନ ମଧ ମଣିଷର ଯେଉଁ ଅଭ୍ୟୁଦୟମାନ ଘଟାଇ ପାରିଥାନ୍ତା, ତାହା ଆଉ କରିପାରୁନାହିଁ । ଧର୍ମ ତଥା ବିଜ୍ଞାନ ଉଭୟେ Establishment ହାତରେ ପଡ଼ିଯାଇଚନ୍ତି, ଅର୍ଥାତ୍‌ ମହନ୍ତମାନଙ୍କ ହାତରେ ପଡ଼ିଯାଇଚନ୍ତି । ସେଥିଲାଗି ସବୁଠାରୁ ଅଧିକ ସମ୍ପନ୍ନ ଓ ଅଧିକ ସମ୍ଭାବନାମୟ ଏ ଯୁଗରେ ଆମେ ମଣିଷ ହିସାବରେ ଆଜି ସବୁଠୁଁ ଅଧିକ ବୋକା ବନିକରି ରହିଚୁ । ସମସ୍ତଙ୍କର ପେଟ ପୂରିବାଲାଗି ଆମ ସଂସାରରେ ଯଥେଷ୍ଟ ଅନ୍ନ ରହିଚି, ଯଥେଷ୍ଟ ଧନ ରହିଚି, ତଥାପି ଏହି ପୃଥିବୀରେ ଅଧିକରୁ ବେଶୀ ଲୋକଙ୍କର ପେଟ ପୂରୁନାହିଁ । ସମସ୍ତେ ପାଠ ପଢ଼ିପାରିବା ଲାଗି ଆମ ସଂସାରରେ ଅମିତ ପରିମାଣରେ ଜ୍ଞାନସାମଗ୍ରୀ ଓ ଜ୍ଞାନଲାଭର ସାଧନାମାନ ରହିଚି । ତଥାପି ପୃଥିବୀର ଅଧେ ପିଲା ଆଜି କୌଣସିପ୍ରକାର ବିଦ୍ୟାଳୟର ମୁହଁ ଦେଖି ପାରୁନାହାନ୍ତି । ଚିକିତ୍ସାବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ସଂସାରରେ ରୋଗ ଓ ରୋଗୀଙ୍କର ସଂଖ୍ୟା ବଢ଼ୁଚି । ମଣିଷ ପରସ୍ପରର ନିକଟତର ହୋଇ ପାରିବାର ସାଧନମାନ ବଢ଼ିବା ସଙ୍ଗେ ସଙ୍ଗେ ମଣିଷଠାରୁ ମଣିଷ ଅଧିକ ଦୂରଛଡ଼ା ହୋଇଯାଉଚି । ବିପ୍ଳବପରେ ବିପ୍ଳବ ହେବାରେ ଲାଗିଚି, ତଥାପି ଦୁଃଖ ଯାଉନାହିଁ । ଗୋଟାଏ ଠକାମିର ପ୍ରତିଶୋଧ ନେବାକୁ ଯାଇ ମଣିଷ ଆଉ ଗୋଟାଏ ଠକାମିର ପାଲରେ ପଡ଼ିଯାଉଚି । ଆଦର୍ଶବାଦରେ ପେଟ ପୂରୁନାହିଁ– ଜୀବନର ଭୋକଗୁଡ଼ାକ ଆଦୌ ମେଣ୍ଟି ପାରୁନାହିଁ । ଆଗାମୀକାଲିର ସୁନାଫଳ ଦେଖଇ ଆଦର୍ଶବାଦୀମାନେ ଆମକୁ, ବଡ଼ କୌଶଳରେ ଆଜିର ଆହ୍ୱାନଗୁଡ଼ିକରୁ ଭଣ୍ତାଇ ଓ ହୁରୁଡ଼ାଇ ରଖୁଛନ୍ତି । ଆଦର୍ଶବାଦର ପ୍ରକୋପ କରିବା ସଙ୍ଗେ ସଙ୍ଗେ ଆମର ଚତୁର୍ଦ୍ଦିଗକୁ ବିପନ୍ନ କରି କ୍ରୂରତାମାନ ବଢ଼ିବାରେ ଲାଗିଚି । ନାନା ପ୍ରକାର ଅଫିମ ଖାଇ ବସିଥିବା ମଣିଷ ସେଗୁଡ଼ାକୁ ବେଶ୍‌ ଦେହସୁହା କରି ନେଲାଣି । ସକଳ ସତ୍ୟ ଓ ଜୀବନ ମୂଲ୍ୟକୁ ଗ୍ରାସକରି କ୍ଷମତାରେହିଁ ରାଜତ୍ୱ ଚାଲିଚି, ମଣିଷ ଉପରେ ବର୍ବର ବୃତ୍ତିର ରାଜତ୍ୱ ଚାଲିଚି । କଳା, ସାହିତ୍ୟ, ରାଜନୀତି ଓ ରାଷ୍ଟ୍ରନୀତି– ଏଗୁଡ଼ାକ ଆଉ ମଣିଷଲାଗି ଚାଲୁନାହିଁ । କାରଣ ମଣିଷର ଉଧେଇ ପାରିବା ଲାଗି ଏ ସବୁଥିରେ ଆଉ ବେଶୀକିଛି ହେଉନାହିଁ । ଜୀବନକୁ ବୁଡ଼ାଇ ରଙ୍ଗର ନିଷ୍ଠୁର ମଉଜ ଚାଲିଚି । ଏସବୁ କାହିଁକି ହେଉଚି ? ଏପରି କାହିଁକି ହେଇଚି ? ଯିଏ ଆତ୍ମସ୍ଥ ହୋଇ ଆପଣାକୁ ଓ ଏହି ଯୁଗକୁ ଏତିକି ପଚାରିବାର ସାହସ ଅର୍ଜନ କରିପାରିବ, ହୁଏତ ସେଇ ଏହି ପ୍ରଶ୍ନ ଦୁଇଟିର ଜବାବ ପାଇବ ।

 

ବିପ୍ଳବ କରିପାରିବାକୁ ହେଲେ ସବୁଜକୁ ମଧ୍ୟ ପ୍ରତ୍ୟେକ ମଣିଷର ଭିତରେ ରହିଥିବା ଅମିତ ସମ୍ଭାବନା ଉପରେ ବିଶ୍ୱାସ ରଖିବାକୁ ହେବ । ଆପଣା ଭିତରେ ରହିଥିବା ଅମିତ ସମ୍ଭାବନା ଉପରେ ମଧ୍ୟ ସେ ବିଶ୍ୱାସ ରଖିବ । ଆଜି ମଣିଷକୁ ଯେଉଁଠି ଯେତେପ୍ରକାର ବଞ୍ଚିତ ଓ ପ୍ରବଞ୍ଚିତ କରି ରଖାଯାଉଚି, ସେ ସେଇଠି ତାହାକୁ ଆପଣା ଉପରେ ମଧ୍ୟ ଏକ ଆଘାତରୂପେ ଅନୂଭବ କରିବ, ଆପଣା ଲାଗି ଓ ଆପଣା ସାମର୍ଥ୍ୟଗୁଡ଼ିକ ଲାଗି ଏକ ଅପମାନରୂପେ ଅନୁଭବ କରିବ । ସେଥିରୁ ଯେଉଁ ତୀବ୍ର ଅସନ୍ତୋଷ ଉପୁଜିବ, ସେହି ଅସନ୍ତୋଷ ତାକୁ ନୂତନ ବିପ୍ଳବଲାଗି ଆଖି ଯୋଗାଇ ଦେବ, ନୂତନ ପରିବର୍ତ୍ତନ ଲାଗି ଶ୍ରଦ୍ଧା ଯୋଗାଇଦେବ, ନୂତନର ଘୋଷଣା ଲାଗି ତାକୁ ସାହସ ଯୋଗାଇଦେବ । ସେ ଯଦି ସାହିତ୍ୟିକ ହୋଇଥିବ, ତେବେ ସେ ସାହିତ୍ୟର ମାଧ୍ୟମରେ ଏହି ନୂତନ ଶ୍ରଦ୍ଧା ଓ ସାହସର ପରିଚୟ ଦେବାକୁ ବାହାରିବ । ସେ ଯଦି କଳାକାର ହୋଇଥିବ, କେବେ ତା’ରି ହାତରେ କଳାସୃଷ୍ଟି ସେହି ନୂତନ ଅଭିଳାଷର ବାର୍ତ୍ତାବହ ହୋଇ ବାହାରି ପଡ଼ିବ । ଆପଣାର ଅତୃପ୍ତିଗୁଡ଼ାକ ମେଣ୍ଟାଇବାକୁ ଅନ୍ୟ ଅନେକେ ଅବକ୍ଷୟର ଉଗ୍ରୋକ୍ତିମାନ ଉଦ୍‌ଗାରୁ ଥିବାବେଳେ ସେ ଜୀବନ-ବାସନାର ଶୁଭ ସନ୍ଧାନରେ ବାହାରିବ । ତା’ର ରାଜନୀତି ମଣିଷକୁ କେନ୍ଦ୍ରରେ ରଖି ଆଗାମୀର ସ୍ୱପ୍ନ ଦେଖିବ, ମଣିଷକୁ କୋଉ ଆଦର୍ଶବାଦୀ କ୍ରୂରତାର ଯୁଆଳିରେ ଯୋଚି ଦେଇ ସେ ନୀତିଭ୍ରଷ୍ଟ ହେବନାହିଁ । ଏସବୁ ଲାଗି କୌଣସି ପ୍ରକାର ପଚଣ୍ତତାର ଆବଶ୍ୟକତା ନାହିଁ, ତାରୁଣ୍ୟର ଆବଶ୍ୟକତା ରହିଚି । ଯେଉଁ ତାରୁଣ୍ୟ ସବୁରି ଭିତରେ ରହିଥିବା ତାରୁଣ୍ୟର ସଖ୍ୟକାମନା କରି ବାହାରେ, ମୁଁ ଏଠାରେ ତାହାରି କଥା କହୁଚି । ଏସବୁ ଲାଗି କୋଳାହଳ କରିବାର ଆବଶ୍ୟକତା ନାହିଁ, ମୁଣ୍ତ ଫଟାଇବାର ବି ଆବଶ୍ୟକତା ନାହିଁ । ସେଗୁଡ଼ାକତ ଆଗରୁ ଅନେକବାର ହୋଇଚି, ଏବେ ବି କିଛି କମ୍‌ ହେଉନାହିଁ । ବିପ୍ଳବୀ ହେବାକୁ ମନ କରୁଥିବା ସବୁଜ ଆପଣାର ବିଶ୍ୱାସ ବଢ଼ାଉ, ସାହସ ବଢ଼ାଉ । ସତ୍ୟପ୍ରତି ଆଗ୍ରହ ବଢ଼ାଉ । ସେ ଜୀବନକୁ ଲୋଡ଼ୁ, ମଣିଷମାତ୍ରକେ ସମସ୍ତଙ୍କୁ ଲୋଡ଼ୁ, ସମସ୍ତଙ୍କ ଭିତରେ ମଣିଷକୁହିଁ ଲୋଡ଼ୁ । ତେବେ ଏ ଯୁଗର ପ୍ରତିଷ୍ଠିତ ପୁରୁଣା ଆସ୍ଥାନଗୁଡ଼ିକରେ ପରମ ସନ୍ତର୍ପଣରେ ଚାଲିଥିବା ସକଳ ଆଡ଼ମ୍ୱର ସମ୍ମୁଖରେ ସମ୍ମାନିତ ଓ ଶକ୍ତିମାନ ନିର୍ଭରର ସହିତ ଠିଆ ହେବାଲାଗି ତାକୁ ନିଶ୍ଚୟ ବାଟ ମିଳିଯିବ ।

 

ଇତିହାସର କୌଣସି ପୂର୍ବତନ ଯୁଗରେ ସବୁଜ ସବୁଜ କେବେହେଲେ ବିପ୍ଳବ କରି ବାହାରିନାହିଁ । ଆଦର୍ଶବାଦୀ ବିପ୍ଳବ କରିଚି, କ୍ଷମତାଲୋଭୀ କଉଶଳୀ ବିପ୍ଳବ କରିଚି ଏବଂ ସବୁଜମାନେ ଅଫିମଖାଇ ସେଇମାନଙ୍କ ପାଇଁ ଧାଇଚନ୍ତି । କେତେବେଳେ ଦେଶପାଇଁ, କେତେବେଳେ ଜାତି ପାଇଁ ଓ ପୁଣି କେତେବେଳେ ଭଗବାନଙ୍କ ପାଇଁ ସେମାନେ ବିପ୍ଳବର ଅନ୍ଧ ଗହୀରରେ ଭୂଆଁ ବୁଲିଚନ୍ତି । ଆପଣାର ଆଖିରେ ଆପଣା ଚାରିପାଖକୁ ଅନାଇ ଦେଖିବା ସକାଶେ ସବୁଜକୁ ଖୁବ୍‌ ବେଶୀ ଅବସର ଦିଆଯାଇ ନାହିଁ । ତାକୁ ଯେପରି ଭାବରେ ଯେଉଁଠି ଗୋଡ଼ ପକାଇବାକୁ କୁହାଯାଇଚି, ସେ ସେଠାରେ ଠିକ୍‌ ସେଇପରି ଭାବରେ ଗୋଡ଼ ପକାଇବାର ପାଠ ପଢ଼ି ଆସିଚି । ଫଳତଃ ଅଧିକାଂଶ କ୍ଷେତ୍ରରେ ସବୁଜ ସହୀଦ ହୋଇଛି ସତ, ମାତ୍ର ବିପ୍ଳବୀ ହୋଇ ପାରିନାହିଁ । ପୁରାତନ ସଂସ୍କାର ଅନୁସାରେ ସଂଘଟିତ ହୋଇ ଯାଇଥିବା ତଥାକଥିତ ବିପ୍ଳବଗୁଡ଼ାକରେ ସବୁଜ ଲାଗି ଅର୍ଥାତ୍‍ ତାରୁଣ୍ୟ ଲାଗି କୌଣସି ଥାନ ମିଳିନାହିଁ । ସବୁଜ ପତର ବୁଢ଼ା ହୋଇ ହଳଦିଆ ହେଲାପରି ସବୁଜ ମଧ୍ୟ ପୁରୁଷାନୁକ୍ରମରେ ଖାଲି ବୁଢ଼ା ହୋଇଯାଇଛି । ତାହାଦ୍ୱାରା ଯେଉଁ ବିପ୍ଳବ ହୋଇ ପାରିଥାନ୍ତା, ତାହା ହେବାକୁ ଏବେ ମଧ୍ୟ ବାକୀ ରହିଚି ।

 

ସବୁଜ ଯେଉଁ ବିପ୍ଳବ କରିବ, ସେଥିରେ ସେ ନିଜେ ନେତୃତ୍ୱ ନେବ । ସେହି ନେତୃତ୍ୱର ଦୃଷ୍ଟି ଜାତି, ଦେଶ, ଧର୍ମ ଓ ଆଦର୍ଶବାଦର ସକଳ ସ୍ୱାର୍ଥକାମୀ ବାଡ଼କୁ ଡେଇଁ ଚାଲିଯିବ । ତା’ ବିଚାରର ମାନଚିତ୍ର ଉପରେ କଳା ଓ ଗୋରା ଭିତରେ କୌଣସି ଭେଦ ରହିବ ନାହିଁ, ଧୋବ ଓ ମହଳ ଭିତରେ କୌଣସି ଭେଦ ରହିବ ନାହିଁ, ଆଦିମ ଓ ଆଧୁନିକ ଭିତରେ ମଧ୍ୟ କୌଣସି ଭେଦ ରହିବ ନାହିଁ । ମଣିଷର ମଣିଷପଣିଆକୁ ହିଁ ସେ ଆମ ପୃଥିବୀର ଆଦିମତମ ସମ୍ପତ୍ତି ବୋଲି ମାନିବ ଓ ସେଇ ମଣିଷପଣିଆର ପରିପୂର୍ଣ୍ଣ ବିକାଶପାଇଁ ଆବଶ୍ୟକ ବାଟମାନ ଫିଟଇ ଦେବାକୁ ସେ ଆଧୁନିକତମ ଉଦ୍ୟମ ବୋଲି ଜାଣିବ । ଏହି ଉଦ୍ୟମର ଆୟତନ ଭିତରୁ କଳା, ସାହିତ୍ୟ, ଧର୍ମ ରାଜନୀତି କୌଣସିଟି ବାଦ ଯିବନାହିଁ । ଯେତେ ପୁରୁଣା ହେଲେ ମଧ୍ୟ ଜୀବନସ୍ୱପ୍ନର ଶାଶ୍ୱତ ନିର୍ଭରଗୁଡ଼ିକ ବି କଦାପି ବାଦ ଯିବନାହିଁ ।

 

ସଂସାରଯାକ ସବୁ କ୍ଷେତ୍ରରେ ବୁଢ଼ାଯାକ ଏକାଠି ହୋଇ କେବଳ ଅବକ୍ଷୟର ନିରାଶାଗୁଡ଼ାକୁ ନେଇ ନାଗରା ପିଟୁଥିଲେ ମଧ୍ୟ ଭିତରେ ଥାଇ ଆଶାନ୍ୱିତ ହୃଦୟଟା ଯେପରି ତଥାପି କହିବାକୁ ଜିଦ୍‌ କରି ବସୁଚି ଯେ ଆମ ପୃଥିବୀର ଆଗାମୀ ବିପ୍ଳବ ଏହି ସବୁଜହିଁ କରିବ । ସଂସାରର ସବୁଦେଶ ଓ ଜାତିକୁ ଏକାଠି କରି ସବୁଜମାନେ ଯେପରି କ୍ରମେ ପରସ୍ପରକୁ ଠଉରାଇ ଚିହ୍ନାଚିହ୍ନି ହେବାକୁ ଆରମ୍ଭ କଲେଣି; କିଛି ହୋଇ ପାରିବ ନାହିଁ, ଅର୍ଥାତ୍‌ ସଂସାରରେ କୌଣସି ପ୍ରକାର ଯଥାର୍ଥ ପରିବର୍ତ୍ତନ ସମ୍ଭବ ହେବ ନାହିଁ ବୋଲି କହି ଆସୁଥିବା ତଥାକଥିତ ବାସ୍ତବବାଦୀ ବୁଢ଼ାତର୍କର ଦିନ ସରି ଆସୁଥିଲା ପରି ଲାଗୁଚି । ଆପଣାଭିତରର ଥୁଣ୍ଟାଡାଳ ଗୁଡ଼ାକରେ ନୂଆ ପତର କଅଁଳି ଉଠିଲାପରି ଲାଗୁଚି । ଯୁଦ୍ଧ, ଅନ୍ୟାୟ ଓ ଅମଣିଷତାର ରାତି ପାହି ଆସିଲା ପରି ମନେ ହେଉଚି । କାନ ଡେରି ପାରିଲେ ଆମେ ଆପଣା ଭିତରେ ମଧ୍ୟ ଏହିପରି ଏକ ସିନ୍ଦୁରା ଫାଟି ଆସିବାର ଆହ୍ୱାନକୁ ଅବଶ୍ୟ ଶୁଣିପାରିବା ।

 

(ସବୁଜ ବିପ୍ଳବ, ଜାନୁଆରୀ–ମାର୍ଚ୍ଚ, ୧୯୬୯)

☆☆☆

 

Unknown

ଯୁବ–ଉଦ୍‌ବେଳେନର ପ୍ରକାଶ

 

ଆମର ଏଠି ଅର୍ଥାତ୍‌ ଏହି ଦେଶରେ କିଭଳି ଏକ ଜଳବାୟୁ ଜୀବନର ଆକାଶକୁ ଘୋଟିକରି ରହିଛି କେଜାଣି, ସବୁଠାରେ ସମସ୍ତଙ୍କୁ ଖାଲି ନମାନିବା ରୋଗଟାହିଁ ଧରିଚି । ବଡ଼ଠାରୁ ସାନଯାଏ, ଉତ୍ତମଠାରୁ ଅଧମଯାଏ ସମସ୍ତେ ଅମାନିଆ ହେବାଟାକୁହିଁ ଯେପରି ଧର୍ମ ବୋଲି ଗ୍ରହଣ କରିଛନ୍ତି । ସାନମାନେ ବଡ଼ମାନଙ୍କୁ ମାନୁ ନାହାନ୍ତି, ସ୍କୁଲ ଓ କଲେଜର ପିଲାମାନେ ମାଷ୍ଟର ବା ଅଧ୍ୟାପକଙ୍କୁ ମାନୁନାହାନ୍ତି । ଯୁବକ ଓ ଯୁବତୀମାନେ ସମ୍ଭ୍ରମ ମାନୁନାହାନ୍ତି, ହୁଏତ କୌଣସି ପ୍ରକାର ଆଚାର ବି ମାନୁ ନାଦାନ୍ତି । ସାନଜାତି ବଡ଼ ଜାତିକୁ ମାନୁନାହାନ୍ତି । ତେଣୁ ଗ୍ରାମଜୀବନର ପାରମ୍ପରିକ ବେଭାରରେ ସତେ ଅବା ସବୁ ନୀତି କ୍ରମେ ଏକାବେଳକେ ଲୁପ୍ତ ହେବାକୁ ବସିଚି । କେବଳ ସେତିକି ନୁହେିଁ, ବଡ଼ମାନେ ବି ବଡ଼ ହେବାର ମର୍ଯ୍ୟାଦାକୁ ମାନୁନାହାନ୍ତି । ନେତାମାନେ ନୀତି ମାନୁନାହାନ୍ତି, ପାଠୁଆ ବୋଲାଇ ଟଙ୍କା କମାଉଥିବା ତଥାକଥିତ ଗୁଣୀଜନମାନେ ପାଠୁଆ ହେବାର ମର୍ଯ୍ୟାଦାକୁ ବି ମାନୁନାହାନ୍ତି । ସ୍କୁଲ କଲେକରେ ପାଠ ପଢ଼ାଇବା ଲାଗି ଯେଉଁମାନେ ବେତେନ ଭୋଗ କରୁଛନ୍ତି, ସେମାନେ ଆଉ ସବୁ କିଛି କରୁଚନ୍ତି ପଛକେ, ମାତ୍ର ପାଠ ପଢ଼ାଇବାର ବୋଲ ମାନୁନାହାନ୍ତି । ଦିନରାତି ଧର୍ମର ଦ୍ୱାହି ଦେଉଥିବା ଲୋକେ ଧର୍ମର ବୋଲ ମାନୁନାହାନ୍ତି; ଚିତା ଓ ଚଇତନରେ ବିଚିତ୍ରବେଶ ମଞ୍ଜୁଳ ହୋଇ ବସିଥିବା ଭୋକୀମାନେ ମନଇଚ୍ଛା ଚିତାକାଟି ପାରୁଚନ୍ତି ସତ, ମାତ୍ର ଆପଣା ଦୀକ୍ଷାର ମର୍ଯ୍ୟାଦାଟିକୁ ମାନୁନାହାନ୍ତି । ହକିମ କଚେରୀ ମାନୁନାହିଁ, ଆଇନ ତିଆରି କଲାବାଲା ଆଇନ ମାନୁନାହିଁ । ପୋଲିସ୍ ଅନୁଶାସନ ମାନୁନାହିଁ, ବେପାରୀ ବେପାରର ବିବେକକୁ ମାନୁନାହିଁ କିମ୍ୱା ସେବାର ବାଲିଗୁଡ଼ାକୁ ବଡ଼ ଚମତ୍କାର ପ୍ରକାରେ ପଇଟାଇ ରଖି ସେବାର ପଇତା ପିନ୍ଧିଥିବା ସେବକ ସେବାର ମୂଳ ଆଚାରଗୁଡ଼ାକୁ ମାନୁନାହିଁ ।

 

ବିଜ୍ଞ ଓ ପ୍ରବୀଣ ଲୋକମାନେ ଏହି ନ ମାନିବାର ରୋଗଟାର ନିଦାନ ନିରୂପଣ କରିବାକୁ ଯାଇ ଯୁଗଟା ଉପରେହିଁ ସବୁ ଦୋଷ ଅଜାଡ଼ି ଦେଉଚନ୍ତି । ସେମାନେ କହୁଚନ୍ତି ଯେ ଯୁଗ ଭ୍ରଷ୍ଟ ହୋଇଯାଉଚି ବୋଲି ଏଠି ସବୁ କିଛି ଭଷ୍ଟ୍ର ହୋଇଯାଉଛି । ଯେତେବେଳେ କଳି ଘୋର କଳିରେ ପରିଣତ ହେବ, ସେତେବେଳେ ନିପଟ ଅଧର୍ମ ଓ ଅନାଚାରଗୁଡ଼ାକ ଚତୁର୍ଦ୍ଦିଗରେ ବ୍ୟାପିଯିବ ବୋଲି ବିଧାତାଙ୍କର ବଜେଟରେ କୁଆଡ଼େ ଆଗରୁ ଲେଖା ହୋଇ ରହିଚି । ପାପପୁଣ୍ୟର ଗଣିତ ଅନୁସାରେ ନିର୍ଦ୍ଧାରିତ ହୋଇ ରହିଚି । ତେଣୁ ଯାହା ସବୁ ହେଉଚି, ସେଗୁଡ଼ାକ ହେବାର ଥିଲା, ତେଣୁ ହେଉଚି; ଯୁଗ ଶେଷ ହେବାକୁ ଯାଉଚି । ଯାହା ସବୁ ଘଟୁଚି, ସେଗୁଡ଼ାକ କେବଳ ଯୁଗ ଶେଷ ହେବାରହିଁ ଲକ୍ଷଣ; ତେଣୁ ଏ ବିଷୟରେ ନିଦାନ ଖୋଜି ଯିବାର ଆଉ କୌଣସି ପ୍ରଶ୍ନହିଁ ଉଠୁନାହିଁ । ଏହି ଲକ୍ଷଣଗୁଡ଼ାକ ଖାଲି ମଣିଷ ଭିତରେ ନୁହେଁ ବାହାର ପ୍ରକୃତିରେ ମଧ୍ୟ କ୍ରମେ ପ୍ରକାଶ ପାଇଲାଣି । ପ୍ରକୃତି ମଧ୍ୟ ସତେ ଅବା ଆଉ କୌଣସି ନିୟମ ମାନୁନାହିଁ । ଯେତେବେଳେ ପାଣି ବରଷିବା କଥା, ସେତେବେଳେ ଦାଣ୍ତରେ ଧୂଳି ଉଡ଼ୁଡ଼ି; ଯେତେବେଳେ ପାଣି ନ ବରଷିବା କଥା, ସେତିକିବେଳେ ବରଷୁଚି । ଯେତେବେଳେ ନଈ ଶୁଖିଲା ପଡ଼ିବା କଥା, ସେତେବେଳେ ବଢ଼ିପାଣି ମାଡ଼ିଆସୁଚି । ଯେଉଁଦିନ ବିହନ ଅନୁକୂଳ ହେବାର କଥା, ସେଦିନକୁ ବିଲରେ ଗାର ବି ପଡ଼ିପାରୁନାହିଁ । ଯେତେବେଳେ ଗଛରୁ ଧାନ ବାହାରିବା କଥା, ସେତେବଳେ ହୁଏତ ଧାନତଳି ଖୋଜା ହେଉଚି । ଯେଉଁମାନେ ଏପରି କହୁଛନ୍ତି ଅଥବା ଭାବୁଚନ୍ତି; ସେମାନେ ମାଳିକାରୁ ଆପଣା ଉକ୍ତିଗୁଡ଼ାକର ସମର୍ଥନ ଦେଉଚନ୍ତି । ମାଳିକା ଭିତରେ କୁଆଡ଼େ ସବୁକଥା ଲେଖାହୋଇ ରହିଚି । ତେଣୁ କିଛି କରିବାର ନାହିଁ, କେବଳ ଦେଖିବାକୁହିଁ ରହିଚି ।

 

ସମସ୍ତେ ଅମାନିଆ ହେଉଚନ୍ତି, ମାତ୍ର ପ୍ରଧାନତଃ ସାନମାନଙ୍କର ଅମାନିଆପଣଟାକୁ ନେଇ ନାଗରା ପିଟାଯାଉଚି । ସଭାଘରଠାରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ପ୍ରଧାନତଃ ସେଇମାନଙ୍କର ଅପବାଦଟାକୁ ନେଇ ହାଣ୍ତି ପିଟାଯାଉଚି । ସବୁଠାରେ ବଡ଼ମାନେ କହି ବୁଲୁଚନ୍ତି ଯେ ଏବେ ସାନମାନେ ଆଉ କିଛିହେଲେ ମାନିବାକୁ ରାଜି ହେଉନାହାନ୍ତି । ଏଥିରେ ଟିକିଏ କଥା ବଦଳାଇ ଆମେ ହୁଏତ କହିପାରିବା ଯେ ଏବେ ସାନମାନେ ବଡ଼ମାନଙ୍କର କୌଣସି କଥା ମାନିବାକୁ ରାଜି ହେଉନାହାନ୍ତି; ବଡ଼ମାନଙ୍କର ଦିମାକଖରଚ ହୋଇ ଗଢ଼ା ହୋଇଥିବା ଏହି ପୃଥିବୀରେ ସେମାନେ ସେମାନଙ୍କର ହୃଦୟକୁ ଘେନିଲାଭିଳି କିଛି ହେଲେ ଦେଖିବାକୁ ପାଉ ନାହାନ୍ତି । ତେଣୁ ସେହି ପୃଥିବୀଟାକୁ ସେମାନେ ଭାଙ୍ଗି ଦେବାକୁ ବାହାରିଛନ୍ତି ଏବଂ ସମ୍ଭବତଃ ସେଇଥିଲାଗି ବଡ଼ମାନେ ସବୁଠାରୁ ଅଧିକ ଦୁଃଖ ପାଉଚନ୍ତି । ସାନମାନଙ୍କର ଏହି ଭାଙ୍ଗିବା ଭିତରେ ସେମାନେ ସତେଅବା ଆପଣାର ପିତୁଳାରୂପଗୁଡ଼ାକ ଭାଙ୍ଗି ଯାଉଥିବା ପରି ଅନୁଭବ କରୁଚନ୍ତି ଓ ସେହି ଦୁଃଖରେ ତାପିତ ଓ ତାଡ଼ିତ ହୋଇ ସେମାନେ ସାନମାନେ ଏବେ କିଛି ମାନୁନାହାନ୍ତି ବୋଲି କହିବାରେ ଲାଗିଚନ୍ତି । ଖାଲି ଆମର ଏଇ ଦେଶରେ ନୁହେଁ, ସାରା ପୃଥିବୀଯାକରେ । କୁବେରଦେଶ ଆମେରିକାଠାରୁ ଆରମ୍ଭକରି ଏକଛତ୍ର ଶାସନର ଦେଶ ସ୍ପେନ୍‌ ଓ ତୁରସ୍କ ପର୍ଯ୍ୟନ୍ତ ସବୁ ଦେଶରେ ଏହି ଅମାନିଆପଣ ଘୋଟିଯାଇଚି ।

 

ବିଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟର ପିଲାମାନେ ଆଜିକାଲି ବଡ଼ ବଡ଼ ବାଳ ରଖୁଚନ୍ତି, ବର୍ଷ ବର୍ଷ ଧରି ଭଦ୍ର ସମାଜର ସ୍ୱୀକୃତି ପାଇ ଆସିଥିବା ଫେସନ ବା ସଂସ୍କାରଗୁଡ଼ାକୁ ସତେ ଅବା କୌଣସି ପ୍ରକାର ଦ୍ୱିଧା ନ ରଖି ଛେପ ପକାଇବାରେ ଲାଗିଚନ୍ତି । ବେଶ ପୋଷାକ, ଛଇ ଓ ଛଟାଇ ଦରବାରରେ ସେମାନେ ସତେ ଅବା ବୈରାଗୀ ସାଜି ବାହାରିଚନ୍ତି । ସବୁ ଧର୍ମରେ ଧର୍ମର ନୁଆ ଭେକ ପିନ୍ଧି ନୂଆ ଅର୍ଥାତ୍‌ ବିଚିତ୍ର ଓ ବିଭିନ୍ନ ଦିଶିବା ବୋଧହୁଏ ସବୁଠାରୁ ବଡ଼ ସହଜ । ଅମାନିଆ ହେବାଟାକୁ ଯଦି ଗୋଟାଏ ଧର୍ମ ବୋଲି କଳ୍ପନା କରାଯାଏ, ତେବେ ସାମାଜିକ ଜୀବନର ଆଉ କୌଣସି ସ୍ତରରେ ବା ଆଉ କୌଣସି ମଞ୍ଚରେ ଅମାନିଆ ହେବାକୁ ବସିଥିବା ଯୁବକ ଅନେକ କ୍ଷେତ୍ରରେ ଯଥାର୍ଥରେ ଅମାନିଆ ହୋଇପାରିବା ଲାଗି ଆପଣାକୁ ଅସମର୍ଥ ଦେଖୁଚି ବୋଲି ହୁଏତ ବଡ଼ ସହଜରେ ଅମାନିଆ ଭେକଗୁଡ଼ାକ ପିନ୍ଧି ଦାଣ୍ତରେ ବାହାରିବାକୁ ମନ କରୁଚି । ତା ଦେଶର ଭଦ୍ର ସମାଜରେ ଯେଉଁସବୁ ସଙ୍ଗୀତକୁ ତୁଚ୍ଛ ଓ ଅଭଦ୍ରଜନୋଚିତ ବୋଲି କୁହାଯାଏ, ସେହି ସଙ୍ଗୀତ ଆଡ଼କୁ ସେ ଆଗ ମନ ବଳାଉଚି; ବେତାଳିଆ ବାଜା ବଜାଇ ସେଇଥିରୁ ଗୋଟାଏ ଲମ୍ଫନଧର୍ମୀ ସଙ୍ଗୀତାବେଶର ସୃଷ୍ଟି କରିବାରେ ସେ ଭାରି ଆଗ୍ରହ ଦେଖାଉଚି । ଯୋଉ ଶବ୍ଦଗୁଡ଼ାକ କେବେହେଲେ କୌଣସି ସଭାରେ ଚଳୁ ନଥିଲା, ଜାଣିବା ଶୁଣିବା ଲୋକମାନେ ଅର୍ଥାତ୍‌ ସିଆଣିଆ ବଡ଼ମାନେ ଯେଉଁସବୁ ଶବ୍ଦକୁ କେବଳ ଅତି ଅନ୍ତରଙ୍ଗ ମେଳରେ କେବଳ ଆପଣା ଆପଣା ମଧ୍ୟରେ କେବେ କହିପକାଇ ତାହାର ମଉଜଟାକୁ ଆସ୍ୱାଦନ କରନ୍ତି, ଆମ ସାନମାନେ ଥଳରେ ଓ ଅଥଳରେ ପ୍ରାୟ ଜାଣିଶୁଣି ସେହି ଶବ୍ଦଗୁଡ଼ାକର ହିଁ ବ୍ୟବହାର କରୁଚନ୍ତି । ବୁଢ଼ାମାନେ ନାକ ଟେକୁଚନ୍ତି, ଗୁରୁଜନମାନେ ଯୁଗଭ୍ରଷ୍ଟ ହୋଇଯିବାର ଗନ୍ଧ ପାଇ ପ୍ରମାଦ ଗଣୁଚନ୍ତି; ମାତ୍ର ସେମାନଙ୍କର ସେହି ନାକ ଟେକିବା ଓ ଛାନିଆ ହେବା ଗୁଡ଼ାକହିଁ ସେମାନଙ୍କୁ ଆପଣାର ଏହି ନୂଆ ଉପଚାରଗୁଡ଼ାକର ପ୍ରଦର୍ଶନ କରି ବାହାରିବା ଲାଗି ଅଧିକ ବେଗ ଓ ଅଧିକ ଉତ୍ସାହ ଦେବାରେ ଲାଗିଚି ।

 

କେବଳ ଭେକ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ଅମାନିଆପଣ ଭାରି ଶକ୍ତିଶାଳୀ ଭାବରେ ପ୍ରକଟ ହେବାକୁ ଲାଗିଲାଣି । ଏକ ଶ୍ରେଣୀ ହିସାବରେ ଯୁବକମାନଙ୍କ ମଧ୍ୟରେ ଯେ ପ୍ରକୃତରେ ଏକ ଉଦ୍‌ବେଳନ ଦେଖା ଦେଲାଣି ଓ ସମଗ୍ର ପୃଥିବୀବ୍ୟାପୀ ଏକ ନୂଆ ଅଭିପ୍ରାୟ ଓ ଅଭିକ୍ରମର ସୂତ୍ରପାତ କଲାଣି, ଏଇଥିରୁ ତାହାର ଏକାଧିକ ପ୍ରମାଣ ମଧ୍ୟ ମିଳିଯାଉଛି । ଆପଣାର ଜାତି ବା ଦେଶ ଆମ ଏ ଯୁଗର ଯୁବକମାନଙ୍କୁ ଆଉ ପ୍ରେରଣା ଦେଇ ପାରୁନାହିଁ । ପିତୁଳାଟାକୁ ଠାକୁର ବୋଲି କହିବାକୁ ସେମାନେ ସିଧା ମନାକରି ଦେଲେଣି । ଗତ ପ୍ରାୟ ଦୁଇଶହ ବର୍ଷ ହେଲା ଜାତି ଓ ଦେଶ ନାମରେ ଏହି ପିତୁଳାଟାକୁ ହିଁ ଜୀବନର ସର୍ବସ୍ୱ ବୋଲି ବିଶ୍ୱାସ କରିବାର ପ୍ରରୋଚନା ଦିଆହୋଇ ଆସିଥିଲା । ଏଣେ ମଣିଷକୁ ଅନ୍ଧପ୍ରାୟ ରଖି ତାକୁ ଜାତୀୟତା ଓ ଦେଶଭକ୍ତିର ଆଦର୍ଶରେ ଗୋଟାସୁଦ୍ଧା ନୀଳବର୍ଣ୍ଣ କରି ରଖାଯାଇଥିଲା । ଏବଂ ସବୁଠାରୁ ବଡ଼ ବିଡ଼ମ୍ୱନାର କଥା ହେଉଚି ଯେ ଜାତି ଓ ଦେଶ କହିଲେ ବସ୍ତୁତଃ ସେହି ଦେଶରେ ବା ସେହି ଜାତିର ନାମରେ ଚାଲୁଥିବା ଅଥବା ଆପଣାକୁ ଜାରି ରଖିଥିବା ସରକାରଟାକୁ ହିଁ ବୁଝାଉଥିଲା । ଦ୍ୱିତୀୟ ମହାଯୁଦ୍ଧ ପରେ ଇଉରୋପ ଓ ଆମେରିକାର ଯୁବଶକ୍ତି ଏହି ପ୍ରତିଷ୍ଠିତ ଭ୍ରାନ୍ତିଟାର ବିରୁଦ୍ଧରେ ହିଁ ସବୁଠାରୁ ଅଧିକ ପ୍ରତିବାଦ ଜଣାଇ ଆସିଚି । ଆମେରିକା ସରକାର ଭିଏତ୍‌ନାମରେ ଯୁଦ୍ଧ କରିବାକୁ ଗଲେ, ରକାରୀ ଡେଙ୍ଗୁରା ଗୁଡ଼ାକର ମାଧ୍ୟମରେ ତାହାକୁ ଗଣତନ୍ତ୍ର, ବିଶ୍ୱଶାନ୍ତି, ଢିଙ୍କି ଓ ବଗ କେତେ କଅଣର ରକ୍ଷା ଲାଗି ଆମେରିକା ଏହି ଯୁଦ୍ଧ ଲଢ଼ୁଚି ବୋଲି ପ୍ରଚାର କରାଗଲା । ମାତ୍ର ଆମେରିକାର ଯୁବକମାନେ ହିଁ ତାହା ବିରୁଦ୍ଧରେ ବୋଧହୁଏ ସର୍ବପ୍ରଥମେ ସବୁଠାରୁ ଅଧିକ ଶକ୍ତିଶାଳୀ ପ୍ରତିବାଦ ଜଣାଇଥିଲେ । ସେମାନଙ୍କର ପ୍ରତିବାଦର କ୍ଷେତ୍ରଟି ମଧ୍ୟ କ୍ରମେ ଅଧିକରୁ ଅଧିକ ପ୍ରସାରିତ ହେଲା । ଆମେରିକା ସରକାରଙ୍କର ଅଣୁଅସ୍ତ୍ର ପରୀକ୍ଷା ବିରୁଦ୍ଧରେ ପ୍ରତିବାଦ ହେଲା, ସାମରିକ ଗବେଷଣା ଲାଗି ଅର୍ଥାତ୍‌ ସାରା ପୃଥିବୀକୁ ଭୟଭୀତ କରି ରଖିବାର ଅଭିପ୍ରାୟରେ ଅଧିକରୁ ଅଧିକ ମାରଣ ଶକ୍ତିସମ୍ପନ୍ନ ତହୁଁ ବଡ଼ା ତହୁଁ ବଡ଼ା ଅସ୍ତ୍ରମାନ ତିଆରି କରାଇବା ଲାଗି ଆମେରିକାର କେତେକ ବିଶ୍ୱବିଦ୍ୟାଳୟ ଓ ତଥାକଥିତ ଅଧ୍ୟାପକମାନଙ୍କୁ ନେଇ ଆମ ଭବିଷ୍ୟତ ବିଶ୍ୱଟି ବିରୁଦ୍ଧରେ ଯେପରି ଷଡ଼ଯନ୍ତ୍ର କରାଯାଉଚି, ତାହା ବିରୁଦ୍ଧରେ ମଧ୍ୟ ପ୍ରତିବାଦ କରାଗଲା । ଆମେରିକାର ନିଗ୍ରୋମାନଙ୍କର ମୁକ୍ତି ଆନ୍ଦୋଳନରେ ବିଶ୍ୱବିଦ୍ୟାଳୟର ଯୁବକ ଓ ଯୁବତୀମାନେ ହିଁ ହୁଏତ ମୁଖ୍ୟତମ ଭାଗ ନେବାକୁ ଆସିଲେ । ଆପଣାକୁ ଗୋଟା ସୁଦ୍ଧା କ୍ଷମତା ପାଖରେ ସମର୍ପିତ କରି ଦେଇଥିବା ରାଜନୀତି ବିରୁଦ୍ଧରେ, ଧନକୁ ଜୀବନବିଭବର କେବଳ ଏକ ସାଧନ ବୋଲି ଗ୍ରହଣ ନ କରି ତାହାକୁହିଁ ଜୀବନର ଚରମ ଓ ତୁଙ୍ଗତମ ସାର୍ଥକତା ବୋଲି ମାନିନେଇ ମଣିଷ ଭିତରେ ପରସ୍ପରକୁ ଟପି ଅଧିକରୁ ଅଧିକ ଭାଗ୍ୟଶାଳୀ ହେବାର ପ୍ରତିଦ୍ୱନ୍ଦିତାଗୁଡ଼ାକୁ ହିଁ କାମ୍ୟ ବୋଲି ଘୋଷଣା କରୁଥିବା ଏକ ଲଜ୍ଜାହୀନତା ବିରୁଦ୍ଧରେ ପ୍ରତିବାଦ ଚାଲିଲା । ଆମେରିକାରେ ପିଲାଏ କଲେଜମାନଙ୍କରୁ ନାଆଁ କଟାଇ ସହରଠାରୁ ଓ ସଭ୍ୟତାଠାରୁ ଦୂରରେ ଥିବା ନିକାଞ୍ଚନ ଜାଗାମାନ ଆବିଷ୍କାର କରି ସେଇଠି ବସବାସ କରିବାକୁ ବାହାରିଲେ । ଆଦିମ ମଣିଷପରି ହାତରେ ମାଟି ହାଣିଲେ, ହାତରେ ଚାଷ କଲେ, ପରସ୍ପର ଭିତରେ ବାଣ୍ଟି ଖାଇଲେ, ମୂଦ୍ରାଗତ କାରବାର ବର୍ଜନ କଲେ । ଏଇଟା ମଧ୍ୟ ଏକବିଂଶ ଶତାବ୍ଦୀର ଦ୍ୱାରଦେଶରେ ଠିଆ ହୋଇଥିବା ସେହି ଯୁବଶକ୍ତିର ଏକ ଅଦ୍‌ଭୁତ ପ୍ରତିବାଦ । ଖୁଅଇ ପିଆଇ ମୋଟାକରି, କାମ ଖଟାଇ ଓ ବଞ୍ଚିବାକୁ ଦେବା ନାମରେ କେତେଟା କୋଳାହଳିଆ ସ୍ଳୋଗାନକୁ ମୁଖସ୍ଥ କରାଇ ଗଧକରି ରଖିବାର ସଂଗଠିତ ଫିସାଦି ବିରୁଦ୍ଧରେ ମଣିଷପରି ମଣିଷ ହେବାକୁ ଚାହୁଁଥିବା ଅର୍ଥାତ୍‌ ଯାବତୀୟ କ୍ଷମତାକୁ ମଣିଷର ପରିକର କରି ରଖିବାକୁ ଇଚ୍ଛା କରୁଥିବା ନୂତନ ଦୃଷ୍ଟି ଓ ନୂତନ ସାହସିକତାର ପ୍ରତିବାଦ । ଶିକ୍ଷା ନାମରେ ଚାଲିଥିବା ଅଶିକ୍ଷା ବିରୁଦ୍ଧରେ ପ୍ରତିବାଦ, ନୀତି ନାମରେ ଚାଲୁଥିବା ଶଠତା ବିରୁଦ୍ଧରେ ପ୍ରତିବାଦ, ଆଦର୍ଶର ମୁଖାପିନ୍ଧି ଏଡ଼େ ହୋଇ ଦିଶୁଥିବା ଯାବତୀୟ କ୍ଷୁଦ୍ରତା ବିରୁଦ୍ଧରେ ପ୍ରତିବାଦ ଏବଂ ଶହେପରସ୍ତ ଫିସାଦିକୁ ଅତି କୌଶଳରେ ଗୁରାଇ ତୁରାଇ ହୋଇ ପିନ୍ଧିଥିବା ତୁଚ୍ଛା ନଗ୍ନତାଗୁଡ଼ାକ ବିରୁଦ୍ଧରେ ପ୍ରତିବାଦ ।

 

ଜର୍ମାନୀ ଦେଶ ଦୀର୍ଘ ବାର ବର୍ଷକାଳ ହିଟ୍‌ଲରର ଶାସନରେ ମଶା ହୋଇଥିଲା । ବିସ୍‌ମାର୍କ୍‌ ଠାରୁ ଆରମ୍ଭକରି ହିଟ୍‌ଲର ପର୍ଯ୍ୟନ୍ତ ସେଠି ରାଜନୀତି ଏବଂ ରାଷ୍ଟ୍ରୀୟତା କ୍ଷେତ୍ରର ସବୁ ମଣିଷଚରାଳି ଜର୍ମାନୀ ଦେଶର ଲୋକମାନଙ୍କୁ ପ୍ରଥମେ ଜର୍ମାନଭାବରେ ତିଆରି କରିବାର ବା ସାଧ୍ୟକରି ରଖିବାର କେତେ କେତେ ଆୟୋଜନ କରି ଆସିଥିଲେ । ମଣିଷ ଭିତରର ଯେଉଁ ଅଂଶଟା ଜାତି ବା ଦେଶଠାରୁ ଅନେକ ବଡ଼, ଯେଉଁ ଅଂଶଟା ଯଥାର୍ଥରେ ମୁକ୍ତିକାମୀ, ଅପର ସବୁ ମଣିଷଙ୍କ ସହିତ ମଣିଷପରି ସମ୍ମିଳିତ ହେବାକୁ ବ୍ୟାକୁଳ, ଏବଂ ଯେଉଁ ଅଂଶଟା ମଣିଷପରି କିଛି ନା କିଛି ସୃଷ୍ଟି କରିବାକୁ ବ୍ୟଗ୍ର, ସେହି ଅଂଶଟାକୁ ମାରି ଦିଆଯିବା ଲାଗି ଜର୍ମାନୀରେ ସବୁ ପ୍ରକାର ଚେଷ୍ଟା ହୋଇ ଆସିଥିଲା । ଆଜି ପଶ୍ଚିମ ଜର୍ମାନୀରେ କର୍ତ୍ତୃତ୍ୱ ଓ କ୍ଷମତା ବିରୁଦ୍ଧରେ ଯୁବଶକ୍ତିର ଯେଉଁ ଉଦ୍‌ବେଳନ ଚାଲିଚି, ଆମେ ତାହାକୁ ଏହିଭଳି ଏକ ପୃଷ୍ଠଭୂମି ଉପରେ ବୁଝିବାକୁ ଚେଷ୍ଟା କରିବା । ସେଠି ଯୁବଆନ୍ଦୋଳନ ଆରମ୍ଭ ହେବାର ଅର୍ଥାତ୍‌ ଯୁବଅସନ୍ତୋଷର ବିସ୍ଫୋରଣ ଘଟିବାର ଏକ ତାତ୍କାଳିକ କାରଣ ହେଉଚି, ଇରାନ୍‌ର ଶାହାଙ୍କର ଜର୍ମାନୀ ଦେଶ ପରିଦର୍ଶନ । ଦୀର୍ଘ ଅଢ଼େଇ ହଜାର ବର୍ଷର ଖାନ୍‌ଦାନୀ ପ୍ରତିନିଧି ଶାହା ବା ସମ୍ରାଟ୍‌ ଇରାନ୍‌ କହିଲେ ତାଙ୍କ ବଂଶଗତ ପରମ୍ପରାକୁ ରକ୍ଷାକରି ଇରାନ୍‌ରେ ବାସ କରୁଥିବା ମଣିଷଙ୍କ ଅପେକ୍ଷା ତାଙ୍କ ଖାନ୍‌ଦାନ୍‌ଟାକୁହିଁ ଅଧିକ ବୁଝନ୍ତି, ଇରାନ୍‌ରେ କେବଳ ତାଙ୍କରି କଥାରେ ହିଁ ଭେଣ୍ତା ମେଣ୍ଢା ହୁଏ ଓ ମେଣ୍ଢା ଭେଣ୍ତା ହୁଏ । ଜର୍ମାନୀର ଲୋକ ନିର୍ବାଚିତ ସରକାର ପ୍ରଦର୍ଶନ କରିବାକୁ ଯାଉଥିଲେ, ଜର୍ମାନୀର ଛାତ୍ରମାନେ ତାହାର ପ୍ରତିବାଦ କଲେ । ସେମାନେ କହିଲେ ଶାହା ହେଉଚନ୍ତି ଗତକାଲିର ପ୍ରତୀକ, ଶୋଷଣ ଓ ଏକଛତ୍ରବାଦୀ ଅନ୍ଧତାର ପ୍ରତୀକ, ମଣିଷର ସକଳ ସ୍ୱାଧୀନତାକୁ ଲୁଟିନେଇ ତାକୁ ସାଧ୍ୟକରି ରଖୁଥିବା ଏକ ଅମାନୁଷିକ ଦୁଷ୍ଟତାର ପ୍ରତୀକ । ଏହିପରି ଏକ ପ୍ରତୀକ ଆମର ଲୋକଶକ୍ତି ଓ ବିଜ୍ଞାନ ଶକ୍ତିର ଯୁଗରେ କେବଳ କୌଣସି ମିଉଜିଅମ୍‌ରେ ଯାଇ ରହିବା ଉଚିତ; ଜର୍ମାନୀ ଦେଶରେ ସେହି ପ୍ରତୀକଟାର ଅଭ୍ୟର୍ଥନା ଲାଗି ଚାନ୍ଦୁଆ ଟଣା ହେବାର ଅର୍ଥ ହେଉଚି, ଜର୍ମାନୀର ପ୍ରଜାତନ୍ତ୍ର ଓ ପ୍ରଜାମାନଙ୍କର ଅବମାନନା କରିବା । ବର୍ଲିନ୍‌ ସହରରେ ଶାହାଙ୍କର ସରକାରୀ ସ୍ୱାଗତ କରାଯିବା ସମୟକୁ ଏଣେ ଛାତ୍ରମାନଙ୍କର ବିକ୍ଷୋଭ ଚାଲିଲା, ଜଣେ ଛାତ୍ରକୁ ପ୍ରାଣବଳି ଦେବାକୁ ପଡ଼ିଲା । ଏବଂ ସେଇଠୁ ସେ ଦେଶରେ ଯୁବ ଉଦ୍‌ବେଳନର ସକ୍ରିୟ ଦୀର୍ଘପଥଟି ଆରମ୍ଭ ହେଲା । ଏବେ କେତେମାସ ତଳେ ଇରାନ୍‌ର ଶାହା ତାଙ୍କ ବଂଶର ଅଢ଼େଇ ହଜାର ବର୍ଷ ପୂରିଗଲା ବୋଲି ସାରା ପୃଥିବୀକୁ ଦେଖାଇବା ଭଳି ଏକ ମହୋତ୍ସବ କଲେ । ସେହି ଉପଲକ୍ଷରେ ସେଠି ଏ ଯୁଗର ବୃହତ୍ତମ ଭୋଜୀ ଦିଆଗଲା, ଏ ଶତାବ୍ଦୀର ବୃହତ୍ତମ ବାଣରୋଶନି ବି ହେଲା । ମଖମଲି ପୋଷାକ ଓ ଜରିପଗଡ଼ିର ଏହି ରାଜକୀୟ ମଉଜର ଦରବାରୀ ଯାତ୍ରାରେ ଯୋଗଦେବାକୁ ଗଣତନ୍ତ୍ର ଓ ଗଣଆଦର୍ଶୀ ଭାରତବର୍ଷର ସରକାର ଏଠୁ ଆମ ରାଷ୍ଟ୍ରପତିଙ୍କୁ ଇରାନ୍‌ ପଠାଇଥିଲା । ମାତ୍ର ଇରାନ୍‌ଠାରୁ ବହୁଯୋଜନ ଦୂରରେ ଥିବା ସାନଦେଶ ଡେନ୍‌ମାର୍କ୍‌ର ଛାତ୍ର ଓ ଯୁବକମାନେ କ’ଣ କଲେ ? ଡେନ୍‌ମାର୍କ୍‌ ସରକାର ଏହି ସାମନ୍ତବାଦୀ ସ୍ମୃତିଉତ୍ସବରେ ଯୋଗଦେବାକୁ କାହିଁକି ଜଣେ ପ୍ରତିନିଧି ପଠାଉଚନ୍ତି ସେଥିଲାଗି ସେମାନେ ସରକାରୀ ଦପ୍ତର, ଆଗରେ ଆସି ଧାରଣା ଦେଲେ । ଇରାନ୍‌ର ସାଧାରଣ ମଣିଷମାନଙ୍କୁ ମେଣ୍ଢାକରି ରଖି ସେଠି ଏବେ ମଧ୍ୟ କାହିଁକି ଗତକାଲିର ହିଁ ପୂଜା ଓ ପ୍ରହସନ ପାର୍ବଣ ଲାଗି ରହିଚି, ତାହାର ପ୍ରତିବାଦ କରି ସେମାନେ ଇରାନ୍‌ର ଦୂତାବାସ ଆଗରେ ପ୍ରଦର୍ଶନ ବି କଲେ ।

 

ବର୍ତ୍ତମାନ ଆମେ ପୁଣି ଜର୍ମୀନୀ ଦେଶକୁ ଫେରି ଆସିବା । ଛାତ୍ର ସେଠି ଆନ୍ଦୋଳନ ଓ ଯୁବଅସନ୍ତୋଷ Gegenschuleର ସ୍ତରରେ ଆସି ପହଞ୍ଚିଲାଣି । ଯୁବକମାନେ କହୁଛନ୍ତି ଯେ ସ୍କୁଲ ବା ଶିକ୍ଷାନୁଷ୍ଠାନ ହେଉଚି ବୃହତ୍ତର ସମାଜର ଗୋଟିଏ ଅଂଶ । ତେଣୁ ସେ ପର୍ଯ୍ୟନ୍ତ ସମାଜ ଭିତରେ ଶୋଷଣମୂଳକ ନାନା ଅମାନୁଷୀ ବ୍ୟବସ୍ଥାକୁ ପ୍ରଶ୍ରୟ ଦିଆଯାଉଚି, ସେ ପର୍ଯ୍ୟନ୍ତ ସ୍କୁଲମାନଙ୍କରେ ଯେଡ଼େ ବଡ଼ ବଡ଼ କଥା କୁହାଗଲେ କିମ୍ୱା ବଡ଼ ବଡ଼ ଉପଦେଶ ଦିଆଗଲେ ମଧ୍ୟ ତଦ୍ଦ୍ୱାରା କୋଉଠି କିଛିହେଲେ ବଦଳିବ ନାହିଁ । ସମାଜନୀତି ଓ ରାଜନୀତିରେ ଯେଉଁ ପୁରୁଣା କର୍ତ୍ତୃତ୍ୱାଭିଳାଷୀ ମନଟାର ରାଜତ୍ୱ ରହିଚି, ତାହାହିଁ ସବୁବେଳେ ସ୍କୁଲକୁ ଆପଣାର ଅଧୀନକରି ରଖିଥିବ । ତେଣୁ ଏହି ସ୍କୁଲ ଓ କଲେକଗୁଡ଼ାକ ଯେପରି ରହିଚି, ମୂଳତଃ ତାକୁ ସେହିପରି ଭାବରେ ସ୍ୱୀକାର କରିନେଲେ ଓ କେବଳ ଭଙ୍ଗାକାନ୍ଥରେ ମାଟି ଲେଶିବାରେ ଲାଗିଥିଲେ ତଦ୍ଦ୍ୱାରା କିଛି ହେବନାହିଁ । ଗୋଟାଏ ବାଣକୁ ଅକାମୀ କରିଦେବା ଲାଗି ଯେପରି ଆଗେ ଅନ୍ୟପକ୍ଷରୁ ଓଲଟାବାଣ ପ୍ରେରଣ କରାଯାଉଥିଲା, ଠିକ୍‌ ସେହିପରି ବର୍ତ୍ତମାନର ସ୍କୁଲଗୁଡ଼ାକୁ ସମ୍ପୂର୍ଣ୍ଣ ବର୍ଜନକରି ଓଲଟସ୍କୁଲ, ବା anti ସ୍କୁଲ ବା Gegenschule ମାନ ଆରମ୍ଭ କରିବାକୁ ପଡ଼ିବ । ମଣିଷ ଏହି ପୃଥିବୀକୁ ସବୁ ମଣିଷଙ୍କର ଏକ ପୃଥିବୀ ହିସାବରେ ଯେପରି ଗଢ଼ିବାକୁ ଚାହୁଁଚି, ଆମ ସ୍କୁଲରୁ ହିଁ ତାହାର ଅଭିକ୍ରମ ଆରମ୍ଭ ହେବ । Gegenschule ହେଉଚି ବର୍ତ୍ତମାନ ସମାଜର ଅକାରଣ ବଡ଼େଇଗୁଡ଼ାକୁ ସହ୍ୟ କରୁଥିବା ଓ ତାହାରି ପରିଚର୍ଯ୍ୟା ଖଟୁଥିବା ସ୍କୁଲଗୁଡ଼ାକୁ ଖତମ୍‌ କରି ଏକ ନୂତନ ସମାଜର ଚିତ୍ରକୁ ସମ୍ମୁଖରେ ରଖି ପ୍ରୟୋଗ ଆରମ୍ଭ କରିବାର ଏକ ସ୍କୁଲ । ଏଠି ପିଲାମାନେ କାମ କରିବେ, କିମ୍ୱା ଅନ୍ୟତ୍ର କୌଣସି ଚାଷୀଘରେ କିମ୍ୱା କାରଖାନାରେ କାମ କରିବେ; ଆପଣାର ରୋଜଗାରକୁ ଏକାଠି କରି ଆପଣାର ଭରଣପୋଷଣ କରିବେ ଓ ସ୍କୁଲର ବ୍ୟୟ ମଧ୍ୟ ଚଳାଇବେ । ଏହି ଉପାର୍ଜନରୁ ହିଁ ସେମାନେ ସ୍ୱନିର୍ବାଚିତ ଅଧ୍ୟାପକମାନଙ୍କୁ ପାରିଶ୍ରମିକ ଦେବେ । ସେମାନଙ୍କର ଇପ୍‌ସିତ ନୂତନ ବିଶ୍ୱବ୍ୟବସ୍ଥାଟି ଲାଗି ଯେଉଁ ପାଠର ଆବଶ୍ୟକତା ରହିଚି, ସେମାନେ ସେହି ପାଠ ପଢ଼ିବେ; ଯେଉଁ ପଦ୍ଧତିରେ ପାଠ ପଢ଼ିବା ଦରକାର, ପୁରୁଣା ସବୁ ପଦ୍ଧତି ଛାଡ଼ି ସେହି ପଦ୍ଧତିରେ ପାଠ ପଢ଼ିବେ, ଏବଂ ଯେଉଁ ଅଧ୍ୟାପକମାନେ ସେମାନଙ୍କୁ ଏହି ଉଦ୍ଦେଶ୍ୟଟିର ସିଦ୍ଧିରେ ସାହାଯ୍ୟ କରିପାରିବେ, ସେମାନେ କେବଳ ସେହିମାନଙ୍କୁ ଅଧ୍ୟାପକ ବୋଲି ଗ୍ରହଣ କରିବେ । ଅଧ୍ୟାପକ ନିର୍ବାଚନ କଲାବେଳେ କେବଳ ଡିଗ୍ରୀଗୁଡ଼ାକୁ ନାକଚଣା ଓ ଫୁଲଗୁଣା କରି ପିନ୍ଧିଥିବା ବର୍ତ୍ତୁଳ ମସ୍ତିଷ୍କମାନଙ୍କୁ ବଛାଯିବନାହିଁ, ନିପୁଣତାସମ୍ପନ୍ନ ଜଣେ ଚାଷୀ ବା କାରଖାନାର କୌଣସି କାରିଗରକୁ ମଧ୍ୟ ସେମାନେ ଅଧ୍ୟାପନା ଲାଗି ଡାକିଆଣି ପାରିବେ ।

 

ଇଉରୋପ କିମ୍ୱା ଆମେରିକା ଯୁବଉଦ୍‌ବେଳନ କଥା ବିଚାର କଲାବେଳେ ଆମକୁ କେତୋଟି କଥା ମନେ ରଖିବାକୁ ପଡ଼ିବ । ଦରିଦ୍ର୍ୟ କହିଲେ ଏଠି ଆମ ଦେଶରେ ସାଧାରଣତଃ ଯାହା ବୁଝାଏ, ସେହିସବୁ ଦେଶରେ ସେହି ଦାରିଦ୍ର୍ୟ ଆଉ ବର୍ତ୍ତମାନ ନାହିଁ । ଅର୍ଥାତ୍‌ ଶରୀର ସମର୍ଥ ଥିଲେ ସେଠି ପ୍ରାୟ ସମସ୍ତଙ୍କୁ କାମ ମିଳୁଚି, ଯୋଗ୍ୟତା ଥିଲେ ପ୍ରାୟ ସମସ୍ତଙ୍କୁ ଅନ୍ନସଂସ୍ଥାନ ମିଳୁଚି-। ଏବଂ ଆପଣାକୁ ଯୋଗ୍ୟ କରିବା ଲାଗି ସେଠି ପ୍ରାୟ ସବୁ ମଣିଷଙ୍କ ସକାଶେ ପର୍ଯ୍ୟାପ୍ତ ଦ୍ୱାରମାନ ଉନ୍ମୁକ୍ତ ହୋଇରହିଚି । ସେସବୁ ଦେଶରେ ସବୁ ପିଲା ପ୍ରାୟ ଏକାଭଳି ପାଠ ପଢ଼ୁଚନ୍ତି, ତେଣୁ ଅଧିକ ଚାକିରି, ଅଧିକ ବେତନ କିମ୍ୱା ଅଧିକ ସୁଯୋଗଗୁଡ଼ିକ ଲାଗି ସଂଗ୍ରାମ କରିବାପାଇଁ ସେଠି ଯୁବକମାନଙ୍କର କୌଣସି ଆବଶ୍ୟକତା ନାହିଁ । ସେଠିକାର ଯୁବସଂଗ୍ରାମ ଧନ ବିରୁଦ୍ଧରେ ନୁହେଁ ବା ଧନୀମାନଙ୍କ ବିରୁଦ୍ଧରେ ନୁହେଁ; ସେଠି ବିଦ୍ରୋହ ହେଉଚି କର୍ତ୍ତୃତ୍ୱ ଗ୍ରସ୍ତ ସମାଜ ବିରୁଦ୍ଧରେ-। ଯୁଗଯୁଗରୁ ସମାଜର ମଣିଷଗୁଡ଼ାଙ୍କୁ ଶୀତଳ ବା ବଶ୍ୟକରି ରଖିବା ଅଫିମ ଗୁଡ଼ାକର ବିରୁଦ୍ଧରେ, ସଭ୍ୟତା ନାମରେ ଚାଲିଥିବା ସବୁପ୍ରକାର ଶଠତା ବିରୁଦ୍ଧରେ । ଏହି ଉଦ୍‌ବେଳନର ଆଖିରେ ମଣିଷ ଅର୍ଥାତ୍‌ ପ୍ରତ୍ୟେକ ମଣିଷ ହେଉଚି କର୍ତ୍ତୃତ୍ୱାଧିଷ୍ଠିତ କେତେଟା ମଣିଷଙ୍କ ଦ୍ୱାରା ତିଆରି ହୋଇଥିବା ଯାବତୀୟ ଅନୁଷ୍ଠାନ ଓ ଆନୁଷ୍ଠାନିକତାଠାରୁ ଅନେକ ବଡ଼, ପ୍ରତ୍ୟେକ ମଣିଷ ତା’ର ଜାତିଠାରୁ ବଡ଼ ଓ ଦେଶଠାରୁ ବଡ଼ । ମଣିଷ ଲାଗି ଆଦର୍ଶ, ମଣିଷର ବାଟ ଚାଲିବାଲାଗି ଯାବତୀୟ ବାଦ ଓ ରାଜନୀତି, ଏବଂ ମଣିଷକୁ ମଣିଷ ହିସାବରେ ଉତ୍ତୋଳିତ କରିନେବାଲାଗି ତା’ର ଧର୍ମ-। ବିଜ୍ଞାନ ମଣିଷକୁ ମେସିନ୍‌କରି ରଖିବ ନାହିଁ, ବିଜ୍ଞାନର ମେସିନ୍‌କୁ ସବୁଠିଁ ଏହି ମଣିଷହିଁ ଚଳାଇବ-। ତା’ର ଆପଣା କଲ୍ୟାଣ ଲାଗି ଚଳାଇବ । ତେଣୁ ବିଜ୍ଞାନ ସାହାଯ୍ୟରେ କୌଣସି ଦେଶର ସରକାର କିମ୍ୱା ପୁଞ୍ଜିସ୍ୱାର୍ଥ ଯେତେବେଳେ ବୋମା ତିଆରି କରିବ, ସେତେବେଳେ ଉଦ୍‌ବେଳିତ ଯୁବକର ଆଧୁନିକ ଆଖି ତାହାକୁ ବିଜ୍ଞାନ ନକହି ବର୍ବରତା ବୋଲି କହିବ । ମଣିଷ ଲାଗି ବାଟ ଛାଡ଼ିଦିଅ, ତାରୁଣ୍ୟ ଲାଗି ବାଟ ଛାଡ଼ିଦିଅ, ଉଦ୍‌ବୁଦ୍ଧ ଆଖି ଓ ନୂତନ ସାହସ ଲାଗି ବାଟ ଛାଡ଼ିଦିଅ, ଏଇଗୁଡ଼ାକ ହେଉଚି ତେଣେ ଯୁବ ଉଦ୍‌ବେଳନର ସର୍ବମୂଳ କେତୋଟି ଆଙ୍ଗିକ । ସବୁପ୍ରକାର ବୟସ୍କପଣିଆ, ବାର୍ଦ୍ଧକ୍ୟ, କର୍ତ୍ତୃତ୍ୱ ଓ କ୍ଷମତାସକ୍ତ ବିରୁଦ୍ଧରେ ଆପଣାର ବିକ୍ଷୋଭ ଜଣାଇବା ହେଉଛି ଏହି ଉଦ୍‌ବେଳନର ସର୍ବପ୍ରଧାନ ଉତ୍‌ପ୍ରେରଣା ।

 

ଆମ ଆପଣା ଦେଶରେ ଯୁବ ଉଦ୍‌ବେଳନର ପ୍ରକାଶ ଟିକିଏ ଭିନ୍ନ ପ୍ରକାରର । ଏଠି ଯୁବକମାନେ ଅଛନ୍ତି, ଯୁବ ଅସନ୍ତୋଷ ଅଛି, ବେଳେବେଳେ ଉଦ୍‌ବେଳନର ଅନୁଭବ ବି ମିଳୁଚି । ତଥାପି ଏଇଟିର ବିଶେଷ ପ୍ରକୃତି ଓ ପରାକ୍ରମଗୁଡ଼ାକୁ ଭଲକରି ବୁଝିପାରିବାକୁ ହେଲେ ଆମକୁ ଏଠାକାର ବିଶେଷ ପରିବେଶଟିର ମଧ୍ୟ ଅନୁଧ୍ୟାନ କରିବାକୁ ହେବ । ସର୍ବପ୍ରଥମ କଥାଟି ହେଉଚି ଯେ ଆମଦେଶର ଦଶ ଭାଗରୁ ପ୍ରାୟ ଆଠ କି ନଅଭାଗ ଯୁବକ ଏହିସବୁ ଉଦ୍‌ବେଳନରେ କୌଣସି ଅଂଶଗ୍ରହଣ କରନ୍ତି ନାହିଁ । ଆମର ଏଠି ଯାବତୀୟ ଉଦ୍‌ବେଳନ ପ୍ରଧାନତଃ ଉଚ୍ଚଶିକ୍ଷାର କେନ୍ଦ୍ରମାନଙ୍କରେ ଅର୍ଥାତ୍‌ କଲେଜ ବା ବିଶ୍ୱବିଦ୍ୟାଳୟମାନଙ୍କରେ ହିଁ ସୀମାବଦ୍ଧ ହୋଇ ରହିଚି । ଏବଂ ଆମଦେଶର ଯେତେ ଯୁବକ କଲେଜ ବା ବିଶ୍ୱବିଦ୍ୟାଳୟରେ ପଢ଼ି ପାରୁଥାନ୍ତେ, ତାହାର ଦଶ ଭାଗରୁ ପ୍ରାୟ ଗୋଟିଏ ଭାଗ ମାତ୍ର ପ୍ରକୃତରେ ସେଠାରେ ପ୍ରବେଶ କରିପାରୁଚନ୍ତି । ଯୋଉମାନେ ପାରୁଚନ୍ତି, ସେମାନେ ସେଠାରେ ପ୍ରବେଶ କରିବା ଲାଗି ଯେ ସବୁଠାରୁ ଅଧିକ ଯୋଗ୍ୟ, ସେପରି ଦାବୀ କରିବାକୁ ମଧ୍ୟ ଆଦୌ କୌଣସି କାରଣ ନାହିଁ । କାରଣ ଉଚ୍ଚ ଶିକ୍ଷାରେ ପ୍ରବେଶାଧିକାର ଦେବାଲାଗି ଆମର ଏଠି କୌଣସି ପ୍ରକାର ନିର୍ବାଚନ ହୁଏ ନାହିଁ । ହଁ, ପିଲାମାନଙ୍କୁ ପାସ୍‌ କିମ୍ୱା ଫେଲ୍‌ କରାଇବାପାଇଁ ଯେଉଁ ତାମସାମାନ ହୁଏ ଓ ଯାହାକୁ ଆମ ଅପରୀକ୍ଷିତ ଅଧିକାରୀମାନେ ପରୀକ୍ଷା ବୋଲି କହିଥାନ୍ତି, କୌଣସି ପ୍ରକାର ବିଜ୍ଞାନ ଅଥବା ବିବେକସମ୍ମତ ନିୟମ ଅନୁସାରେ ତାକୁ ହୁଏତ କୌଣସି ପରୀକ୍ଷା ବୋଲି କୁହାଯାଇ ପାରିବନାହିଁ । ତେଣୁ ବସ୍ତୁତଃ ଯାହାର ପଇସା ଥାଏ, ଅର୍ଥାତ୍‌ ଯାହା ଘରେ ପଇସା ଥାଏ, ସେଇ ଶିକ୍ଷାର ମଞ୍ଚାରେ ସିଡ଼ିଧରି ଉପରକୁ ଉଠିଯାଏ । ସେଇ କୃତିତ୍ୱ ଅର୍ଜନ କରେ, ଦେଶର ବା ରାଜ୍ୟର ଗୌରବ ବୋଲି ଘୋଷିତ ହୁଏ, ଏବଂ ଆମର ସ୍ଥାନୀୟ ଖବରକାଗଜମାନଙ୍କରେ ଅମୁକଙ୍କର ପୁତ୍ର ଅଥବା ଅମୁକଙ୍କର ଜାମାତା ବୋଲି ପରିଚିତ ହୁଏ । ଯେଉଁସବୁ ଦେଶରେ ଶିକ୍ଷାକୁ ଜୀବନଗଠନର ଏକ ଅଂଶ ବୋଲି ମାନି ନିଆଯାଏ, ଏବଂ ସମସ୍ତଙ୍କୁ ଶିକ୍ଷାର ସମ୍ପୂର୍ଣ୍ଣ ସୁଯୋଗ ଦେବା ରାଷ୍ଟ୍ରର ଏକ କର୍ତ୍ତବ୍ୟ ହୋଇ ରହିଥାଏ, ସେଠାରେ ସ୍କୁଲ ଯିବାର ବୟସ ହେବାମାତ୍ରକେ ସବୁ ପିଲା ସ୍କୁଲକୁ ଯାଆନ୍ତି, ଏକାଭଳି ପାଠ ପଢ଼ନ୍ତି; ଏବଂ ଯିଏ ଉଚିତ ଯୋଗ୍ୟତାର ପରିଚୟ ଦିଏ, ସିଏ ଅଧିକରୁ ଅଧିକ ଆଗକୁ ଯାଇପାରିବାର ସୁଯୋଗ ପାଉଥାଏ । ତା’ଘରେ ପଇସା ଅଛି କି ନାହିଁ, ସେଥିଲାଗି ଅପେକ୍ଷା କରାଯାଏ ନାହିଁ । ତାକୁ ରାଷ୍ଟ୍ରର ସମ୍ପତ୍ତି ବୋଲି ଗ୍ରହଣକରି ରାଷ୍ଟ୍ରହିଁ ତା’ର ପରିପୋଷଣରେ ପୂର୍ଣ୍ଣ ସହାୟତା କରେ ।

 

ଦ୍ୱିତୀୟ କଥା ହେଉଚି, ଉଚ୍ଚଶିକ୍ଷା ଲାଭ କରୁଥିବା ଯୁବକମାନେ ଆମ ଦେଶରେ ଆପଣାର ଶିକ୍ଷା ଲାଗି ଆପଣା ଉପରେ ନିର୍ଭର କରନ୍ତି ନାହିଁ । ସେମାନେ ଘରୁ ପଇସା ଆଣି ପାଠ ପଢ଼ନ୍ତି । ତେଣୁ ଆପଣା ଉପରେ ନିର୍ଭର କରି ମଣିଷ ହେଲେ ମଣିଷ ଭିତରେ ଯେଉଁ ମେରୁଦଣ୍ତଟି ଭିତରେ ଭିତରେ ଗଢ଼ିହୋଇ ଉଠୁଥାଏ, ଯାହା ମଣିଷକୁ ବିଶ୍ୱାସ ଦିଏ ଓ ବଳିଷ୍ଠ କରେ, ଆମ ଦେଶରେ ପାଠ ପଢ଼ୁଥିବା ଯୁବକ ମଧ୍ୟରେ ଅନେକ ସମୟରେ ସେହି ମେରୁଦଣ୍ତଟି ତିଆରି ହୋଇ ପାରେନାହିଁ । ପୁରୋଦୃଷ୍ଟି ସମ୍ପନ୍ନ ଅନେକ ଦେଶରେ ସେପରି ହୁଏନାହିଁ । ଘରେ ଅଜସ୍ର ପଇସା ରହିଥିଲେ ମଧ୍ୟ ସେଠି ସାଧାରଣତଃ କେହି, ଅର୍ଥାତ୍‌ କୌଣସି ପୁଅ ବା ଝିଅ ଉଚ୍ଚଶିକ୍ଷାର ସ୍ତରକୁ ଆସି ଘରୁ ପଇସା ନେଇ ପାଠ ପଢ଼େ ନାହିଁ । ସେ ନିଜେ ରୋଜଗାର କରେ ଓ ନିଜ ଅର୍ଜନରୁ ପାଠ ପଢ଼େ । ସେଥିଲାଗି ସଂସାରକୁ ବାହାରିବା ବେଳେ ସେ ଆପଣାକୁ ଏକ ମେରୁଦଣ୍ତବିଶିଷ୍ଟ ମଣିଷ ପରି ଅନୁଭବ କରି ସଂସାରକୁ ବାହାରେ, ସଂସାରକୁ ଅନାଇବା ବେଳେ ମେରୁଦଣ୍ତ ସିଧାକରି ଅନାଇବାକୁ ସମର୍ଥ ହୁଏ । ସମ୍ଭବତଃ ଏହି କାରଣରୁ ହିଁ ଆମର ଏଠି ଯୁବକମାନଙ୍କୁ ଓ ଛାତ୍ରମାନଙ୍କୁ ଭାରି ସହଜରେ ଅଡ଼େଇନେଇ ହୁଏ; ବଡ଼ ଅଳପକରେ ମୁଗ୍‌ଧ କରିଦେଇ ହୁଏ, ଓ ଗୋଡ଼ ଖସାଇଦେଇ ହୁଏ । ସେମାନଙ୍କର ଉଦ୍‌ବେଳନ ଶକ୍ତିକୁ ବଡ଼ ସହଜରେ ବିକ୍ଷିପ୍ତ ବା ଭାରଚ୍ୟୁତ କରିଦେଇ ହୁଏ ।

 

ଯେଉଁଠି ଦରିଦ୍ର୍ୟ ଓ ଦୀନତାର ଏକ ଅତିକ୍ରୂର ମହାସମୁଦ୍ର ଭିତରେ ମାତ୍ର ଅଳ୍ପ କେତେଜଣ ମହାଭାଗ୍ୟବନ୍ତ ଧନୀ ହୋଇ ରହିଥାନ୍ତି, ସେଠି ଯଥାସମ୍ଭବ ବଡ଼ ଚାକିରି କରି ଯଥାସମ୍ଭବ ଅଧିକ ପଇସା ଆତ୍ମସାତ୍‌ କରିବା ହିଁ ଅଧିକତର କ୍ଷେତ୍ରରେ ପାଠ ପଢ଼ିବାର ଧେୟ ହୋଇ ରହେ । ସଫଳତାର ପିରାମିଡ଼୍‌ରେ ଏଠି ସମସ୍ତେ ଆହୁରି ଓ ଆହୁରି ଉପରକୁ ଉଠିବା ଲାଗି ଧର୍ମ ବୋଲି ଧରି ନେଇଥାନ୍ତି । ତେଣୁ ଆମର ଏଠି ଶିକ୍ଷାକ୍ଷେତ୍ରମାନଙ୍କରେ ଯୁବକ ବୟସର ଅଧିକାଂଶ ଛାତ୍ର ଆପଣାର ବର୍ତ୍ତମାନଟା ଅପେକ୍ଷା ଭବିଷ୍ୟତ ସଫଳତାର ଚିନ୍ତା ହିଁ ବେଶୀ କରୁଥାନ୍ତି-। ବର୍ତ୍ତମାନଟାରେ ଛନ୍ଦି ହୋଇ ରହିଥାନ୍ତି ସତ, ମାତ୍ର ସେମାନଙ୍କର ପଞ୍ଚମନ ଯାଇ ଭବିଷ୍ୟତର ତେଲଘଡ଼ିଟି ଭିତରେ ଜଡସଡ଼ ହୋଇ ପଡ଼ି ରହିଥାଏ । ଏମାନେ ପ୍ରାୟ କେବେହେଲେ ଆପଣାର ତଳକୁ ଅନାନ୍ତି ନାହିଁ, ସେମାନଙ୍କ ତୁଳନାରେ କୋଟି କୋଟି ମଣିଷ ଯେ ଅତି ଅକିଞ୍ଚିନ ଓ ବଞ୍ଚିତ ହୋଇ ରହିଚନ୍ତି, ସେ କଥାଟାକୁ ମୁଣ୍ତରେ ପୂରାଇବାକୁ ମଧ୍ୟ ଘୃଣା କରୁଥାନ୍ତି, ହୁଏତ ଭୟ ବି କରୁଥାନ୍ତି । ଆପଣାର ଭାବଗତ ଭୂମିରେ ସେମାନଙ୍କଠାରୁ ଯେତେ ସମ୍ଭବ ଏକ ଅଧିକ ନିରାପଦ ଦୂରତାରେ ରହିବାର ପ୍ରୟାସ କରିବାରେ ଲାଗିଥାନ୍ତି । ସେଥିଲାଗି ଗୋଟିଏ ବଡ଼ ଚାକିରି ପାଇଯିବା ମାତ୍ରକେ ଗରିବ ଘରର ପିଲା ଏକା ଖେପାକେ ହୁ’କରି ବଡ଼ଲୋକ ହୋଇଯିବାକୁ ବା ଅନ୍ତତଃ ସେହିପରି ଦେଖାଇ ହେବାକୁ ପ୍ରାଣପଣ ଚେଷ୍ଟା କରିବାରେ ଲାଗିଯାଏ । ଦାରିଦ୍ର୍ୟଠାରୁ ଦୂରକୁ ଖସି ପଳାଇଯିବାକୁ ଚେଷ୍ଟା କରେ, ଅର୍ଥାତ୍‍ ଦରିଦ୍ର ମଣିଷଠାରୁ ଦୂରରେ ରହିବାକୁ ବିଜ୍ଞତା ବୋଲି ଭାବେ । ତା’ ଲାଗି ଦାରିଦ୍ର୍ୟ ଆଉ କୌଣସି ସମସ୍ୟା ହୋଇ ରହେନାହିଁ, ବ୍ୟକ୍ତିଗତ ସଫଳତା ଓ ବ୍ୟକ୍ତିଗତ ଦୂର୍ଗଜୟ ହିଁ ଏକମାତ୍ର ସମସ୍ୟା ହୋଇ ରହେ ଏବଂ ଏହିପରି ଗୋଟାଏ ସ୍ୱାର୍ଥକାମୀ ଏକାସକ୍ତତା ତାକୁ ସକଳ ପ୍ରକାର ସଂବେଦନଶୀଳତା ପାଖରୁ ବହୁଦୂର କରି ରଖେ-

 

ଆମ ଦେଶର ଶିକ୍ଷାସ୍ଥାନମାନଙ୍କରେ ବର୍ତ୍ତମାନ ଯୁବକମାନଙ୍କ ଭିତରେ ଯେଉଁ ଉଦ୍‌ବେଳନ ପ୍ରକାଶ ପାଉଚି, ଆମେ ସେଇଟିକୁ ଉପରେ ଆଲୋଚିତ ତିନୋଟିଯାକ ବିଶେଷ ପରିବେଶ ବା ଆୟତନ ମଧ୍ୟରେ ହିଁ ବିଚାର କରିବାକୁ ଚେଷ୍ଟା କରିବା । ଏହି ଉଦ୍‌ବେଳନର ପରିଧିଟି ବଡ଼ ଛୋଟ; ଏହି ଉଦ୍‌ବେଳନ ହୁଏତ ବର୍ତ୍ତମାନ ମଧ୍ୟ ଆପଣାକୁ ଯଥାର୍ଥ ଭାବରେ ଆବିଷ୍କାର କରି କେତେଟା ତାତ୍କାଳିକ ବିସ୍ଫୋରଣ କିମ୍ୱା ବିସ୍ଫୋଟନ ମଧ୍ୟରେ ହିଁ ଏହା ବଡ଼ ସୀମାବଦ୍ଧ ହୋଇ ରହିଚି । ଯଥାର୍ଥରେ କୌଣସି ପରିବର୍ତ୍ତନ କିମ୍ୱା ନୂତନ ମୂଲ୍ୟର ପ୍ରବର୍ତ୍ତନ ଲାଗି ଶ୍ରଦ୍ଧା ଅପେକ୍ଷା ଏଥିରେ ଉତ୍‌ଶୃଙ୍ଖଳତାଟାହିଁ ଅଧିକ ମାତ୍ରାରେ ପ୍ରକାଶ ପାଉଚି । ଆମ ଦେଶରେ ଛାତ୍ରମାନେ ଘେରାଉ କରୁଚନ୍ତି, ଧର୍ମଘଟ କରି ପାରୁଚନ୍ତି, ପରୀକ୍ଷା ବର୍ଜନ କରି ପାରୁଚନ୍ତି ବା ପରୀକ୍ଷା ଘୁଞ୍ଚାଇ ଦେବାଲାଗି କର୍ତ୍ତାମାନଙ୍କୁ ବାଧ୍ୟ ବି କରି ପାରୁଚନ୍ତି । ଦରକାର ପଡ଼ିଲେ ଆପଣାର ଉତ୍ତେଜନା ଓ ଯୁଦ୍ଧେଚ୍ଛା ମଧ୍ୟରେ ଏକ ତାତ୍କାଳିକ ଲଘୁଚାପମଣ୍ତଳ ସୃଷ୍ଟି କରି ରାସ୍ତାରେ ବାହାରି ପଡ଼ୁଚନ୍ତି ଓ ରାସ୍ତାର ଆଲୁଅଠାରୁ ଆରମ୍ଭ କରି କଲେଜ ଘରର ଝରକା ଓ ଟେବୁଲ ଚଉକି ଭାଙ୍ଗି ପାରୁଚନ୍ତି, ମଟରଗାଡ଼ି ପୋଡ଼ି ପାରୁଚନ୍ତି, ଯାହାକୁ ଇଚ୍ଛା ତାକୁ ମାଡ଼ ଦେଇ ପାରୁଚନ୍ତି ମାତ୍ର ଏସବୁର ପଛରେ କୌଣସି ସ୍ଥାୟୀ ବିପ୍ଳବାତ୍ମକ ଆବେଦନ ବା ସ୍ଥାୟୀ ଉଦ୍‌ବେଳନ ଯେତେ ନାହିଁ, ତରଳ ବୟସଗତ ଚପଳତା ହୁଏତ ତା’ଠାରୁ ଅନେକ ଅଧିକ ପରିମାଣରେ ରହିଚି । ବେଳେ ବେଳେ ଅନ୍ୟମାନଙ୍କର ପ୍ରରୋଚନାରେ ପଡ଼ି ଏହି ଚପଳତା ଏକ ସ୍ଥାନୀୟ ଭାବପ୍ରବଣତାର ଆକାର ମଧ୍ୟ ଧାରଣ କରୁଚି । ଏଠି ରେଳରାସ୍ତା ହେବା ଉଚିତ, ସେଠି ଆମ ଓଡ଼ିଆଙ୍କୁ ବା ଆମ ମହାରାଷ୍ଟ୍ରୀଙ୍କୁ ବେଶି ଚାକରି ଦିଆଯିବା ଉଚିତ, ଆମର ଏଠୁ ଅଣଓଡ଼ିଆ ବା ଅଣତାମିଲମାନଙ୍କୁ ନିକାଲି ଦେବା ଉଚିତ, ଏହିପରି କେତେ ଉନ୍ମାଦନାର ବେଲୁନ ଉଡ଼ୁଚି ଓ ଫାଟି ଯାଉଚି, ପୁଣି ଉଡ଼ୁଚି ଓ ଫାଟିଯାଉଚି, ଆମ ଛାତ୍ରମାନଙ୍କ ମଧ୍ୟରେ ରାଜନୀତି ରହିଚି ସତ, ମାତ୍ର ତାହା କେବଳ କୌଣସି ଦଳ ଅଥବା ବାଦର ହତିଆର ବନିବାରେ ହିଁ ଖତମ ହୋଇ ଯାଉଚି । ଏହା ଭିତରେ Youth Power ନାହିଁ, କୌଣସି ଯଥାର୍ଥ ଆସନ୍ତାଷ ବା ଉଦ୍‌ବେଳନ ଲାଗି ଖୁବ୍‌ ବେଶି ସ୍ଥାନ ନାହିଁ । ବିଭିନ୍ନ ଦଳରେ ରହିଥିବା ବଡ଼ମାନେ ରଜ୍ଜୁ ଧରି ସେମାନଙ୍କୁ ନଚାଉଚନ୍ତି ଓ ଲଢ଼ାଉଚନ୍ତି । ସେମାନେ ପରମ ସରାଗରେ ମୃଗୀ ହୋଇ ନାଚିବାରେ ଓ ଲଢ଼ିବାରେ ଲାଗିଚନ୍ତି । ତଥାପି, ସବୁ ଉଦ୍ମାଦନା ସତ୍ତ୍ୱେ ଆମ ଛାତ୍ରମାନଙ୍କ ଭିତରେ ସର୍ବଦା ଗୋଟିଏ ଦ୍ୱିବିଭକ୍ତ ଆଗ୍ରହ କାମ କରି ଚାଲିଚି ବୋଲି ସେମାନଙ୍କର ଶକ୍ତି କୌଣସି ଯଥାର୍ଥ ଶକ୍ତିମତ୍ତା ରୂପେ କାର୍ଯ୍ୟକରି ପାରୁନାହିଁ । ଗୋଟାଏ ପାଖରେ ସେମାନେ ଅତି ଉଗ୍ର ପ୍ରଗତିବାଦୀ ହୋଇ କେବଳ ଭାଙ୍ଗିବା ଓ ପୋଡ଼ିବା ବ୍ୟତୀତ ଆଉ କିଛିହେଲେ ଦେଖି ପାରୁନାହାନ୍ତି । ମାତ୍ର ଅନ୍ୟପାଖରେ ଆପଣାର ଭବିଷ୍ୟତ ସଂସ୍ଥାନ ଓ ଭବିଷ୍ୟତ ନିଷ୍କଣ୍ଟକତା ସମ୍ୱନ୍ଧରେ ବି ଭାରି ଉତ୍କଣ୍ଠିତ ରହିଚନ୍ତି ! ବଡ଼ ଚାକିରି, ବଡ଼ ପଦବୀ ଓ ବଡ଼ ନେତାଗିରି ଲାଗି ବି ମନ ରଖିଚନ୍ତି । ବଡ଼ ଯୌତୁକର ପ୍ରତିଶ୍ରୁତି ବିନା ବାହା ହେବାକୁ ଆଦୌ ମଙ୍ଗୁ ନାହାନ୍ତି । ପ୍ରଚଳିତ କୌଣସି ବ୍ୟବସ୍ଥାକୁ ସେମାନେ ଯେପରି ଆଦୌ ଭାଙ୍ଗିବାକୁ ଇଚ୍ଛା କରୁନାହାନ୍ତି,– ଏହି ଅଶିକ୍ଷିତ ଦେଶରେ ଆମର ତଥାକଥିତ ଶିକ୍ଷିତମାନେ ହିଁ ଯେପରି ଏକ ପଶ୍ଚାଦ୍‌ଦୃଷ୍ଟି ଓ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ଭାବରେ ଏଠି ଅନେକ ପ୍ରୟୋଜନୀୟ ପରିବର୍ତ୍ତନ ଓ ବିପ୍ଳବକୁ ପଥରୋଧି ରଖିଚନ୍ତି । ପରୀକ୍ଷାରେ ନକଲ କରି ପାସ୍‌ କରିବାକୁ ଯେଉଁମାନେ ସତେଅବା ଗୋଟାଏ କେଡେବଡ଼ ବିପ୍ଳବ ବୋଲି ଭାବୁଛନ୍ତି, ସେମାନେ ପ୍ରକୃତରେ ଆପଣା ଭିତରେ ଏପରି ଗୋଟିଏ ଗୋଟିଏ ଗେହ୍ଲା ଭୀରୁ ହୋଇ ବସିଚନ୍ତି, ଯେଉଁମାନଙ୍କଦ୍ୱାରା କି ଇତିହାସରେ କେବେ କୌଣସି ବିପ୍ଳବ କିମ୍ୱା ପରିର୍ତ୍ତନ ସମ୍ଭବ ହୋଇନାହିଁ । ଏମାନେ ବସ୍ତୁତଃ କେବଳ ଏହି ସମାଜର ବୁଢ଼ାମାନଙ୍କୁ ହିଁ ଆପଣାର ମଡ଼େଲ୍‌ ବୋଲି ମାନି ନେଇଚନ୍ତି । ବୁଢ଼ାମାନେ ଯେପରି କୌଣସି ପରିବର୍ତ୍ତନ ଚାହୁଁନାହାନ୍ତି, ମାତ୍ର ପରିବର୍ତ୍ତନ ହେଉ ବୋଲି ରଡ଼ି ଦେବାରେ ଲାଗିଚନ୍ତି, ଏମାନେ ବି ସେହିପରି ଏଇଟା ଭାଙ୍ଗିଦେବୁ ବା ସେଇଟା ଭାଙ୍ଗିଦେବୁ ବୋଲି ହୁଙ୍କାରୁଚନ୍ତି ସତ, ମାତ୍ର ହୁଏତ ପ୍ରକୃତରେ କିଛିହେଲେ ଭାଙ୍ଗିବାକୁ ଚାହୁଁନାହାନ୍ତି । ଭିତରେ ସାହସ ନଥିଲେ ମଣିଷର ଏହି ଦଶା ହୁଏ । ଏବଂ ଯେତେବେଳେ ଯୁବକ ଆପଣାର ଏହି ସାହସଟିକୁ ହରାଇ ବସିଥିବା ପରି ଆଚରଣ କରେ, ସେତେବେଳେ ତାହାର ଅବସ୍ଥା ପ୍ରକୃତରେ ବଡ଼ ଦୟନୀୟ ହୋଇ ଉଠେ । ଆପଣାର ସକଳ ଆସ୍ଫାଳନ ସତ୍ତ୍ୱେ ସେ ତଥାପି ବୁଢ଼ା ହୋଇ ରହିଥାଏ, ଯୁଗର ଗୋଡ଼ରେ ପଥର ବାନ୍ଧି ରଖିଥାଏ ।

 

ଆପଣାର ଅସଲ କ୍ଷେତ୍ରଗୁଡ଼ାକରେ ଉତ୍ତୀର୍ଣ୍ଣ ହୋଇ ନପାରି ଆମ ଦେଶର ଶିକ୍ଷିତ ଛାତ୍ର ଅନ୍ୟାନ୍ୟ ନାନାବିଧ କ୍ଷୁଦତର କ୍ଷେତ୍ରରେ ଆପଣାର ଉତ୍ସାହ ଦେଖାଇବାକୁ ଯାଉଚି, ଏବଂ ସେଇଠି ସତେଅବା ଗୋଟାଏ ବିରାଟ ବିପ୍ଳବ ଘଟାଇ ଦେଉଥିବା ପରି ଅନୁଭବ କରୁଚି । ଭିକ୍‌ଟୋରିଆ ଯୁଗର ଇଂଲଣ୍ତରେ ପାଠପଢ଼ା ଯୁବକମାନେ ହୁଏତେ ଏହିଭଳି ଅନେକ ଉତ୍ସାହ ଦେଖାଇଥିବେ । ସେତେବେଳେ ପୁଅଙ୍କ ସଂସାର ଝିଅଙ୍କ ସଂସାରଠାରୁ ଅଲଗା ଥିଲା । ତଥାକଥିତ ସଦାଚରଣର ସୂତ୍ରମାନ ପରମ୍ପରାରୂପେ ଜାରି ହୋଇ ରହିଥିଲା । ଏହି ପରମ୍ପରାର ବାଡ଼ଟାକୁ କେତେବେଳେ କିମିତି ଡେଇଁପଡ଼ି କିମ୍ୱା ସେହି ବାଡ଼ ଭିତରେ କେତେବେଳେ କିମିତି ଗଳିଯାଇ ଅନୁସୂଚିତ ନିଷିଦ୍ଧ ଅଞ୍ଚଳ ଗୁଡ଼ାକରେ ଘେରାଟାଏ ବୁଲି ଆସିବାକୁ ସେତେବେଳେ ମଧ୍ୟ କେତେ ଲୋକ ଉନ୍ମାଦନାବଶ ହୋଇ ଗୋଟିଏ ବଡ଼ ବିପ୍ଳବ ବା ବଡ଼ ସାହସିକତା ବୋଲି କହିଥିବେ । ଆମ ଦେଶରେ ବି ବର୍ତ୍ତମାନ ଏହିଭଳି ଏକ ସାହସିକତା ଓ ଶ୍ରଦ୍ଧାହୀନ ନିରଙ୍କୁଶତାର ପର୍ଯ୍ୟାୟ ଚାଲିଚି । ମାତ୍ର ସମୟକ୍ରମେ ଦିନେ ଏଇଟା ବି ଭେସରା ଲାଗିବ ଓ ଏହାଦ୍ୱାରା ଆଦୌ କୌଣସି ବିପ୍ଳବ ହେବନାହିଁ-। ପୁଅଝିଅଙ୍କ ସମ୍ୱନ୍ଧ ବିଷୟରେ ସମାଜରେ ରହିଥିବା ଦୃଷ୍ଟିକୋଣଟିରେ ମଧ୍ୟ ଏହା କୌଣସି ପରିବର୍ତ୍ତନ ଘଟାଇବ ନାହିଁ । ବାଡ଼ ଭାଙ୍ଗିବା କିମ୍ୱା ବାଡ଼ରେ ଗଳି ଭିତରେ ପଶିବା ବିପ୍ଳବ ନୁହେଁ, ନୂଆ ଆଖି ନେଇ ଦେଖିବାକୁ ସମର୍ଥ ହେବା ହେଉଚି ବିପ୍ଳବ । ତେଣୁ ନୂଆ ଢଙ୍ଗରେ ପୋଷାକ ପିନ୍ଧିଲେ ମଧ୍ୟ ତଦ୍ଦ୍ୱାରା ବିପ୍ଳବ ହେବନାହିଁ, କାରଣ ନୂଆ ପୋଷାକଟା ବି ଆମକୁ ନୂଆ ଆଖି ଦେଇ ପାରିବନାହିଁ । ଏହି ଦେଶ ଓ ଏହି ସମାଜଠାରୁ ଏଠି ବିଚରଣ କରୁଥିବା ଜୀଅନ୍ତା ମଣିଷଗୁଡ଼ାଙ୍କଠାରୁ ଆମର ବ୍ୟବଧାନଟାକୁ ହିଁ ଏହା ଆହୁରି ଆଙ୍ଗୁଠି ଗେଞ୍ଜି ଦେଖାଇ ଦେଉଥିବ ଓ କେବଳ ବାହାର ରୀତିଟାକୁ ଅନୁକରଣ କରିବାଟା ଯେପରି ଗତ ପ୍ରାୟ ଶହେବର୍ଷ ହେଲା ଆମ ଦେଶରେ ଶିକ୍ଷିତମାନଙ୍କର ଏକ ସହଚାରୀ ସ୍ୱଭାବ ହୋଇ ରହିଆସିଚି, ଆମକୁ ତାହାରି ଆଉ ଗୋଟିଏ ନିଦର୍ଶନ ଯୋଗାଇ ଦେଉଥିବ । ଆମର ଚେର ଯେ ପ୍ରକୃତରେ ଏଠି ନାହିଁ କି ସେଠି ନାହିଁ, ତାହାର ଏକ ପ୍ରମାଣ ଦେଇ ଯାଉଥିବ ।

 

ତେଣୁ ଛାତ୍ର-ଉଦ୍‌ବେଳନର କ୍ଷେତ୍ରରେ ବର୍ତ୍ତମାନ ଆମର ଏଠି ଯାହାସବୁ ଘଟୁଚି, ତଦ୍ଦ୍ୱାରା ଯଥାର୍ଥରେ କୌଣସି ପରମ୍ପରା ଭାଙ୍ଗୁନାହିଁ । ଏହି ତଥାକଥିତ ପରମ୍ପରାଗୁଡ଼ାକ ଯେ ଏକାବେଳକେ ଅଚଳ ହୋଇ ଗଲାଣି, କେବଳ ତାହାରି ଏକ ସ୍ପଷ୍ଟ ସଙ୍କେତ ହିଁ ମିଳୁଚି । ପୁରୁଣା ଗୁଡ଼ାକ ଅଚଳ ହୋଇ ଗଲାଣି ବୋଲି ବଡ଼ଠାରୁ ସାନଯାଏ ସମସ୍ତେ ପାଟି କୁରୁଚନ୍ତି, ମାତ୍ର ସ୍ୱୟଂ ଅଚଳ ହୋଇ ବସିଚନ୍ତି । କେହି କିଛିହେଲେ କରିବାକୁ ରାଜୀ ନୁହନ୍ତି; ସବୁକଥା ଆପଣାଛାଏଁ କେବେ ବଦଳିଗଲା ପରେ ତା’ପରେ ଆପେ ବଦଳିବେ ବୋଲି ସେମାନେ ସମସ୍ତେ ଅପେକ୍ଷା କରି ବସିଛନ୍ତି । ଏବଂ ସେ ପର୍ଯ୍ୟନ୍ତ ଯାହା ଯେପରି ଅଛି, ତାହାରି ସହିତ ଗୋଟାଏ ପ୍ରକାର ମୌନ ସାଲିସ୍‌ କରି ଚାଲିବାରେ ଲାଗିଛନ୍ତି । ଏହାଫଳରେ ପୁରୁଣା ଆଚାରଗୁଡ଼ାକ ଭାଙ୍ଗିବା ନାଆଁରେ କପଟାଚାର ଗୁଡ଼ାକ ସର୍ବତ୍ର ଆମର ଯାବତୀୟ ସମ୍ୱନ୍ଧଗତ ଜୀବନକୁ ଗ୍ରାସିକରି ରହିଚି । ପୁରୁଣା ଜାତି ପ୍ରଥାକୁ ଭାଙ୍ଗିବାକୁ ଯାଇ ନୂଆ ନୂଆ କେତେଭଳି ଜାତି ଓ ଜାତିଗତ ବ୍ୟବଧାନର ସୃଷ୍ଟି ହେଉଚି । ପୁରୁଣା ଅଭିନୟ ଜାଗାରେ ପରିପୂର୍ଣ୍ଣ ସନ୍ତର୍ପଣରେ ଓ ବାବୁମାନଙ୍କର ପୂର୍ଣ୍ଣ ସମର୍ଥନରେ ନୂଆ ଅଭିନୟ ଗୁଡ଼ାକ ଆଖଡ଼ା ମାଡ଼ି ବସିଚି । ଏହି ସଙ୍ଗଠିତ ଅଭିନୟରେ ଆଜିର ଯୁବକଛାତ୍ରମାନେ କାଲି ବୁଢ଼ାମାନଙ୍କର ଅଭିନୟ କରିବାଲାଗି ପ୍ରସ୍ତୁତ ହେଉଚନ୍ତି । ତେଣୁ ଚକ୍ର ଲାଗି ରହିଚି । ସୁବିଧାଭୋଗୀ ଅଳ୍ପ ମଣିଷଙ୍କର ଏହି ଚକ୍ର ବୁଲିବାରେ ବୃହତ୍ତର ସମାଜର ବହୁ ମଣିଷ ପେଷି ହୋଇ ଯାଉଚନ୍ତି, ଅସଲ ମଣିଷ ପେଷି ହୋଇ ଯାଉଚି ।

 

ଖାଲି ଅମାନିଆ ହେଲେ ମଣିଷର ପେଟ ପୂରେ ନାହିଁ । ଯୁବକର ତ ଆଦୌ ପେଟ ପୂରେ ନାହିଁ ଆଉ କେଉଁଠି କେଉଁ ବୃହତ୍ତର ବା ମହତ୍ତର ଆହ୍ୱାନର ବୋଲ ମାନିବା ଲାଗି ସତେ ଅବା ବାଧ୍ୟ ହେଲାପରି ଏଠି ଆପଣାକୁ ଅମାନିଆ କରି ବାହାର କରିବାକୁ ପଡ଼େ । କୌଣସି ବୃହତ୍ତର ପରିପୂର୍ଣ୍ଣତା ଲାଗି ମଣିଷ ତାର ସ୍ୱଳ୍ପତାଗୁଡ଼ାକୁ ସ୍ୱଳ୍ପତା ବୋଲି ଚିହ୍ନିବାକୁ ଆରମ୍ଭ କରେ ଓ ସେଗୁଡ଼ାକର ବାଡ଼ ଭାଙ୍ଗି ଆଗକୁ ବାହାରି ଯିବାକୁ ଅସହିଷ୍ଣୁ ହୋଇଉଠେ । ଏକ ବୃହତ୍ତର ପରିଧି ଭିତରେ ନ୍ୟାୟ ଓ ବିବେକର ଆବେଦନ ଶୁଣିବା ମାତ୍ରକେ ସେ ତା’ର ଏଇ ପ୍ରଚଳିତ ଭୂମିରେ ତଥାକଥିତ ସ୍ୱୀକୃତ ନ୍ୟାୟଗୁଡ଼ାକୁ ଅନ୍ୟାୟ ବୋଲି ଅନୁଭବ କରେ, ଅବିବେକ ବୋଲି ଆବିଷ୍କାର କରେ ଏବଂ ଏଠି ଥୟ ଧରି ସାଲିଶ୍ କରି ରହିବାଲାଗି ଲଜ୍ଜା ବୋଧକରେ । ସେତେବେଳେ ସେ ସବୁ ପିତୁଳାକୁ ଭାଙ୍ଗି ଦେବାକୁ ବାହାରେ, ସବୁ ଅଫିମକୁ ଅଫିମ ଜାଣି ଛାଡ଼ି ଚାଲିଆସେ । ବିଦ୍ୟାଶିକ୍ଷା କରିବାର ବଳରେହିଁ ସେ ରାଜଗୁରୁ ଦୋଣାଚାର୍ଯ୍ୟଙ୍କର ନିଷେଧକୁ ଆଦୌ ମାନି ପାରିଲା ନାହିଁ । ନୀଚ କୂଳରେ ତା’ର ଜନ୍ମ ହୋଇଚି ବୋଲି ଆକଟ ପାଇ ମଧ୍ୟ ସେ ତଥାପି ବିଦ୍ୟାଶିକ୍ଷା କଲା, କେବଳ ଗୋଟାଏ କଣ୍ଢେଇ ବସାଇ ଦେଇ ସେଇଥିରେ ହିଁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଅଭାବକୁ ମେଣ୍ଟାଇ ଦେଇ ପାରିଲା । ତେଣୁ ସାରା ପୃଥିବୀରେ ବର୍ତ୍ତମାନ ଯେଉଁ ଯୁବ-ଉଦ୍‌ବେଳନ ଦେଖା ଦେଇଚି, ଦେଶ କିମ୍ୱା ବାଦର ସକଳ ଆୟତ୍ତତାକୁ ଲଙ୍ଘନ କରି ଯେଉଁ ଉଦ୍‌ବେଳନ ବର୍ତ୍ତମାନ ଆମ ଏହି ଶତାବ୍ଦୀର ସର୍ବପ୍ରଧାନ ଉଦ୍‌ବେଳନ ରୂପେ ଆତ୍ମପ୍ରକାଶ କରିବାକୁ ଯାଉଚି, ଆମେ ତାହାକୁ କେବଳ ଅମାନିଆ ପିଲାଙ୍କର ସାମୟିକ ଉତ୍ତେଜନା କିମ୍ୱା ଭାବପ୍ରବଣ ସାମୟିକ ଉଚ୍ଛ୍ୱାସ କହି ଉଡ଼ାଇ ଦେଉଥିବା ପର୍ଯ୍ୟନ୍ତ ଆମେହିଁ ପଛରେ ରହିଯିବା ଓ ଏହି ଅମାନିଆମାନେ ହିଁ କାଲିର ପୃଥିବୀରେ କର୍ଣ୍ଣଧାର ହୋଇ ବସିବେ । ନୂଆ ମୂଲ୍ୟବୋଧରେ ନୂଆ ପୃଥିବୀ ଗଢ଼ା ହେଉଥିବା ବେଳେ ଯୁଗଟା ଖାଲି ଭ୍ରଷ୍ଟ ହୋଇ ଯାଉଚି ବୋଲି ଆମେ ନୈରାଶ୍ୟରବ କରିବାରେ ଲାଗିଥିବା । ଯୁବଶକ୍ତି କେବଳ ଏକ ଅମାନିଆ ଶକ୍ତି ନୁହେଁ, ଆପଣା ଅନ୍ତର୍ମୂଲ୍ୟ ଗୁଡ଼ିକର ପଥରେ ଏହା କୌଣସି ଏକ ଉଚ୍ଚତର ସମ୍ଭାବନାର ବାସ୍ତବତାକୁ ଅନୁଭବ କରିପାରେ ବୋଲି ଆମର ଏଠି ଏହି ପୁରୁଣା ପ୍ରହସନ ଗୁଡ଼ାକୁ ଅମାନ୍ୟ କରି ବାହାରେ, ଆମର ସବୁ କୁରୂପ ଗୁଡ଼ାକୁ ପଦାରେ ପକାଇଦିଏ, ଆମକୁ ଟପି କରି ଚାଲିଯିବାକୁ ବାହାରେ । ଯେଉଁଠି ସେ ଅଯୋଗ୍ୟ ନେତୃତ୍ୱର ଭେଳିକି ଭିତରେ ପଡ଼ିଯାଏ, ସେଇଠି ସାମୟିକ ଭାବରେ ତାହାର ଗତିବେଗ ଟିକିଏ ମାନ୍ଦା ପଡ଼ିଯାଏ ସତ, ମାତ୍ର ତଥାପି ଦିନେ ନା ଦିନେ ତା’ର ନିଦ ଭାଙ୍ଗେ, ଦିନେ ନା ଦିନେ ସିଏ ଘୋରତମ ରାତ୍ରି ଭିତରେ ରହି ମଧ୍ୟ ଆସନ୍ନ ସକାଳର ସ୍ପଷ୍ଟ ସଙ୍କେତ ପାଏ ଓ ବାଟ ଚାଲିବାକୁ ଆରମ୍ଭ କରେ । ଏବଂ ଆମ ପ୍ରାଚୀନ ଶାସ୍ତ୍ରର କହିବା ଅନୁସାରେ ଆଗକୁ ଗୋଡ଼ ପକାଇ ଚାଲିବା ମାତ୍ରକେ ସତ୍ୟଯୁଗ ଆରମ୍ଭ ହୋଇଯାଏ; ସେତେବେଳେ ସ୍ୱୟଂ ଇନ୍ଦ୍ର ମଧ୍ୟ ଆମ ସାଥିରେ ଚାଲିବାକୁ ଆରମ୍ଭ କରନ୍ତି ।

 

ଆମ ପାଖରେ ଜ୍ଞାନ ଓ ବିଜ୍ଞାନର ଏତେ ସାମର୍ଥ୍ୟ ପଡ଼ିରହିଚି; ଆମ ହାତରେ ଏତେ ବଳ, ମସ୍ତିଷ୍କରେ ଏତେ ବୁଦ୍ଧି ଓ ହୃଦୟରେ ଏତେ ଶ୍ରଦ୍ଧା ଭର୍ତ୍ତି ହୋଇ ରହିଚି । ତଥାପି ଏଠି ମଣିଷ କାହିଁକି ଏପରି ହତଶ୍ରୀ ହୋଇ ରହିଥିବ ? ଉପରେ ଦଳେ ବର୍ବର ହୋଇ ରହିଥିବେ ଓ ଅବଶିଷ୍ଟ ଅନ୍ୟମାନେ କେବେ ଏହି ରାତିଟା ପାହି ସକାଳ ହେବ ବୋଲି ବିଶ୍ୱାସ ବି କରିପାରୁ ନଥିବେ ? ପୃଥିବୀରେ ସମସ୍ତେ ମଣିଷପରି ପୂର୍ଣ୍ଣ ବିକଶିତ ହୋଇ ପାରିବାଲାଗି ଏଠି ପର୍ଯ୍ୟାପ୍ତ ଧନ ଓ ପର୍ଯ୍ୟାପ୍ତ ସାଧନ ପଡ଼ି ରହିଥିବ, ତଥାପି ମଣିଷ କାହିଁକି ଏଠାରେ କେବଳ ଭାଗ୍ୟକୁ ଆଦରି କେବଳ ମରଣର ନିକଟବର୍ତ୍ତୀ ହେବାକୁ ହିଁ ଜୀବନ ବୋଲି ମାନିନେବାକୁ ବାଧ୍ୟ ହେଉଥିବ ? ମଣିଷ ମଣିଷ ଭିତରେ ଏତେସବୁ ପାହାଚ କାହିଁକି ରହିବ, ଦେଶ ଓ ଦେଶୀୟତାର କଣ୍ଟ ବାଡ଼ମାନ ବସାଇ ଥୋକେ କ୍ଷମତାପନ୍ନ ବ୍ୟକ୍ତି ଆଉଥୋକେ କ୍ଷମତାପନ୍ନ ବ୍ୟକ୍ତିଙ୍କର ବଇରି ହୋଇ ରହିଥିବେ କାହିଁକି ଓ ବୈରିଆଚରଣର ଏହି ସୁଆଙ୍ଗରେ କୋଟି କୋଟି ମଣିଷଙ୍କୁ ନଚାଉଥିବେ କାହିଁକି ? ଏହି ସମ୍ପନ୍ନ ପୃଥିବୀ ମଧ୍ୟରେ କାହିଁକି ଅଧେ ପିଲା ସ୍କୁଲକୁ ଯାଇପାରିବେ ନାହିଁ, ବିଂଶ ଶତବ୍ଦୀର ଆଲୋକମୟତାକୁ ଅଧିକାର ସୂତ୍ରରେ ପାଇଥିଲେ ମଧ୍ୟ ସେମାନେ ତଥାପି କାହିଁକି ଆଲୋକ ଦେଖିବାର ସକଳ ଅବସରରୁ ବଞ୍ଚିତ ହୋଇ ରହିଥିବେ ? ଯୁଦ୍ଧ ନାମରେ ମଣିଷ କାହିଁକି ମଣିଷ ମାରି ବାହାରୁଥିବ ? ଯଦି ଘରେ ସମସ୍ତଙ୍କ ଲାଗି ଯଥେଷ୍ଟ ଖାଇବା ମହଜୁଦ୍‍ ହୋଇ ରହିଚି, ତେବେ ଏ ଘରେ ତଥାପି କଳହ ଲାଗୁଥିବ କାହିଁକି, ଜଣକର ଭାତକଂସାକୁ ଆଉଜଣେ ଛଡ଼ାଇ ନେଉଥିବ କାହିଁକି ? ବାଦ, ଭେଦ, ବର୍ଣ୍ଣ ଓ ଜାତୀୟତା ଆଉ କେତେଦିନ ଯାଏ ମଣିଷ ଉପରେ ଘୋଡ଼ା ଚଢ଼ି ବୁଲୁଥିବେ, ମଣିଷର ଶିକାର କରିବାରେ ଲାଗିଥିବେ ଓ ନାନାପ୍ରକାର ଅଶିକ୍ଷା ଦ୍ୱାରା ମଣିଷକୁ ମଣ କରି ରଖିଥିବେ ? ଏଇଗୁଡ଼ାକ ହେଉଚି ଯୁଗର ପ୍ରଶ୍ନ, ଏଇଗୁଡ଼ାକ ଯୁବକର ପ୍ରଶ୍ନ; ଦେଶରେ ଏହି ପ୍ରଶ୍ନ ଓ ବିଦେଶରେ ମଧ୍ୟ ଏହି ପ୍ରଶ୍ନ । ଏହି ପ୍ରଶ୍ନ ଗୁଡ଼ାକର ଉତ୍ତର ପାଇବା ଲାଗି ଆଜି ସବୁଠାରେ ଯୁବଶକ୍ତି ବୈରାଗ୍ୟର ବେଶରେ ଏହି ପୁରୁଣା ଘରଟାକୁ ଛାଡ଼ିଦେଇ ରାସ୍ତାରେ ବାହାରିଚି, ଏହି ପୁରୁଣା ଧନଗୁଡ଼ାକୁ ସେ ଲୋଷ୍ଟ୍ରବତ୍ ମଣି ଅମାନିଆ ହୋଇ ବାହାରିଚି । ଏବଂ ଯେଉଁ ବୃହତ୍ତର ଅନୁରାଗ ତାକୁ ଏପରି ଏକ ଅମାନିଆ ବୈରାଗ୍ୟ ବେଶରେ ବାହାର କରିଚି, ତାହାହିଁ ହେଉଚି ଆମସମସ୍ତଙ୍କର ଆଗାମୀ କାଲିର ସ୍ୱପ୍ନ, ସବୁ ଦେଶରେ ଅମଣିଷଗଢ଼ା ସବୁପ୍ରକାର ବାଡ଼ ଓ ବର୍ବରତାକୁ ଭାଙ୍ଗି ଆସୁଥିବା ଆଗାମୀ କାଲିର ପ୍ରେରଣା । ଏହି ପ୍ରେରଣା ଦ୍ୱାରାହିଁ ଉଦ୍‌ବେଳିତ ହୋଇ ସେ ପଇତା ଛିଡ଼ାଇ ବାଟରେ ବାହାରିଚି । ଆମେ ଅନେକେ ଏହି ଉଦ୍‌ବେଳନକୁ ହୁଏତ ଖାଲି ଗୋଟାଏ ଅମାନିଆପଣ ବୋଲି ଭାବୁଛୁ, କାରଣ ଆମେ ହୁଏତ କେବେହେଲେ ସେମାନଙ୍କର ଆଖିରେ ଅନାଗତ ଭବିଷ୍ୟଆଡ଼କୁ ଅନଇବାର ସାହସ କରିନାହୁଁ । ସେମାନେ ସାହସ କରିଚନ୍ତି; ତେଣୁ କାତର ହୋଇ ଆପଣାର ଅତିକ୍ଷୁଦ୍ର ଧୂର୍ତ୍ତତାଗୁଡ଼ାକୁ ନେଇ ଉପରେ ପରିତୁଷ୍ଟ ଓ ଭିତରେ ଖଳ ହୋଇ ବସିଥିବା ଆମମାନଙ୍କୁ ସେମାନେ ଆଉ ସେମାନେ ଆଉ ମୋଟେ ସହି ପାରୁନାହାନ୍ତି । ସେମାନଙ୍କର ଏହି ଉଦ୍‌ବେଳନ ଦ୍ୱାରା ପ୍ରକୃତରେ କି ଫଳ ଫଳିବ, ସେ କଥା ଏଇଠୁ ଥାଇ କେହି ଆଗରୁ କହିଦେଇ ପାରିବ ନାହିଁ । କାରଣ ତାହା ଆହୁରି ଅନେକ କଥା ଉପରେ ନିର୍ଭର କରୁଚି । ମୁଖ୍ୟତଃ ଏକ ଯୋଗ୍ୟ ନେତୃତ୍ୱ ଉପରେ ନିର୍ଭର କରୁଚି; ବିପ୍ଳବ ଓ ପରିବର୍ତ୍ତନର ଏକ ସମ୍ପୂର୍ଣ୍ଣ ନୂତନ ସଂଜ୍ଞାକୁ ହଜମ କରିବା ଉପରେ ନିର୍ଭର କରୁଚି । ଆଶୁ ଫଳଦାୟକତାର ଲୋଭରେ ପଡ଼ି ପୁରୁଣା ବିଭ୍ରମ ଗୁଡ଼ାକର ଶିକାର ନହେବା ଉପରେ ମଧ୍ୟ ନିର୍ଭର କରୁଚି । କିନ୍ତୁ ତଥାପି ଏତିକି ଅବଶ୍ୟ କୁହାଯାଇ ପାରିବ ଯେ ଯଦି ଆମର ଏହି ଅସଜଡ଼ା ପୃଥିବୀକୁ କେହି କେବେ ସଜାଡ଼ିବ, ତେବେ ଏହି ଉଦ୍‌ବେଳନ ହିଁ ସଜାଡ଼ିବ । ଯେଉଁମାନେ ସତ୍ୟର ଅନ୍ତିମ ବିଜୟ ଉପରେ ଭରସା ରଖି ଆରାମରେ ଅସତ୍ୟଗୁଡ଼ାକୁ ସହି ଯାଉଚନ୍ତି, ସଜ୍ଜନତାର କୌଣସି ଅନ୍ତିମ ପ୍ରତିଷ୍ଠା ଉପରେ ବିଶ୍ୱାସ ରଖି ଆଖି ଆଗରେ ଯାବତୀୟ ବର୍ବରତାମାନ ଦେଖି ମଧ୍ୟ ତଥାପି ଦାନ୍ତ ନିକୁଟି ବସିଚନ୍ତି, ସେମାନଙ୍କର ଚୂଲୀ କେବେହେଲେ ଜଳିବ ନାହିଁ, ସେମାନଙ୍କ ଶାଗ କେବେହେଲେ ସିଝିବ ନାହିଁ । ଆଜିର ଅମାନିଆମାନେ ହିଁ ଆଗାମୀ କାଲି ଲାଗି ଉଦ୍‌ବୋଧନ ଦେଇଯିବେ, କାଲି ପାଇଁ ବାଟ ଫିଟାଇ ଦେବେ ।

 

(ପୀୟୁଷ, ୩୦ । ୧ । ୭୨)

 

☆☆☆

 

ଯୁବ-ଅସନ୍ତୋଷ ଓ ତା’ର ପ୍ରତିକ୍ରିୟା

 

ଆମର ଏହି ଯୁଗ ଏକ ଅସନ୍ତୋଷର ଯୁଗ । ଏହି ଯୁଗ ଏକ ଅସମତାର ଯୁଗ, ଅବିବେକିତାର ଯୁଗ; ତେଣୁ ଅସନ୍ତୋଷର ଯୁଗ । ମଣିଷ ମଣିଷକୁ ଶୋଷଣ କରୁଛି, ମଣିଷ ମଣିଷକୁ କବଳଗ୍ରସ୍ତ କରି ରଖିଛି, ମଣିଷ ମଣିଷ ଉପରେ ଘୋଡ଼ା ଚଢ଼ୁଛି, ମଣିଷ ମଣିଷକୁ ଗୋଡ଼ି ପଥର ପରି ଭାବୁଛି ! ସକଳ ଧର୍ମର କୋଳାହଳ ଭିତରେ ତଥାପି ମନଟାହିଁ ମଣିଷ–ହୃଦୟରେ ଅସଲ ନାଡ଼ୀ ହୋଇ ରହିଛି, ସକଳ ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାର ଆଡ଼ମ୍ୱର ଭିତରେ ତଥାପି ଅଶିକ୍ଷିତତା ଓ ଅଶିକ୍ଷିତ ରୁଚିଗୁଡ଼ାକ ହିଁ ଆମ ଜୀବନର ଜାତୀୟ କ୍ଷେତ୍ରରେ ନେତୃତ୍ୱ ନେବାରେ ଲାଗିଛି, ବିଜ୍ଞାନର ସକଳ ବିଭବ ଭିତରେ ଆମର ଅଭ୍ୟାସଗୁଡ଼ାକ ବଡ଼ ଅବୈଜ୍ଞାନିକ ଓ ମୋହବଶ ହୋଇ ରହିଛି । ଐଶ୍ୱର୍ଯ୍ୟ ଭିତରେ ମଣିଷ ଉପବାସ ରହୁଛନ୍ତି, ଅନାହାରରେ ମରୁଛନ୍ତି; ପ୍ରତିଭା ଉପରେ କ୍ଷମତାର ସର୍ଦ୍ଦାରି ଚାଲିଛି, ସଭ୍ୟତା ଉପରେ ଅଯୋଗ୍ୟତା ଏବଂ ଉଦ୍ଧତତା ସବାର ହୋଇ ବସିଛି ଓ ସିଦ୍ଧିର ସବୁଯାକ ଦୁଇ ପଇସା ଆସ୍ଥାନ ମାଡ଼ି ରହିଛି । ଏଗୁଡ଼ାକ ମଧ୍ୟରେ ଆମେ ସମସ୍ତେ ଅଳ୍ପ ବହୁତେ ବାନ୍ଧି ହୋଇ ରହିଛୁ, ଏହି ଅନ୍ଧାର ଭିତରେ ଆମେ ପ୍ରାୟ ସମସ୍ତେ ଅପରକୁ ଅସାଧୁ ବୋଲି ଭାବି ଆପଣାକୁ ସାଧୁ ବୋଲି ପ୍ରମାଣ କରିବାର ଉତ୍ସାହ ଦେଖାଉଛୁ, ଧରା ନପଡ଼ି ଯେ କୌଣସି ପ୍ରକାରେ ଯଥାସମ୍ଭବ ନିରାପତ୍ତା ସହିତ ଅନିତ୍ୟ ସଂସାର ଦିନଗୁଡ଼ାକୁ ପାର ହୋଇ ଯିବାପାଇଁ ଭରସା ବାନ୍ଧିଛୁ । ତଥାପି ଭିତରେ ଅସନ୍ତୋଷ ପୂର୍ଣ୍ଣ ହୋଇ ରହିଛି । ଏବଂ ସେହି ଅସନ୍ତୋଷଟା ନାନା ବାଟରେ ନାନା ପ୍ରକାରେ ବାହାରେ ପ୍ରକଟିତ ବି ହେବାରେ ଲାଗିଛି । ଆମର ନିଜ ଆସ୍ଥାନଗୁଡ଼ାକୁ ସତେଅବା ଦୋହଲାଇ ଦେଇ ଯାଉଛି । ଆମ ଜୀବନ-ବିଚରଣର ସ୍ୱୀକୃତ ଭୂଇଁଗୁଡ଼ାକୁ ମଧ୍ୟ ଦୋହଲାଇ ଦେଉଛି ।

 

ସବୁ ଅସନ୍ତୋଷ ମଧ୍ୟରେ ଯୁବ–ଅସନ୍ତୋଷଟା ଆଜି ସତେଅବା ସବୁଠାରୁ ଅଧିକ ପ୍ରବଳ ହୋଇ ଦେଖା ଦେଇଛି । ଏହା କୌଣସି ବିଶେଷ ଦେଶରେ ଅଥବା ମହାଦେଶରେ ସୀମାବଦ୍ଧ ହୋଇ ରହିନାହିଁ । କୌଣସି ଗୋଟାଏ ରାଜନୀତିକବାଦର ପକ୍ଷରେ ବା ବିପକ୍ଷରେ ଏହି ଅସନ୍ତୋଷ ଆପଣାକୁ ପ୍ରକଟ କରିନାହିଁ । କୌଣସି ଗୋଟାଏ ନିର୍ଦ୍ଦିଷ୍ଟ ଧର୍ମ, ନିର୍ଦ୍ଦିଷ୍ଟ ସରକାର, ଅଥବା ସମାଜରେ ପ୍ରତିପତ୍ତି ବିସ୍ତାର କରି ରହିଥିବା କୌଣସି ନିର୍ଦ୍ଦିଷ୍ଟ ବର୍ଗ ବା ଶ୍ରେଣୀ ବିରୁଦ୍ଧରେ ଏହା ପରିଚାଳିତ ହୋଇନାହିଁ । ଏହି ଅସନ୍ତୋଷ ପୃଥିବୀ ବ୍ୟାପୀ ଦେଖା ଯାଇଛି । ଯେପରି ସମଗ୍ର ପୃଥିବୀରେ ଆମେ ଆଜିଯାଏ ଯାହାସବୁ ପ୍ରତିଷ୍ଠିତ କରି ରଖିଆସିଥିଲୁ, ଯୁବ-ଅସନ୍ତୋଷ ସେହି ସବୁଗୁଡ଼ାକ ବିରୁଦ୍ଧରେ ଆପଣାକୁ ପ୍ରକଟ କରି ବାହାରିଛି । ଯୁବକ ଆମର ପ୍ରତିଷ୍ଠିତ କୌଣସି ଭଗବାନକୁ ମାନିବାକୁ ରାଜି ହେଉନାହିଁ, ଆମଦ୍ୱାରା ପ୍ରତିଷ୍ଠିତ ସବୁ ନୀତି ଓ ରୀତିକୁ ସିଏ କେବଳ ନାପସନ୍ଦ କରି ପକାଉଛି । ଆମର ପ୍ରତିଷ୍ଠିତ ବ୍ୟବସ୍ଥାଗୁଡ଼ିକୁ ସିଧାସଳଖ ତୁଚ୍ଛା ଅବ୍ୟବସ୍ଥା ବୋଲି କହି ସେଗୁଡ଼ାକର ମୂଳ ତାଡ଼ି ଫୋପାଡ଼ି ଦେବାକୁ ବାହାରୁଛି । ଆମେ ତାକୁ ଦେଶ ପାଇଁ ଯୁଦ୍ଧ ଲଢ଼ିବାକୁ କହୁଛୁ, ସିଏ ଯୁଦ୍ଧ କରିବାକୁ ସିଧା ମନା କରି ଦେଉଛି । ତାକୁ ଆମେ ପାଠପଢ଼ି ଯୋଗ୍ୟ ହୋଇ ଆମରି ସମାଜର କଳଗୁଡ଼ାକର ସେବା ଖଟି ବଡ଼ଲୋକ ହେବାକୁ କହୁଛୁ । ସିଏ ଆମ ସ୍କୁଲରେ ପାଠ ପଢ଼ିବାକୁ ମନା କରିଦେଉଛି, ଆମର ସବୁ ବେପାର ଓ ସବୁ ବଣିଜକୁ ଭଣ୍ତୁର କରି ଦେବ ବୋଲି ଦୁର୍ବୁଦ୍ଧି କାଢ଼ୁଛି । ଏକଥା ଆମେରିକାରେ ହେଉଛି; ଜର୍ମାନୀରେ ହେଉଛି, ଜାପାନରେ ହେଉଛି– ଆଉ ଆମର ଏହି ପୁରୁଣା ଦେଶ ଭାରତବର୍ଷରେ ମଧ୍ୟ ହେଉଛି ।

 

ଆଜି ପୃଥିବୀରେ ଯୁବକ କ’ଣ ଚାହୁଁଛି ? ସେ କୌଣସି ଦେଶର ସୁନାନାଗରିକ ହେବାକୁ ଚାହୁଁନାହିଁ, କୌଣସି ମାର୍କାମରା ମନ୍ଦିର ବା ଗୀର୍ଜରେ ବିଗ୍‌ଭ୍ରାନ୍ତ ଭକ୍ତ ହୋଇ ବସି ସେ ସାରା ଦୁନିଆଟା ଆଡ଼କୁ ଆଖି ବୁଜି ରଖିବାକୁ ଚାହୁଁନାହିଁ । ସିଏ ମଣିଷ ହେବାକୁ ଚାହୁଁଛି, ମଣିଷର ସମ୍ମାନ ଦାବୀ କରୁଛି, ମଣିଷଲାଗି ସ୍ୱୀକୃତି ଚାହୁଁଛି– ସଂସାରରେ ସବୁ କ୍ଷମତା ଓ ସବୁ ପଇସା ମଣିଷର କାମରେ ଲାଗନ୍ତୁ ଓ ମଣିଷର ହିଁ ପରିଚର୍ଯ୍ୟା କରନ୍ତୁ ବୋଲି ଦାବୀ କରୁଛି । ତେଣୁ ସେ ଆମର ଏହି ସଂସାରରେ ସଭ୍ୟତା ବୋଲି ଯାହା କିଛି ରହିଛି, ସେଗୁଡ଼ାକୁ ଭାଙ୍ଗି ଦେବାକୁ ଚାହୁଁଛି । ଆମର ଯାବତୀୟ ଦରବାରକୁ ସେ ଭାଙ୍ଗିଦେବାକୁ ଚାହୁଁଛି । ଆମର ସବୁ କପଟତା ଓ ଲମ୍ପଟତା ବିରୁଦ୍ଧରେ ସେ ଯୁଝି ବାହାରିଛି । ସିଏ ଆମ ପୃଥିବୀ ଲାଗି ନୂଆ ପ୍ରକାରର ପାଠ ଚାହୁଁଛି, ନୂଆ ଆଦର୍ଶ ଚାହୁଁଛି, ଆମର ବିଜ୍ଞାନ ଓ ଯନ୍ତ୍ରବିଭବ ଲାଗି ସେ ନୂଆ ଆଖି ଖୋଜି ବାହାରିଛି । ଆମ ମନ୍ଦିରଗୁଡ଼ାକସବୁ ନୂଆ ଭଗବାନ ଖୋଜି ବାହାରିଛି । ଏବଂ ଆମର ଯାବତୀୟ ଆୟୋଜନରେ ମଣିଷକୁହିଁ ସର୍ବେସର୍ବା କରି ଦେବାକୁ ବାହାରିଛି । ଯୁବକର ଏହି ଅସନ୍ତୋଷ ଏକ ଅଭିନବ ଅସନ୍ତୋଷ । ସିଏ ଆମ ଏହିପରି ସମସ୍ତଙ୍କର ଅସନ୍ତୋଷ । ସେହି ଅସନ୍ତୋଷକୁ ଆମେ ଡରିବା ନାହିଁ; ଆମେ ତାକୁ ବୁଝିବାକୁ ଚେଷ୍ଟା କରିବା ।

 

ଏହି ଯୁବ-ଅସନ୍ତୋଷର ପ୍ରତି ଆମେ ଆମ ଦେଶରେ ନାନାପ୍ରକାର ବେଶ ଧରି ପ୍ରତ୍ୟେକ ବଡ଼ମାନେ, କ୍ଷମତାଧାରୀମାନେ ପ୍ରତିଷ୍ଠିତ ଏକ ସନାତନ ଏବଂ ପବିତ୍ର ବ୍ୟବସ୍ଥା ମଧ୍ୟରେ ଯୁବ-ଆସନ୍ତୋଷକୁ କେତେକ ବ୍ୟକ୍ତିମାନଙ୍କର ହିଁ ଅସନ୍ତୋଷ ରୂପେ ଦେଖିବାକୁ ମିଳିଥାଏ । ତେଣୁ ଗୁରୁଜନମାନେ ସାନ ପିଲାମାନଙ୍କ ପରି ନାକ ଟେକିଲା ପରି ସେମାନେ ଏହାଙ୍କ ପ୍ରତି କେବଳ ନାକ ଟେକିବାରେ ଲାଗିଛନ୍ତି । ଏବଂ ବିପ୍ଳବଗାମୀମାନଙ୍କୁ ପଥକୁ ଆଣିବା ଲାଗି ସେମାନେ ରାଷ୍ଟ୍ରୀୟ ଆଶ୍ରୟ ନେଉଛନ୍ତି, ରାଷ୍ଟ୍ରୀୟ କ୍ଷମତାର ଆଶ୍ରୟ ନେଉଛନ୍ତି, ଏବଂ ବେଳେବେଳେ ବନ୍ଧୁକ ମୁନର ଆଶ୍ରୟ ନେଉଛନ୍ତି । ଯୁବ-ଅସନ୍ତୋଷ ବା ବିକ୍ଷୋଭକୁ ଦବାଇ ଦେବାଲାଗି ସେମାନେ ଦଶଭୂଜା ଏବଂ ଶତାୟୁଧ ହୋଇ ବାହାରୁଛନ୍ତି । ଜୀବନ ତାର ଜଗତକୁ ନେଇ, ଆମର ବୁଦ୍ଧି ତଥା ଆଦର୍ଶକୁ ନେଇ ଆଧୁନିକ ପ୍ରଗତିଶୀଳତା ଓ ସଫଳତା ନାମରେ ଆମେ ଆଜିଯାଏ ଯେଉଁ ନିଷ୍ଫଳ ଓ ନିର୍ବୋଧ ବାଣିଜ୍ୟ କରି ଆସିଲୁ, ଏବର ଯୁବ–ଅସନ୍ତୋଷ ଯେ ତାହାରି ବିରୁଦ୍ଧରେ ଏକ ଶେଷ ଚେତାବନି ହୋଇ ଆବିର୍ଭୂତ ହୋଇଛି, ଆମର ମୁଗ୍‌ଧତା ଓ କ୍ରୂଦ୍ଧତାରେ ଆମେ ସେକଥାଟିକୁ ଏକାବେଳକେ ଭୁଲି ଯାଉଛୁ । ତେଣୁ ଏହି ଅସନ୍ତୋଷରୁ ଆମେ ଯାହାକିଛି ଶିକ୍ଷା କରିପାରନ୍ତୁ ଓ ଯୁଗକୁ ସଜାଡ଼ିବାରେ ବା ନୂତନ କରି ଗଢ଼ିବାରେ ହୁଏତ ଯେଉଁ ସହଯୋଗ କରି ପାରନ୍ତୁ, ତାହା ଆମ ଦ୍ୱାରା ଆଉ ସମ୍ଭବ ହୋଇ ପାରୁନାହିଁ । ବାଧ୍ୟ ହେବା ପର୍ଯ୍ୟନ୍ତ ଆମେ ବଦଳିବାକୁ ଆଦୌ ରାଜି ହୋଇ ପାରୁନାହୁଁ । ଇତିହାସ କଦାପି ଗଢ଼ା ହେଉ, କେବଳ ପୁନରାବୃତ୍ତି ହିଁ ହେବାରେ ଲାଗିଥାଉ ବୋଲି ଜିଦ୍‌ ଧରି ବସିଛୁ ।

 

ଏସବୁ ଭାଙ୍ଗିବା ବିପ୍ଳବ ନୁହେଁ । ଆମର ଅସନ୍ତୋଷ ପାଇଁ ଆମେ ଆମ ଆଗରେ ଯାହାକିଛି ପାଉ, ତାହାକୁ ତାହା ପକାଇବାକୁ ବାହାରୁ ସତ, ମାତ୍ର ସବୁ ଅସନ୍ତୋଷ; ତାହା ଏକ ବିପ୍ଳବର କାର୍ଯ୍ୟ କରି ପାରେନାହିଁ । ସବୁ ଜିନିଷ କଦାପି ଏକ ନୂତନ ନିର୍ମାଣରେ ପରିପୂର୍ଣ୍ଣ ହୁଏନାହିଁ । ଅନେକ ସମୟରେ ଭାଙ୍ଗିବାଟା ଏଡ଼େ ବେଗ ଓ ନୟନ–ପ୍ରୀତିକର ବୋଧହୁଏ ଯେ, ତାକୁ ଭାଙ୍ଗିବାଟାର ମୋହ ଭିତରେ ହିଁ ଆପଣାକୁ ବନ୍ଦୀକରି ରଖିଦେଉ ଏବଂ ଏତିକିରେ ହିଁ ଆମର ଆଗ କାମ ଶେଷ ହୋଇଗଲା ବୋଲି ତାଳି ଦେବାରେ ଲାଗିଯାଉ । ମାତ୍ର ତଦ୍ଦ୍ୱାରା ଆମର ବିଚାର ସରେ ନାହିଁ, ବିପ୍ଳବ ବି ହାରେନାହିଁ; କେବଳ ଆମେହିଁ ହାରିଯାଉ ଏବଂ କାଳଦ୍ୱାରା ଉପେକ୍ଷିତ ହୋଇ ରହୁ । ଆମଦ୍ୱାରା ଯେଉଁ ଅସଲ କାର୍ଯ୍ୟଟି ସାଧିତ ହୋଇ ପାରିଥାନ୍ତା, ସେଇଟି ହୋଇ ପାରେନାହିଁ । ଯାବତୀୟ ପରିବର୍ତ୍ତନ କେବଳ ସ୍ଳୋଗାନ ଭିତରେ ରହିଯାଏ, ଆମର ନାନା ଉତ୍ତପ୍ତତା ମଧ୍ୟରେ କୁଆଡ଼େ ଉଭେଇଯାଏ । ତେଣୁ ଯୁଗ ଅସନ୍ତୋଷକୁ ପୂର୍ଣ୍ଣସିଦ୍ଧ କରିବାକୁ ହେଲେ ଆମକୁ ସେଇଟିକୁ ପୂର୍ଣ୍ଣରୂପେ ବୁଝିବାକୁ ମଧ୍ୟ ପଡ଼ିବ । ତାହାର ବିଭିନ୍ନ ସୀମା ବା ଗଭୀରତାଗୁଡ଼ିକୁ ତଥା ତାହାର ସମ୍ଭାବନା ବା ଉଚ୍ଚତାଗୁଡ଼ିକୁ ବୁଝିବାକୁ ପଡ଼ିବ । ସେହିସବୁ ଉଚ୍ଚତା ଓ ଗଭୀରତା ଯାଏ ଆପଣାକୁ ମଧ୍ୟ ପ୍ରସାରିତ କରିନେବାକୁ ହେବ । ଆପଣାର ଯୁଗକୁ ଓ ଆପଣାର ଏହି ପୃଥିବୀଟିକୁ ଆପଣାର କାନ୍ଧ ଉପରେ ରଖି ଆଗକୁ ଗୋଡ଼ ପକାଇଲା ପରି ଅନୁଭବ କରିବାକୁ ପଡ଼ିବ । ଏହି ସଂସାରର ପ୍ରତ୍ୟେକ ମଣିଷର ଯାତନା, ବାସନା ତଥା ଆକାଂକ୍ଷାଗୁଡ଼ିକ ସହିତ ପୂର୍ଣ୍ଣଭାବରେ ସଂବେଦନଶୀଳ ହେବାକୁ ପଡ଼ିବ । ପୃଥିବୀର ଇତିହାସକୁ ଆପଣାର ପୁଞ୍ଜିପରି ବ୍ୟବହାର କରିବାକୁ ପଡ଼ିବ ଏବଂ ଏହି ପୃଥିବୀରେ ଉଚ୍ଚାରିତ ହୋଇ ଆସିଥିବା ଜୀବନମନ୍ତ୍ରଗୁଡ଼ିକୁ ପ୍ରେରଣାରୂପେ ବ୍ୟବହାର କରି ଆପଣାର ମନ୍ତ୍ରଟିକୁ ସଞ୍ଜୀବିତ କରିବାକୁ ପଡ଼ିବ । ବିପ୍ଳବ କରି ବାହାରିଲେ ଆପଣାର ଚେତନାଟିକୁ ମଧ୍ୟ ଆପଣାର ସ୍ୱପ୍ନାକାଙ୍‌କ୍ଷାଟି ପର୍ଯ୍ୟନ୍ତ ପ୍ରସାରିତ କରି ରଖିବାକୁ ପଡ଼ିବ ଏବଂ ସର୍ବୋପରି ନିର୍ଭୀକ ହେବାକୁ ପଡ଼ିବ । ଆପଣା ପାଖରେ ଓ ଆପଣାର ନିର୍ବାଚିତ ମାର୍ଗଟି ପାଖରେ ନିର୍ଭୀକ ହେବାକୁ ପଡ଼ିବ । ଭୟାଳୁ ବିପ୍ଳବ କରି ପାରେନାହିଁ; ସେ ମଣିଷ ମାରେ, ଘୃଣା କରେ, ଅସହିଷ୍ଣୁ ହୁଏ ଓ ଉତ୍ପୀଡ଼ନ ଭିଆଇପାରେ ସତ, ମାତ୍ର ସେ କେବଳ ଭୟଟାକୁହିଁ ନୂଆ ପ୍ରତିଷ୍ଠା ଦେଇ ବଞ୍ଚାଇ ରଖେ । କୌଣସି ନୂତନ ନିର୍ମାଣର ଅଭୟ ଦେଇ ପାରେନାହିଁ । ଶ୍ରଦ୍ଧା ହରାଇ ବସେ । ତେଣୁ ସେ ଗଢ଼ିଲାଭଳି କିଛି ହେଲେ ଗଢ଼ି ପାରେନାହିଁ ।

 

ତେଣୁ ଖାଲି ରୁଷି ବସିଲେ ହେବନାହିଁ, ଖାଲି ପଳାୟନ କଲେ ବି ହେବନାହିଁ, ଏବଂ ଖାଲି ଅନ୍ୟଭଳି ଦିଶିଲେ ବି ହେବନାହିଁ । ଏଗୁଡ଼ାକଦ୍ୱାରା ଶକ୍ତି ସରିବ, ଏକ ମିଥ୍ୟା ଆତ୍ମସଚେତନ ତାକୁ ପ୍ରଶ୍ରୟ ମିଳିବ । ସମୟ ଗଡ଼ିଯିବ, ତଥାପି ନିଶା ଛାଡ଼ିବ ନାହିଁ । ଆପଣାର ଅସନ୍ତୋଷକୁ ନେଇ ଯୁବକ ଯେଉଁ ନୂତନ ମୂଲ୍ୟ ପ୍ରତିଷ୍ଠାରେ ନିମିତ୍ତ ହୋଇ ବାହାରି ପାରିଥାନ୍ତା, ତାହା ଆଉ ହୋଇ ପାରିବନାହିଁ ।

 

ବୟସର ଗଣତିରେ ଆମେ ନବୀନ ବା ପ୍ରବୀଣ ଯାହା ହୋଇଥାଉ ପଛକେ, ମଣିଷ ମାତ୍ରକେ ଆମ ସମସ୍ତଙ୍କ ଭିତରେ ତାରୁଣ୍ୟର ଶକ୍ତି ରହିଛି, ତରୁଣର ସାହସ ରହିଛି, ତରୁଣର ସଂବେଦନଶୀଳତା ରହିଛି । ପ୍ରବୀଣ ବା ବୟସ୍କମାନେ ନାନା ପ୍ରୟୋଜନରେ ପଡ଼ି, ଆପଣା ଭିତରେ ରହିଥିବା ତାରୁଣ୍ୟକୁ ସତେଅବା କବାଟ ବନ୍ଦ କରି ରଖିଛନ୍ତି । ସେଥିଲାଗି ନବୀନର ଅସନ୍ତୋଷରେ ସେମାନେ ମୁଖ୍ୟତଃ ପ୍ରମାଦ ହିଁ ଗଣୁଛନ୍ତି ଓ ତା’ ସହିତ ଯୁଦ୍ଧ ଲଢ଼ିବାଲାଗି ବାହାରି ପଡ଼ୁଛନ୍ତି । ସକଳ ପତନଲାଗି ସେମାନେ ଯୁବକର ଏହି ଅବାଧ୍ୟତାକୁ ହିଁ ଦାୟୀ କରୁଛନ୍ତି । କିନ୍ତୁ ବୟସ୍କ ଯଦି କେବେ ସାହସ ସଂଗ୍ରହ କରି ଆପଣା ଭିତରେ ଲୁକ୍‌କାୟିତ ହେଇ ରହିଥିବା ତାରୁଣ୍ୟର ଆଖିରେ ଯୁବକକୁ ଦେଖିବା ଭଳି ଚେଷ୍ଟା କରିବ, ତେବେ ସେ ତାକୁ ପ୍ରକୃତରେ ଏଡ଼େ ବଡ଼ ପ୍ରମାଦ ବୋଲି କଦାପି ଭାବିବନାହିଁ । ଯୁବକର ସକଳ ଅସନ୍ତୋଷକୁ ସେ ତାର ପରିପୂର୍ଣ୍ଣ ପରିସର ଦେଇ ଦେଖିବାଲାଗି ସମର୍ଥ ହୋଇପାରିବ ଏବଂ ତାହାର ଆହ୍ୱାନକୁ ଆତଙ୍କ ବୋଲି ନ ଭାବି ସତେଅବା ଏକ ଆମନ୍ତ୍ରଣ ବୋଲି ଗ୍ରହଣ କରିବ । ଏକାଠି ମିଶି ଆମର ଏହି ଅସଜଡ଼ା ଘରଟାକୁ ସଜାଡ଼ିବା ଲାଗି ଏକ ଆମନ୍ତ୍ରଣ ପରି ଗ୍ରହଣ କରିବ । ଏବଂ ଆମେ ଇଚ୍ଛା କରୁ ବା ନକରୁ, ଶୀଘ୍ର ବୁଝୁ ଅଥବା ବିଳମ୍ୱରେ ବୁଝୁ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ତାରୁଣ୍ୟ ହିଁ ଏହି ପୃଥିବୀକୁ ଗଢ଼ିବ । ତାରୁଣ୍ୟ ଆମ ଯୁଗର ଯାବତୀୟ ବିଡ଼ମ୍ୱନାକୁ ଦୂର କରିବ, ଶଠତା ବଦଳରେ ଶ୍ରଦ୍ଧାର ପ୍ରତିଷ୍ଠା କରିବ ।

 

ନବରବି, ଜୁଲାଇ–୧୯୭୩

☆☆☆

 

ଏବ୍ୟ ମେ ପ୍ରାଣ ମା ବିଭେ

 

ଯାହା ଆଜିଯାଏ ଚଳି ଆସିଚି, ତାହା ଏଣିକି ଚଳିବ ନାହିଁ । ଯାହା ଆଜିଯାଏ ହୋଇ ଆସିଚି, ତାହା ଏଣିକି ହୋଇ ପାରିବ ନାହିଁ । ଆମେ ଆଜିଯାଏ ଯେତିକିରେ ସନ୍ତୁଷ୍ଟ ରହି ଆସିଚୁ, ଏଣିକି ସେତିକିରେ ସନ୍ତୁଷ୍ଟ ହୋଇ ରହିବାରେ ଆଉ ଆମର ମନବୋଧ ହେଉନାହିଁ । ଆମେ ଯେତିକି ଦେଖି ଆସିଚୁ, ତା’ଠାରୁ ଅଧିକ ଦେଖିବାକୁ ଚାହୁଁଚୁ । ଯେତିକି ଜାଣିଚୁ ବା ଅନୁଭବ କରିଛୁ, ତା’ଠାରୁ ଆହୁରି ଅଧିକ ଜାଣିବାକୁ ବା ଅନୁଭବ କରିବାକୁ ଚାହୁଁଚୁ । ଏହି ଜୀବନକୁ ନେଇ ଆମେ ଅଧିକ ଶ୍ରେୟ ସମ୍ଭବ କରିବାକୁ ଇଚ୍ଛା କରୁଛୁ; ଏହି ସଂସାରରେ ଆମର ଗୋଟାଏ ଜୀବନରେ ଯେତିକି ସମ୍ଭବ ବୋଲି ଆମକୁ ଯେତେ ପ୍ରକାର କୁହାହୋଇ ଆସିଥିଲା, ଆମେ ତା’ଠାରୁ ଅନେକ ଅଧିକ ସମ୍ଭାବନାକୁ ହୃଦୟରେ ଧରି ବାଟ ଚାଲିବାକୁ ଇଚ୍ଛା କରୁଚୁ । ଆମେ ନୂତନ ଦ୍ୱାରମାନ ଉଦ୍‌ଘାଟନ କରିବାକୁ ଇଚ୍ଛା କରୁଚୁ । ଆମର କେତେ ଭିତରେ ଓ ବାହାରେ ଆମେ ଆହୁରି କେତେ ବାଟରେ ଗନ୍ଧ ପାଇବାକୁ ଆରମ୍ଭ କଲୁଣି । ଦୁଆର ଖୋଲୁନାହିଁ, ଆମେ ତଥାପି ଦୁଆର ଉପରେ ଆଘାତ କରିବାରେ ଲାଗିଚୁ । ଆଖି ଫିଟାଇଲେ ଦେଖି ହେବ, କାନ ଡେରିଲେ ଶୁଣି ହେବ, ଗୋଡ଼ ପକାଇଲେ ଆଗକୁ ବାଟ ଚାଲିହେବ, ଆଘାତ କରି ଜାଣିଲେ କବାଟ ଖୋଲିଯିବ, ଏହିପରି ଗୋଟାଏ ବିଶ୍ୱାସ ଆମକୁ ସତେଅବା ଘରଛଡ଼ା କରାଇବାକୁ ବସିଲାଣି । ଏବଂ ଏହି ବିଶ୍ୱାସରୁ ହିଁ ଅସନ୍ତୋଷ ଜାତ ହେଉଛି ।

 

ବିଶ୍ୱାସ ଯେତିକି ବଢ଼େ, ମଣିଷ ସେତିକି ସେତିକି ଅଧିକ ଅସନ୍ତୁଷ୍ଟ ହେବାରେ ଲାଗିଥାଏ । ଆପଣା ବିଶ୍ୱାସର ସଂପ୍ରସାରିତ ଚକ୍ରବାଳର ସେପାଖରେ ସେ ଯାହା ଦେଖିବାକୁ ଚାହେଁ, ଠିକ୍‌ ସେଇଯାଏ ବାଟ ଚାଲି ଯିବାକୁ ଚାହେଁ । ବିଶ୍ୱାସର ଆଖିରେ ଅନାଇବା ବେଳେ ସେ ଯେତିକି ସମ୍ଭବ ବୋଲି ଅନୁଭବ କରେ ସେତିକିକୁ ସମ୍ଭବ କରାଇବ ବୋଲି ଅନୁଭବ କରେ, ସେତିକିକୁ ସମ୍ଭବ କରାଇବ ବୋଲି ବିଶ୍ୱାସ ବାନ୍ଧେ । ସେଥିଲାଗି ଆପଣା ବିଶ୍ୱାସରୁ ବଳ ପାଏ, ସତେଅବା ଆପଣାର ଦୁଃସାହସ-ଯାତ୍ରାରେ ସେ ଗୋଡ଼ କାଢ଼ି ବାହାରି ଯିବାପରି ଅନୁଭବ କରେ । ଏଇଥିରୁ ଅଳ୍ପଲାଗି ଅସନ୍ତୋଷର ଜନ୍ମ ହୁଏ । ଏବଂ ଏହି ଅସନ୍ତୋଷ ଭୂମା ଆଡ଼କୁ ବାଟ ବତାଇ ଦିଏ । ଯାହା ଅଳ୍ପ, ତାହା ହେଉଚି ମୃତ୍ୟୁ, ଭୂମାହିଁ ଅମୃତତ୍ୱ, ସେତେବେଳେ ଉପନିଷଦର ଏହି ବାକ୍ୟଟି ଜୀବନର ବାକ୍ୟରେ ପରିଣତ ହୋଇଯାଏ । ଜୀବନ ଉତ୍‌ସୃଷ୍ଟ ହୋଇଯାଏ । ପୁରୁଣା ଯୁଗଗୁଡ଼ାକ ଆମେ ଅତିକ୍ରମ କରି ଆସିଥିବା ପାହାଚ ପରି ଲାଗେ । ପାହାଚଗୁଡ଼ାକୁ ଆବୋରି ଧରି କେଉଁ ମଣିଷ କାହିଁକି ଦରିଦ୍ର ଓ ବିଡ଼ମ୍ୱିତ ହୋଇ ପଡ଼ି ରହିବ ? ସେଥିଲାଗି ଏଇ ପାହାଚଗୁଡ଼ାକ ପ୍ରତି ଭାରି ଅସନ୍ତୋଷ ଜନ୍ମେ । ପ୍ରକୃତରେ କହିଲେ ଏଇଟା ପାହାଚଗୁଡ଼ାକ ପ୍ରତି ଅସନ୍ତୋଷ ନୁହେଁ, ପାହାଚଗୁଡ଼ାକୁ ଅତିକ୍ରମ କରି ଏଗୁଡ଼ାକ ପରେ ଆମ ଆକାଂକ୍ଷା ଭିତରେ ଯାହା ରହିଚି, ଏହା ସେଇଠି ଯାଇ ତମ୍ୱୁ ପକାଇବାର ଅସନ୍ତୋଷ, ଏ ଭୂମିରୁ ସେ ଭୂମିକୁ ଯିବାଲାଗି ଅସନ୍ତୋଷ ଓ ଅଧିକକୁ ତଥାପି ଅଯଥେଷ୍ଟ ମନେ କରି ଆହୁରି ଅଧିକ ଲାଗି ପ୍ରସ୍ତୁତ ହେବାର ଅସନ୍ତୋଷ ।

 

ଏହି ଅସନ୍ତୋଷ ତରୁଣର ଅସନ୍ତୋଷ । ଅଧିକ ନିର୍ଭୁଲ ଭାବରେ କହିଲେ ତାରୁଣ୍ୟର ଅସନ୍ତୋଷ । ବୁଢ଼ାର ମନ ଅର୍ଥାତ୍‌ ସନ୍ତୁଷ୍ଟ ହୋଇ ବସିଯାଇଥିବା ମନ । ବୁଢ଼ା ମନ ଅର୍ଥାତ୍‌ ଭୟାଳୁ ମନ । କେବଳ ଆପଣାର ପରିଚିତ ଗଡ଼ିଆଟିରେ ଆପଣାର ସଂସ୍କାରଗତ ସ୍ୱସ୍ତିମନ୍ତ୍ରଗୁଡ଼ାକ ଗାଇ ବଡ଼ ଅଭ୍ୟସ୍ତ, ତେଣୁ ବଡ଼ ଦୋଷରହିତ ଭାବରେ ସ୍ନାନ କରିବାର ମନ । ବୁଢ଼ା ମନର ଧର୍ମ ବୁଢ଼ା, ବୁଢ଼ାମନର କର୍ମ ବି ବୁଢ଼ା । ତା’ର ଧ୍ୟାନ ବୁଢ଼ା, ତା’ର ସାହିତ୍ୟ ବୁଢ଼ା, ତା’ର ଶ୍ରଦ୍ଧାଗୁଡ଼ାକ ବି ବୁଢ଼ା । ଯେତିକି ଅଛି ତାକୁ ଜାବୁଡ଼ି ଧରି ରହିବାକୁ ଆମେ ବଡ଼ ବିକଳ ଭାବରେ ଚେଷ୍ଟା କରିବାରେ ଲାଗିଥିବା ଓ ତେଣୁ ତାହାରି ଭିତରେ ବନ୍ଧା ହୋଇ ରହିବାକୁ ହିଁ ଏକାନ୍ତ ନିରାପଦ ମହାଜନ–ପନ୍ଥା ବୋଲି ମଣୁଥିବା–ଏହି ରୀତିଟା ହେଉଛି ବୁଢ଼ାମନର ରୀତି, ବୁଢ଼ା ଯୁଗର ରୀତି । ଆପଣାର ଚାରିପାଖରେ ଏହି ରୀତିକୁ ପାଟସୂତା କରି ଗୁଡ଼ାଇ ଧର୍ମ ବୁଢ଼ା ହୁଏ, ସାହିତ୍ୟ ବୁଢ଼ା ହଏ, ଜାତି ବୁଢ଼ା ହୁଏ, ଯୁଗ ବି ବୁଢ଼ା ହୋଇଯାଏ । ବଡ଼ ବଡ଼ ଘଣ୍ଟା ବାଡ଼ିଆ ହୋଇ ସେତେବେଳେ ସହସ୍ର ଉପଚାରରେ ବୁଢ଼ାର ପୂଜାହିଁ ଚାଲିଥାଏ । ବୁଢ଼ାମାନଙ୍କର ପୂଜା ଚାଲିଥାଏ ଓ ତରୁଣମାନଙ୍କୁ ବି ବୁଢ଼ା ବନାଇ ରଖିବାକୁ ଯାବତୀୟ ଚକ୍ରାନ୍ତର ଧୂମ୍‍ ଲାଗିଥାଏ । ଏହି ଚକ୍ରାନ୍ତର ମୋହରେ ପଡ଼ି ତରୁଣ ବୟସ ବି ବୁଢ଼ା ବୟସରେ ପରିଣତ ହୁଏ, ତଥାକଥିତ ଆଧୁନିକମାନେ ତୁଚ୍ଛା ପ୍ରତିକ୍ରିୟାବାଦୀ ହୋଇ ବାହାରନ୍ତି, ପ୍ରଗତି ପଶ୍ଚାଦ୍‌ଗତିରେ ଭାରି ପ୍ରସନ୍ନ ହୋଇ ରହିଥାଏ ।

 

ବୁଢ଼ାର ମନ ଅର୍ଥାତ୍‌ ଭୟାଳୁ ମନ । ବୁଢ଼ା ଫୁସୁଲାର ପ୍ରଲୋଭନରେ ପଡ଼ି ପିଲାର ମନ ବଡ଼ମାନଙ୍କୁ ଭୟ କରେ, ବୁଢ଼ା ହେବାର ଫିସାଦରେ ପଡ଼ିଗଲେ ଛାତ୍ରର ମନ ମାଷ୍ଟରକୁ ଭୟ କରେ-। ସେ ପାଠକୁ ଭଲପାଇ ପାରେନାହିଁ । ପାଠକୁ ଭୟ କରେ । ମନ ବୁଢ଼ା ହେଲା ମାତ୍ରକେ ଭକ୍ତର ମନ ବି ଆଉ ଭଗବାନଙ୍କୁ ଭଲପାଇ ପାରେନାହିଁ, ସେ ଭଗବାନଙ୍କୁ ଭୟ କରେ । ତେଣୁ ଭଗବାନଙ୍କର ଏହି ସଂସାରକୁ ସେ ଆଉ ଆପଣାର ଘର ବୋଲି ଅନୁଭବ କରି ପାରେ ନାହିଁ, ଏହାକୁ ସତେଅବା ଏକ ଶତ୍ରୁଦୁର୍ଗ ପରି ମନେ କରେ । ଘରକୁ ଘର ବୋଲି ଅନୁଭବ କରି ନ ପାରିବାରୁ ସେ ଅନ୍ୟ ମଣିଷଙ୍କୁ ଆପଣାର ସାଥୀ ବୋଲି ନ ଭାବି ପ୍ରତିଦ୍ୱନ୍ଦୀ ବୋଲି ଭାବେ । ଏହି ପ୍ରତିଦ୍ୱନ୍ଦିତାର ସୁଆଙ୍ଗକୁ ଭଦ୍ରତାର ଭାଷାରେ ସମାଜ ବୋଲି କୁହାଯାଏ । ମଣିଷ ମଣିଷକୁ ଭୟ କରେ, ତେଣୁ ମଣିଷ ଅପେକ୍ଷା ପଦକୁ ଅଧିକ ଲୋଡ଼େ, କ୍ଷମତାକୁ ଲୋଡ଼େ, ଆପେ ବଡ଼ ଦିଶିବା ଲାଗି ଅପରକୁ ତଳକୁ ଦାବି ଦେବାକୁ ଇଚ୍ଛା କରେ । ଏଇଠୁ ବର୍ବରତା ଲାଗି ବାଟ ଫିଟିଯାଏ-। ଆଦର୍ଶକୁ ତଳକୁ ଚାପିଦେଇ ଆଦର୍ଶବାଦର ଛାଇ ଚହଟେ । ସତ୍ୟକୁ ତଳକୁ ଚାପିଦେଇ ଆଡ଼ମ୍ୱରଗୁଡ଼ାକ ଅତି ପ୍ରବଳ ହୁଏ ।

 

ଏଠି ତରୁଣ ଏପରି ଏକ ସଂସାର ବସାଇବାକୁ ଚାହେ, ଯେଉଁଠି ସମସ୍ତେ ଖୁସି ହୋଇ ଜୀବନ ବଞ୍ଚି ପାରିବେ, ଖୁସି ହୋଇ ମଣିଷ ହୋଇ ପାରିବେ । ଯେଉଁଠି ପଇସା ଆଉ କ୍ଷମତାଠାରୁ ମଣିଷ ବଡ଼ ହୋଇ ରହିବ । ଭୟ ଭାଙ୍ଗିଯିବ । ବଡ଼ ସାନ ଭିତରେ ରହିଥିବା ଭୟ ଭାଙ୍ଗିଯିବ, ସମସ୍ତେ ମଣିଷ ପରି ନିର୍ଭୟ ହୋଇ ପରସ୍ପର ପାଖରେ ବସି ପାରିବେ, ସାଥୀ ହୋଇ ବାଟ ଚାଲି ପାରିବେ । ହୁଏତ ସବୁ ଯୁଗରେ ତରୁଣ ଏହା ହିଁ ଚାହିଁଥିଲା, ମାତ୍ର ବୁଢ଼ାମନର ପ୍ରରୋଚନାରେ ଭୁଲି ତାକୁ ତଥାପି ବାଟ ଛାଡ଼ି ଦେଇଥିଲା । ଏଥରକ ମାତ୍ର ବୁଢ଼ାମନର ପ୍ରରୋଚନାରେ ଭୁଲି ତାକୁ ତଥାପି ବାଟ ଛାଡ଼ି ଦେବ ନାହିଁ ।

 

ବୁଢ଼ାମାନଙ୍କୁ ସେ ଆପଣା ସାଙ୍ଗରେ ନେବ, ତେବେ ଯାଇ ବୁଝିବ-। ବୁଢ଼ାମାନେ ତରୁଣର ଏହି ଜିଦ୍‌ଟାକୁ ହିଁ ଏବେ ଅବାଧ୍ୟତା ବୋଲି କହୁଛନ୍ତି । କାରଣ ବାଧ୍ୟ ହୋଇ ରହିବାଟାକୁ ହିଁ ସେମାନେ ନିରାପଦ ଜୀବନ ବୋଲି ବିଚାର କରୁଛନ୍ତି । ନିରାପଦ ହୋଇ ବସିଗଲେ ଆପଦ ଯାଏ ନାହିଁ, ଆପଦର ସମ୍ମୁଖୀନ ହେଲେ ଯାଇ ଆପଦ ଯାଏ । ଏହି କଥାଟା ବର୍ତ୍ତମାନ ବୁଢ଼ାମାନଙ୍କୁ ବୁଝାଇବାକୁ ବାକୀ ରହିଛି ।

 

ଛାତ୍ର-ଅସନ୍ତୋଷ ଏହି ଯୁଗ-ଅସନ୍ତୋଷର ଏକ ପ୍ରତୀକ । ପୁରାତନ ଯୁଗର ଦୁର୍ଗତିକୁ ଦୂର କରିବା ଲାଗି ନୂତନର ସଂସ୍ଥାପନ ଦରକାର ହୋଇଥାଏ । ନୂତନ ଅବତାରର ଦରକାର ହୋଇଥାଏ । ନୂତନ ଅବତାରକୁ ସମସ୍ତେ ସ୍ୱାଗତ କରି ପାରନ୍ତି ନାହିଁ । ଏପରିକି ଭଗବାନଙ୍କର ରାମ-ଅବତାରକୁ ସେହି ଭଗବାନଙ୍କର ପର୍ଶୁରାମ-ଅବତାର ବି ସ୍ୱାଗତ କରି ପାରେ ନାହିଁ । ନୂତନକୁ ବୁଝି ପାରିବା ଲାଗି ଆପେ ନୂତନ ହେବାକୁ ପଡ଼େ, ତରୁଣ ହେବାକୁ ପଡ଼େ । ସମର୍ପିତ ହେବାକୁ ପଡ଼େ । ନୂତନ ହେବାକୁ ହେଲେ ଭୟଶୂନ୍ୟ ହେବାକୁ ପଡ଼େ । କେବଳ ଭୟଶୂନ୍ୟ ମଣିଷ ହିଁ ଜ୍ଞାନର ଅଧିକାରୀ ହୋଇଥାଏ ।

 

(ଜ୍ଞାନୋଦୟ ସଂସଦ ସ୍ମରଣିକା, ତା ୮/୬/୨୯୭୧)

☆☆☆

 

ସେମାନଙ୍କୁ କହିବ କିଏ ?

 

‘‘ସ୍ୱାଧ୍ୟାୟ, ସେବା ଓ ଶ୍ରମ ଛାତ୍ରସମାଜର ବ୍ରତ ହେଉ । ଜ୍ଞାନାର୍ଜନ ଓ ଗ୍ରାମଗହଳରେ ଜନତା ସହିତ ଘନିଷ୍ଠ ସମ୍ପର୍କ ଦ୍ୱାରା ସେମାନେ ଏ ଦେଶର ଉତ୍କଟ ସମସ୍ୟାଗୁଡ଼ିକର ସମାଧାନ କରି ପାରିବେ ।’’ ... ... ... ‘‘କର୍ମର ପୂଜା ଓ ଶ୍ରଦ୍ଧା ଛାତ୍ରସମାଜର ଧ୍ୱନି ହେଉ । ଛାତ୍ରମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହେବା ଉଚିତ ।’’ ....‘‘ଦେଶର ଶିକ୍ଷିତ ଯୁବକମାନେ ନୂଆ ସମାଜ-ବ୍ୟବସ୍ଥା ସୃଷ୍ଟି କରନ୍ତୁ । ଏଥିପାଇଁ ଐକ୍ୟ, ଶୃଙ୍ଖଳା ଓ କଠିନ ପରିଶ୍ରମ ଲୋଡ଼ା ।’’ ...‘‘ଦେଶର ଯୁବସମାଜ ଭାରତକୁ ମହାନ୍‌ ଓ ବିଶ୍ୱବରେଣ୍ୟ କରିପାରିବେ ।’’ ...‘‘ଜନସେବା, ଶୃଙ୍ଖଳିତ ଜୀବନ ଓ କର୍ତ୍ତବ୍ୟନିଷ୍ଠା ଛାତ୍ରସମାଜର ବ୍ରତ ହେବା ଉଚିତ । ଯୁବସମାଜ ହିଁ ଦେଶର ଗୌରବ ଓ ମହାନ୍‌ ପରମ୍ପରାକୁ ରକ୍ଷା କରି ପାରିବ ।’’ ...‘‘ସମାଜର କଲ୍ୟାଣଚିନ୍ତା ଛାତ୍ରସମାଜର ଆଦର୍ଶ ହେଉ । ମନୀଷୀ ଓ ମହାପୁରୁଷମାନଙ୍କର ପଦାଙ୍କ ଅନୁସରଣ ଦ୍ୱାରା ସେମାନେ ଜୀବନ ଗଠନ କରନ୍ତୁ ।’’ ...‘‘ଭାରତର ମହାନ୍‌ ସଂସ୍କୃତି ଓ ଏକତାରକ୍ଷା ଯୁବସମାଜର ଦାୟିତ୍ୱ ।’’ ... ‘‘ଦେଶର ସମ୍ମାନରକ୍ଷା ପାଇଁ ଛାତ୍ରମାନେ କାମ କରନ୍ତୁ ।’’

 

ଓଡ଼ିଶାର କେବଳ ଗୋଟିଏ ଖବରକାଗଜରେ ମାତ୍ର ଚାରି ପାଞ୍ଚମାସ ସମୟ ଭିତରେ ଏସବୁ କଥା ବାହାରିଚି । ମୁଖ୍ୟ ମୁଖ୍ୟ ସମ୍ୱାଦ ହିସାବରେ ବଡ଼ ବଡ଼ ଅକ୍ଷରରେ ବାହାରିଚି । ଏବଂ ଅନେକ ସମୟରେ ସଚିତ୍ର ହୋଇ ବାହାରିଚି । କେବଳ ଏତିକି ସିନା ଆଖିରେ ପଡ଼ିଗଲା, ମାତ୍ର ହଠାତ୍‌ ଆଖି ନ ପଡ଼ୁଥିବା ଜାଗାମାନଙ୍କରେ ଏହିଭଳି ଆହୁରି କେତେ କଅଣ ବାହାରିଥିବ । ଓଡ଼ିଶାରେ କଲେଜ ଓ ହାଇସ୍କୁଲମାନଙ୍କ ସଂଖ୍ୟା ପ୍ରତ୍ୟେକ ବର୍ଷ ବଢ଼ୁଚି । ଏବଂ ସେହି ଅନୁପାତରେ ସାସ୍କୃତିକ ଅନୁଷ୍ଠାନମାନ ବି ବଢ଼ିବାରେ ଲାଗିଚି, ଅର୍ଥାତ୍‌ ଉପଦେଶ ଦେବାର ଅବସରମାନ ମଧ୍ୟ ହୁ’ ହୁ’ ହୋଇ ବଢ଼ି ଚାଲିଚି । ଓଡ଼ିଶାରେ ମଧ୍ୟ ଆଜିକାଲି ଗୋଟାଏ ସ୍ଥାନରେ ପାଞ୍ଚଟା ଖବରକାଗଜ ବାହାରିଲାଣି । ତେଣୁ ସବୁଯାକ ଖବରକାଗଜରୁ ତଥ୍ୟସଂଗ୍ରହ କରିବାକୁ ମନ କଲେ ହୁଏତ ଆମେ ଅତି ସହଜରେ ଗାଡ଼ିଏ ଜାଗାରେ ପାଞ୍ଚଗାଡ଼ି ଉପଦେଶ ଯୋଗାଡ଼ କରି ପାରିବା । ଭାରତବର୍ଷର ନାନା ପ୍ରାନ୍ତରେ ଓ ନାନା ଭାଷାରେ ବିବିଧ ଅବସରରେ ସେହିଭଳି କେତେ ଉପଦେଶ ଦିଆଯାଉଥିବ, କେତେ ସାଧୁବାଣୀ ଶୁଣିବାକୁ ମିଳୁଥିବ । ଆମ ଓଡ଼ିଶା ପରି ଅନ୍ୟତ୍ର ମଧ୍ୟ ସେଗୁଡ଼ାକ ଭାରି ଜାକଜମକରେ ଖବରକାଗଜରେ ବାହାରୁଥିବ । ବଡ଼ମାନେ ଖାଲି କହୁଥିବେ ଓ ସାନମାନେ ଶୁଣିବାକୁ ପାଉଥିବେ । ଶୁଣୁଥିବେ କି ନାହିଁ, ତାହା ଜାଣିବାଲାଗି ଆମକୁ ସେ ବିଷୟରେ ଅଧିକ ଅନୁସନ୍ଧାନ କରିବାକୁ ପଡ଼ିବ ।

 

ମାତ୍ର ଗୋଟାଏ କଥା ମନ ଭିତରେ ସତେଅବା ଏକ ଖଟକା ପରି ଆସି ଲାଗିଯାଏ । ଏ ଦେଶରେ ସାନମାନଙ୍କୁ ଉପଦେଶ ଦେବା ଲାଗି ଓ ସେମାନଙ୍କୁ ବାଟକୁ ଆଣିବା ଲାଗି ତ ବଡ଼ମାନେ ମହଜୁଦ ରହିଚନ୍ତି । ମାତ୍ର ବଡ଼ମାନଙ୍କୁ ବାଟକୁ ଆଣିବା ଲାଗି ଏହି ଦେଶରେ କେଉଁଠି କିଏ ଅଛନ୍ତି ? ସାନମାନଙ୍କର କର୍ତ୍ତବ୍ୟ ବିଷୟରେ ସେମାନଙ୍କୁ ସଚେତ କରିଦେବା ଲାଗି ତ ଯାବତୀୟ ବଡ଼ ଆସନରେ ବସିଥିବା କର୍ତ୍ତାମାନେ ଧୁରନ୍ଧର ହୋଇ ବାହାରି ଆସୁଛନ୍ତି, ମାତ୍ର ବଡ଼ମାନଙ୍କର କର୍ତ୍ତବ୍ୟ ବିଷୟରେ ସେମାନଙ୍କୁ ଚେତାଇ ଦେବାଲାଗି କିଏ କେଉଁଠାରୁ ଆସିବ ? ଯେଉଁମାନେ ଦେଶର ଭବିଷ୍ୟତ ଗଢ଼ିବେ, ସେମାନଙ୍କୁ ଆକଟ ଭିତରେ ରଖିବାକୁ ତ ଏତେ ଜାଗାରେ ଏତେ ଲୋକ ତିଆରି ହୋଇ ରହିଚନ୍ତି, ମାତ୍ର ଯେଉଁମାନଙ୍କର ଅକୁଶଳ ହାତରେ ପଡ଼ି ଦେଶର ବର୍ତ୍ତମାନ ଛାରଖାର ହୋଇଯାଉଚି, ସେମାନଙ୍କୁ କିଏ ଆକଟ କରିପାରିବ, କିଏ ବୁଝାଇବା ପାଇଁ କେଉଁଠୁ ଆସିବ ?

 

ଗତ ବାଇଶି ବର୍ଷ ଭିତରେ ଆମର ଏଠି କର୍ତ୍ତାମାନେ ଯେପରି ଅତିରିକ୍ତ ଓ ମର୍ଯ୍ୟାଦାତୀତ ଭାବରେ ବାଚାଳ ହୋଇ ପଡ଼ିଚନ୍ତି, ଆଗରୁ ସେମାନେ ହୁଏତ ଆଉ କେବେହେଲେ ସେପରି ହୋଇ ନଥିଲେ । ଯେଉଁମାନେ କାଲି ପର୍ଯ୍ୟନ୍ତ ମୂକ ହୋଇ ବସିଥିଲେ, କେଉଁ ଦେବତାଙ୍କର ପ୍ରସାଦରୁ ସେମାନେ ଯେ ହଠାତ୍‌ ଏପରି କାହିଁକି ବାଚାଳ ହୋଇ ଉଠିଲେ, ସେକଥା ନିରୂପଣ କରିବାକୁ ଗଲେ ହୁଏତ ଗୋଟାଏ ପୋଥି ଲେଖା ହୋଇ ପାରିବ । ହୁଏତ ସେଇମାନଙ୍କର ଆବଶ୍ୟକତାକୁ ପୂରଣ କରିବା ଲାଗିହିଁ ଏବେ ସଭା ସମିତିର ସଂଖ୍ୟାଟା ମଧ୍ୟ ଆମ ଦେଶରେ ଏପରି ହୁ’ ହୁ’ ହୋଇ ବଢ଼ିବାରେ ଲାଗିଚି । ଏବେ ସାହିତ୍ୟସଭା ହେଉଚି, ଧର୍ମସଭା ହେଉଚି– ଏବଂ ଆହୁରି କେତେ କଅଣ ଅବସର ଓ ଅଣଅବସରମାନ ସୃଷ୍ଟି କରି ସଭାମାନ ଅୟୋଜିତ ହେଉଚି । ଆଗେ ଏଭଳି ସଭା ହୁଏତ କେବଳ ସହରରେ ହେଉଥିଲା । ଠାକୁରଙ୍କର କୃପାରୁ ଏବେ ଯୁଆଡ଼େ ଗାଡ଼ି ଯାଇପାରୁଚି, ସେଠାରେ ମଧ୍ୟ ସଭାର ଆୟୋଜନ କରାଯାଇ ପାରୁଚି । ସାନମାନଙ୍କୁ ଆଖି ଆଗରେ ବସାଇ ସବୁଠି ବଡ଼ମାନେ ଭଳି ଭଳି ଉପଦେଶ ଦେଇ ଆସୁଛନ୍ତି । ଅନେକ ସମୟରେ ଏହି ଉପଦେଶକୁ ଉଦ୍‌ବୋଧନ ବୋଲି କୁହାଯାଉଚି । ଘଣ୍ଟବାଡ଼ିଆ ଶୁଣୁଥିବା ଲୋକ ଅପେକ୍ଷା ଘଣ୍ଟ ବାଡ଼ୋଉଥିବା ଲୋକ ଘଣ୍ଟବାଡ଼ିଆ ଦ୍ୱାରା ଅଧିକ ଉଦ୍‌ବୁଦ୍ଧ ହେଉଥିବା ପରି ଏହି ଉଦ୍‌ବୋଧନ ଦ୍ୱାରା ବି ଶୁଣିଲାବାଲାଙ୍କ ଅପେକ୍ଷା କହିଲାବାଲାମାନେ ଅଧିକ ଉଦ୍‌ବୁଦ୍ଧ ହେଉଛନ୍ତି । ଖବରକାଗଜରେ ସେମାନଙ୍କର ଉଦ୍‌ଗାରମାନ ପ୍ରଚାରିତ ହୋଇ ସେମାନଙ୍କୁ ହୁଏତ ଦୁଇଗୁଣ ଉଦ୍‌ବୁଦ୍ଧ କରିଦେଉଚି ।

 

ଆମ ସାମୂହିକ ସମ୍ୱନ୍ଧଗତ ଜୀବନରେ ଯେଉଁଠି ଯେତେ ପ୍ରକାର ଜନସମାଗମ ହେଉଚି, ସେଠି କେବଳ ବଡ଼ମାନେ କହୁଚନ୍ତି, ସାନମାନେ ଶୁଣୁଚନ୍ତି । ଶୁଣିବାକୁ ବାଧ୍ୟ ହେଉଚନ୍ତି ବୋଲି କହିଲେ ହୁଏତ ଅଧିକ ସତକଥା କୁହାଯିବ । ସାନମାନଙ୍କର କିଛି ହେଲେ କହିବା ଲାଗି ଅଧିକାର ନାହିଁ । ଆମ ସ୍କୁଲ ବା କଲେକମାନଙ୍କରେ ପାଠପଢ଼ା ହେଉଥିବା ବେଳେ ବଡ଼ମାନେ କହୁଚନ୍ତି, ସାନମାନେ ଶୁଣୁଚନ୍ତି । ମୁହଁ ଫିଟାଇବାର ଅଧିକାର ନାହିଁ । ଆମ ରାଜନୀତିରେ ନେତାମାନେ କହୁଚନ୍ତି, କର୍ମୀମାନେ ଶୁଣୁଚନ୍ତି । ପଇସା ଓ କ୍ଷମତାକୁ ହାତରେ ରଖିଥିବା ଲୋକମାନେ କହୁଚନ୍ତି । ମୁହଁ ଫିଟିବାର ପ୍ରଶ୍ନ ହିଁ ନାହିଁ । ଆମ ଅଫିସମାନଙ୍କର ବଡ଼ମାନେ କହୁଚନ୍ତି, ସାନମାନେ ସୁନାପୁଅଙ୍କ ପରି ଶୁଣୁଚନ୍ତି, ହୁକୁମ ଅନୁସାରେ କାମ କରୁଚନ୍ତି ଓ ମିଜାଜ ଖୁସି ରଖାଇବାରେ ଆପ୍ରାଣ ଲାଗି ରହିଚନ୍ତି । ଆମ ଡାକ୍ତରଖାନାରେ ବଡ଼ ଡାକ୍ତର କହୁଚି, ସାନ ଡାକ୍ତର ଶୁଣୁଚନ୍ତି । ଡାକ୍ତରି ପଢ଼ୁଥିବା ପିଲମାନଙ୍କର କଥା ହିଁ ଉଠୁନାହିଁ । ସେମାନେ ତ ଶିମିଳିତୁଳା, ତେଣୁ କେବଳ ତକିଆରେ ପଶିବେ ଏବଂ ଉକୁଣିମୁଣ୍ତକୁ ବି ଆପତ୍ତି କରିବେ ନାହିଁ । ଆଗେ ଲୋକାପବାଦ ଅନୁସାରେ କେବଳ ଢିଙ୍କିଶାଳଟା ସିନା ଢେଙ୍କାନାଳ ହୋଇ ରହିଥିଲା, ଏବେ ଘରଟାସାରା ଢେଙ୍କାନାଳ ହୋଇଗଲାଣି । ତେଣୁ ଆଉ ବାରିବାର ପ୍ରଶ୍ନ ହିଁ ନାହିଁ । ଉଚ୍ଚାସନ କହିବାରେ ଲାଗିଥିବ ଓ ଅଧସ୍ତନ ଶୁଣି ଯାଉଥିବ– ଏହାହିଁ ସଂସ୍କାର ହୋଇଗଲାଣି । ଯିଏ ଆଜି ବୁଢ଼ା ହୋଇ ବସିଲାଣି, ସିଏ କାଲି ବିଷୟରେ ବାଚାଳତା କରିବାରେ ଲାଗିଥିବ, ଏବଂ ଯାହାର କାନ୍ଧରେ କାଲିର ବୋଝ ଆସି ଅବଶ୍ୟ ପଡ଼ିବ, ସିଏ ଖାଲି ଶୁଣି ଯାଉଥିବ, ଏହି ଗମ୍ଭୀର ଅଭିନୟଟାକୁ ହିଁ ଏବେ ଜୀବନ ବୋଲି ବିଶ୍ୱାସ କରାଯାଉଚି । ଅଭିନେତାମାନଙ୍କର ଚଣ୍ତ ପ୍ରବଚନରେ ମଞ୍ଚ କମ୍ପୁଛି, ଶ୍ରୋତାମାନେ ବୋକା ହୋଇ ଅନାଇ ରହିଚନ୍ତି । ସେମାନେ ହୁଏତ ଅକାଳ ବୈରାଗ୍ୟର ଗ୍ରାସରେ ପଡ଼ିଚନ୍ତି ।

 

ଦୈବକ୍ରମେ ଅଥବା ଅନ୍ତତଃ ଏକ ବ୍ୟତିକ୍ରମ ଭାବରେ ଯଦି ରୀତି ବଦଳାଇ ସାନମାନଙ୍କୁ ସେମାନଙ୍କର କଥା କହିବାକୁ ଦିଆଯାଆନ୍ତା, ଅର୍ଥାତ୍‌ ଯଦି ବଡ଼ମାନେ ସାନମାନଙ୍କର କଥା ଶୁଣିବାଲାଗି ପ୍ରକୃତରେ ପ୍ରସ୍ତୁତ ହୋଇ ପାରନ୍ତେ, ତେବେ ସାନମାନଙ୍କର ତୁଣ୍ତରୁ ଆମକୁ କ’ଣ ସବୁ ଶୁଣିବାକୁ ମିଳନ୍ତା ? ସେପରି ହେଲେ ଗତ ପଚିଶ ବର୍ଷ ହେଲ ବଡ଼ମାନେ ଏହି ଦେଶ ଓ ଏହି ପୁରୁଷଟାକୁ ନେଇ ଯାହାସବୁ କରି ଆସିଚନ୍ତି, ସେଗୁଡ଼ାକ ହୁଏତ ସିଧାସିଧା ଧରା ପଡ଼ିଯାନ୍ତା । ବଡ଼ମାନେ ଯେ ହୁଏତ ଜାଣିଶୁଣି ସେମାନଙ୍କର କର୍ତ୍ତବ୍ୟ କରିନାହାନ୍ତି ଏବଂ ଆପଣାର ଅଯୋଗ୍ୟତା ଗୁଡ଼ାକୁ ଘୋଡ଼ାଇ ରଖିବାଲାଗି ଉପଦେଶ ଦେଇ ବୁଲିବାର ମୁଖା ପରିଧାନ କରିଚନ୍ତି, ତାହାର ସଦର ମଫସଲ ସବୁ ଧରାପଡ଼ି ଯାନ୍ତା । ସେମାନେ ନିଜେ ଯାହା କରି ନାହାନ୍ତି ଓ ନିଜେ ଯେଉଁ ସାହସ ଦେଖାଇ ପାରିନାହାନ୍ତି, ସାନମାନଙ୍କୁ ସେଇ ଗୁଡ଼ାକ କରିବାକୁ ଏବଂ ସେହି ସାହସ ଦେଖାଇବାକୁ ହିଁ କହିବାରେ ଲାଗି ପଡ଼ିଚନ୍ତି । ଅଧ୍ୟାପକ ନିଜେ ପାଠ ପଢ଼ୁ ନାହାନ୍ତି, ମାତ୍ର ଛାତ୍ରମାନଙ୍କୁ ପାଠ ପଢ଼ାରେ ମନ ଦେବାଲାଗି କହୁଚନ୍ତି । ଆସନସ୍ଥ ବଡ଼ମାନେ ଆପଣାର ସଫଳତାକୁ ହିଁ ଦେଶର ସଫଳତା ବୋଲି କହୁଚନ୍ତି, ଅଥଚ ସ୍କୁଲପିଲାଙ୍କ ପାଠ ଘୋଷିଲା ପରି ସେବା ଓ ତ୍ୟାଗର ଆଳଙ୍କାରିକ ବୋଲିମାନ ଦୋହରାଇବାରେ ଲାଗିଚନ୍ତି । ମଉକା ଆସିବା ମାତ୍ରକେ ଅସାଧୁ ହେବାକୁ ବାସ୍ତବ ଜଗତର ମୁଖ୍ୟତମ ବ୍ୟବସାୟ ରୂପେ ଗ୍ରହଣ କରିଚନ୍ତି, ଅଥଚ ସାନମାନଙ୍କ ପାଖରେ ସାଧୁ ହେବାର ପଦ୍ମତୋଳା ଗାଉଚନ୍ତି । ଯିଏ ଆପଣାର ଆଖିକୁ ଯେଉଁଠି ଯେତେ ବେଶୀ ବୁଜି ଦେଇ ପାରୂଛି, ସିଏ ସେତେ ବେଶୀ ଧର୍ମ, ସଂସ୍କୃତି, ଜାତି ଓ ଜାତୀୟ ଟେକର କଥାମାନ କହୁଚି । ଏଗୁଡ଼ାକୁ ଆମେ ଉପଦେଶ କହିବା ନା ଉଦ୍‌ବୋଧନ କହିବା ? ଆମେ ଏମାନଙ୍କୁ ହୁଏତ ଅନ୍ତର୍ଗତ ଭାବରେ ଅତି ଦୁଃଖି ବୋଲି କହିବା । ଏମାନଙ୍କର ବାଚାଳ ଅତ୍ୟୁତ୍ସାହଗୁଡ଼ାକୁ ଆପେ ଯଥାର୍ଥରେ କିଛି ହୋଇ ନ ପାରିବା ଜନିତ ରୋଷ ବୋଲି କହିବା । ଏମାନଙ୍କର ଆସନଗୁଡ଼ାକୁ ଭୀରୁ ମଣିଷର କାତର ଅବଲମ୍ୱନ ବୋଲି କହିବା । ଏମାନେ ଆପଣା ଜୀବନର ଆହ୍ୱାନଗୁଡ଼ିକୁ ଶୁଣି ପାରିଲେ ନାହିଁ, ଯୁଗ-ଦେବତାର ଆହ୍ୱାନକୁ ଶୁଣି ପାରିଲେ ନାହିଁ । ଏମାନେ କାହାରିକୁ ଆପଣାର କରି ପାରିଲେ ନାହିଁ, ଏବଂ ସେହି କାରଣରୁ କାହାରି ଆପଣାର ହୋଇ ପାରିଲେ ନାହିଁ । ଏମାନଙ୍କର ଜୀବନ ଅସମର୍ପିତ ରହିଗଲା, କେଉଁଠି ହେଲେ ନୈବେଦ୍ୟ ରୂପେ ଲାଗି ପାରିଲା ନାହିଁ । ତେଣୁ ସେହି ଅନ୍ତର୍ଖେଦ ଦ୍ୱାରା ବଡ଼ କ୍ରୂର ଭାବରେ ତାଡ଼ିତ ହୋଇ ସେମାନେ ବାହାରେ ବଡ଼ ହୋଇ ଦିଶିବାକୁ ଚେଷ୍ଟା କଲେ, ଯେ କୌଣସି ପ୍ରକାରେ ବଡ଼ ଆସନମାନ କାମୁଡ଼ି ରହିବାକୁ ଚେଷ୍ଟା କଲେ, ସେମାନେ ବଡ଼ କୋଠା କଲେ, ବଡ଼ ବଡ଼ କଥା କହିଲେ, ଅକାରଣରେ ଭଡ଼ ଭଡ଼ ହେବାର ଦୁର୍ଗତି ଆଦରି ରହିଲେ ଓ ତାହାକୁ ହିଁ ଇହସଂସାରର ପରମ ଗତି ବୋଲି ବିଶ୍ୱାସ କଲେ । ଗତ କେତେବର୍ଷ ହେଲା ଏହି ଅନ୍ଧବିଶ୍ୱାସଟା ହିଁ ଆମ ସାମୂହିକ ଜୀବନରେ ସବୁଠାରୁ ଅତି ପ୍ରବଳ ଭାବରେ ରାଜତ୍ୱ କରିବାରେ ଲାଗିଚି ।

 

ବର୍ତ୍ତମାନ ଚାଲିଥିବା ପ୍ରହସନର ଜଞ୍ଜିରଗୁଡ଼ାକୁ ଯିଏ ଭାଙ୍ଗି ଦେଇ ପାରିବ, ହୁଏତ କେବଳ ସେଇ ଉପସ୍ଥିତ ଆହ୍ୱାନଗୁଡ଼ିକର ଜବାବ ଦେଇ ପାରିବ । ଆଜିର ସାନମାନେ କାଲିକୁ ବଡ଼ ହେବେ । ବଡ଼ ହୋଇ ହୁଏତ ସେମାନେ ବି ଆଜିର ଆସନସ୍ଥ ଜର୍ଜର ମନ ପରି ଆଚରଣ କରିବେ । ଭୀରୁ ହୋଇ ଭୋଗ କରିବାକୁ ହିଁ ଚତୁରତମ ପଥ ବୋଲି ଗ୍ରହଣ କରି ନେବେ । ତା ହେଲେ ଆଜିର ଦୁର୍ଗତି କାଲିକୁ ବି ଲାଗି ରହିବ । ବଡ଼ ଓ ସାନ ଉଭୟେ ଅସମ୍ମାନିତ ଓ ଅବମାନିତ ହୋଇ ପଡ଼ି ରହିବେ । ତେଣୁ ଆମେ ଖାଲି ବୟସରେ ବଡ଼ ହେଲେ ଅଥବା ଯେ କୌଣସି ପ୍ରକାରେ ବଡ଼ ଆସନଗୁଡ଼ାକୁ ଦଖଲ କରି ନେଲେ ଆମର ଅବସ୍ଥା କାଲି ଆପେ ଆପେ ବଦଳି ଯିବ ନାହିଁ । ବଦଳିବାକୁ ହେଲେ ବଦଳିବାର ନୂତନ ସଂକଳ୍ପ ନେବାକୁ ପଡ଼ିବ ଅର୍ଥାତ୍‌ ଆପଣାକୁ ତଥା ଅନ୍ୟ ସମସ୍ତଙ୍କୁ ନୂତନ ଆଖିରେ ଦେଖି ଶିଖିବାକୁ ହେବ । ଆପଣାକୁ ମଣିଷ ରୂପେ ଅନୁଭବ କରି ପାରିବାକୁ ହେବ । ତାରୁଣ୍ୟକୁ ହିଁ ମଣିଷ ହୋଇ ବଞ୍ଚି ରହିବାର ସର୍ବପ୍ରଧାନ ପାଥେୟ ରୂପେ ଗ୍ରହଣ କରିବାକୁ ହେବ । ଏବଂ ତାରୁଣ୍ୟ ଆମକୁ ନିର୍ଭୟ ହେବାର ବିଦ୍ୟା ଶିଖାଇଦେବ, ସେବା ଓ ସମର୍ପଣର ବାଟ ବତାଇଦେବ । ଆମେ ଆମ ଆପଣା ଭିତରୁ ହିଁ ଏ ଯୁଗର ଶୁଭତମ ଆହ୍ୱାନଗୁଡ଼ିକୁ ଶୁଣିବାରେ ସମର୍ଥ ହେବା ଓ ସେଥିଲାଗି ପ୍ରସ୍ତୁତ ହେବା । ତା’ହେଲେ ବୟସରେ ବୁଢ଼ା ହେଉଥିଲେ ମଧ୍ୟ ଆମେ ତଥାପି ବୁଢ଼ା ଆଗ୍ରହଗୁଡ଼ାକ ଦ୍ୱାରା ପୀଡ଼ିତ ହୋଇ ସାନମାନଙ୍କୁ ଈର୍ଷା କରିବାକୁ ଯିବାନାହିଁ । ଅଭିନୟ କମିଯିବ, ଅସାଧୁତାର ଆବଶ୍ୟକତା ବି ରହିବ ନାହିଁ । ଯୁଗର ରଥ ଆଗକୁ ଚାଲିବ, ବଡ଼ ଓ ସାନ ସମସ୍ତଙ୍କୁ ନେଇ ଚାଲିବ ଓ ମଣିଷ ହାତରେ ହିଁ ସେଇ ରଥର ଲଗାମ ରହିଥିବ ।

 

(ଜନସାହିତ୍ୟ, ଶଦହରା, ତା ୨୩/୮/୧୯୭୦)

☆☆☆

 

ଗ୍ରନ୍ଥାଗାର ଓ ଗ୍ରନ୍ଥାଗ୍ରହ

 

“My home is where I have My library”

 

–Desiderius Erasmus (1466–1536)

 

ଗ୍ରନ୍ଥାଗାରରେ ଗ୍ରନ୍ଥ ଥାଏ । ତେଣୁ ଗ୍ରନ୍ଥ ପଢ଼ିବାକୁ ହିଁ ଗ୍ରନ୍ଥାଗାରକୁ ଯିବା କଥା । କେବଳ ଫୁରୁସତ୍‌ ଅନୁସାରେ ଗ୍ରନ୍ଥାଗାରକୁ ଯିବାକୁ ହୁଏ । କାମ ସମୟରେ ଘର, ସଂସାର, ଅଫିସ ଓ ଅର୍ଥଚିନ୍ତା ନେଇ ବ୍ୟସ୍ତ ରହିବାକୁ ପଡ଼େ, ତେଣୁ ଗ୍ରନ୍ଥାଗାରକୁ ଯାଇ ହୁଏ ନାହିଁ । ସ୍କୁଲମାନଙ୍କରେ ଯେମିତି ଖେଳଛୁଟି ହୁଏ, ଦୈନନ୍ଦିନ ଜୀବନର ଜାଲଜଞ୍ଜାଳ ଭିତରୁ ଟିକିଏ ରିହାଇ ପାଇବା ସକାଶେ କେତେ ଲୋକ ସେମିତି ଗ୍ରନ୍ଥାଗାର ଭିତରେ ଦଣ୍ତେ ବସି ଆସିବାକୁ ଯାଆନ୍ତି । ଅର୍ଥାତ୍‌ ଘରେ ମନ ନ ଲାଗିଲେ ସେମାନେ କ୍ଳବଘର ପରି ଗ୍ରନ୍ଥାଗାରକୁ ଯାଆନ୍ତି । ସଂସାରରେ ମନ ନ ଲାଗିଲେ ମଣିଷ ଯେମିତି କୋଉ ଆଶ୍ରମଆଡ଼େ ପଳାଏ ବା ଜୀବନର ଚକ୍ରବ୍ୟୂହ ଭିତରେ ପଡ଼ିଗଲେ ଆମ ଭିତରର ଭୀରୁ ଅଭିମନ୍ୟୁ ଯେମିତି ବୀରପଣ ଦେଖାଇ ଧର୍ମକଥା ଶୁଣିବାକୁ ବାହାରିଯାଏ ବା ମୂମୂକ୍ଷୁ ଭାବର ଅବତାରଣା କରେ, ହୁଏତ ଠିକ୍‌ ସେହିପରି । କିନ୍ତୁ ଯେଉଁଠି ମୋର ଗ୍ରନ୍ଥାଗାର ରହିଛି, ସେଇଠାରେ ହିଁ ମୋର ଘର ରହିଚି– ଏପରି କହିବାର ପୁଣି ତାତ୍ପର୍ଯ୍ୟ କ’ଣ ହୋଇପାରେ ? ସଂସାରପରାୟଣା କୌଣସି ପତ୍ନୀ ପତିମୁହଁରୁ ଏକଥା ଶୁଣିଲେ ପ୍ରକୃତରେ କେତେ ମନୋଯନ୍ତ୍ରଣା ଅନୁଭବ ନ କରିବ, ଗ୍ରନ୍ଥାଗାରକୁ କେତେ ହିଂସା କରି ନ ବସିବ ? ଗ୍ରନ୍ଥାଗାରକୁ ଘର କରି ବସିଲେ ତେଣେ ଘର ଭଣ୍ତୁର ହୋଇ ଯିବନାହିଁ ତ ? ପଣ୍ତିତ ଏରାସ୍‌ମୁମ୍‌ଙ୍କର କୌଣସି ଘର ନ ଥିଲା, ଅର୍ଥାତ୍‌ ସେ ବିବାହ କରି ନଥିଲେ । ହୁଏତ ତାଙ୍କଲାଗି ଗ୍ରନ୍ଥାଗାର ଏକ ଘରରେ ପରିଣତ ହୋଇପାରେ । ସବୁ କାଳରେ ଓ ସବୁ ଦେଶରେ ଏମିତି ଅଳ୍ପ କେତେଜଣ ବିଚିତ୍ର ମଣିଷ ରହିଥାନ୍ତି, ଯେଉଁମାନେ କି ଘରଆଡ଼େ ମନ ନ ବଳାଇ ଗ୍ରନ୍ଥାଗାର ଆଡ଼େ ମନ ବଳାନ୍ତି ଓ ଗ୍ରନ୍ଥାଗାରକୁ ହିଁ ଆପଣାର ଘର ବୋଲି କହନ୍ତି । କିନ୍ତୁ ସଂସାରଚିତ୍ରରେ ସଚରାଚର ଖଞ୍ଜି ହୋଇ ରହିଥିବା ଆମ ଅଧିକାଂଶଙ୍କ ସକାଶେ ଏପରି ଏକ ପରାମର୍ଶ ଆଦୌ ନିରାପଦ ନୁହେଁ ବୋଲି ଅଭିଜ୍ଞ ବ୍ୟକ୍ତିମାନେ ନିଶ୍ଚୟ କହିବାକୁ ବାହାରିବେ ।

 

ଥରେ ନୟାଗଡ଼ ପାଖରେ ଥିବା ଗୋଟିଏ ଗାଆଁରେ ମୁଁ ଗ୍ରନ୍ଥାଗାରଟିଏ ଦେଖିବାର ସୁଯୋଗ ପାଇଥିଲି । ଗାଆଁର ଏପାଖରେ କୂଅ ସେପାଖରେ ଗ୍ରନ୍ଥାଗାର । ମଝିରେ ଗାଆଁଦାଣ୍ତ ଓ ଦାଣ୍ତର ଦୁଇ ପାଖରେ ଦୁଇ ଧାଡ଼ି ଘର । ଗ୍ରନ୍ଥାଗାରଟି ପଛରେ ଗ୍ରାମବାସୀ ପ୍ରାୟ ସବୁ ତରୁଣଙ୍କର ହାତ ଅଛି, କିନ୍ତୁ ସବୁରି ପ୍ରେରକଶକ୍ତି ରୂପେ କେବଳ ଜଣଙ୍କର ଉତ୍ସାହ ରହିଛି । ସିଏ ହେଉଛନ୍ତି ଷାଠିଏ ପାରହୋଇ ଯାଇଥିବା ଜଣେ ତରୁଣ । ଗେରୁଆ ପିନ୍ଧନ୍ତି, ବଗଡ଼ା ଖାଆନ୍ତି, ସାଧାଭାବରେ ରହନ୍ତି ଓ ସିଧାଭାବରେ ବଞ୍ଚନ୍ତି । ସେ ଘର ଛାଡ଼ି ନାହାନ୍ତି । ତାଙ୍କର ସ୍ତ୍ରୀପିଲା ଅଛନ୍ତି । ନାତି ନାତୁଣୀ ଅଛନ୍ତି, ଘର ଓ ଜମିବାଡ଼ି ସବୁ ଅଛି । ତାଙ୍କର ଦେହଟା କ୍ଷୀଣ ହୋଇ ଆସିବାର ଯେତେ ସୂଚନା ଦେଉଥିଲେ ମଧ୍ୟ ତାଙ୍କ ଉତ୍ସାହ ଦେଖିଲେ ଭେଣ୍ତାମାନେ ବି ହାରିଗଲା ପରି ମନେହୁଏ । ନିଜର ଗ୍ରନ୍ଥାଗାର ଓ ଘର ଭିତରେ ସିଏ କୌଣସି ଭେଦ ରଖିନାହାନ୍ତି । ଆପଣାର ସକଳ ସମୟକୁ ସେ ଘର ଓ ଗ୍ରନ୍ଥାଗାର ଭିତରେ ବଡ଼ ସୁଚାରୁରୂପେ ବାଣ୍ଟିକରି ରଖିଛନ୍ତି ଓ ଦୁହିଁଙ୍କୁ ନେଇ ସଂସାର କରୁଛନ୍ତି । ସେ ବଞ୍ଚିବା ପରି ବଞ୍ଚିଛନ୍ତି । ଚାଷବେଳେ ଚାଷୀଘରର ସମସ୍ତେ ଚାଷରେ ଲାଗିଥିବା ପରି ତାଙ୍କ ଘରର ସମସ୍ତେ ଗ୍ରନ୍ଥାଗାରର କାମରେ ଆସି ଭାଗ ନିଅନ୍ତି । ସେଠି କେତେ ଯତ୍ନରେ ବହି ସବୁ ସାଇତା ହୋଇ ରହିଛି । କେତେ କାଳର କେତେ ପତ୍ରିକା କେତେଆଡ଼ୁ ସାଉଁଟା ହୋଇ ଆସିଚି । ତଥାପି ଆହୁରି ସାଉଁଟିବାର ଓ ସାଇତି ରଖିବାର ନିଶା ଲାଗି ରହିଚି । ଅଧିକ ସାଉଁଟା ହେଉଚି, ଅଧିକ ସାଇତା ହେଉଚି, ଅଧିକ ବିତରିତ ହେଉଚି । ମଣିଷର ନିଷ୍ଠା ଓ ଅନୁରାଗ ଏହିପରି ଅକୃପଣ ହୋଇପାରିଲେ ତାହାକୁ ଭକ୍ତି କୁହାଯାଏ । ସେଠି ଗ୍ରନ୍ଥାଗାରରେ ଗୋଟିଏ ଦିନ ରହି ତାହା ମୋତେ ବି ଆପଣାର ଘର ପରି ଲାଗିଲା । ଏ ସଂସାରରେ ଆମର ମାୟାଗୁଡ଼ାକ ଏହିପରି ଭାବରେ ପ୍ରସାରିତ ହୋଇ ପାରୁଥିବା ଦରକାର । ତା’ହେଲେ ଆଉ ମାୟାରେ ଛନ୍ଦି ହୋଇ ପଡ଼ିବାର ଭୟ ନଥାଏ ।

 

ସେ ଯୁଗର ଇଂଲଣ୍ତରେ ଆଧୁନିକ ଯୁଗଲାଗି ଅନେକ ପ୍ରେରଣା ଦେଇଥିବା ବେକନ୍‌ (Francis Bacon, 1561-1626) ଜାହାଜର ଉଦ୍‌ଭାବନ ସହିତ ତୁଳନା କରି ଗ୍ରନ୍ଥର ମହତ୍ତ୍ୱ ପ୍ରତିପାଦିତ କରିବାକୁ ଚେଷ୍ଟା କରିଥିଲେ । ଜାହାଜ ଉଦ୍‌ଭାବିତ ହେବା ସଙ୍ଗେ ସଙ୍ଗେ ଦେଶ ଭିତରେ ବାଟ ଫିଟିଗଲା, ଦେଶ ଦେଶ ଭିତରେ ବେପାର ବଣିଜ ଆରମ୍ଭ ହେଲା । ଏ ଦେଶର ମାଲ ସେ ଦେଶକୁ ଗଲା, ଏ ଦେଶର ମଣିଷ ସେ ଦେଶକୁ ଗଲା, ଜୀବନ ସଂକ୍ରମିତ ହେଲା, ନୂତନ କେତେ ସମ୍ୱନ୍ଧ ଓ ସମନ୍ୱୟର ଆହ୍ୱାନ ଓ ଅବସରମାନ ଆସି ପହଞ୍ଚିଲା । କେତେ ପୁରୁଣା ବାଡ଼ ଉଠିଗଲା ଓ କେତେ ବାଡ଼ର ସଂଜ୍ଞା ହିଁ ବଦଳିଗଲା । ସେହି ପର୍ଯ୍ୟାୟରେ ଆମେ ଗ୍ରନ୍ଥକୁ ମଧ୍ୟ ଜାହାଜ ସହିତ ତୁଳନା କରି ପାରିବା । ଜାହାଜ ସିନା ଖାଲି ଦେଶ ଦେଶ ଭିତରେ ଖିଅ ଯୋଡ଼ିଲା, ମାତ୍ର ଗ୍ରନ୍ଥରୂପୀ ଜାହାଜ ନାନା କାଳର ଭିନ୍ନ ଭିନ୍ନ ସମୁଦ୍ର ଭିତରେ ଖିଅ ଯୋଡ଼ି ପାରୁଚି । ଗୋଟାଏ ସୁଦୂର ଯୁଗକୁ ଆଣି ଅଉ ଗୋଟିଏ ଯୁଗର ଦ୍ୱାରଦେଶରେ ହାବୁଡ଼େଇ ଦେଉଚି । ସେକାଳର ପ୍ରଜ୍ଞା ଏକାଳର ମଥାକୁ ଉଦ୍‌ବେଳିତ କରିପାରୁଚି । କେଉଁ ସେଯୁଗର ଆଲୋକ ଏଯୁଗର ଅନ୍ଧାର ଅର୍ଥାତ୍‌ ସଂଶୟ ଭିତରେ ବାଟ ଦେଖାଇଦେଲା ପରି ଲାଗୁଚି । ସେଯୁଗର ଉଦ୍‌ଭାବନକୁ ଏଯୁଗର ଉତ୍‌ପ୍ରେରଣାରେ ପରିଣତ କରୁଚି । ଗ୍ରନ୍ଥଜ୍ଞାନ ଓ ବିଜ୍ଞାନକୁ ସବୁଯୁଗର ସମ୍ପତ୍ତିରେ ରୂପାନ୍ତରିତ କରିଦେଉଚି । ବାଣୀକୁ ଅମର କରି ରଖୁଚି, ମଣିଷକୁ ଅମର କରି ରଖୁଚି ଅର୍ଥାତ୍‌ ମଣିଷ ହିସାବରେ ଆମ ସମସ୍ତଙ୍କର ଅକୃତି ତଥା ଆକାଙ୍‌କ୍ଷାଗୁଡ଼ିକୁ ଅମର କରି ରଖୁଚି । ଗ୍ରନ୍ଥର ଦର୍ପଣ ଉପରେ ମଣିଷ ଆପଣା ବିରାଟ ରୂପର ପରିଚୟ ପାଉଚି । ସେଥିଲାଗି ଗ୍ରନ୍ଥାଗାର ଓ ଘର ଭିତରେ ମୂଳତଃ କୌଣସି ପ୍ରଭେଦ ରହିବା ଉଚିତ ନୁହେଁ । ଘର ପରି ଗ୍ରନ୍ଥାଗାରର ବି ଆବଶ୍ୟକତା ରହିଚି । ତେଣୁ ଜୀବନଘର ପ୍ରତି ଯଥାର୍ଥ ଆଗ୍ରହ ରଖିଥିବା ମଣିଷ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଗ୍ରନ୍ଥପ୍ରତି ମଧ୍ୟ ଆଗ୍ରହ ରଖିବ । ଗ୍ରନ୍ଥାଗାର ପ୍ରତି ଆଗ୍ରହ ରଖିବ । ନାକକୁ ନାକଚଣା ସୁନ୍ଦର ଦିଶିଲା ପରି ଘରକୁ ମଧ୍ୟ ଗ୍ରନ୍ଥ ସୁନ୍ଦର ଦିଶିବ ବୋଲି ଘରେ ଗ୍ରନ୍ଥ ସାଇତା ଓ ସଜାହୋଇ ରହିଲେ ସେହି ଆଗ୍ରହର ଶୋଷ ମେଣ୍ଟିବ ନାହିଁ । ସୌନ୍ଦର୍ଯ୍ୟଚିହ୍ନାଳି ସୁନ୍ଦର ଆଖି ସଂସାରର ସବୁଠାରେ ସହୋଦର ସକଳ ସୁନ୍ଦରକୁ ଖୋଜି ବୁଲିବା ଭଳି ଆମେ ଗ୍ରନ୍ଥକୁ ଖୋଜି ବୁଲୁଥିବା । ଗ୍ରନ୍ଥାଗାର ଜରିଆରେ ବୃହତ୍ତରର ସଖ୍ୟ କାମନା କରି ବୁଲୁଥିବା । ତେବେ ଯାଇ ହେବ, ତେବେ ଯାଇ ଆମେ ଘର ଓ ଗ୍ରନ୍ଥାଗାର ଉଭୟଟିକୁ ସୁନ୍ଦର କରି ଚିହ୍ନି ପାରିବାରେ ସମର୍ଥ ହୋଇପାରିବା । ଆପସ୍ତମ୍ୱଧର୍ମସୂତ୍ରର ରଚୟିତା ସ୍ୱାଧ୍ୟାୟକୁ ତପଃ ବୋଲି କହିଚନ୍ତି : ତପଃ ସ୍ୱାଧ୍ୟାୟମ୍‌ ଇତି । (୧/୪/୧୨/୧)

 

କୌଣସି ପ୍ରସଙ୍ଗରେ ରବୀନ୍ଦ୍ରନାଥ ଗ୍ରନ୍ଥାଗାରକୁ ଜ୍ଞାନର ସମୁଦ୍ରରେ ଶଙ୍ଖ ବୋଲି କହିଚନ୍ତି । ଶଙ୍ଖ ଦେଇ ସମୁଦ୍ରକୁ ଚିହ୍ନିବା ଭଳି ଆମେ ଗ୍ରନ୍ଥାଗାର ଦେଇ ଆମ ଜୀବନର ଜ୍ଞାନମୟତାକୁ ଚିହ୍ନିବା । ଶଙ୍ଖକୁ ନିମିତ୍ତ କରି ସମୁଦ୍ରର ସାନ୍ନିଧ୍ୟ ଲାଭ କରିବା ସମ୍ଭବ ହୁଏ, ଠିକ୍‌ ଯେପରି ପିତୁଳାର ଉପାସନାଦ୍ୱାରା ପିତୁଳାତୀତର ପରିଚୟ ମିଳିଥାଏ । କିନ୍ତୁ ପିତୁଳାର ଉପାସକ ପୌତ୍ତଳିକତାର ଫାନ୍ଦରେ ବି ପଡ଼ିଯାଇପାରେ । ଗ୍ରନ୍ଥକୁ ହିଁ ଜ୍ଞାନ ବୋଲି ଭ୍ରମ କରାଯାଇପାରେ । ସେପରି କରି ଆମେ ପ୍ରମାଦରେ ପଡ଼ିଯାଉ । ସେପରି ହେଲେ ଗ୍ରନ୍ଥ ଆମକୁ ବାନ୍ଧି ପକାଏ, ଠିକ୍‌ ଯେମିତି ଅନେକଙ୍କୁ ଅଫିମ ବାନ୍ଧିପକାଏ, ଆଦର୍ଶ ବାନ୍ଧି ପକାଏ ବା ଆଚାର ବାନ୍ଧି ପକାଏ । ମୁକ୍ତିକୋପନିଷତ୍‌ (୧/୪୮) ରେ ଶାସ୍ତ୍ରକୁ ଗର୍ତ୍ତ ବୋଲି ବି କୁହାଯାଇଚି । ‘ଶସ୍ତ୍ରଗର୍ତ୍ତେଷୁ ମୁହ୍ୟତେ ।’ ଶାସ୍ତ୍ର କଦାପି ଗର୍ତ୍ତ ନୁହେଁ, ମାତ୍ର ପୌତ୍ତଳିକ ଲାଗି ଏହା ଗର୍ତ୍ତ ପରି କାମ କରିପାରେ । ଏହି ଉପନିଷତ୍‌ରେ ଅନ୍ୟତ୍ର ଶାସ୍ତ୍ରବାସନାକୁ ଜ୍ଞାନପ୍ରାପ୍ତିର ଏକ ଅନ୍ୟତମ ବାଧକ ବୋଲି ମଧ୍ୟ କୁହାଯାଇଚି । ଜ୍ଞାନପ୍ରାପ୍ତି ଲକ୍ଷ୍ୟ ହେବା ଉଚିତ । ତା’ହେଲେ ଶାସ୍ତ୍ରଗ୍ରନ୍ଥିରେ ବାନ୍ଧିହୋଇ ରହିବାଲାଗି ଆଉ କୌଣସି ଭୟ ନଥିବ ।

 

ଆଉ ଗୋଟିଏ ଭାରତୀୟ ଶାସ୍ତ୍ର (ଅମୃତବିନ୍ଦୁ ଉପନିଷଦ୍‍)ରେ ଜ୍ଞାନ ଓ ବିଜ୍ଞାନରେ ତତ୍ପର ରହିବାକୁ ହିଁ ଗ୍ରନ୍ଥାଭ୍ୟାସର ଧ୍ୟେୟରୂପେ ଗ୍ରହଣ କରାଯାଇଚି । କିନ୍ତୁ ତା’ପରେ କ୍ରାନ୍ତଦର୍ଶୀ ସାହସୀ କବି କଅଣ କହିଚନ୍ତି ଶୁଣନ୍ତୁ । ମେଧାବୀ ଓ ଜ୍ଞାନବିଜ୍ଞାନ-ତତ୍ପର ବ୍ୟକ୍ତି ଗ୍ରନ୍ଥର ଅଭ୍ୟାସ ଅବଶ୍ୟ କରିବ, ମାତ୍ର ଅଭ୍ୟାସ ବା ଅଧ୍ୟୟନ ସରିବା ପରେ ସେ ସେହି ଗ୍ରନ୍ଥକୁ ସମ୍ପୂର୍ଣ୍ଣଭୂପେ ପରିତ୍ୟାଗ କରି ଆସିବ । ଚାଉଳର ଅଭିଳାଷ ରଖିଥିବା ବ୍ୟକ୍ତି ଯେପରି ଧାନ କୁଟାସରିବା ପରେ ତଷୁକୁ ଛାଡ଼ିଦେଇ ଆସେ, ସେ ସେହିପରି ଗ୍ରନ୍ଥକୁ ବି ଛାଡ଼ି ଆସିବ, ଜ୍ଞାନକୁ ସଂଗ୍ରହକରି ଆଣିବ । ‘ପଲଳମିବ ଧାନ୍ୟାର୍ଥୀ ତ୍ୟଜେଦ୍‌ଗ୍ରନ୍ଥମଶେଷତଃ ।’ ଏକଥା କରିପାରିବା ଆଦୌ ସହଜ ନୁହେଁ । ଜୀବନକୁ ପ୍ରଧାନତଃ ଏକ ବହୁସ୍ତରୀୟ ତପସ୍ୟାରୂପେ ଗ୍ରହଣ କରିଥିବା ବ୍ୟକ୍ତି ହୁଏତ ତାହା କରିପାରେ । ତପସ୍ୟରୁ ହିଁ ଆନନ୍ଦ ପାଇ ପାରୁଥିବା ବ୍ୟକ୍ତି ତାହା କରିପାରେ ।

 

ଗ୍ରନ୍ଥାଗାରକୁ ବି ଆମେ ଆଗ୍ରହ କଲେ ଏକ ତପଃସ୍ଥାନରେ ପରିଣତ କରିପାରିବା ।

 

(ସ୍ମରଣିକା, ୧୯୬୮, ଜାତୀୟ ଗ୍ରନ୍ଥାଗାର, କଟକ)

☆☆☆

 

ବିଜ୍ଞାନର ଭୂମି

 

ବିଜ୍ଞାନ କହିଲେ ଯେ ଖାଲି ଫିଜିକ୍‌ସ୍‌ ଓ କେମିଷ୍ଟ୍ରି ପ୍ରଭୃତି କେତେଟା ଖାସ୍‌ ଖାସ୍‌ ବିଷୟର ଆଲୋଚନା ଓ ଗବେଷଣାକୁ ବୁଝାଇବ, ଏହିପରି ଭାବିବାର ଖୋଇଟାକୁ ଆମେ ବିଦେଶରୁ ଶିଖିଚୁ । ଆଧୁନିକ ବିଜ୍ଞାନକୁ ଯେମିତି ବିଦେଶରୁ ଶିଖିଚୁ, ଏହି ଖୋଇଟିକୁ ମଧ୍ୟ ସେହିପରି ସେହି ବିଦେଶରୁ ଶିଖିଚୁ । ସେହି ଖୋଇ ଏବେ ଭାରତବର୍ଷର ଚାରିଆଡ଼େ ବ୍ୟାପିରହିଚି-। ଆମ ବିଶ୍ୱବିଦ୍ୟାଳୟମାନଙ୍କରେ ବିଶେଷ ଭାବରେ ବ୍ୟାପି ରହିଚି । ତଥାକଥିତ ଶିକ୍ଷିତ ମହଲରେ ବିଶେଷ ଭାବରେ ରହିଚି । ତେଣୁ ସାନ ଓଡ଼ିଶାରେ ମଧ୍ୟ ଯେ କାହିଁକି ନରହିବ, ସେପରି ପଚାରିବାର ପ୍ରଶ୍ନ ହିଁ ଉଠୁନାହିଁ ।

 

କଟକରେ ଗୋଟିଏ ବିଜ୍ଞାନ ପ୍ରଚାର ସମିତି ଗତ ଅନେକ ବର୍ଷ ହେଲା କାର୍ଯ୍ୟକରି ଆସୁଚି । ପ୍ରଧାନତଃ ରେଭେନ୍‌ସା କଲେଜରେ କେତେଜଣ ଅଧ୍ୟାପକଙ୍କର ଉତ୍ସାହରେ ଏକ ପରମ୍ପରା ରୂପେ ଏହି ସମିତିଟି କାର୍ଯ୍ୟ କରି ଆସିଚି । ମାତ୍ର ସେଥିରେ ମଧ୍ୟ କେତୋଟି ଖାସ୍‌ ଖାସ୍‍ ବିଷୟରେ ଚର୍ଚ୍ଚାଲୋଚନା କରାଯାଏ, କାରଣ ସେହି ଖାସ୍‌ ଖାସ୍‌ କେତୋଟି ବିଷୟକୁ ହିଁ ବିଜ୍ଞାନ ବୋଲି ଧରି ନିଆଯାଏ । ପ୍ରାକୃତିକ ବିଜ୍ଞାନଗୁଡ଼ିକୁ ସେଠାରେ ଓଷେଇତୀମାନଙ୍କ ମଧ୍ୟରେ ବଡ଼ମୁଣ୍ତୀ ବୋଲି ମାନି ନିଆଯାଏ ଏବଂ ସେମାନଙ୍କର କାନିଧରି ଉଦ୍‌ଭିଦ-ବିଜ୍ଞାନ ଆସେ, ପ୍ରାଣୀବିଜ୍ଞାନ ଆସେ । ମଣିଷ ବି ଗୋଟାଏ ପ୍ରାଣୀ; ତେଣୁ ସମଗ୍ରତଃ କେବଳ ଗୋଟାଏ ପ୍ରାଣୀ ହିସାବରେ ସିଏ ସେଠାକୁ ଆସିବାଲାଗି କିଞ୍ଚିତ୍‌ ପ୍ରବେଶାଧିକାର ପାଇଥାଏ । ଦୁଇବର୍ଷ ତଳେ ସମ୍ୱଲପୁରଠାରେ ଗୋଟିଏ ବିଜ୍ଞାନ ସମ୍ମିଳନୀ ହୋଇଥିଲା । ସେଠାରେ ସାଧାରଣଙ୍କର ବୁଝିବାଭଳି ନିତି ବିଜ୍ଞାନସମ୍ୱନ୍ଧୀ ବକ୍ତୃତାମାନ ଦିଆ ଯାଉଥିଲା । ମାତ୍ର ସେଠାରେ ମଧ୍ୟ ସେହି ଖୋଇଟା ସତେଅବା ଅତ୍ୟନ୍ତ ସ୍ୱାଭାବିକ ଭାବରେ ସମସ୍ତଙ୍କୁ ଭାରି ଐକାନ୍ତିକ ସରାଗରେ ଆବୋରି ଧରିଥିଲା । ବିଜ୍ଞାନର ସାହାଯ୍ୟରେ ମଣିଷ ଏସା କରିବ ତେସା କରିବ, ପ୍ରକୃତିକୁ ଜୟ କରିବ, ଚନ୍ଦ୍ର ସମେତ ଆହୁରି କେତେକେତେ କୁଆଡ଼କୁ ହାତ ବଢ଼ାଇବ । ଯେଉଁଠି ଦଶଟା ଫଳୁଚି, ସେଠାରେ ଦଶଶହଟା ଫଳିବ; ପୁଣି ଯେଉଁଠି ପଚାଶ ମିଳୁଚି ସେଠି ପାଞ୍ଚଶହ ମିଳିବ, ସେଠାରେ ଏହିଭଳି ଅନେକ କଥା କୁହାଗଲା । ମାତ୍ର ମଣିଷ ବିଷୟରେ କିଛି କୁହା ଗଲାନାହିଁ । ଅନ୍ୟାନ୍ୟ ମଣିଷଙ୍କ ସହିତ ମିଶି ମଣିଷ କେଉଁ ସମାଜରେ ଏସବୁ ପରାକ୍ରମ ଦେଖାଇବ ବା ତାହାର ଫଳଭୋଗ କରିବ, ସେ ବିଷୟରେ ପଦେହେଲେ କଥା ଶୁଭିଲା ନାହିଁ । ହୁଏତ ସେଗୁଡ଼ାକ ବିଜ୍ଞାନ ନୁହେଁ ବୋଲି ସେଗୁଡ଼ାକୁ ଭିତରକୁ ଆସିବାଲାଗି ଅନୁମତି ମିଳିଲା ନାହିଁ । ତେଣୁ କେଉଁଠାରେ କିଛି ଅଧା ବା ଖଣ୍ତିଆ ରହିଗଲା ବୋଲି ବି ହୁଏତ କେହି ହେଲେ ବିଚାରିଲେ ନାହିଁ ।

 

ଭାରତର ରାଜଧାନୀ ଦିଲ୍ଲୀରୁ ଅଳ୍ପ କେତେବର୍ଷ ତଳେ ଛପା ହୋଇଥିବା ଖଣ୍ତେ ବହିକୁ ମୁଁ ସେଦିନ ପୃଷ୍ଠା ଓଲଟାଇ ଦେଖୁଥିଲି । ବିଜ୍ଞାନ ବିଷୟରେ ନାନା ପ୍ରବନ୍ଧକୁ ଏକାଠି କରି ବହିଟିର ସମ୍ପାଦନା ହୋଇଚି । ‘‘ଭାରତୀୟ ଭବିଷ୍ୟନିର୍ମାଣରେ ବିଜ୍ଞାନ’’– ବହିଟିକୁ ଏହିପରି ବଢ଼ିଆ ନାଆଁଟିଏ ବି ଦିଆହୋଇଚି । ଭାରତୀୟ ମୌଳିକ ସମସ୍ୟା, ଗୁଡ଼ିକର ସମାଧାନ ଦିଗରେ ବିଜ୍ଞାନର କେତେଦୂର କିପରି ପ୍ରୟୋଗ କରାଯାଇଚି ବା କରାଯାଇପାରିବ, ତାହାରି ବିଷୟରେ ବଡ଼ ବଡ଼ ମାନଙ୍କୁ ନେଇ ବସିଥିବା ଏକ ଆଲୋଚନା– ଚକ୍ରରେ ଯେଉଁ ସବୁ ପ୍ରବନ୍ଧ ପଠିତ ଓ ଆଲୋଚିତ ହୋଇଥିଲା ସେହିସବୁ ପ୍ରବନ୍ଧକୁ ସଂଗ୍ରହଟିରେ ଏକାଠି ଗୁନ୍ଥି ଦିଆଯାଇଚି । ସେଠାରେ ମଧ୍ୟ ପଦାର୍ଥ ବିଜ୍ଞାନ ଠାରୁ ଆରମ୍ଭ କରି ପଶୁବିଜ୍ଞାନ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ଥାନ ଦିଆଯାଇଚି, ମାତ୍ର ସମାଜ–ବିଜ୍ଞାନର ଗନ୍ଧ ନାହିଁ । ଗାଆଁ ହାଇସ୍କୁଲରେ ଶିକ୍ଷକ-ମଣ୍ତଳିର ମିଟିଙ୍ଗ ବସିଲେ ସେଠି ସଂସ୍କୃତ ପଣ୍ତିତେ ଯେପରି ବାଦ୍‌ ପଡ଼ିଯାଆନ୍ତି, କିମ୍ୱା ସେଠାରେ ଉପସ୍ଥିତ ରହିଥିଲେ ମଧ୍ୟ ଯେପରି କେବଳ ନୀରବ ଅବଲୋକନ କରିବା ବ୍ୟତୀତ ଆଉ କିଛି ହେଲେ କରନ୍ତି ନାହିଁ, ଆମ ଦେଶରେ ବିଜ୍ଞାନର ଚର୍ଚ୍ଚା ହେଲାବେଳେ ସମାଜବିଜ୍ଞାନ ମଧ୍ୟ ସେହିପରି ବାଦ୍‌ ପଡ଼ିଯାଏ କିମ୍ୱା ସର୍ବସମ୍ମତି କ୍ରମେ ତାହାକୁ ବୋକା କରି ରଖି ଦିଆଯାଏ ।

 

ଏପରି କାହିଁକି ହୁଏ ? ମାଟି, ଗୋଡ଼ି ଓ ପଥରର ଗବେଷଣା ଭିତରେ ଆମର ବିଜ୍ଞାନ ଆପଣାକୁ କାହିଁକି ଏତେଦୂର ସୀମାବଦ୍ଧ କରି ରଖିଛି ? ଆମ ସମାଜ ବିଷୟରେ ଓ ଆମ ନିଜ ବିଷୟରେ କ’ଣ ବିଜ୍ଞାନର କିଛିହେଲେ କହିବାକୁ ନାହିଁ ? ଏକଥା ସତ୍ୟ ଯେ ଆମ ଦେଶରେ ପ୍ରାକୃତିକ ସମ୍ପଦ ଭର୍ତ୍ତି ହୋଇ ରହିଛି । ମାଟିତଳେ ଖଣିଜଦ୍ରବ୍ୟ ରହିଛି, ଆମ ନଦୀମାନଙ୍କରେ ଜଳଭଣ୍ତାର ରହିଚି । ଆମେ ଏ ଦେଶର କୃଷିକୁ ବଢ଼ାଇବା, ଶିଳ୍ପ ଓ ଉଦ୍ୟୋଗକୁ ମଧ୍ୟ ବଢ଼ାଇବା ଏବଂ ଏଥିଲାଗି ବିଜ୍ଞାନକୁ କାମରେ ଲଗାଇବା । ସେଇଥିଲାଗି ବୈଜ୍ଞାନିକ ତିଆରି କରିବା । ମାତ୍ର କେବଳ ସେତିକିରେ କ’ଣ ଆମେ ବିଜ୍ଞାନଠାରୁ ଆମର ଇପ୍‌ସିତ ଉପକାର ଗୁଡ଼ିକୁ ପ୍ରକୃତରେ ପାଇ ପାରିବା ? ଆମର ସମାଜ ଯେମିତି ଅଛି ସେମିତି ରହିଥିବ, ଅଥଚ ଖାଲି ସାମଗ୍ରୀ ଗୁଡ଼ାକର ଉତ୍ପାଦନକୁ ଦଶଗୁଣ ବଢ଼ାଇଦେଲେ କ’ଣ ଆମର ଦୁଃଖ ଦୂର ହୋଇଯିବ ? ଆମ ଦେଶର ଖଣିରେ, କାରଖାନାରେ, ଗାଆଁରେ ଓ ସହରରେ ମଣିଷ ମଣିଷ ଭିତରେ ବଡ଼ ଆରାମରେ ସ୍ୱୀକୃତ ହୋଇ ଆସିଥିବା କୁସଂସ୍କାରମୂଳକ ଅମାନୁଷିକତା ଗୁଡ଼ାକ ଯେମିତି ଅଛି ସେହିପରି ରହିଥିବ, ଅଥଚ ଏଣେ କେତେ କୋଟି ଖରଚ ହୋଇ କେତେଟା ବଢ଼ିଆ ବନ୍ଧ, ଗବେଷଣାଗାର କିମ୍ୱା ଉତ୍ପାଦନକେନ୍ଦ୍ର ଖୋଲିଦେଲେ କ’ଣ ଆମର ସବୁ ସମସ୍ୟାଗୁଡ଼ିକ ଅଧିକ ଜଟିଳ ହେବାରେ ଲାଗିଥିବ; ଭଣ୍ତାର ଭର୍ତ୍ତି ହେବାରେ ଲାଗିଥିବ ମାତ୍ର ଏଣେ ମଣିଷ ଅଧିକରୁ ଅଧିକ ନିଃସ୍ୱ ହେବାରେ ବି ଲାଗିଥିବ । ବାବୁମାନେ ଅଧିକ ବାବୁ ହେଉଥିବେ, ଧନୀ ଅଧିକ ଧନୀ ହେଉଥିବ ଏବଂ ଦରିଦ୍ର ଆହୁରି ଦରିଦ୍ର ହେବାରେ ଲାଗିଥିବ । ଗତ ପଚିଶ ବର୍ଷ ହେଲା ଆମର ସ୍ୱାଧୀନ ଭାରତରେ ହୁଏତ ପ୍ରଧାନତଃ ତାହାହିଁ ହୋଇଚି । ମଣିଷ ମଣିଷଠାରୁ ଅଧିକ ଦୂରଛଡ଼ା ହୋଇ ଯାଇଚି । ମଣିଷକୁ ଓ ତାର ସମାଜକୁ ଅବହେଳା କରି ତେଣେ କେବଳ ସାମଗ୍ରୀ ବଢ଼ାଇବାରେ ହିଁ ଦେଶର ଜ୍ଞାନବିଜ୍ଞାନକୁ ନିୟୋଜିତ କରାଯାଇଚି ତା ଫଳରେ ଦେଶରେ ନୃଶଂସତା ବଢ଼ିଚି । ଅନ୍ୟାୟ ବଢ଼ିଚି-। ଉତ୍ପାତ କରି ଅସୁଥିବା ଲୋକମାନେ ଉତ୍ପାତ ଗୁଡ଼ାକୁ ଜାରି ରଖିବାଲଗି ଆହୁରି ବଢ଼ିଆ ବଢ଼ିଆ ବାଟ ବାହାର କରିଚନ୍ତି, ଉତ୍ପାତ ସହୁଥିବା ଲୋକ ନିଜକୁ ଆହୁରି ଅସହାୟ ଅନୁଭବ କରିଚନ୍ତି । ଅସହାୟତାରୁ ଅସହିଷ୍ଣୁତାର ଜନ୍ମ ହୋଇଚି-। ଜନତା ଉପରେ ନେତାର ଉତ୍ପାତ ବଢ଼ିଚି, ପ୍ରଜାଙ୍କ ଉପରେ ହାକିମମାନଙ୍କର ଉତ୍ପାତ ବଢ଼ିଚି, ପାଠ ପଢ଼ୁଥିବା ପିଲାଙ୍କ ଉପରେ ପାଠ ପଢ଼ାଉଥିବା ଶିକ୍ଷକ ଓ ପାଠର ବ୍ୟବସ୍ଥା କରୁଥିବା ବାବୁମାନଙ୍କର ଉତ୍ପାତ ବଢ଼ିଚି । ମଣିଷ ଉପରେ ପଇସାର ଉତ୍ପାତ ବଢ଼ିଚି । ନେତୃତ୍ୱ ଉପରେ କର୍ତ୍ତୃତ୍ୱର ଉତ୍ପାତ ବଢ଼ିଚି ।

 

କେବଳ ଉତ୍ପାଦନ ବଢ଼ାଇଲେ ଦେଶରୁ ଏହିସବୁ ଉତ୍ପାତକୁ ଦୂର କରି ହେବନାହିଁ ବା ଏହି ଉତ୍ପାତ ଗୁଡ଼ିକର ମୂଳରେ ରହିଥିବା ସମସ୍ୟା ଗୁଡ଼ିକର ସମାଧାନ ବି ସମ୍ଭବ ହେବନାହିଁ । ଖାଲି ପ୍ରକୃତି ଉପରେ ବିଜୟ ହାସଲ କଲେ ହେବନାହିଁ, ମଣିଷର ପ୍ରକୃତିକୁ ମଧ୍ୟ ଯଥାସମ୍ଭବ ସମଗ୍ର ଭାବରେ ବୁଝିବାକୁ । ପଡ଼ିବ ବୈଜ୍ଞାନିକର ଆଖି ଦେଇ ମଣିଷକୁ ବୁଝିବାକୁ ପଡ଼ିବ, ମଣିଷ ମଣିଷ ଭିତରେ ସହସ୍ର ସମ୍ୱନ୍ଧ ଯୋଡ଼ି ରଖିଥିବା ଏହି ସମାଜକୁ ମଧ୍ୟ ବୁଝିବାକୁ ପଡ଼ିବ । ଖାଲି ଯନ୍ତ୍ର ଚଳାଇବାରେ ଧୂରନ୍ଧର ହେଲେ ସବୁ ହୋଇଯିବନାହିଁ । ସକଳ ଯନ୍ତ୍ର-ବିନିଯୋଗର ଉଦ୍ଦେଶ୍ୟକେନ୍ଦ୍ର ରୂପେ ମଣିଷକୁ ଓ ତାହାର ଏକ ଅପରିହାର୍ଯ୍ୟ ଭୂମିରୂପେ ସମାଜକୁ ବି ବୁଝିବାକୁ ପଡ଼ିବ । ଆମ ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଥିବା ଧନୀ ଦରିଦ୍ରର ବ୍ୟବଧାନ ଉତ୍ପାଦନ ବଢ଼ାଇବାର ସମସ୍ୟା ନୁହେଁ, ଏହା ସମାଜବିଜ୍ଞାନର ସମସ୍ୟା । ମାତ୍ର ଆମେ ଏ ପର୍ଯ୍ୟନ୍ତ ପ୍ରଧାନତଃ ଉତ୍ପାଦନ ବଢ଼ାଇ ଦେଶର ଦାରିଦ୍ର୍ୟ ଓ ତଜ୍ଜନିତ ଯାବତୀୟ ସମସ୍ୟାର ସମାଧାନ କରିବାର କଳ୍ପନା କରିଆସିଚୁ । ତଥାକଥିତ ସବୁଜ ବିପ୍ଳବ ବା କୃଷି-ଉତ୍ପାଦନର ପରିମାଣରେ ବୃଦ୍ଧି ସାଧନ କରାଇ କୃଷିଗତ ସମ୍ବନ୍ଧକ୍ଷେତ୍ରରେ ନାନାବିଧ ସମସ୍ୟାକୁ ସମାଧାନ କରି ଥୋଇ ଦେବୁ ବୋଲି କଳ୍ପନା କରି ଆସିଚୁ । ତଦ୍ଦ୍ୱାରା ସରକାରଙ୍କର ହିସାବଖାତା ପୂରିଯାଉଚି ଏବଂ ପଣ୍ତିତମାନଙ୍କର ହିସାବ ମିଲିଯାଉଚି ସତ, ମାତ୍ର ଦୁଃଖ ଯାଉନାହିଁ କି ଦାରିଦ୍ର୍ୟ ଯାଉନାହିଁ । ବିଜ୍ଞାନ ସହିତ ବୈଜ୍ଞାନିକ ଦୃଷ୍ଟି ବଢ଼ୁଥିଲେ ଯାଇ ଆମେ ଆମ ସମସ୍ୟାଗୁଡ଼ିକୁ ଅପେକ୍ଷାକୃତ ଅଧିକ ସମଗ୍ର ଭାବରେ ଦେଖିବାକୁ ସମର୍ଥ ହେବା ଓ ସେଗୁଡ଼ିକୁ ଅଧିକ ସମଗ୍ର ଭାବରେ ବୁଝିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ସମାଧାନ ମଧ୍ୟ ପାଇ ପାରିବା । ସେତେବେଳେ ଯାଇ ଆମର ବିଜ୍ଞାନଦ୍ୱାରା ଆମ ସମାଜ ମଧ୍ୟ ଉପକୃତ ହୋଇ ପାରିବ, ସେତେବେଳେ ଯାଇ ବିଜ୍ଞାନର ବଳ ମଣିଷ ହିସାବରେ ଆମକୁ ବଳିଷ୍ଠ କରି ପାରିବ । ବର୍ତ୍ତମାନ ଆମ ହାତରେ ବିଜ୍ଞାନ ଅଛି, ମାତ୍ର ବୈଜ୍ଞାନିକ ଦୃଷ୍ଟିକୋଣ ହୁଏତ ଆଦୌ ନାହିଁ-। ଆମ ସରକରୀ ଯୋଜନାରେ ବିଜ୍ଞାନ ଦୃଷ୍ଟି-କୋଣ ହୁଏତ କୋଉଠି ହେଲେ ନାହିଁ । ଏହି ଦୃଷ୍ଟିଟିକୁ ଅର୍ଜନ କରିବାର ପଥରେ ହୁଏତ ସମାଜବିଜ୍ଞାନ ଆମର ସହାୟକ ହୋଇ ପାରନ୍ତା-। ହୁଏତ ମନୋବିଜ୍ଞାନ ବି ସହାୟକ ହୋଇ ପାରନ୍ତା ଅର୍ଥାତ୍‌ ଏଗୁଡ଼ିକୁ ବିଜ୍ଞାନ ବୋଲି ସ୍ୱୀକାର କରି ଆମେ ସେସବୁକୁ ଆମର ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ଯେତିକି ଦୂର ଭେଦାଇ ପାରନ୍ତୁ, ଆମର ଦୃଷ୍ଟି ଓ ଆମର ଅନୁଭୂତି ଗୁଡ଼ିକ ମଧ୍ୟ ହୁଏତ ସେତିକି ବୈଜ୍ଞାନିକ ହୋଇ ପାରନ୍ତା ।

 

ବର୍ତ୍ତମାନ ଆମ ଜୀବନରେ ଆମେ ସତେ ଯେମିତି ଦୁଇଭାଗ ହୋଇ ରହିଚୁ । ଆମର ତଥାକଥିତ ବିଜ୍ଞାନ ଭିତରୁ ଆମେ ଆମ ନିଜକୁ ଓ ସମାଜକୁ ବହିଷ୍କୃତ କରି ରଖିଚୁ । ବିଜ୍ଞାନର କଥା କହିଲା ବେଳେ ଆମେ ଅତ୍ୟାଧୁନିକ ଐଶ୍ୱର୍ଯ୍ୟ ଓ ଅତ୍ୟାଧୁନିକ ସମ୍ଭୋଗର ସ୍ୱପ୍ନ ଦେଖିଚୁ, ମାତ୍ର ଆପଣା ଜୀବନରେ ବଡ଼ ବର୍ବର ଓ ଅବୈଜ୍ଞାନିକ ହୋଇ ପଡ଼ି ରହିଚୁ । ମଣିଷକୁ ଏବଂ ସମାଜକୁ ବାଦ୍‌ ଦେଇ ଏଣେ ଆମ ସ୍କୁଲ ତଥା କଲେଜମାନଙ୍କରେ ବିଜ୍ଞାନ ପଢ଼ା ହେଉଚି, ତେଣେ ପରସ୍ପରର ମୁଣ୍ତ ଫଟାଇ ଓ ପରସ୍ପରକୁ ଘେରାଉ କରି ମଣିଷର ଓ ସମାଜର ସମସ୍ୟା ଗୁଡ଼ିକର ସମାଧାନ-ଚେଷ୍ଟା କରାଯାଉଚି । ଏହି ରୀତି ବଦଳିଯିବା ଦରକାର । ଆମ ଦେଶରେ ମଣିଷ ମଣିଷର ଆହୁରି ପାଖକୁ ଆସିବା ଦରକାର, ବିଦ୍ୟାଳୟରେ ଆସିବା ଦରକାର, ରାଜନୀତିରେ ଆସିବା ଦରକାର, କାରଖାନା ଓ କୃଷିକ୍ଷେତ୍ରରେ ଆସିବା ଦରକାର । ସମାଜ–ବିଜ୍ଞାନର ସାହସ ଦ୍ୱାରା ଆମେ ଏଦିଗରେ ପ୍ରଥମ ପାହୁଣ୍ତଟିକୁ ପକାଇ ପାରନ୍ତେ । ସମାଜ-ବିଜ୍ଞାନର ଆଗ୍ରହ ମଣିଷପ୍ରତି ଆଗ୍ରହ ବଢ଼ାନ୍ତା । ତେବେ ବର୍ତ୍ତମାନର ସ୍ୱୀକୃତ ଅନେକ ଭାବପ୍ରବଣତା ଚାଲିଯାଇ ପାରନ୍ତା । ଆମ ଜାତୀୟ ନେତୃତ୍ୱରୁ ଅନେକ ଶୂନ୍ୟତା ଦୂର ହୋଇ ପାରନ୍ତା । ସେଥିଲାଗି ବିଜ୍ଞନର ସମଗ୍ରତର ପରିଚୟ ଲୋଡ଼ା । ବିଜ୍ଞାନର ପର୍ଯ୍ୟାଲୋଚନା ଲାଗି ଏକ ସମଗ୍ରତର ଭୂମି ଲୋଡ଼ା । ଆମର ପରୀକ୍ଷାଗାର ମାନଙ୍କରେ ଲୋଡ଼ା, ଆମ ନିଜର ମନ ଭିତରେ ବି ଲୋଡ଼ା ।

 

ଲାଟିନ୍‌ Scientia ରୁ ଇଂରାଜୀ Science ଶବ୍ଦଟି ଆସିଚି । ଲାଟିନ୍‌ ମୂଳ ଅର୍ଥରେ ଏହା ବିଦ୍ୟା ବା ଜ୍ଞାନକୁ (Scire-ଜାଣିବା, ଶିଖିବା) ବୁଝାଉଚି । ଜର୍ମାନ୍‌ ଭାଷାରେ ମଧ୍ୟ ବିଜ୍ଞାନଲାଗି ଯେଉଁ ପ୍ରତିଶବ୍ଦ ବ୍ୟବହୃତ ହୋଇଥାଏ ତାହା କେବଳ ପ୍ରକୃତି-ବିଜ୍ଞାନକୁ ହିଁ ବୁଝାଏ ନାହିଁ । ବିଧିବଦ୍ଧ ଓ ମୋହମୁକ୍ତ ଭାବରେ ଯେ କୌଣସି ବିଷୟ-କ୍ଷେତ୍ରରେ ଅଧ୍ୟୟନକୁ ବିଜ୍ଞାନ ବୋଲି ବୁଝାଏ । ଏହି ଦୃଷ୍ଟିରୁ ଜର୍ମାନ୍‌ ପରମ୍ପରାରେ ଅର୍ଥନୀତି, ଇତିହାସ, ଦର୍ଶନ ଓ ଭାଷାଶାସ୍ତ୍ର ପ୍ରଭୃତି ବିଷୟ ଗୁଡ଼ିକର ବିଧିବଦ୍ଧ ଅଧ୍ୟୟନକୁ ମଧ୍ୟ ବିଜ୍ଞାନ (Wissenschaft) ବୋଲି କୁହାଯାଏ । ନାନା କାରଣରୁ ଇଂରାଜୀ ଭାଷାରେ Science ଶବ୍ଦଟି ମୂଳତଃ ବସ୍ତୁନିଷ୍ଠ ବହିର୍ଜଗତର ଅବଲୋକନ ଓ ଅଧ୍ୟୟନକୁ ବୁଝାଇବାକୁ ହିଁ ବ୍ୟବହୃତ ହୋଇ ଆସିଛି । ଇଉରୋପୀୟ ମଧ୍ୟଯୁଗରେ ସେଠି ଧର୍ମତତ୍ତ୍ୱର ଅଧ୍ୟୟନକୁ ହିଁ ଅଧ୍ୟୟନର ସର୍ବସାର ବୋଲି ମାନିନିଆ ଯାଉଥିଲା । ସେତେବେଳେ ବିଶ୍ୱବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କହିଲେ କେବଳ ଧର୍ମତତ୍ତ୍ୱର ଅଧ୍ୟୟନକୁ ବୁଝାଉଥିଲା । ତେଣେ ଧର୍ମ ନାମରେ ନିର୍ମମ ଅତ୍ୟାଚାର ଚାଲିଥିଲା, ରାଜା ଓ ଧର୍ମ-ଯାଜଜ ଏକାଠି ହାତ ମିଳାଇ ଆପଣାକୁ ସତେ ଅବା ଏହି ସଂସାରର ଜମିଦାରୀଟାକୁ ଭଗବାନଙ୍କ ଠାରୁ ଠିକା ନେଇଥିବା ପରି ଭାବୁଥିଲେ । ଧର୍ମ ନାମରେ ନାନା ଆତଙ୍କର ରାଜତ୍ୱ ଚାଲିଥିଲା ଏବଂ ଏହି ରାଜତ୍ୱକୁ ଏକପ୍ରକାର ନୈତିକ ସମର୍ଥନ ଦେବାଲାଗି ବିଶ୍ୱବିଦ୍ୟାଳୟର ଧର୍ମତତ୍ତ୍ୱ–ଅଧ୍ୟୟନକୁ ପ୍ରସୀମିତ କରି ରଖାଯାଇଥିଲା । ସଂସାର ବିଷୟରେ ଅଧ୍ୟୟନ କରିବାକୁ ତୁଚ୍ଛ ଐହିକତା ବୋଲି ବିଚାର କରା ଯାଉଥିଲା । ତେଣୁ ସଂସାର ଆଡ଼କୁ ଆଖି ବୁଜିଦେଇ ନିରାଲମ୍ୱ ଭାବରେ ଭଗବାନ, ସ୍ୱର୍ଗ, ପୁଣ୍ୟଜନିତ ପୁରସ୍କାର ଓ ପାପଜନିତ ଶାସ୍ତିଗୁଡ଼ାକର ବ୍ୟାଖ୍ୟାଲୋଚନାରେ ହିଁ ସେତେବେଳେ ବିଶ୍ୱବିଦ୍ୟାଳୟର ପଣ୍ଡିତମାନେ ମୁଖ୍ୟତଃ ବ୍ୟସ୍ତ ରହୁଥିଲେ-

 

ତାହାରି ପ୍ରତିକ୍ରିୟାରୁ ଆଧୁନିକ ବିଜ୍ଞାନର ଉଦ୍‌ଭବ ହେଲା । ଧର୍ମଜନିତ କ୍ରୂରତାଗୁଡ଼ାକୁ ଦେଖି ଯେଉଁମାନଙ୍କର ହୃଦୟ ସହିଲା ନାହିଁ, ସେହିମାନେ ହିଁ କ୍ରମେ ଧର୍ମ ଓ ଦର୍ଶନର ଆଲୋଚନା ପ୍ରତି ବିମୁଖ ହୋଇ ପଡ଼ିଲେ । ଭଗବତ୍‌-ଆଲୋଚନାର ବାୟବ କ୍ଷେତ୍ରରୁ ବିମୁଖ ହୋଇ ସେମାନେ ଦୃଶ୍ୟମାନ ପ୍ରକୃତିଜଗତର ଅଧ୍ୟୟନକୁ ଅଧିକ ନିରାପଦ ଓ ନୃଶଂସତାମୁକ୍ତ ବୋଲି ଭାବିଲେ ଓ ତେଣୁ ସେଇଥିରେ ଅଧିକ ଆଗ୍ରହ ପ୍ରକାଶ କଲେ । ଧର୍ମଚର୍ଚ୍ଚା କରୁଥିବା ପଣ୍ଡିତମାନେ ଆପଣାକୁ ଦାର୍ଶନିକ ବୋଲି କହୁଥିଲେ, ଏମାନେ ଆପଣାକୁ ବୈଜ୍ଞାନିକ ବୋଲି କହିଲେ । ଦାର୍ଶନିକମାନେ ଏମାନଙ୍କର ଅଧ୍ୟୟନ ଭୂମିଟିକୁ ସଂକୀର୍ଣ୍ଣ ଓ ଅପ୍ରଶସ୍ତ ବୋଲି କହି ନିନ୍ଦା କଲେ ଏବଂ ସେପାଖରୁ ବିରକ୍ତ ହୋଇ ଏପାଖକୁ ଆସିଥିବା ବୈଜ୍ଞାନକିମାନେ ଦାର୍ଶନିକମାନଙ୍କୁ କଳ୍ପନାଭୋଳ ପାଗଳ ବୋଲି ବି କହିଲେ । ଦୁହିଁଙ୍କ ଭିତରେ ଏକ ପାରସ୍ପରିକ ସ୍ପର୍ଶକାତରତା ବଢ଼ିବାକୁ ଲାଗିଲା । ଦର୍ଶନର ନାଆଁ ଶୁଣିଲେ ବୈଜ୍ଞାନିକମାନେ ପ୍ରମାଦ ଗଣିଲେ । ତେଣୁ ଆପଣାର ବୈଜ୍ଞାନିକ ନିରୀକ୍ଷାପରୀକ୍ଷାରେ ସେମାନେ ଆପଣାକୁ ସକଳ ପ୍ରକାର ଦାର୍ଶନିକ ପ୍ରଭାବରୁ ସର୍ବଥା ମୁକ୍ତ କରି ରଖିବା ଲାଗି ବଡ଼ ସାବଧାନ ରହିଲେ । ପୁଣି ସେମାନଙ୍କ ଭିତରୁ ଅତ୍ୟୁତ୍ସାହୀ କେତେଜଣ ଦର୍ଶନର ସମ୍ପୂର୍ଣ୍ଣ ବହିଷ୍କରଣକୁ ହିଁ ବିଜ୍ଞାନର ଅଗ୍ରଗତି ଲାଗି ନିରାପଦ ବୋଲି ବିଚାରିଲେ । ସେମାନେ ଦର୍ଶନକୁ ନିରର୍ଥକ ବୋଲି କହିଲେ, ତାହାକୁ ଏକ ଅନିଷ୍ଟକାରୀ ସ୍ୱପ୍ନବିଳାସ ବୋଲି କହି ଛି ଛି କଲେ । ଏହି ସ୍ପର୍ଶ କାତରତା ବଢ଼ି ବଢ଼ି କ୍ରମେ ଆମର ଜ୍ଞାନଭୂମି ଦୁଇଭାଗ ହୋଇଗଲା । ଆମ ବାହାରେ ଥିବା ଯାହାକିଛିକୁ ଇନ୍ଦ୍ରିୟଦ୍ୱାରା ଗ୍ରହଣ କରିହେବ, ମାପି ହେବ, କାଟି ହେବ, ବ୍ୟବଚ୍ଛିନ୍ନ ଓ ଶ୍ରେଣୀବଦ୍ଧ କରାଯାଇ ପାରିବ, କାଳକ୍ରମେ ତାହାକୁ ହିଁ ବିଜ୍ଞାନ ବୋଲି କୁହାଗଲା । ଅର୍ଥାତ୍‍ ବିଜ୍ଞାନର ସମଗ୍ର ଭୂମିଟାକୁ ମୋଡ଼ିମାଡ଼ି ପ୍ରକୃତି-ବିଜ୍ଞାନ ଭିତରେ ଭର୍ତ୍ତି କରି ଦିଆଗଲା । ଯେଉଁସବୁ କ୍ଷେତ୍ରକୁ ଏହିସବୁ ସାଧନାଦ୍ୱାରା ଧରି ହେବ ନାହିଁ, ତଥାକଥିତ ବୈଜ୍ଞାନିକ ତାହାର ଅଧ୍ୟୟନକୁ ଆଉ ଆପଣାର ଧନ୍ଦା ବୋଲି ବିଚାରିଲା ନାହିଁ । ସିଏ ଆପଣାକୁ ଆପଣାର ପ୍ରୟୋଗଶାଳା ଭିତରେ କିଳି ରଖିଲା । ହୁଏତ ଆପଣାଠାରୁ ବି ଆପଣାକୁ କିଳି ରଖିଲା । ବହିଃପ୍ରକୃତିର ରଜ୍ଜୁଗୁଡ଼ିକୁ ଆପଣା ହାତକୁ ଆଣି ସିଏ ବ୍ରହ୍ମାଣ୍ଡକୁ ନଚାଇବାକୁ ମନ କଲା । ମାତ୍ର ଏଣେ ତା’ର ଆପଣା ରଜ୍ଜୁଗୁଡ଼ିକ ତା’ର ନିଜ ହାତରୁ କାଢ଼ି ହୋଇଗଲା ।

 

ଏ ଯୁଗ ବିଜ୍ଞାନର ଯୁଗ,–ଆମ ପିଲାଦିନେ ବି ଆମେ ରଚନା-ବହିରୁ ଏହି କଥା ପଢ଼ୁଥିଲୁ ଓ ରଚନା ଲେଖିବା ବେଳେ ଭାରି ସରାଗରେ ସେଇକଥା ଲେଖୁଥିଲୁ । ଏବେ ବି ପିଲାମାନେ ଠିକ୍‌ ସେଇଆ କରୁଥିବେ । ଜୀବନରେ ଯନ୍ତ୍ରର ବହୁଳତାକୁ ଯଦି ବିଜ୍ଞାନର ଯୁଗ ବୋଲି କୁହାଯାଏ, କିମ୍ୱା ପ୍ରକୃତିକୁ ଆପଣାର କାମରେ ଲଗାଇବାକୁ ହିଁ ଯଦି ବିଜ୍ଞାନର ଯୁଗ ବୋଲି କୁହାଯାଏ, ତେବେ ଆମର ଯୁଗଟିକୁ ବିଜ୍ଞାନର ଯୁଗ ବୋଲି ଅବଶ୍ୟ କହିବାକୁ ହେବ । ମାତ୍ର ବିଜ୍ଞାନ କହିଲେ ସମ୍ଭାବନାର ଯେଉଁ ବହୁମୁଖୀ ଓ ବହୁବ୍ୟାପ୍ତ ଭୂମି ଆମ ସମ୍ମୁଖରେ ପଡ଼ି ରହିଚି, ତାହାର ପ୍ରକୃତରେ କେଡ଼େ ଟିକିଏ ଅଂଶରେ ଆମେ ଏବେ ମଧ୍ୟ ବିଚରଣ କରିବାରେ ଲାଗିଚୁ ? ଏବେ ମଧ୍ୟ ଆମ ଜୀବନର କେତେକେତେ ଅଂଶ କର୍ଦ୍ଦମାକ୍ତ ଓ ଅନ୍ଧକାରାଚ୍ଛନ୍ନ ହୋଇପଡ଼ି ନ ରହିଚି-? ଆମ ବାହାରେ ଆମ ସମ୍ୱନ୍ଧମୟ ସାମାଜିକ ଜଗତରେ ପଡ଼ିରହିଚି ଏବଂ ଆମ ଅନ୍ତର୍ଜଗତରେ ମଧ୍ୟ ପଡ଼ିରହିଚି । ସେଗୁଡ଼ିକ ଆଡ଼କୁ ଚାହିଁପାରିବା ଲାଗି ଆମ ଭିତରେ ବୈଜ୍ଞାନିକ ଦୃଷ୍ଟି ଅର୍ଜନ କରିବାର ସାହାସ ଓ ଶ୍ରଦ୍ଧା ରହିଥିବା ଦରକାର । ମାତ୍ର ଏହି ଶ୍ରଦ୍ଧା ଅର୍ଜନ କରିବାକୁ ହେଲେ ବିଜ୍ଞାନର ସ୍ୱୀକୃତ ସଂଜ୍ଞାଟିକୁ ମଧ୍ୟ ଅଧିକ ପ୍ରସାରିତ କରିଦେବାକୁ ପଡ଼ିବ । ତଥାକଥିତ ବିଜ୍ଞାନଠାରୁ ଏକ ଅଧିକ ସମଗ୍ର ବୈଜ୍ଞାନିକ ଦୃଷ୍ଟି ଅର୍ଜନ କରି ପାରିବା ଉପରେ ଯଥୋଚିତ ମୂଲ୍ୟ ଓ ମହତ୍ତ୍ୱ ଦେବାକୁ ପଡ଼ିବ ।

 

ଭାରତବର୍ଷର ସମାଜରେ ଅନେକ କିଛି ବଦଳାଇବାକୁ ବାକୀ ରହିଚି । ଏଠି ପ୍ରତ୍ୟେକ ମଣିଷକୁ ମଣିଷର ଅସ୍ଥାନ ମିଳିପାରିବା ଲାଗି ଅନେକ ଉଦ୍ୟମ ଏବେସୁଦ୍ଧା ଆରମ୍ଭ ହୋଇନାହିଁ । ତଥାକଥିତ ବିଜ୍ଞାନଶକ୍ତି ବଳରେ ଆମ ଦେଶକୁ ଯେଉଁ ସମ୍ପନ୍ନତା ଆସୁଚି, ତଦ୍ଦ୍ୱାରା କେବଳ କେତେକ ଲୋକଙ୍କର ଲାଭ ହେଉଚି । ସେମାନେ ଅବଶିଷ୍ଟ ଅନ୍ୟମାନଙ୍କ ଉପରେ ଉଗ୍ର ହୋଇ ବସିବା ଲାଗି ପ୍ରଶ୍ରୟ ପାଉଚନ୍ତି । ଆପଣାର ସ୍ୱାର୍ଥଗୁଡ଼ାକୁ ହିଁ ଦେଶର ସ୍ୱାର୍ଥ ବୋଲି କହୁଚନ୍ତି । ପଇସା ଦେଇ ସେଇମାନେ ହିଁ ଆମ ବୈଜ୍ଞାନିକମାନଙ୍କୁ କିଣି ନେଉଚନ୍ତି । ଆପଣାର କାମଲାଗି ସେମାନଙ୍କ ପୋଷା ମନାଇ ରଖିଚନ୍ତି, ସେମାନଙ୍କୁ ବିବେକ-ନିରପେକ୍ଷ କରି ରଖିଚନ୍ତି । ସେଥିଲାଗି ଆମର ସମାଜ ଏପର୍ଯ୍ୟନ୍ତ ବିଜ୍ଞାନର ଅନୁରୂପ ହୋଇ ତିଆରି ହୋଇନାହିଁ ଓ ଏହି ଦରଭଙ୍ଗା ଏବଂ ଅସଜଡ଼ା ଦେଶରେ ଆଜି ଯେଉଁମାନେ ବୈଜ୍ଞାନିକ ହେବାର ସୌଭାଗ୍ୟ ଲାଭ କରିଚନ୍ତି, ସେମାନଙ୍କର ଏସବୁ କଥା ଭାବିବା ଦରକାର । ଆପଣା ପ୍ରୟୋଗଶାଳାର ଝରକାଗୁଡ଼ିକୁ ଫିଟାଇ ଦେଇ ବାହାରକୁ ଚାହିଁପାରିବା ଦରକାର । ଆମ ବିଶ୍ୱବିଦ୍ୟାଳୟର ଝରକାଗୁଡ଼ାକୁ ମଧ୍ୟ ଆମର ସାମାଜିକ ଜୀବନ ଆଡ଼କୁ ଫିଟିଯିବା ଦରକାର । ବିଜ୍ଞାନ ଅର୍ଥାତ୍‌ ବୈଜ୍ଞାନିକ ଦୃଷ୍ଟି ଆମର ସମଗ୍ର ଜୀବନଟି ଉପରେ ଜଳବାୟୁ ପରି ହୋଇ ରହିପାରିବା ଦରକାର ।

 

ମନୋବିଜ୍ଞାନ ଓ ସମାଜ-ବିଜ୍ଞାନକୁ ସ୍ୱର୍ଗତ ବର୍ଟ୍ରାଣ୍ଡ ରସେଲ୍‌ ମନୁଷ୍ୟଭବିଷ୍ୟର ବିଜ୍ଞାନ ବୋଲି କହିଚନ୍ତି । ଆଉ ସବୁ ବିଜ୍ଞାନ ଲୋପ ପାଇବ ଏବଂ କେବଳ ଏହି ଦୁଇଟି ହିଁ ରହିବେ, ଏପରି କଥା କେହି କେବେ କହିବନାହିଁ । ମାତ୍ର ବିଜ୍ଞାନର ଶକ୍ତିକୁ ଆପଣାର କଲ୍ୟାଣ ଲାଗି ବ୍ୟବହାର କରି ପାରିବାର ଯୋଗ୍ୟତା ଲାଭ କରିବାକୁ ହେଲେ ମଣିଷକୁ ଯେ ଏକ ବୈଜ୍ଞାନିକ ଦୃଷ୍ଟିରେ ଆପଣାର ସମଗ୍ର ଜୀବନକୁ ଦେଖି ଶିଖିବାକୁ ହେବ, ଏହାର ଆବଶ୍ୟକତା ସମସ୍ତେ ଅନୁଭବ କରୁଚନ୍ତି । ଏତିକି ନ ହୋଇ ପାରିଲେ ମଣିଷର ଯେ ହୁଏତ ଆଉ କୌଣସି ଭବିଷ୍ୟହିଁ ନାହିଁ, କେହି କେହି ଏପରି ଏକ ଆଶଙ୍କା ମଧ୍ୟ କରୁଚନ୍ତି । ଆମ ଏ ଦେଶର ଏକଦେଶୀ ବୈଜ୍ଞାନିକମାନେ ଏ ଦିଗରେ ଚିନ୍ତା କରିବାଲାଗି ଆଗ୍ରହ କରନ୍ତୁ ।

 

୧୦ । ୩ । ୭୦ [ଜୀବନରଙ୍ଗ, ଦଶହରା, ୧୯୭୨]

☆☆☆

 

Unknown

ଉଚ୍ଛନ୍ନ ସ୍ରୋତ (୧)

 

ପ୍ରତିବର୍ଷ ଭାରତବର୍ଷରୁ ହଜାର ହଜାର ଯୁବକ ଯୁବତୀ ବିଦେଶକୁ ପାଠ ପଢ଼ିବାକୁ ଯାଉଚନ୍ତି । କିଏ ଡାକ୍ତର ହେବାକୁ ଯାଉଚି, କିଏ ଇଞ୍ଜିନିୟର ହେବାକୁ ଯାଉଚି ଓ ଆଉ କିଏ ଆଧୁନିକ ବିଜ୍ଞାନର କୌଣସି ଏକ ବିଶେଷ କ୍ଷେତ୍ରରେ ଉଚ୍ଚତର ଗବେଷଣା କରିବା ଲାଗି ଯାଉଚି । ଏମାନଙ୍କ ଭିତରୁ ଅନେକ ଦେଶକୁ ଫେରି ଆସୁ ନାହାନ୍ତି । ସେମାନେ ସିଆଡ଼େ ସେଇଠି ରହି ଯାଉଛନ୍ତି, ସେଇଠି ଡାକ୍ତର ହେଉଚନ୍ତି, ଇଞ୍ଜିନିୟର ହେଉଚନ୍ତି ଏବଂ ସେଇଠି ଗବେଷକ ଓ ବୈଜ୍ଞାନିକ ହୋଇ ରହିଯାଉଚନ୍ତି । ଏହି ଘଟଣାଟାକୁ ଆମ ଦେଶଲାଗି ଏକ ବଡ଼ କ୍ଷତି ବୋଲି କୁହାଯାଉଚି । ସିଦ୍ଧବିଦ୍ୟା ସେହି ଯୁବକମାନେ ସିଦ୍ଧିଲାଭ କରି ବିଦେଶକୁ ଯଦି ଏହି ଦେଶକୁ ଅର୍ଥାତ୍‌ ଆପଣାର ଘରକୁ ଫେରି ଆସୁଥାନ୍ତେ, ତେବେ ସେମାନଙ୍କର ଲବ୍‍ଧ ଜ୍ଞାନଦ୍ୱାରା ଦେଶ ବଡ଼ ଉପକୃତ ହେଉଥାନ୍ତା, ଯୁକ୍ତି ଦେଖାଇ ଏହିଭଳି କୁହାଯାଉଚି ବିଜ୍ଞାନୀ ମହଲରେ ତଥା ସମ୍ୱାଦପତ୍ରରେ ଏଥିଲାଗି କ୍ଷୋଭ ପ୍ରକାଶ କରାଯାଉଚି । ଯିଏ ଏଇଠି ରହିବା କଥା, କୌଣସି କାରଣରୁ ଏଠୁ ବିମୁଖ ହୋଇ ଯେତେବେଳେ ସିଏ ସେଇଠି ବିଦେଶଟାକୁ ଘର ବୋଲି ଆଦରି ରହିଯାଉଚି, ଆଉ ଏ ଘରକୁ ମନ କରୁନାହିଁ, ତେବେ ଏଥିରେ କେବଳ କ୍ଷୋଭ ହିଁ ପ୍ରକାଶ କରିବାକୁ ହେବ ।

 

କିନ୍ତୁ ଏମାନେ କାହିଁକି ସିଆଡ଼େ ରହି ଯାଉଚନ୍ତି ? କୁହାଯାଉଚି ଯେ ଏଠି ଘରର ଯୋଗ୍ୟତାପ୍ରାପ୍ତ ସନ୍ତାନକୁ ଯେଉଁସବୁ ଲୋଭ ବା ଆକର୍ଷଣ ଦେଖାଇ ଘରେ ରଖାଯାଇ ପାରନ୍ତା, ଆମେ ସେମାନଙ୍କୁ ସେସବୁ ଯୋଗାଇ ଦେଇ ପାରୁନାହୁଁ । ସାନ ଡାକ୍ତର ବଡ଼ ଡାକ୍ତର ହେବାକୁ ବିଦେଶ ଯାଉଚି । ସେଠିକା ପାଠ ସାରି ସେ ଦେଖୁଚି ଯେ ଯଦି ସେ ଘରକୁ ଫେରି କୌଣସି ମେଡ଼ିକାଲ କଲେଜରେ ଚାକିରି କରେ, ତେବେ ତାକୁ କେବଳ ଜଣେ ସାନ ଅଧ୍ୟାପକ ହୋଇ ରହିବାକୁ ପଡ଼ିବ, ସେଠି ମହଜୁଦ ରହିଥିବା ଅଧ୍ୟାପକମାନେ ଅବସର ନେବା ପର୍ଯ୍ୟନ୍ତ ତାକୁ ସେହି ସାନରେ ହିଁ ପଡ଼ି ରହିବାକୁ ହେବ । ଅର୍ଥାତ୍‌ ଅର୍ଥରେ ହାନି ହେବ, ମାନ ମିଳିବ ନାହିଁ, ବିଦେଶରେ ପାଠ ଅର୍ଜିବାର ଇଜ୍ଜତଟାକୁ ବି ହୁଏତ କେହି ଚିହ୍ନିବେ ନାହିଁ, ତେଣୁ ସେ ସେଇଠି ରହିଯାଉଚି । ଅଧିକ ଦରମା ପାଉଚି, ଅଧିକ ପ୍ରଗତିଶାଳୀ ଏକ ସମାଜ ଭିତରେ ରହି ସେ ହୁଏତ ନିଜକୁ ମଧ୍ୟ ଅଧିକ ପ୍ରଗତିଶୀଳ ବୋଲି ଭାବୁଚି ଓ ଆପଣାର ଅଭିମାନଟାକୁ ବଜାୟ ରଖୁଚି । ଆଉ କିଏ ଇଞ୍ଜିନିୟର ହେବାକୁ ବିଦେଶ ଯାଉଚି, ଇଞ୍ଜିନିୟର ହେବାପରେ ସିଏ ବି ସେଇଠୁ ଥାଇ ସରକାରୀ ଇଞ୍ଜିନିୟରିଂ ବିଭାଗରେ ତା’ ଭାଗ୍ୟର ଅଟକଳ କରୁଚି । ହିସାବ କଲାବେଳକୁ ଦେଶକୁ ଫେରି ଆସିବାଟାକୁ ଖାଲି ଲୋକସାନ ବୋଲି ଜାଣୁଚି ଓ ତେଣୁ ବୋକା ନ ବନିବାକୁ ସିଏ ବି ସିଆଡ଼େ ରହିଯାଉଚି । ବୈଜ୍ଞାନିକ ଗବେଷଣା ପାଇଁ ମଧ୍ୟ ଅନେକ ବିଦେଶ ଯାଉଚନ୍ତି । ବିଲାତ ବା ଆମେରିକାରେ ବଡ଼ ବଡ଼ ଗବେଷଣାଗାର ଭିତରେ ପଶିଗଲା ମାତ୍ରକେ ଏଠି ଭାରତର ଯେଉଁସବୁ ଲାବୋରେଟରି ବା ତଥାକଥିତ ଗବେଷଣାଗାର ଭିତରେ ସେମାନେ କାମ କରି ତା’ପରେ ବିଦେଶକୁ ଯାଉଚନ୍ତି, ସେଗୁଡ଼ାକ ସେମାନଙ୍କୁ ସତେ ଅବା ଗୋଟାଏ ଗୋଟାଏ ମଟରଗ୍ୟାରେଜ ପରି ମନେ ହେଉଚି । ଏଠି ଗବେଷଣା ପାଇଁ ସ୍ୱାଧୀନତା ନାହିଁ, ବଡ଼ମାନେ ସାନମାନଙ୍କୁ ତଳକୁ ଚାପି ଦେଉଚନ୍ତି, ସେମାନଙ୍କ ଉଦୟପଥରେ କଣ୍ଟକ ହୋଇ ରହିଚନ୍ତି, କିନ୍ତୁ ବିଦେଶରେ ପରିସ୍ଥିତି ଅନ୍ୟ ରକମର, ଗବେଷଣା ଲାଗି ସେଠି ପୂର୍ଣ୍ଣମୁକ୍ତ ବାୟୁମଣ୍ଡଳ ରହିଚି, ବଡ଼ ସାନର ବାଟ ଉଗାଳି ବସି ନାହିଁ । ବଡ଼ ସାନକୁ ଈର୍ଷା କରୁ ନାହିଁ । ସାନ ଆପଣାର ଗବେଷଣାବଳରେ ବଡ଼ ହେଲେ ତଦ୍ଦ୍ୱାରା ବଡ଼ର ପ୍ରତିଷ୍ଠିତ ବଡ଼ିମାଗୁଡ଼ାକ ଯେ କୌଣସି ପ୍ରକାରେ ମ୍ଳାନ ପଡ଼ିଯିବ, ବଡ଼ ଭିତରେ ସେଠି ସେପରି କୌଣସି ଶଙ୍କା ବି ନାହିଁ । ଆମର ଏଠିକା ତୁଳନାରେ ସେଠି ଗବେଷକ ଅଧିକ ପଇସା ପାଉଚି, କାରଣ ସେ ଦେଶର ସରକାର ଗବେଷଣା ସକାଶେ ଅଧିକ ପଇସା ଖରଚ କରି ପାରୁଚନ୍ତି । ଏହିସବୁ ନାନା କାରଣରୁ ଗବେଷକ ବି ସିଆଡ଼େ ରହିଯାଉଚି । ଯାହାଠାରୁ ଟଙ୍କା ପାଉଚି, ତାହାରି ଖମାରରେ କାମ କରିବାକୁ ନିଷ୍ପତ୍ତି କରୁଚି ଓ ଆପଣାର ମନଟାକୁ ବି ଠିକ୍‌ ସେହି ଅନୁସାରେ ଅନୁକୂଳିତ କରି ନେଉଚି ।

 

ଆମ ଡାକ୍ତର, ଇଞ୍ଜିନିୟର୍‌ ଓ ବୈଜ୍ଞାନିକମାନେ ଦେଶକୁ ଫେରି ନ ଆସି ସେଇ ବିଦେଶରେ ରହି ଯାଉଛନ୍ତି, ଏହା ପଛରେ ସାନ ବଡ଼ ନାନା କାରଣ ରହିଚି । ମାତ୍ର ସବୁଠାରୁ ଅସଲ ଓ ତାତ୍କାଳିନ ପ୍ରୟୋଜନଗତ କାରଣଟା ହେଲା ଯେ ସେଠି ଅଧିକ ସୁଯୋଗ ମିଳୁଚି ଏବଂ ଅଧିକ ରୋଜଗାର କରି ହେଉଚି; ଅର୍ଥାତ୍‌ କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ, କଷ୍ଟ ସହିବାକୁ ପଡ଼ୁନାହିଁ ବା ଟିପ ଟାଣ କରିବାଲାଗି ଚେଷ୍ଟା ବି କରିବାକୁ ହେଉନାହିଁ ସେଠି ଖୋପଗୁଡ଼ାକ ତିଆରି ହୋଇଚି, ତେଣୁ ଟିପଟାକୁ ନେଇ କୌଣସି ଖୋପ ଭିତରେ ରଖିଦେଲେ ଟିପ ଖସିଯିବାର ଆଉ କୌଣସି ଭୟ ନାହିଁ; ଏହାହିଁ ହେଉଛି ସାଧାରଣ ପରିସ୍ଥିତି । ବ୍ୟତିକ୍ରମ ସବୁଠିଁ ଥାଆନ୍ତି, ଏଠି ମଧ୍ୟ ଅଛନ୍ତି । ରାମାନୁଜମ୍‍ ନାର୍‌ଲିକର ବା ଖୋରାନା–ଏମାନେ ହେଉଛନ୍ତି ବ୍ୟତିକ୍ରମ, ବିଧାନ ନୁହନ୍ତି । କାରଣ ଏଠାରୁ ହତାଶ ହୋଇ ଉଦୟ ଲାଳସୀ ଯେଉଁ ଗୁଣୀମାନେ ବିଦେଶକୁ ଚାଲି ଯାଉଚନ୍ତି, ସେମାନେ ସମସ୍ତେ ନାରଲିକର କିମ୍ୱା ଖୋରାନା ବନୁ ନାହାନ୍ତି, ସେଭଳି ବନିବାର ସ୍ୱପ୍ନ ବି ଦେଖୁନାହାନ୍ତି । ଅଧିକ ଅର୍ଜନ ଏବଂ ଅଧିକ ଭାଗ୍ୟର ଖୋପ ଭିତରେ ସେମାନେ ସେଠି ଭାରି ଚମତ୍କାର ଭାବରେ ଖାପ ଖାଇ ରହି ଯାଉଚନ୍ତି, ଏବଂ ଖୋରାନା ବା ନାର୍‌ଲିକର ଯଦି ଏଇଠି ରହି ଆପଣାର ବାସନା ଅନୁସାରେ ଆଗକୁ ଯିବାକୁ ଆଣ୍ଟ ବାନ୍ଧିଥାନ୍ତେ, ତେବେ ଏହି ଲକ୍ଷ୍ମୀଛଡ଼ା ଦେଶରେ ମଧ୍ୟ ସେମାନେ ଯେ ଏକାବେଳକେ ବିସ୍ମୃତ ହୋଇ ରହିଥାନ୍ତେ, ଧୃଷ୍ଟତା କରି ସେଭଳି କହିବାଲାଗି ଆମ ପାଖରେ ଆଦୌ କୌଣସି କାରଣ ନାହିଁ । ଆପଣା ଦେଶକୁ ଛାଡ଼ି ଆପଣା ଭାଗ୍ୟର ସଂବର୍ଦ୍ଧନ ସକାଶେ ଅନ୍ୟତ୍ର ଯିବାର କାହାଣୀଟି ଖାଲି ଆମରି ଦେଶରେ ନାହିଁ, ଏହା ଆହୁରି ଅନେକ ଦେଶରେ ରହିଚି । ଭାରତ ଓ ପାକିସ୍ତାନରୁ ଡାକ୍ତରମାନେ ବିଲାତ ଯାଉଚନ୍ତି, ବିଲାତରୁ ଡାକ୍ତରମାନେ କାନାଡ଼ା ବା ଅଷ୍ଟ୍ରେଲିଆ ଯାଉଚନ୍ତି ଓ କାନାଡ଼ାରୁ ଡାକ୍ତରମାନେ ଆମେରିକା ଯାଉଚନ୍ତି ଏବଂ ପଶ୍ଚିମ ଇଉରୋପ ଅଳ୍ପ ବହୁତ ପ୍ରାୟ ପ୍ରତ୍ୟେକ ଦେଶରୁ ଭାଗ୍ୟ ଅନ୍ୱେଷଣରେ ଏହି ଧନ୍ଦାରେ ପଡ଼ି କେତେ କେତେ ଯୁବକ କାନାଡ଼ା ଓ ଆମେରିକାରେ ଯାଇ ପହଞ୍ଚୁଚନ୍ତି । ଯଦି ଆମେରିକାଠାରୁ ଅଧିକ ଧନୀ କୌଣସି ଦେଶ ଏହି ପୃଥିବୀରେ ଥାଆନ୍ତା, ତେବେ ଆମେରିକାରୁ ମଧ୍ୟ କେତେକ ଉପାର୍ଜନକାମୀ ଗୁଣୀ ହୁଏତ ଆମେରିକା ଛାଡ଼ି ସେ ଦେଶକୁ ପଳାଉ ଥାଆନ୍ତେ । ଅନ୍ୟତ୍ର ପଳାଇଯିବାର ଏହି ପ୍ରବୃତ୍ତିଟିକୁ ନେଇ ଏ ପର୍ଯ୍ୟନ୍ତ କେଉଁଠି ପ୍ରାୟ କୌଣସି ଗବେଷଣା ହୋଇନାହିଁ । ପ୍ରକୃତରେ କେଉଁ ପ୍ରକାରର ଡାକ୍ତର, ଇଞ୍ଜିନିୟର ବା ବୈଜ୍ଞାନିକ ନିଜର ଦେଶ ଛାଡ଼ି ଅନ୍ୟତ୍ର ପଳାଉଚନ୍ତି, ନିଜ ଦେଶ ସେମାନଙ୍କୁ କାହିଁକି ଭଲ ଲାଗୁନାହିଁ ଅର୍ଥାତ୍‌ ଅନ୍ୟ ଏକ ଦେଶ କାହିଁକି ଅଧିକ ବାସୁଚି ଏବଂ ଅନ୍ୟତ୍ର ଯିବା ପରେ ସେହି ଅନ୍ୟ ଦେଶଟିରେ ସେମାନେ ସମଗ୍ରତଃ କେତେଦୂର ପରିତୁଷ୍ଟ ହୋଇ ରହି ପାରୁଚନ୍ତି ଅଥବା କେବଳ ଅଧିକ ଉପାର୍ଜନର ପ୍ରଲୋଭନଟା ସକାଶେ ହିଁ ଅନ୍ୟବିଧ ନାନା ଅପୂର୍ତ୍ତକୁ ସହି ବା ସେଗୁଡ଼ାକୁ ଘୋଡ଼ାଇ ରଖି ସେମାନେ ସେଠି ରହି ଯାଉଚନ୍ତି, ଏସବୁ ବିଷୟରେ ଏ ପର୍ଯ୍ୟନ୍ତ ଏକ ବ୍ୟାପକ ଓ ବିଶଦ ଅଧ୍ୟୟନ ପ୍ରାୟ କେଉଁଠି ହୋଇନାହିଁ । ତାହାର ଅର୍ଥ ହେଉଚି, ଏହି ସମସ୍ୟାଟିକୁ କେତେକ ମହଲରେ ଯେଡ଼େ ବଡ଼ ଏକ ସମସ୍ୟା ବୋଲି ଚିତ୍ରଣ କରାଯାଉଚି, ସେଇଟା ପ୍ରକୃତରେ ସେଡ଼େ ବଡ଼ ବୋଲି ହୁଏତ କେହି ଅନୁଭବ ହିଁ କରୁନାହାନ୍ତି । କାରଣ ଏହି ସମସ୍ୟା ମୂଳତଃ ଡାକ୍ତର, ଇଞ୍ଜିନିୟରିଂ କିମ୍ୱା ବିଶେଷ କ୍ଷେତ୍ରଗତ କୌଣସି ବିଜ୍ଞାନର ସମସ୍ୟା ନୁହେଁ । ଏହା ହେଉଚି ସମାଜ ବିଜ୍ଞାନର ସମସ୍ୟା; ମନୋବିଜ୍ଞାନର ସମସ୍ୟା; ଅର୍ଥାତ୍‌ ଦେଶ ଛାଡ଼ି ଅନ୍ୟତ୍ର ଯାଉଥିବା ସିଦ୍ଧିକାମୀମାନଙ୍କର ସାମାଜିକ ତଥା ମନୋଗତ ଦୃଷ୍ଟିକୋଣ ତଥା ବିଶେଷ ରୁଚିର ଏକ ସମସ୍ୟା ।

 

ପ୍ରାୟ ଦଶବର୍ଷ ତଳେ ଜଣେ ଭାରତୀୟ ସମାଜବିଜ୍ଞାନୀ ଗବେଷକ ପଶ୍ଚିମ ଜର୍ମାନୀରେ ଇଞ୍ଜିନିୟରିଂ ପଢ଼ୁଥିବା ବିଦେଶୀ ଛାତ୍ରମାନଙ୍କ ବିଷୟରେ ଏକ ଆଗ୍ରହୋଦ୍ଦୀପକ ଅଧ୍ୟୟନ କରିଥିଲେ । ସେଥିରେ ଭାରତୀୟ ଛାତ୍ରମାନେ ମଧ୍ୟ ସାମିଲ ଥିଲେ । ଆପଣାର ଗବେଷଣାକୁ ସେ ଯେତେବେଳେ Schwarz unter Weisse ‘ଅର୍ଥାତ୍‌ ଗୋରାଙ୍କ ଘରେ କଳା’ ନାମକ ଏକ ପୁସ୍ତକରେ ପ୍ରକାଶ କଲେ, ସେତେବେଳେ ତାହାକୁ ନେଇ ସେଠି ପ୍ରାୟ ଗୋଟାଏ ଚହଳ ପଡ଼ି ଯାଇଥିଲା । ପୁସ୍ତକଟିର ସମ୍ପୂର୍ଣ୍ଣ ଆଲୋଚନା କରିବା ଏହି ପ୍ରବନ୍ଧର ପରିସରର ବାହାରେ । ମାତ୍ର ସେଥିରେ ଥିବା କେତୋଟି କଥା ଆମର ଆଲୋଚ୍ୟ ସମସ୍ୟାଟି ବିଷୟରେ ଆମକୁ ନିଶ୍ଚୟ କେତେକ ଅନ୍ତର୍ଦୃଷ୍ଟି ଆଣି ଯୋଗାଇଦେବ । ପୁସ୍ତକଟିର ପରିକଳନ ଅନୁସାରେ ସବୁ ମେଧାବୀ ଛାତ୍ର କୌଣସି ଦେଶରୁ ବିଦେଶୀ ଦେଶ ପଶ୍ଚିମ ଜର୍ମାନୀକୁ ପାଠପଢ଼ି ଯାଇ ନ ଥିଲେ ଏବଂ ଯେଉଁମାନେ ଯାଇଥିଲେ ସେମାନେ ନିଜ ନିଜ ଦେଶର ଯେ ସବୁଠାରୁ ଅଧିକ ମେଧାବୀ ଓ ସବୁଠାରୁ ଅଧିକ ଯୋଗ୍ୟ ଥିଲେ, ସେକଥା ଆଦୌ ଦାବୀ କରାଯାଇ ପାରିବ ନାହିଁ । ଏମାନେ ସମସ୍ତେ ଯେ ଅଧିକ ଗବେଷଣାର ଆଗ୍ରହ ସହିତ ବିଦେଶ ଯାଇଥିଲେ, ସେକଥା ଆଦୌ ନୁହେଁ, ଦେଶରେ ଉଚିତ ଗବେଷଣା ଲାଗି ସୁଯୋଗ ନ ପାଇବାରୁ ଯେ ଗବେଷଣାର ଏକ ଅନୁକୂଳ କ୍ଷେତ୍ରର ସନ୍ଧାନରେ ସେମାନେ ସେଠାକୁ ଯାଇଥିଲେ, ସେକଥା ମଧ୍ୟ ନୁହେଁ । ଏମାନଙ୍କ ଭିତରୁ ଅଧିକାଂଶ ପଇସାର ବଳରେ ହିଁ ସେଠାକୁ ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଗୋଟାଏ ଭାଗ ଏଭଳି ବି ଥିଲେ, ଯେଉଁମାନେ କି ନିଜ ଦେଶର ଇଞ୍ଜିନିୟରିଂ ଉଚ୍ଚାନୁଷ୍ଠାନମାନଙ୍କରେ ସ୍ଥାନ ପାଇ ନ ଥିଲେ ଏବଂ ଘରେ ପଇସାବଳ ଥିବାରୁ ଜର୍ମାନୀରେ ଠିକ୍‌ ସେହି ପାଠ ପଢ଼ିବାକୁ ସେଠାକୁ ଯାଇଥିଲେ । ଇଞ୍ଜିନିୟରିଂ ପାଠ ପଢ଼ିଲାବେଳେ ଜର୍ମାନୀର ଜଣେ ଛାତ୍ର ସାଧାରଣତଃ ଯେତିକି ଖରଚ କରେ, ବିଦେଶାଗତ ଛାତ୍ରମାନେ (ଏବଂ ଏମାନେ ସମସ୍ତେ ତଥାକଥିତ ଅବିକଶିତ ଓ ଅନୁନ୍ନତ ଦେଶମାନଙ୍କରୁ ହିଁ ଆସିଥିଲେ ।) ତାହାଠାରୁ ଅଧିକ ଖରଚ କରୁଥିଲେ । ଗୋଟାଏ କ୍ଷେତ୍ରରେ ପ୍ରାୟ ପାଞ୍ଚଗୁଣ ପର୍ଯ୍ୟନ୍ତ ବସି ଅଧିକ ଖରଚ କରୁଥିବାର ହିସାବ ମିଳିଥିଲା । ଜର୍ମାନୀର ସାଧାରଣ ଛାତ୍ର ତୁଳନାରେ ଏମାନେ ଗୋଟାସୁଦ୍ଧା ବାବୁ ପରି ରହୁଥିଲେ, ବାବୁପରି ଖରଚ କରୁଥିଲେ ଓ ବାବୁପରି ଅୟସ କରୁଥିଲେ ଏବଂ ମନେ ରଖିବାକୁ ହେବ ଯେ ଜର୍ମାନୀର ଇଞ୍ଜିନିୟର ଛାତ୍ର ଯେତେବେଳେ ନିଜେ ଉପାର୍ଜନ କରି ନିଜ ପାଠପଢ଼ାର ଖରଚ ତୁଲାଉଥିଲା, ବିଦେଶାଗତମାନେ ହୁଏତ ଘରୁ ନିଜର ଖରଚ ପାଉଥିଲେ ବା ସରକାରୀ କୌଣସି ବୃତ୍ତିଦ୍ୱାରା ନିଜର ପଢ଼ା ଖରଚ ତଥା ବାଜେ ଖରଚ ଉଭୟକୁ ତୁଲାଉଥିଲେ । ଏମାନେ ସମସ୍ତେ ନିଜ ଦେଶକୁ କଦାପି ଫେରି ନ ଥିଲେ । ପାଠସାରି ସେଇଠି ରହିଯାଇଥିବେ, ଚାକିରି କରିଥିବେ ଏବଂ ନିଜ ଦେଶର ଅନେକ ଇଞ୍ଜିନିୟରଙ୍କୁ ଅବାକ୍‌ କରିଦେଲା ଭଳି ସେଇଠାରେ ଆପଣାର ଭାଗ୍ୟ ନିର୍ମାଣ କରିଥିବେ ।

 

ଏହି ସମସ୍ୟାଟିକୁ ଶିକ୍ଷିତମାନଙ୍କର ମହଲରେ Brain Drainର ସମସ୍ୟା ବୋଲି ଆଖ୍ୟାୟିତ କରାଯାଏ । ମଣିଷ ମାତ୍ରକେ ସମସ୍ତଙ୍କର ଗୋଟାଏ ଗୋଟାଏ Brain ରହିଛି ବୋଲି ଯଦି ମାନି ନିଆଯାଏ, ତେବେ ଆମର ଏହି ନାନା ଦାରିଦ୍ର୍ୟ ଓ ନାନା ନିର୍ମମତାର ଦେଶରେ ଯେତେ ପ୍ରକାରର Brain Drain ହେବାରେ ଲାଗିଚି ଅର୍ଥାତ୍‌ ମଣିଷର ବୁଦ୍ଧି ଓ ବୌଦ୍ଧିକ ବିକାଶକୁ ବନ୍ଦ କରି ରଖି ତାକୁ ଯେତେପ୍ରକାରେ କୋଢ଼ି କରି ଦିଆଯାଉଚି ତାହା ତୁଳନାରେ ଉଚ୍ଚ ସାମ୍ୱାଦିକ ମହଲରେ Brain Drain ବୋଲି ଆଲୋଚିତ ହେଉଥିବା ସମସ୍ୟାଟି ହୁଏତ ଆଦୌ କିଛି ନୁହେଁ ବୋଲି କହିବାକୁ ପଡ଼ିବ । ଯେଉଁମାନେ ଉଚ୍ଚଶିକ୍ଷା ପାଇବା ପାଇଁ ବିଦେଶକୁ ଗଲେ ଏବଂ ସ୍ୱରୁଚିଗତ ନାନା ପ୍ରଲୋଭନରେ ପଡ଼ି ସିଆଡ଼େ ରହିଗଲେ, ସେମାନଙ୍କର ମନ ବୋଧ ହେଲାପରି ପ୍ରଲୋଭନମାନ ବାଢ଼ିଦେଇ ସେମାନଙ୍କୁ ଦେଶକୁ ଅଣା ଯାଇଥିଲେ ଯେ ତଦ୍ଦ୍ୱାରା ଏହି ଦେଶର ସମାଜ, ଭାଗ୍ୟ ତଥା ଜ୍ଞାନକ୍ଷେତ୍ର କେତେଦୂର କ’ଣ ଉପକୃତ ହୋଇ ପାରିଥାନ୍ତା, ସେ ବିଷୟରେ ମଧ୍ୟ ବିବଦମାନ ଅନେକ ସଂଶୟ ରହିଚି । ଏହି ସମସ୍ୟାଟି ଉପରେ ଏବେ ପ୍ରକାଶିତ ଏକ ପ୍ରବନ୍ଧ ସଂଳକନରେ [The Brain Drain, Edited by Walter Adams, Macmillan Newyork, 1970] ପୁନାରେ ଥିବା ରାଜନୀତି ତଥା ଅର୍ଥନୀତି ସଂସ୍ଥାନର ମୁଖ୍ୟ ଶ୍ରୀଯୁକ୍ତ ଦାଣ୍ଡେକର ଯେଉଁ ମନ୍ତବ୍ୟମାନ ନେଇଚନ୍ତି, ସେସବୁ ଆମର ଅନୁଧ୍ୟାନର ଯୋଗ୍ୟ । ଆପଣାର ପ୍ରବନ୍ଧଟିରେ ଦାଣ୍ଡେକର ବିଦେଶରୁ ଶିକ୍ଷା ଓ ତାଲିମ ନେଇ ଆସୁଥିବା ଭାରତୀୟ ବିଶେଷଜ୍ଞମାନଙ୍କର ଏକ ଅବଧାରଣା କରିଚନ୍ତି । ତାଙ୍କର କହିବା ଅନୁସାରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିଜକୁ ପ୍ରାୟ କ’ଣ ନା କ’ଣ ବୋଲି ଭାବନ୍ତି, ନିଜର କର୍ମଦକ୍ଷତା ଓ ପାରଙ୍ଗମତାକୁ ସର୍ବଦା ଭାରି ଅତିରଞ୍ଜିତ କରି ଦେଖନ୍ତି । ଗବେଷକ ଲାଗି ଏ ଦେଶରେ କୌଣସି ସୁଖସୁବିଧା ନାହିଁ, କୌଣସି ଆରାମ ନାହିଁ (Creature comforts) ବୋଲି ଏହିମାନେ ହିଁ ଅଭିଯୋଗ କରିବାରେ ଲାଗିଥାନ୍ତି । ଏଇଠି ଏଇ ଭୂଇଁରେ ସାନରୁ ବଡ଼ କରିବା ଅଳପରୁ ବହୁତ କରି କିଛି ଗଢ଼ିବା ଲାଗି ସେମାନେ ପ୍ରାୟ ଅନିଚ୍ଛୁକ ଓ ଅସମର୍ଥ ହୋଇ ରହିଥାନ୍ତି । ଏଠି ସେମାନଙ୍କ ଲାଗି ସବୁ ଖଞ୍ଜାହୋଇ ରହିଥିବ, ଦରମା ଖଞ୍ଜା ହୋଇ ରହିଥିବ, ଭତ୍ତା ଖଞ୍ଜାହୋଇ ରହିଥିବ, ଲାବୋରେଟରି ଖଞ୍ଜାହୋଇ ରହିଥିବ ଠିକ୍‌ ଆମେରିକା ବା ବିଲାତରେ ଯେମିତି ଖଞ୍ଜାହୋଇ ରହିଚି, ବିଲ୍‌କୁଲ୍‌ ସେମିତି ଖଞ୍ଜାହୋଇ ରହିଥିବ, ତେବେଯାଇ ଏଠାରେ କାମ କରିବା ସମ୍ଭବ ହେବ–ସେମାନେ ଏହିଭଳି ଭାବୁଥାନ୍ତି ଏବଂ ଟିକିଏ ବାଟ ପାଇଲେ ଏମାନେ ଛଟପଟ ହୋଇ ବାହାରକୁ ପଳାନ୍ତି । ସେଠି କୁବେର ପୁରୀରେ କାମ କରନ୍ତି, କୁବେର ହୋଇ ରହନ୍ତି । କୁବେରମାନେ ମଧ୍ୟ ଯେ ଦିନେ ସେମାନଙ୍କର ଦେଶରେ ଜ୍ଞାନ, ବିଜ୍ଞାନ, ଓ ଗବେଷଣାର ଅସ୍ଥାନଗୁଡ଼ାକୁ ଆପଣା ହାତରେ ଗଢ଼ିଥିଲେ, ଆପଣାର ଭୂଇଁକୁ ଆପେ ତିଆରି କରିଥିଲେ, ସେକଥା ଭାବିବାକୁ ମଧ୍ୟ ଏମାନେ ଘୃଣା କରନ୍ତି; ଅର୍ଥାତ୍‍ ଡରୁଥାନ୍ତି । ତେଣୁ ଡରୁଆ ପିଲା ସ୍ୱପ୍ନରେ ମାଆକୋଡ଼ରେ ଯାଇ ଗୁଞ୍ଜି ହୋଇ ଶୋଇବା ପରି ଏମାନେ ବି ଲକ୍ଷ ଓ ହଜାରର ନିରାପତ୍ତା ଭିତରେ ନିଶ୍ଚିନ୍ତ ହୋଇ ରହିବାକୁ ଚାହୁଥାନ୍ତି ।

 

ଗୋଟାଏ ଦେଶଲାଗି ଖାଲି ମସ୍ତିଷ୍କ ଲୋଡ଼ା ହୁଏନାହିଁ, ହୃଦୟ ବି ଲୋଡ଼ା ହୁଏ । ହୁଏତ ମସ୍ତିଷ୍କ ଅପେକ୍ଷା ହୃଦୟଟା ହିଁ ଅଧିକ ଲୋଡ଼ା ହୁଏ । ହୃଦୟହୀନ ମସ୍ତିଷ୍କଗୁଡ଼ାକ ଅନେକ ସମୟରେ ଦେଶର ଡିହଟା ଉପରେ ସବୁଠାରୁ ଅଧିକ ଗେହ୍ଲା ବଳଦଙ୍କପରି ବନ୍ଧାହୋଇ ରହିବାକୁ ଚାହୁଥାନ୍ତି । ତେଣୁ ଆଜି ଯେଉଁମାନେ ଏହି ଦେଶର ଅଭାବମୟ ଭୂଇଁକୁ ଛାଡ଼ି ଆମେରିକା କିମ୍ୱା କାନାଡ଼ାରେ ବଳକା ଭୂଇଁରେ ଯାଇ ଜ୍ଞାନ ଓ ବିଜ୍ଞାନ ସହିତ ଭାବ କରିବାକୁ ମନ କରୁଚନ୍ତି, ଅଧିକ ଧନଲାଭର ଲୋଭ ଦେଖାଇ ସେମାନଙ୍କୁ ଏଠି ପଘାରେ ବାନ୍ଧିକରି ରଖିଲେ ଯେ ଦେଶ ସେମାନଙ୍କର ମସ୍ତିଷ୍କଟା ଦ୍ୱାରା କୌଣସି ଯଥାର୍ଥ ଭାବରେ ଉପକୃତ ହୋଇପାରିବ, ସେପରି ଆଶା କରିବାର ଆଦୌ କୌଣସି କାରଣ ନାହିଁ । ମସ୍ତିଷ୍କଗୁଡ଼ାକ ହୃଦୟଛଡ଼ା ହୋଇଗଲେ ହିଁ ଏ ଖୁଣ୍ଟ ଉପାଡ଼ି ସେ ଖୁଣ୍ଟକୁ ପଳାଇ ଯିବାକୁ ସକସକ ହୁଅନ୍ତି । ହୃଦୟ ମସ୍ତିଷ୍କ ଲାଗି ଏକ ଭୂମି ଯୋଗାଇଦିଏ ଓ ସେହି ଭୂଇଁକୁ ଆପଣାର ଭୂଇଁ ବୋଲି ଅନୁଭବ କରିବାକୁ ଶିଖାଏ । ଆମର ଏଠି ଶିକ୍ଷାରେ ହୃଦୟ ଲାଗି ଅଧିକ ସ୍ଥାନ ରହିଲେ ଯାଇ ଆମ ଶିକ୍ଷିତମାନଙ୍କର ରୁଚି ଓ ଦୃଷ୍ଟି ଭିତରେ ମଧ୍ୟ ହୃଦ୍ୟତାଲାଗି ଏକ ସ୍ଥାନ ରହି ପାରନ୍ତା । ଆମ ଶିକ୍ଷିତମାନେ ଆଉ ଭୂଇଁ ଛାଡ଼ି ଚାଲିଯିବାକୁ ଏପରି ଉଚ୍ଛନ୍ନ ହୁଅନ୍ତେ ନାହିଁ ।

 

ଏବଂ ଏହି ସଂକ୍ରାନ୍ତରେ ଆମକୁ ଆଉ ଗୋଟାଏ କଥା ମନେ ରଖିବାକୁ ହେବ । ବିଲାତ ବା ଆମେରିକାରୁ ଆମର ବିଶେଷଜ୍ଞମାନେ ଜ୍ଞାନ ଓ ସାମର୍ଥ୍ୟର ଯେତେ ପ୍ରେରଣା ନେଇ ନ ଆସୁଚନ୍ତି, ହୁଏତ ତା’ଠାରୁ ଅନେକ ଅଧିକ ପରିମାଣରେ ଭୋଗର ଏକ ଲିପ୍‌ସାଦ୍ୱାରା ହିଁ ସଂକ୍ରମିତ ହୋଇ ପଡ଼ୁଚନ୍ତି । ସେସବୁ ଦେଶରେ ଆଜି କୌଣସି ନୂତନ ଭୂମି ତିଆରି ହେଉନାହିଁ; ଗୋଟାଏ ଭୋକିଲା ଦେଶକୁ ମଣିଷଙ୍କର ଦେଶରୂପେ ଗଢ଼ିବାକୁ ହେଲେ ପୁରୋଗାମୀ ପ୍ରଥମମାନଙ୍କ ଭିତରେ ସଂଗ୍ରାମ ଓ ସାଧନାର ଯେଉଁ ଉତ୍ସାହ ରହିବା ଦରକାର, ଅସମ୍ଭବକୁ ସମ୍ଭବ କରିବା ଲାଗି ଯେଉଁ ଜିଦ୍‌ ରହିବା ଉଚିତ, ଆମେରିକା ପରି ଏକ ଅତିରିକ୍ତତାର ଦେଶରେ ଆଜି ଆମକୁ ସେହି ଜିଦ୍‌ ଓ ଉତ୍ସାହର ଉଦ୍‌ବୋଧନ କଦାପି ମିଳିବ ନାହିଁ । ହୁଏତ ଇସ୍ରାଏଲ୍‌ ଭଳି ଏକ ଦେଶରୁ ସେହି ଉଦ୍‌-ବୋଧନ ମିଳିବ, ଫିନ୍‌ଲାଣ୍ଡରୁ ମିଳିବ । କାହିଁ ଇସ୍ରାଏଲ୍‌ର କୌଣସି ଡାକ୍ତର, ଇଞ୍ଜିନିୟର ବା ବୈଜ୍ଞାନିକ ଇସ୍ରାଏଲ୍‌ ଛାଡ଼ି ଆମେରିକାକୁ ପଳାଉ ନାହିଁତ ? ବରଂ ସେ ସହର ଛାଡ଼ି ଗାଆଁକୁ ଯାଉଚି, ମରୁଭୂମିର ଗୋଟାଏ ଅଞ୍ଚଳକୁ ଆବାଦ ଓ ସବୁଜ କରି ସାରିବା ପରେ ସେ ହୁଏତ ଆଉ କେଉଁ ନିପଟ ମରୁବନ୍ତରେ ଆପଣାର ତମ୍ୱୁ ପକାଉଚି ଓ ପୁଣି ଦଶବର୍ଷରେ ସେଇଟାକୁ ମଧ୍ୟ ଜୀବନଦ୍ୱାରା ଶ୍ୟାମଳ କରିଦେବାର ଯୋଜନା କରୁଚି । ବଡ଼ ଦେଶ ଭାରତବର୍ଷର ଶିକ୍ଷିତମାନଙ୍କ ପାଇଁ ସାନ ଦେଶ ଇସ୍ରାଏଲ୍‌ର ଉଦ୍ୟମରୁ ଅନେକ ଶିକ୍ଷା କରିବାକୁ ରହିଚି । ମସ୍ତିଷ୍କ ଓ ହୃଦୟର ସମ୍ମିଳନ ଘଟିଲେ ତଦ୍ଦ୍ୱାରା ଆପଣାର ଭୂମିଟି ଯେ କିପରି ହସିଉଠି ପାରିବ ଓ ଆପଣାର ଜ୍ଞାନକୁ ଲଗାଇ ମଣିଷ ଆପଣାର ଜୀବନକୁ ଯେ କେତେ-ଦୂର ସମୃଦ୍ଧ କରି ପାରିବ, ୧୯୪୭ରୁ ଇସ୍ରାଏଲରେ ପ୍ରଧାନତଃ ତାହାରି ପ୍ରୟୋଗ ଚାଲିଚି ତାହାର ସିଦ୍ଧି ମିଳିଚି । ୧୯୪୭ରୁ ଆଜିଯାଏ ଅସମର୍ଥ ବାବୁମାନଙ୍କର କବଳରେ ପଡ଼ି ଭାରତବର୍ଷ ଯାହା କରି ପାରିନାହିଁ, ଇସ୍ରାଏଲ୍‌ ତାହାର ଦଶଗୁଣ କରିପାରିଚି ।

 

[ଅନୁରାଗ, ପ୍ରଥମ ବର୍ଷ, ଦ୍ୱିତୀୟ ସଂଖ୍ୟା]

☆☆☆

 

ଉଚ୍ଛନ୍ନ ସ୍ରୋତ (୨)

 

‘‘ମୋର ଦେଶ ମୋ’ ଲାଗି କ’ଣ କରି ପାରିବ, ତୁମେ ନିଜକୁ ସେ କଥା କେବେ ପଚାରିବ ନାହିଁ, ମୁଁ ମୋର ଦେଶଲାଗି କ’ଣ କରି ପାରିବି, ତୁମେ ନିଜକୁ ସବୁବେଳେ ସେହି କଥା ହିଁ ପଚାରୁଥିବ ।’’ ଆମେରିକାର ପୂର୍ବତନ ରାଷ୍ଟପ୍ରତି ଜନ୍‌ କେନେଡ଼ି ଏକଦା ସେଠି କୌଣସି ଏକ ବିଶ୍ୱବବିଦ୍ୟାଳୟ ଭାଷଣ ଦେଇ ଏକଥା କହିଥିଲେ । ବିଶ୍ୱବିଦ୍ୟାଳୟରେ ବୁଦ୍ଧିର କର୍ଷଣ ହୁଏ, ବୁଦ୍ଧିଗତ ନାନା ପାରଦର୍ଶିତାର ଅନୁଶୀଳନ ଏହି ବିଶ୍ୱବିଦ୍ୟାଳୟରେ ହୁଏ, ଏଇଠି ବୁଦ୍ଧିଜୀବୀମାନେ ଗଢ଼ା ହୁଅନ୍ତି; ଏଇଠୁ ଇଞ୍ଜିନିୟର ବାହାରନ୍ତି, ଡାକ୍ତର ବାହାରନ୍ତି । ଅଧ୍ୟାପକମାନେ ଏଠାରେ ଦେଶରେ ଭାବୀ ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ତିଆରି କରନ୍ତି । ବିଶ୍ୱବିଦ୍ୟାଳୟରୁ ହାକିମ ବାହାରନ୍ତି, ବଡ଼ ଅଫିସର ବାହାରନ୍ତି, ଅର୍ଥାତ୍‌ ଦେଶ ବା ସମାଜର ବିଭିନ୍ନ କ୍ଷେତ୍ରରେ ଆପଣାର ବୁଦ୍ଧିକୁ କାମରେ ଲଗାଇ ପାରିବାପାଇଁ କେତେକ ଲୋକ ସେହି ବିଶ୍ୱବିଦ୍ୟାଳୟରେ ହିଁ ତାଲିମ ପାଆନ୍ତି ।

 

ଆମେରିକାରେ ଯାହା ହୁଏ ବା ଯେପରି ହୁଏ, ଆମର ଭାରତବର୍ଷରେ ବି ଠିକ୍‌ ସେହି କଥା ହୁଏ । ବିଶ୍ୱବିଦ୍ୟାଳୟରେ ବଡ଼ ପାଠ ପଢ଼ାଯାଏ । ସେଠୁ ଉଚ୍ଚ ଶିକ୍ଷିତମାନେ ବାହାରନ୍ତି । ସେଠାରେ ବୁଦ୍ଧିର ଚାଷ ହୁଏ, ବୁଦ୍ଧିର ଝୀନବସ୍ତ୍ର ପିନ୍ଧି ବିହାର କରାଯାଏ । କେବଳ ଏତିକି ମାତ୍ର ଫରକ ରହିଚି ଯେ, ଆମେରିକାରେ ଦେଶର ସବୁ ଯୁବକ ଓ ଯୁବତୀଙ୍କୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିବାକୁ ଓ ନିଜକୁ ବୁଦ୍ଧିଜୀବୀ ରୂପେ ଗଢ଼ିବାକୁ ସୁଯୋଗ ଦିଆଯାଏ । ଅର୍ଥାତ୍‌ ଆପଣା ଯୋଗ୍ୟତାର ପ୍ରମାଣ ଦେଇ ସେଠାରେ ଦେଶର ସମସ୍ତେ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବାକୁ ଅଧିକାରୀ ହୋଇ ପାରନ୍ତି । ବାପର ଅଥବା ନିଜର ଯେତେବେଶୀ ପଇସା ରହିଥିଲେ ମାତ୍ର ଅଯୋଗ୍ୟକୁ କୌଣସି ବିଶ୍ୱବିଦ୍ୟାଳୟର ସ୍ଥାନ ମିଳେ ନାହିଁ ଏବଂ ଯୋଗ୍ୟତା ରହିଥିଲେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ି ନିଜର ଭାଗ୍ୟକୁ ଗଢ଼ିବା ଲାଗି ସେଠାରେ ସମାଜ ମଣିଷକୁ କେତେ ସୁଯୋଗ ଯୋଗାଇଦିଏ, ତା’ ଲାଗି କେତେ କେତେ ଦ୍ୱାର ଖୋଲିଦିଏ । ମାତ୍ର ଆମ ଦେଶର ସବୁ ପିଲା ଚାହାଳୀ ମାଡ଼ନ୍ତି ନାହିଁ କି ସବୁ ପିଲା ପାଠ ପଢ଼ନ୍ତି ନାହିଁ । ତେଣୁ ଯୋଗ୍ୟ ପ୍ରତିଭା ବା ପାରଙ୍ଗମତା ରହିଥିବା ସମସ୍ତେ ଯେ ଆମର ଏଠି ଅବଶ୍ୟ ବିଶ୍ୱବିଦ୍ୟାଳୟ ଯାଏ ଆସି ପାରନ୍ତି, ସେ କଥା ଆଦୌ କୁହାଯାଇ ପାରିବ ନାହିଁ । ଏଠି ନିର୍ବୁଦ୍ଧିଆମାନେ ବି ବୁଦ୍ଧିମାନ୍‌ ହେବାରେ ତାଲିମ ପାଆନ୍ତି । ଜଣେ ଜଣଷ ବୁଦ୍ଧିଜୀବୀଙ୍କ ପରି ପୁଚ୍ଛ ସଜାଇ ପାରନ୍ତି ଓ ବୁଦ୍ଧିଥିବା ଆହୁରି ଅନେକେ ସକଳ ବିଦ୍ୟାଲାଭରୁ ବଞ୍ଚିତ ଓ ବିତାଡ଼ିତ ହୋଇ ରହନ୍ତି । ପ୍ରଧାନତଃ କେଉଁମାନେ ଏହିପରି ଭାବରେ ବଞ୍ଚିତ ଓ ଭର୍ତ୍ସିତ ହୋଇ ରହନ୍ତି ଏବଂ କେଉଁସବୁ କାରଣରୁ ରହନ୍ତି, ତାହାର ଅଧ୍ୟୟନ ଆଦୌ କୌଣସି ପ୍ରକାରେ କମ୍‌ କୌତୂହଳୋଦ୍ଦୀପକ ହେବନାହିଁ । ମାତ୍ର ଏଠାରେ ଆମେ ସେଥିରୁ କ୍ଷାନ୍ତ ରହିବା ଓ ଆମ ଆଲୋଚ୍ୟ ପ୍ରସଙ୍ଗଟିକୁ ଫେରି ଆସିବା ।

 

ହିସାବ ନେଲେ ଜଣାପଡ଼ିବ ଯେ ଆମର ଏହି ଅଳ୍ପସମ୍ୱଳ ଦେଶରେ ମଧ୍ୟ ଗତ ପଚିଶ ବର୍ଷ ତଥାକଥିତ ବିଶ୍ୱବିଦ୍ୟାଳୟମାନଙ୍କର ସଂଖ୍ୟା ଭାରି ଉତ୍ସାହ ଓ ଦର୍ପର ସହିତ ହୁ’ ହୁ’ ହୋଇ ବଢ଼ିବାରେ ଲାଗିଚି । ଭାରତବର୍ଷ ସ୍ୱାଧୀନ ହେଲା ବେଳକୁ ଏଠି କୋଡ଼ିଏଟା ବି ବିଶ୍ୱବିଦ୍ୟାଳୟ ନଥିଲା, ବର୍ତ୍ତମାନ ତାହାର ସଂଖ୍ୟା ସତୁରି ଟପି ଅଶିକୁ ଛୁଇଁବାକୁ ବସିଲାଣି । ଏହି ସଂଖ୍ୟା ଯେ ଆହୁରି ବଢ଼ୁଚି ଓ ବଢ଼ିବ, ତାହାର ଅନୁକୂଳ ଶକୁନମାନ ସର୍ବତ୍ର ମହଜୁଦ ରହିଚି । ଭାରତରେ ରାଜ୍ୟସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ରାଜ୍ୟରେ ନୂଆ ବିଶ୍ୱବିଦ୍ୟାଳୟ ବସାଇବାରେ ପ୍ରୀତି ମଧ୍ୟ ପରିପୂର୍ଣ୍ଣ ନିର୍ବନ୍ଧରେ ବୃଦ୍ଧି ପାଇବାରେ ଲାଗିଚି । ବଡ଼ ବଡ଼ ଲୋକଙ୍କର ସ୍ମୃତିରକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ବସୁଚି । ଆମ ଓଡ଼ିଶାରେ ପ୍ରଥମେ କୌଣସି ବିଶ୍ୱବିଦ୍ୟାଳୟ ନ ଥିଲା; ତା’ପରେ ନାମକୁ ମାତ୍ର ଗୋଟିଏ ହେଲା, ଗୋଟିକରୁ ଏବେ ପୁଞ୍ଜାଏ ହେଲାଣି ଓ ପାଞ୍ଚଟା ଲାଗି ଗୁଜବ ଉଠିଲାଣି । ଯଦି ମଉକା ଦିଆଯାଏ ଓ ପଇସା ମିଳେ, ତେବେ ବଉଦ ଓ ବିଡ଼ାନାସୀରେ ମଧ୍ୟ ଗୋଟାଏ ଗୋଟାଏ ବିଶ୍ୱବିଦ୍ୟାଳୟ ବା ବିଦ୍ୟାବଜାର ଖୋଲିଦେବାପାଇଁ ବି ଆମ ଦେଶରେ କଦାପି ଉତ୍ସାହୀଙ୍କର ଅଭାବ ହେବନାହିଁ । ବପୁ ବଢ଼ାଇବାରେ ଲାଗିଥିବା ଆମର ଏହିସବୁ ବିଶ୍ୱବିଦ୍ୟାଳୟରୁ ଆମ ଡାକ୍ତରମାନେ ବାହାରୁଛନ୍ତି, ଇଞ୍ଜିନିୟର ବାହାରୁଛନ୍ତି, ଆମର ବିଜ୍ଞାନୀ ବିଦ୍ୟାଧରମାନେ ବାହାରୁଛନ୍ତି । ଗୋଟାଏ କଥାରେ କହିଲେ ସେଠୁ ଆମ ଦେଶର ସର୍ବୋଚ୍ଚ ଶିକ୍ଷିତମାନେ ବାହାରୁଚନ୍ତି । ଆମର ସର୍ବୋଚ୍ଚ ବାବୁମାନେ ପୁଟ ଦିଆହୋଇ ବାହାରୁଛନ୍ତି । ଏମାନେ ଦେଶଠାରୁ ସର୍ବୋଚ୍ଚ ଦାବୀ କରୁଚନ୍ତି, ସର୍ବୋଚ୍ଚ ସମ୍ମାନର ଦାବୀ କରୁଚନ୍ତି, ସର୍ବୋଚ୍ଚ ଆରାମର ବି ଦାବୀ କରୁଚନ୍ତି । ଦେଶର ଶତକଡ଼ା ପଞ୍ଚାନବେ ଜଣ ମଣିଷ ବୁଝୁ ନ ଥିବା ଏକ ଭାଷା ଏବଂ ଲୋକଙ୍କର ଭାଷାରେ ଏମାନେ ଆପଣାକୁ ସତେ ଅବା ଅଚଳପ୍ରତିଷ୍ଠ କରି ରଖିଚନ୍ତି, ଲୋକଙ୍କର ଭାଷା ଏବଂ ଲୋକଙ୍କର ଆକାଂକ୍ଷା ପାଖରୁ ବଡ଼ ସୁଯୋଜିତ ଓ ସୁଚିନ୍ତିତି ଭାବରେ ନିଜକୁ ଦୂରଛଡ଼ା କରି ରଖିଚନ୍ତି । ବଡ଼ ପାଠୁଆ ହିସାବରେ ସେମାନଙ୍କ ପାଖରେ ତ ବଡ଼ ବଡ଼ ମସ୍ତିଷ୍କ ବି ରହିଥିବ । କିନ୍ତୁ ସେହି ମସ୍ତିଷ୍କଗୁଡ଼ାକ କାହାର କାମରେ ଲାଗୁଚି, କେଉଁ ଉଦ୍ଦେଶ୍ୟରେ ସାଧନଲାଗି ନିୟୋଜିତ ହେଉଚି ? ସେମାନଙ୍କର ପାଠ, ପାଣ୍ଡିତ୍ୟ ତଥା ଗୃହଯୋଗ୍ୟତାକୁ ଯଦି ଏହି ଦେଶରେ ହିଁ ସମ୍ପତ୍ତି ବୋଲି କହିବାଲାଗି କେହି ସାହସ କରେ, ତେବେ ସେହି ସମ୍ପତ୍ତି କେତେଦୂର ଏହି ଦେଶର କାମରେ ଲାଗୁଚି ? ଏହି ଦେଶର ନାନାବିଧ ଅନ୍ଧାରକୁ ଦୂର କରିବାରେ ତାହା କେତେଦୂର ସହାୟକ ହେଉଚି ? ନା, ସେଗୁଡ଼ାକୁ କେବଳ ଭୂତ ଖାଇଯାଉଚି ବା କେବଳ ପୋକଖାଇ ଯାଉଚି, ଏବଂ ଦେଶବାସୀ କେବଳ ବକା ହୋଇ ଅନାଇଁ ରହିଚନ୍ତି ? ଆମ ଦେଶର ଯେଉଁ ଯୋଗ୍ୟ ପାଠୁଆମାନେ ଦେଶକୁ ନ ଫେରି ଅନ୍ୟ ଲାଳସାକୁ ଆବୋରି ବିଦେଶରେ ରହି ଯାଉଥିବା ମସ୍ତିଷ୍କ ଗୁଡ଼ାକର ସମସ୍ୟାଟାକୁ ଏଡ଼େ ବଡ଼ ସମସ୍ୟା ବୋଲି କହିବାର ଉଚ୍ଛ୍ୱସିତତା ଦେଖାଉଚନ୍ତି, ସେମାନେ ଏ ଦେଶର ବରବାଦ ହେଉଥିବା ମସ୍ତିଷ୍କର କେବେ କଳନା କରିଚନ୍ତି କି-? ଏଇଠି ଅନେକ ମସ୍ତିଷ୍କ ଅର୍ଥାତ୍‌ ଅନେକ ପାଠ ଓ ପାଣ୍ଡିତ୍ୟ ତଥା ଜ୍ଞାନ ଓ ବିଜ୍ଞାନ ଯେ ସର୍ବଜନର ପ୍ରାୟ କୌଣସି କାର୍ଯ୍ୟରେ ନ ଲାଗି ନଳାପଙ୍କ ପରି ପଡ଼ି ରହିଚି, ଅତିଭୋଳ ସମସ୍ୟାଖୋରମାନେ କେବେ ସେହି ଆଡ଼କୁ ଆଖି ଖୋଲି ଅନାଇଁବାର ରୁଚି ଦେଖାଇଚନ୍ତି କି ?

 

କହିଲେ ଖାଲି ଆପଣାକୁ ହିଁ ଲାଜ ଲାଗିବ, କିନ୍ତୁ ଏକଥା ଏକାନ୍ତ ସତ୍ୟ ଯେ ଆମ ଦେଶର ବିଦ୍ୟାଗୁଡ଼ାକ ଆମ ଦେଶର ପ୍ରାୟ କୌଣସି କାମରେ ଲାଗୁନାହିଁ । ଆମ ଦେଶର ଇଞ୍ଜନିୟରିଂ ବିଦ୍ୟା ଆମର ଏଠି ଇଞ୍ଜିନିୟରିଂ କୌଶଳ ଖଟାଇ ସମାଜର ସମୃଦ୍ଧି ବଢ଼ାଇବାରେ ଯେତେ କାମରେ ଲାଗୁନାହିଁ, ତଥାକଥିତ ଇଞ୍ଜିନିୟର ଅର୍ଥାତ୍ ଇଞ୍ଜିନିଅରିଂ ପାଠରେ ଡିଗ୍ରୀ ନେଇ ବଡ଼ ଚାକିରିରେ ଭୂଷିତ ହୋଇ ରହିଥିବା ବାବୁମାନଙ୍କର ବାବୁଗିରି ଗୁଡ଼ାକୁ ଆହୁରି ଦର୍ପିତ କରି ରଖିବାରେ ହିଁ ତାହା ଅଧିକ କାମରେ ଲାଗୁଚି । ଜଣେ ଶିକ୍ଷାପ୍ରାପ୍ତ ଇଞ୍ଜିନିୟର ଜାମତା ରୂପେ ପ୍ରସ୍ଥାପିତ ହେଲାବେଳେ ପ୍ରଜାପତିଙ୍କ ବଜାରରେ ଦାନ୍ତିଆ ଦାମୁଡ଼ିପରି ବିକ୍ରୀ ହେହଉଚି, କେତେ ନା କେତେ ସାଆନ୍ତର ମର୍ଯ୍ୟାଦା ପାଉଚି । ଚାକିରିରେ ଅବସ୍ଥାପିତ ପାଉଚି । ଚାକିରିରେ ଅବସ୍ଥାପିତ ହୋଇ ସେ ମୋଟା ଦରମା ଓ ଆହୁରି ମୋଟା ଦରମା ଓ ଆହୁରି ମୋଟା ଉପୁରି ପାଉଚି, ସରକାରଙ୍କ ପିଅନ ଓ ଚପରାସୀମାନଙ୍କୁ ଆପଣା ଘରେ ଖଟାଇ ଆପଣାର ପୋଷାକୀ ଜୀବନଟାକୁ ଅଧିକ ବହଳକରି ରଖିବା ଲାଗି ସେ ପ୍ରାୟ ଜଣେ ସ୍ୱେଚ୍ଛାଚାରୀର ଚରମ ସ୍ୱାଧୀନତା ପାଇ ଯାଉଚି । ଅଫିସର ଚଉକି, ବେଞ୍ଚ ଆଉ ଟେବୁଲଗୁଡ଼ାକ ହୁଏତ ତା’ର ନିଜ ଘରର ହର୍ଷବର୍ଦ୍ଧନ କରୁଚନ୍ତି । ତେଣୁ ଆଉ ଇଞ୍ଜିନିୟର ହେବାକୁ ବେଳ କାହିଁ, ଆପଣାର ଅର୍ଜିତ ବିଦ୍ୟାକୌଶଳକୁ କାମରେ ଲଗାଇବାର ବେଳ କାହିଁ, ଆବଶ୍ୟକତା ବା କାହିଁ ? ଦେଶ ଭାରି ଶାନ୍ତିରେ ଚାଲିଚି, ଅର୍ଥାତ୍‌ ବାବୁଗିରିର ବିଚିତ୍ର ଚାତୁରୀଶୀଳତାରେ ଆପଣା ଭିତରର କଣାଗୁଡ଼ାକ ମୋଟେ ଆଖିକୁ ଦିଶୁନାହିଁ, ଆପଣା ମସ୍ତିଷ୍କର ଆଳସ୍ୟଗୁଡ଼ାକ ମୋଟ ଲଜ୍ଜାପରି ଅନୁଭୂତ ହେଉନାହିଁ । ବାବୁମାନେ ପରସ୍ପରକୁ ଘଣ୍ଟ ଘୋଡ଼ାଇ ରଖିଚନ୍ତି । ବଡ଼ମାନେ ସାନମାନଙ୍କୁ ଆପଣା ବଡ଼ କ୍ଷମତାର ବରଦ ପକ୍ଷତଳେ ଆଶ୍ରାଦେଇ ରଖିଚନ୍ତି ଓ ସାନମାନେ ବଡ଼ମାନଙ୍କୁ ପରିତୁଷ୍ଟ ଓ ପ୍ରସନ୍ନକରି ରଖିଚନ୍ତି । ତେଣୁ ମସ୍ତିଷ୍କ ବୈଧବ୍ୟବ୍ରତ ଆଚରଣ କରୁଚି ।

 

ଇଞ୍ଜିନିୟର ପଛକୁ ଡାକ୍ତର । ଆମର ଏଠି ଡାକ୍ତରମାନଙ୍କୁ ଡାକ୍ତର ବୋଲି ଚିହ୍ନିବା କଷ୍ଟକର ହୋଇପାରେ, ମାତ୍ର ବାବୁ ବୋଲି ଚିହ୍ନିବା କଦାପି କଷ୍ଟକର ହେବନାହିଁ । ବଡ଼ଲୋକ ବୋଲି ଚିହ୍ନିବାକୁ କୌଣସି କଷ୍ଟ କରିବାକୁ ପଡ଼ିବ ନାହିଁ । ଜଣେ ଦକ୍ଷ ଓ ଯୋଗ୍ୟ ଡାକ୍ତର ହେବାଲାଗି ଯେତିକି ରୁଚି ରହିଥିବା ଆବଶ୍ୟକ, ରୋଗୀ ଓ ରୋଗକୁ ବୁଝି ପାରିବାଭଳି ଯେତିକି ମଥା ଆବଶ୍ୟକ, ଆମର ବଡ଼ ବଡ଼ ଡାକ୍ତରମାନଙ୍କଠାରେ ସେଭଳି ରୁଚି ବା ସେଭଳି ମଥାର କୌଣସି ସ୍ଫୁରଣ ହୋଇ ନଥାଉ ପଛକେ, ସେମାନଙ୍କ ଭିତରେ ବଡ଼ଲୋକ ଓ ଆହୁରି ବଡ଼ଲୋକ ହେବାର ସକଳ ଲକ୍ଷଣ ଓ ସକଳ ଅସ୍ପୃହା ପୂର୍ଣ୍ଣ ପରିମାଣରେ ନିଶ୍ଚୟ ମହୁଜଦ ରହିଥିବ । ଆମର ଏଠି ଜଣେ ଡାକ୍ତର ଆଉ ଜଣେ ଡାକ୍ତରକୁ ଜଣେ ଡାକ୍ତର ହିସାବରେ ଯେତେ ଈର୍ଷା ନ କରେ, ଜଣେ ବଡ଼ଲୋକ ହିସାବରେ ହୁଏତ ତା’ଠାରୁ ଅଧିକ ଈର୍ଷା କରୁଥାଏ । ଆଉ କାହାଭଳି ଜଣେ ଭଲ ଡାକ୍ତର ହେବାଲାଗି ତା’ର ଯେତେ ଆଗ୍ରହ ନଥାଏ; ଅନ୍ୟ ସମସ୍ତଙ୍କଠାରୁ ଆହୁରି ଅଧିକ ପଇସା କମାଇବାକୁ ତା’ଠାରୁ ହୁଏତ ଦଶଗୁଣ ଅଧିକ ଆଗ୍ରହ ଥାଏ । ଏ ଦେଶରେ ବଡ଼ଲୋକ ହେବାଲାଗି ଏମାନଙ୍କୁ କ’ଣ ଆଉ କୌଣସି ଅନ୍ୟ ଫନ୍ଦା ମିଳିଲା ନାହିଁ, ତେବେ ଏମାନେ କେଉଁ ଦୁର୍ଯ୍ୟୋଗରେ କାହିଁକି ଡାକ୍ତର ହେବାକୁ ମନ କଲେ ?–ଆମ ଦେଶର ତଥାକଥିତ ଅନେକ ଡାକ୍ତରଙ୍କୁ ଜଣେ ଜଣେ ଡାକ୍ତର ହିସାବରେ କଳନା କରି ଦେଖିଲାବେଳେ ଏହିପରି ଗୋଟିଏ ପ୍ରଶ୍ନ ବାରମ୍ୱାର ପଚାରିବାକୁ ଇଚ୍ଛା ହୁଏ । ଏମାନେ ଯେଉଁ ପାଠରେ ତାଲିମ ହୋଇଥିଲେ, ତାହା ପ୍ରକୃତରେ କେତେଦୂର କାହାର କାମରେ ଲାଗୁଛି ? ଏମାନଙ୍କର ମସ୍ତିଷ୍କ ପ୍ରକୃତରେ କେଉଁ ମାଲିକର ଖଟଣି ଖଟୁଚି ? ଏବଂ ଏହି କ୍ଷେତ୍ରରେ ଯେଉଁ ଉଚ୍ଛନ୍ନ ସ୍ରୋତ ଦେଶଟାକୁ ଉଚ୍ଛନ୍ନ କରି ଅନବରତ ବହିବାରେ ଲାଗିଚି, ଆମେ ସେଥିଲାଗି କାହାକୁ କେତେ ପରିମାଣରେ ଦାୟୀ କରି ପାରିବା ? ଖାସ୍‌ ଡାକ୍ତରମାନଙ୍କୁ କେତେଦୂର ଦାୟୀ କରିବା, ଆମ ସମାଜର ସ୍ୱୀକୃତ କୁଳାଚାରଗୁଡ଼ାକୁ ବି କେତେଦୂର ଦାୟୀ କରି ପାରିବା ? ଆମର ବିଦ୍ୟାବିନୋଦୀ ମହଲରେ ଏହିସବୁ ପ୍ରଶ୍ନ ଖୁବ୍‌ କମ୍‌ ପଚରାଯାଇଚି । ଅନ୍ୟ ଅନେକ ଗୌଣ ପ୍ରଶ୍ନକୁ ମୁଖ୍ୟ କରି ଦେଖାଇବାର ବିଚକ୍ଷଣତା ଭିତରେ ଏହି ପ୍ରଶ୍ନଗୁଡ଼ାକୁ ପ୍ରାୟ ଅବଜ୍ଞା କରି ରଖି ଦିଆଯାଇଚି । ତେଣୁ ଏଠି ହୁଏତ ହାତୀ ଗଳିଯାଉଚି, ଏବଂ ପିମ୍ପୁଡ଼ି ଗଳିଗଲା ବୋଲି ହାହାକାର କରାଯାଉଚି ।

 

ଆମ ଦେଶରେ କଲେଜମାନଙ୍କରେ ପାଠ ପଢ଼ାଉଥିବାରୁ ଯେଉଁମାନେ ବେତନଭୋଗ କରନ୍ତି, ସେମାନଙ୍କୁ ଲୋକମୁଖରେ ଅଧ୍ୟାପକ ବୋଲି କୁହାଯାଏ । ଯେଉଁମାନେ ତଳପାହାଚମାନଙ୍କରେ ପାଠ ପଢ଼ାନ୍ତି, ସେମାନଙ୍କୁ ଶିକ୍ଷକ ବୋଲି କୁହାଯାଏ । ଅଧ୍ୟାପକମାନେ ଅଧ୍ୟାପନା କରନ୍ତି । ଅଧ୍ୟାପନା ଲାଗି ଅଧ୍ୟୟନ ଆବଶ୍ୟକ ହୁଏ, ଆପଣା ମସ୍ତିଷ୍କର ସତତ ଅନୁଶୀଳନ ଓ କର୍ଷଣ ଆବଶ୍ୟକ ହୁଏ । ଜ୍ଞାନର ଆଲୋଚନା ତଥା ପୁନରାଲୋଚନା ଦରକାର ହୁଏ, ଅର୍ଥାତ୍‌ ସତତ ଗବେଷଣା ଆବଶ୍ୟକ ହୁଏ ଓ ଗବେଷଣା ଅର୍ଥାତ୍‌ ଅଧିକ ଜାଣିବା ଲାଗି ଏକ ସତତ ଓ ସ୍ୱାଭାବିକ ଆଗ୍ରହ ରହିଥିବା ଆବଶ୍ୟକ ହୁଏ । ମାତ୍ର ଆମ ଦେଶରେ ଅଧିକାଂଶ ଅଧ୍ୟାପକ ଏଠି ଚାକିରିଟା ପାଇଗଲେ ସକଳ ଜ୍ଞାନାଲୋଚନାରୁ ସତେ ଅବା ଅବସର ଗ୍ରହଣ କରନ୍ତି, ଜ୍ଞାନର ଆଗ୍ରହକୁ ଜ୍ଞାନେତର ଅନ୍ୟାନ୍ୟ ନାନା ଆଗ୍ରହଦ୍ୱାରା ଧର୍ଷିତ କରି ରଖନ୍ତି । ଚାକିରି ପାଇବା ସକାଶେ ଗୋଟାଏ ଡିଗ୍ରୀ ଦରକାର ଓ ସେଇଟାକୁ ହାସଲ କରିବା ଲାଗି ଯେତିକି ଏଷଣା କିମ୍ୱା ଚାଷଣା ଦରକାର, ସେମାନେ କେବଳ ସେତିକିଯାଏ ଗୋଡ଼ ବଢ଼ାନ୍ତି । ଏବଂ ତା’ପରେ ଅବସର ଗ୍ରହଣ କରନ୍ତି । ତା’ପରେ ଗବେଷଣା ବ୍ୟତୀତ ଆଉ ସବୁକିଛି କରନ୍ତି, ଜ୍ଞାନର ରୁଚି ବ୍ୟତୀତ ଅନ୍ୟାନ୍ୟ ସକଳ ରୁଚି ରଖନ୍ତି ଏବଂ ଅଧ୍ୟାପକ ବୋଲାଉଥାନ୍ତି । ସେମାନଙ୍କର ମସ୍ତିଷ୍କଗୁଡ଼ାକ ତେଣିକି ରାଜନୀତିରେ ଲାଗେ, ପରସ୍ପରର ଛିଦାନ୍ୱେଷଣରେ ଲାଗେ, ମାତ୍ର ଜ୍ଞାନାନ୍ୱେଷଣରେ କ୍ୱଚିତ୍‌ ଲାଗିପାରୁଚି, ସିଏ ଅନ୍ୟମାନଙ୍କ ଭିତରେ ଆଉ ଜ୍ଞାନ ଲୋଡ଼ିବାର କି ପ୍ରେରଣା ଦେଇ ପାରିବ ? ଅର୍ଥାତ୍‌ ସିଏ ଆଉ କି ଅଧ୍ୟାପନା କରି ପାରିବ ? ଆମର ବିଶ୍ୱବିଦ୍ୟାଳୟମାନଙ୍କରେ ବୁଦ୍ଧି ଓ ଜ୍ଞାନର ଏହିଭଳି ଏକ ଅପଚାର ବଡ଼ ଦୁରାତ୍ମ ଭାବରେ ଲାଗିଚି । ସେଠି ସମସ୍ତେ ବେଶ୍‌ ବାବୁ ହୋଇ ପାରୁଚନ୍ତି, ଚତୁର ସଫଳତାଭିଳାଷୀ ହିସାବରେ ଚମତ୍କାର ବ୍ୟୁତ୍ପତ୍ତି ଏବଂ ବିଶ୍ରୁତି ଅର୍ଜନ କରି ପାରୁଚନ୍ତି; ମାତ୍ର ସରସ୍ୱତୀଙ୍କୁ ଲୋଡ଼ିଲେ ଜୀବର ଯେଉଁ ଜାଡ଼୍ୟର ଅପହରଣ ସମ୍ଭବ ହୋଇଥାଏ, ସେହି ଜାଡ଼୍ୟ ହିଁ ସେମାନଙ୍କର ଜୀବନକୁ ଗୋଟାସୁଦ୍ଧା କାମୁଡ଼ି ଧରିଚି । ଜାଡ଼୍ୟ ହିଁ ଆମର ଜାତୀୟ ଶିକ୍ଷା ବଡ଼ଲୋକୀ ଅଧ୍ୟାପନାରେ କେୟୂରକୁଣ୍ଡଳ ହୋଇ ରହିଚି ଏବଂ ଆମ ଦେଶର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ମସ୍ତିଷ୍କ-ଅପଚୟର ଯେଉଁ drain ଗୁଡ଼ାକ ପ୍ରବଳ ଆକାରରେ ବୋହୁଚି, brain drain ର ଅଭିଯୋଗ କରୁଥିବା ସୁଆଗୀମାନେ କେବେ ତାହାର କଳନା କରିବାକୁ ମନ କରିଚନ୍ତି କି ?

 

ତେଣୁ ବିଦେଶରେ ସିଦ୍ଧି ପାଇ ସାରିବାପରେ ଯେଉଁ ସିଦ୍ଧବିଦ୍ୟମାନେ ଦେଶକୁ ଫେରି ନ ଆସି କୌଣସି ନା କୌଣସି ପ୍ରଲୋଭନରେ ସେଇଠି ରହି ଯାଉଚନ୍ତି, ସେମାନେ ଆମର ଏହି ଦେଶକୁ ଫେରି ଆସୁଥିଲେ ତଦ୍ଦ୍ୱାରା ପ୍ରକୃତରେ କେଉଁଠି କ’ଣ ପରିବର୍ତ୍ତନ ଘଟୁଥାନ୍ତା ? ଯେଉଁମାନେ ଫେରି ଆସିଚନ୍ତି, ସେମାନେ ବି କେଉଁଠି କ’ଣ ପରିବର୍ତ୍ତନ ଘଟାଇଚନ୍ତି ? ଅନ୍ୟମାନେ ବି ଫେରି ଆସୁଥିଲେ ତଦ୍ଦ୍ୱାରା ଏଠି ହୁଏତ ବାବୁମାନଙ୍କର ସଂଖ୍ୟା ଆହୁରି ବଢ଼ି ଯାଉଥାନ୍ତା, ସରକାରୀ ଚଉକି-ଟେବୁଲଠାରୁ ଆରମ୍ଭ କରି ପିଅନ ଓ ଚପରାସୀ ପର୍ଯ୍ୟନ୍ତ ସ୍ଥାବର ତଥା ଜଙ୍ଗମ ସମ୍ପତ୍ତିଗୁଡ଼ାକ ଆହୁରି ଅଧିକ ପରିମାଣରେ ବାବୁମାନଙ୍କର ଘରେ ଆସି କାମରେ ଲାଗୁଥାନ୍ତେ । ଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଆଜି ସବୁଠାରେ ଯେଉଁ ତିମିର ଗୁଡ଼ାକ ଘୋଟି ରହିଚି, ସେତେବେଳେ ମଧ୍ୟ ସେହି ତିମିର ଘୋଟି ରହୁଥାନ୍ତା, ହୁଏତ ଆହୁରି ଅଧିକ ଜାକଜମକ ସହିତ ବି ଘୋଟି ରହୁଥାନ୍ତା । ଅଧିକ ଗାଢ଼ ହୋଇ ଘୋଟି ରହୁଥାନ୍ତା, ବ୍ୟତିକ୍ରମ ଅବଶ୍ୟ ରହନ୍ତେ, ମାତ୍ର ବାବୁଗିରିଟା ହିଁ ବିଧାନ ହୋଇ ରହିଥାନ୍ତା । ବ୍ୟତିକ୍ରମ ଭାବରେ ହୁଏତ ମାତ୍ର କେତେଜଣ ଅନେକ ଚତୁରଙ୍କ ଭିତରେ ବୋକା ବୋଲି ବାରି ହୋଇ ପଡ଼ୁଥାନ୍ତେ, ଶାଳଗ୍ରାମ ହେବାର ଯୋଗ୍ୟତା ରଖିଥାନ୍ତେ, ମାତ୍ର ଶହେରେ ଅନେଶତ ଜଣ କେବଳ ଅକର୍ମଶିଳା ରୂପେ ଶୋଭା ପାଉଥାନ୍ତେ । ମଣିଷମୁଖୀ ଏବଂ ଆଲୋକମୁଖୀ ଯାବତୀୟ ପରିବର୍ତ୍ତନର ପଥରେ ସେମାନେ ପଥରଖଣ୍ଡ ହୋଇ ରହିଥାନ୍ତେ, ବାଟ ଉଗାଳି ବସିଥାନ୍ତେ । ମସ୍ତିଷ୍କର Drain ଅବ୍ୟାହତ ରହିଥାନ୍ତା ।

 

ଆଜି ଦେଶର ମସ୍ତିଷ୍କ ଦେଶକୁ ଲୋଡ଼ୁନାହିଁ, ଦେଶର ମଣିଷକୁ ଲୋଡ଼ୁନାହିଁ । ଆମେ ଯେଉଁମାନଙ୍କୁ ଆମ ଦେଶର ଶିକ୍ଷିତ ବୋଲି କହି ଗର୍ବ କରୁଚୁ ବା କରୁଥାଆନ୍ତୁ, ସେମାନଙ୍କର ମଥା ଓ ସେମାନଙ୍କର ବିଦ୍ୟା ଆଜି ଅନ୍ୟ ଆଗ୍ରହ ଓ ଅନ୍ୟ ଅନୁରକ୍ତି ଗୁଡ଼ାକର ଖୁଣ୍ଟରେ ଯାଇ ବନ୍ଧାହୋଇ ରହିଚି । ମଣିଷକୁ ବାବୁ କରି ରଖିବାଲାଗି ମଣିଷର ମସ୍ତିଷ୍କକୁ ଖଟାଯାଉଚି, ମଣିଷର ବୁଦ୍ଧିକୁ ସ୍ୱୈରାଚାରୀ କରି ରଖାଯାଇଚି । ଅନେକଙ୍କୁ ଅରକ୍ଷିତ କରି ରଖି ଅଳପଙ୍କର ଆଳସ୍ୟ ତଥା ମୂର୍ଖତାଗୁଡ଼ାକୁ ସୁପ୍ରଶସ୍ତ କରି ରଖିବାରେ ଆମ ଦେଶର ମସ୍ତିଷ୍କ ଗୁଡ଼ାକ ବଡ଼ ଚମତ୍କାର ଭାବରେ ନିଯୁକ୍ତ ହୋଇ ରହିଚନ୍ତି । ଅର୍ଥାତ୍‌ ଆମର ମସ୍ତିଷ୍କ ହୃଦୟହୀନ ଅମଣିଷମାନଙ୍କୁ ଗଢ଼ିବାରେ ଓ ସେମାନଙ୍କୁ ଉଚ୍ଚାସନରେ ନେଇ ବସାଇବାରେ ହିଁ ସବୁଠାରୁ ଅଧିକ ସାହାଯ୍ୟ କରୁଚି । ଏହି ଅମଣିଷମାନେ ହିଁ ଏହି ଦେଶର ବୁଦ୍ଧି ଓ ବୁଦ୍ଧିଗତ ସମସ୍ତ ଚର୍ଯ୍ୟାକୁ ଆପଣାର ଆୟତ୍ତ କରି ରଖିଛନ୍ତି । ବୁଦ୍ଧି ବିନଷ୍ଟ ହେବାରେ ଲାଗିଚି, ବୁଦ୍ଧିଦ୍ୱାରା ଅଶେଷ ବିନାଶ ଘଟୁଚି । ଏହି ବିନାଶମୁଖୀ ପ୍ରବାହ ଗୁଡ଼ାକର ମୁଖକୁ କିଏ ରୋଧିବାକୁ ସମର୍ଥ ହୋଇ ପାରିବ ? କ’ଣ କଲେ ଏହି drainର ଗତିରାଧ ସମ୍ଭବ ? ପାଠୁଆମାନଙ୍କୁ ଆହୁରି ବେଶି ଟଙ୍କା ଏବଂ ଆହୁରି ବେଶି ଆରାମ ଆଣି ଖଞ୍ଜିଦେଲେ ସେକଥା ହୋଇ ପାରିବ କି ? ଅର୍ଥାତ୍‌ କୌଣସି ଅଧ୍ୟାପକର ବେତନକୁ ଦୁଇଗୁଣ କରିଦେଲେ ସିଏ ଦୁଇଗୁଣ ଉତ୍ସାହ ଓ ଅନୁରାଗରେ ଅଧ୍ୟାପନା ଅର୍ଥାତ୍‌ ଅଧିକ ଅଧ୍ୟୟନରେ ମନୋନିବେଶ କରି ପାରିବ କି ? ଇଞ୍ଜିନିୟର୍‌ ବା ଡାକ୍ତରକୁ ଏହି ଦରିଦ୍ର ଦେଶରେ ଆହୁରି ବଡ଼ଲୋକ ଓ ବଡ଼ବାବୁ ହେବାର ସେବା ଓ ସଞ୍ଚାମାନ ଆଣି ଯୋଗାଇଦେଲେ ସିଏ ଆପଣାର ବାବୁଗିରିକୁ ଛାଡ଼ି ଆପଣାର ବିଦ୍ୟା ଓ ଧନ୍ଦା ଭିତରେ ଅଧିକ ଆଗ୍ରହୀ ହୋଇ ରହି ପାରିବ କି ? ମୁଁ ମୋ ଦେଶପାଇଁ କ’ଣ କରିପାରିବି ଏହି କଥାଟି ନିଜକୁ ପଚାରିବା ସକାଶେ ଯେଉଁ ଶ୍ରଦ୍ଧା ଦରକାର, ଆହୁରି ଟଙ୍କା, ଆହୁରି ବଡ଼ଲୋକୀ ଓ ଆହୁରି ବାବୁଗିରିର ପୋଲା ଅବସରମାନ ଖଞ୍ଜିଦେଇ ଆମେ ଏହି ଦେଶରେ ସେହି ଶ୍ରଦ୍ଧାର ଉଦ୍ରେକ କରି ପାରିବା କି, ବିନାଶଗତି ଏହି drain ମୁହଁକୁ ଆମେ ବନ୍ଦ କରି ପାରିବା କି ?

 

୨୨ । ୬ । ୭୨ [ଅନୁରାଗ, ପ୍ରଥମ ବର୍ଷ ତୃତୀୟ ସଂଖ୍ୟା]

☆☆☆

 

ଉଚ୍ଛନ୍ନ ସ୍ରୋତ (୩)

 

ଆମ ଦେଶର କର୍ମନିଯୁକ୍ତ ଶିକ୍ଷିତ କାରିଗରମାନଙ୍କ ବିଷୟରେ ଏକ ସରକାରୀ ଗବେଷଣା-ସଂସ୍ଥା ଏବେ ଗୋଟିଏ ହିସାବ ପ୍ରକାଶ କରିଛନ୍ତି । ୧୯୭୧ ମସିହାର ଜନଗଣନାକୁ ଭିତ୍ତି କରି ଏହି ହିସାବ ଦିଆଯାଇଚି । ଏଥିରୁ ଜଣାପଡ଼ୁଚି ଯେ, ଭାରତବର୍ଷରେ ଯେତେ ଉଚ୍ଚଶିକ୍ଷିତ ଜୀବିକାର୍ଜନ ପାଇଁ କୌଣସି ନା କୌଣସି କର୍ମସଂସ୍ଥାନରେ କାର୍ଯ୍ୟ କରନ୍ତି, ସେମାନଙ୍କ ଭିତରୁ ଶତକଡ଼ା ୬୪ ଜଣ ସରକାରୀ କ୍ଷେତ୍ରମାନଙ୍କରେ ନିଯୁକ୍ତି ହୁଅନ୍ତି । ଶତକଡ଼ା ୨୬ ଜଣ ଘରୋଇ ସଂସ୍ଥାମାନଙ୍କରେ କାମ ପାଆନ୍ତି ଓ ମାତ୍ର ୧୦ ଜଣ ଆପଣା ବୁଦ୍ଧିରେ ଓ ଆପଣା ଗୋଡ଼ରେ ଠିଆ ହୋଇ କୌଣସି ନା କୌଣସି ଧନ୍ଦା କରି ଚଳନ୍ତି । ଏହି ଉଚ୍ଚଶିକ୍ଷିତମାନଙ୍କ ମଧ୍ୟରେ ଆମ ବିଶ୍ୱବିଦ୍ୟାଳୟମାନଙ୍କରେ ଡିଗ୍ରୀଧାରୀ ଅଛନ୍ତି, ବୈଜ୍ଞାନିକ, ଇଞ୍ଜିନିୟର ଡାକ୍ତରମାନେ ଅଛନ୍ତି; ବିଶେଷ ତାଲିମପ୍ରାପ୍ତ କାରିଗର ବା ଟେକ୍‌ନିସିଆନ୍‌ମାନେ ବି ରହିଛନ୍ତି । ଅର୍ଥାତ୍‌ ନାନା କାରଣବଶତଃ ଆମର ଶିକ୍ଷିତମାନେ ଆତ୍ମନିଯୁକ୍ତି ଅର୍ଥାତ୍‌ ଜୀବିକାନିର୍ବାହ ସକାଶେ ସରକାରୀ କର୍ମଯୋଗାଣର ବ୍ୟବସ୍ଥା ଉପରେ ହିଁ ସବୁଠାରୁ ଅଧିକ ପରିମାଣରେ ନିର୍ଭର କରନ୍ତି । ସେହି ବ୍ୟବସ୍ଥାଟାକୁ ସବୁଠାରୁ ଅଧିକ ନିରାପଦ ବୋଲି ଗ୍ରହଣ କରନ୍ତି ଓ ସରକାରୀ ଥାଳ ଉପରେ ହିଁ ସବୁଠାରୁ ଅଧିକ ଭରସା ରଖିଥାନ୍ତି; ଏବଂ ଏହିଭଳି ଏକ ବ୍ୟବସ୍ଥା ହେତୁ ଆମ ଦେଶରେ ସରକାରୀ କର୍ମଚାରୀ ବା ସରକାରୀ ହାକିମମାନଙ୍କର ହିଁ ସବୁଠାରୁ ଅଧିକ ସମ୍ମାନ ରହିଥାଏ, ସବୁଠାରୁ ଅଧିକ କ୍ଷମତା ବି ରହିଥାଏ; ଓ ସରକାରୀ ମନ୍ତ୍ରୀମାନେ ତୁହାକୁତୁହା ବଦଳି ଯାଉଥିଲେ ମଧ୍ୟ ସରକାରୀ ଉଚ୍ଚହାକିମ ଓ ଅମଲାମାନେ ହିଁ ଆପଣାର ଆଚାର ବା ଅପଚାର ଗୁଡ଼ାକୁ ସରକାର ବୋଲି ଜାରି କରି ରଖିଥାନ୍ତି । ଏହି ଜାରି କରି ରଖିବାରେ ବୁଦ୍ଧି ଆଉ ମସ୍ତିଷ୍କ ଅବଶ୍ୟ କାମରେ ଲାଗିଥାଏ, କିନ୍ତୁ ଇଂରାଜୀରେ brain ବୋଲି କହିବା ବେଳେ ସାଧାରଣତଃ ଯେଉଁ ବିଦ୍ୟାଲବ୍‌ଧ କୁଶଳତା ଓ ଅର୍ଜିତ ପ୍ରତିଭାକୁ ବୁଝାଇଥାଏ, ତାହା ବସ୍ତୁତଃ କେତେଦୂର କାମରେ ଲାଗେ, ବା ନ ଲାଗେ, ଏଠାରେ ଆମେ ସେହି କଥାଟିକୁ ବିଚାର କରି ଦେଖିବା ।

 

ସରକାରୀ ଶାସନ ନାମରେ ଆମ ଦେଶରେ ଯେଉଁ ସଙ୍ଗଠିତ ଅବ୍ୟବସ୍ଥାକୁ ସ୍ୱୀକୃତି ଦିଆଯାଏ, ତାହା ଭିତରେ ପଶି ପାରିବାକୁ ହେଲେ ବିଶ୍ୱବିଦ୍ୟାଳୟରୁ ଗୋଟିଏ ଡିଗ୍ରୀ ଆଣିବା ଦରକାର ପଡ଼େ । ସେଥିଲାଗି ଆମ ଦେଶର ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ ପଢ଼ିବା ସକାଶେ ଭବିଷ୍ୟତଲିପ୍‌ସୁମାନଙ୍କର ଏପରି ପ୍ରବଳ, ଭିଡ଼ ବି ହୁଏ । ସରକାରଙ୍କର ଯାବତୀୟ ଚାକିରି ସକାଶେ କାହିଁକି ଯେ ଡିଗ୍ରୀ ପାଇବା ଭଳି ଗୋଟାଏ ଗୋଟାଏ ପାଠ ପଢ଼ିଥିବା ଲୋଡ଼ା ହୁଏ, ଏହି ଦେଶରେ ସେହିକଥା କେହି କେବେହେଲେ ପଚାରନ୍ତି ନାହିଁ । ହୁଏତ ପଚାରିବା ଆବଶ୍ୟକ ମନେ କରାନ୍ତି ନାହିଁ । ତଥାପି ଯେଉଁମାନେ ଏହି ସରକାର ଚଳାନ୍ତି ଓ ବିଶ୍ୱବିଦ୍ୟାଳୟଗୁଡ଼ାକୁ ବି ଚଳାନ୍ତି, ସେମାନଙ୍କୁ ଏହି ଚଳଣି ବା ରୀତିଟା ପାରମ୍ପରିକ ଭାବରେ ଚମତ୍କାର ସୁହାଏ ବୋଲି ଆମ ଦେଶରେ ଅତ୍ୟନ୍ତ ନିର୍ବିକାର ଭାବରେ ଏଇଟା ହିଁ ଚଳେ, ପାରମ୍ପରିକ ଭାବରେ ଏଇଟା ହିଁ ସ୍ୱୀକୃତି ପାଏ । ଚାକିରି ପାଇବାକୁ ହେଲେ ଡିଗ୍ରୀଟିଏ ଅବଶ୍ୟ ଦରକାର ହୁଏ । ଆଗକୁ ଯାଇ ତୁମେ ପୋଲିସ ଅଫିସର ହୁଅ କିମ୍ୱା ଏକସାଇଜ୍‌ ଅଫିସର ହୁଅ, ଜଙ୍ଗଲ ବିଭାଗକୁ ଯାଅ ଅଥବା ରାଜସ୍ୱ ବିଭାଗକୁ ଯାଅ, ସବ୍‌ରେଜିଷ୍ଟାର୍‍ ହୁଅ ବା ସବ୍‌ଇନ୍‌ସପେକ୍‌ଟର ହୁଅ ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀ ହୋଇ ବସି ପାରିବାଲାଗି ଗୋଟାଏ ଡିଗ୍ରୀ ନିହାତି ଦରକାର ହୁଏ । ଏହି ଡିଗ୍ରୀଟା ସକାଶେ ତୁମେ ଯାହାକିଛି ପଢ଼ ବା ନ ପଢ଼, ସେଥିରେ କଦାପି କୌଣସି ଆପତ୍ତି ରହିବ ନାହିଁ; ମାତ୍ର ଡିଗ୍ରୀଟାଏ ଅବଶ୍ୟ ଦରକାର ହେବ । ସେଥିଲାଗି ଆମର ଏଠି ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରବେଶ କଲାବେଳେ କିଏ କ’ଣ ପଢ଼ିବାକୁ ଯାଏ, ତା’ର କୌଣସି ବାଛବିଚାର ରହେନାହିଁ; କାହାକୁ କ’ଣ ପଢ଼ାଇବାକୁ ପଡ଼େ ତାହାର ବି କୌଣସି ବାଇସ ରହେନାହିଁ । ଦୋକାନ ପଛକୁ ଦୋକାନ ବସିଥିଲା ପରି ବିଶ୍ୱବିଦ୍ୟାଳୟରେ ବିଷୟଗୁଡ଼ାକୁ ଖଞ୍ଜି କରି ରଖି ଦିଆଯାଇ ଥାଏ, ଏବଂ ତାହାରି ଭିତରୁ ଗୋଟାକୁ ବା କେତେଟାକୁ ବାଛିନେଇ ବିଦ୍ୟାଭିତରେ ପ୍ରବେଶ କରିବାକୁ ହୁଏ । ରୁଚିର ପରୀକ୍ଷା ହୁଏ ନାହିଁ । ପୁରୋଦୃଷ୍ଟିର ବିଚାର କରାଯାଏ ନାହିଁ; ଆଗ୍ରହ ବିଷୟରେ ଆଦୌ କୌଣସି ପ୍ରକାର ମୁଣ୍ଡ ନ ଖେଳାଇ ପଲଭିତରେ ମେଣ୍ଢା ପୂରାଇଲା ପରି ବିଭିନ୍ନ ବିଭାଗ ଗୁଡ଼ାକରେ ଛାତ୍ରଭରଣା କରି ନିଆଯାଏ । କିଏ ରାଜନୀତିଶାସ୍ତ୍ର ପଢ଼େ, କିଏ ଅର୍ଥନୀତି ପଢ଼େ, ଆଉ କିଏ ଭୂଗୋଳ ପଢ଼ୁ ପଢ଼ୁ ସଂସ୍କୃତ ଭିତରେ ଭର୍ତ୍ତି ହୋଇଯାଏ । କିଏ ଇଂରାଜୀ ନିଏ, କିଏ ଆନ୍ଥ୍ରୋପୋଲଜି ନିଏ, ଆଉ କିଏ ହୁଏତ ଇତିହାସ କିମ୍ୱା ଓଡ଼ିଆ ଭିତରେ ଯାଇ ପଶିଯାଏ । ସାଧାରଣତଃ ଯୋଉଟା ଯାହାକୁ ସହଜ ବୋଲି ମନେହୁଏ, ଅଥବା ଅଧିକ ଯୁକ୍ତିଯୁକ୍ତ ଭାବରେ କହିଲେ ଯୋଉଟା ଯାହାକୁ ସହଜରେ ମିଳିଯାଏ, ସିଏ ପ୍ରାୟ ସେଇଥିରେ ଭର୍ତ୍ତି ହୋଇଯାଏ; ମାତ୍ର ଯେଉଁ ବିଭାଗରେ ଯାଇ ପହଞ୍ଚିଲେ ମଧ୍ୟ ସେଠାରେ ପଢ଼ାଇବାବାଲାର ଆଗ୍ରହ ନ ଥାଏ କିମ୍ୱା ପଢ଼ିବାବାଲାର ବି ଆଗ୍ରହ ନ ଥାଏ । ତେଣୁ ଅତି ସହଜରେ ପାଠ ପଢ଼ାଇବା ତଥା ପାଠ ପଢ଼ିବାର ଧନ୍ଦାଟି ସମ୍ପାଦିତ ହୋଇଯାଏ, କିଏ ପଢ଼ିବାକୁ ଆସିଲା, କାହିଁକି ଆସିଲା ଆଗକୁ କ’ଣ ଆଖିରଖି ଆସିଲା, ସେକଥାକୁ ବସି ବିଚାରିବାର କିଛି ଆବଶ୍ୟକତା ନ ଥାଏ । ଖୁଆଡ଼ ପୂରିଗଲେ ପାଠ ପଢ଼ିବା ଆରମ୍ଭ ହୋଇଯାଏ, ବର୍ଷ ସରିଗଲେ ପରୀକ୍ଷା ହୁଏ ଓ କାମ ସରିଯାଏ । ସେଥିଲାଗି ତଥାକଥିତ ଏମ୍‌.ଏ ସ୍ତରରେ ମଧ୍ୟ ଶହେ କି ବିଶାଶହେ ଛାତ୍ର ଆସି ଜୁଟିଲେ ମଧ୍ୟ ସେଥିରେ କେହି ବିଚଳିତ ହୁଅନ୍ତି ନାହିଁ ଏବଂ ଅତ୍ୟନ୍ତ ନିରାସକ୍ତ ଭାବରେ ପଢ଼ିବା ଓ ପଢ଼ାଇବାର କାମଗୁଡ଼ାକୁ ସମ୍ପନ୍ନ ହେବାରେ ଲାଗିଥାଏ । ପରସ୍ପରର ଗଇଗୁଡ଼ାକୁ ପରସ୍ପର ଅତି ଚମତ୍କାର ଭାବରେ ବୁଝୁଥିଲା ପରି ପାଠୁଆ ତିଆରି କରିବାର ଓ ପାଠୁଆ ହେବାର କର୍ମକାଣ୍ଡଗୁଡ଼ାକୁ ଏକ ପାରମ୍ପରିକ ଗାମ୍ଭୀର୍ଯ୍ୟ ଓ ଆଡ଼ମ୍ୱର ସହିତ ସମାପନ କରି ନିଆଯାଏ, କିନ୍ତୁ ଏପରି କରିବା ଦ୍ୱାରା ମଣିଷର ମସ୍ତିଷ୍କ ପ୍ରତି ମଧ୍ୟ କେଡ଼େ ଅବିଚାର କରା ନ ଯାଏ !

 

ଯେଉଁ ସବୁ ଦେଶରେ ଶିକ୍ଷାକୁ ସଭ୍ୟଜୀବନର ଏକ ଆଶ୍ରୟରୂପେ ଗ୍ରହଣ କରାଯାଏ, ଅର୍ଥାତ୍‌ ଏକ ଶିକ୍ଷିତ ରୁଚିର ବିକାଶକୁ ଶିକ୍ଷାର ସର୍ବପ୍ରଧାନ ଅଭିପ୍ରାୟ ବୋଲି ଅନୁଭବ କରାଯାଏ, ସେଠାରେ ଅନ୍ୟ ରୀତିରେ କାର୍ଯ୍ୟ ସମାହିତ ହୁଏ । ସେଠି ଚାକିରିଟାଏ ପାଇବା ସକାଶେ ସମସ୍ତଙ୍କୁ ବିଶ୍ୱବିଦ୍ୟାଳୟର ଅଡ଼ା ଭିତର ଦେଇ କଦାପି ଅଡ଼ାଇ ଆଣିବାକୁ ପଡ଼େନାହିଁ । ଏପରି କି ଇଞ୍ଜିନିୟର ଅଥବା କୃଷି-ବିଶାରଦ ହେବାପାଇଁ ମଧ୍ୟ କେତେକ ଦେଶରେ ବିଶ୍ୱବିଦ୍ୟାଳୟକୁ ଯିବାକୁ ପଡ଼େ ନାହିଁ । ଯେଉଁମାନଙ୍କର ବିଶେଷ ରୁଚି ଓ ବିଶେଷ ଦକ୍ଷତା ଥାଏ, କେବଳ ସେଇମାନେ ହିଁ ବିଶ୍ୱବିଦ୍ୟାଳୟରେ ପଢ଼ନ୍ତି । ଖାସ୍‌ ଯେଉଁ ବିଷୟଟିରେ ରୁଚି ଥାଏ, ସେହି ବିଷୟଟିରେ ଦକ୍ଷତା ଅର୍ଜନ କରନ୍ତି । ତେଣୁ ସେହି ସବୁ କ୍ଷେତ୍ରରେ ଆଗ୍ରହୀ ଅଧ୍ୟାପକ ଆଗ୍ରହୀ ଛାତ୍ରକୁ ପାଠ ପଢ଼ାଏ, ଏବଂ ସେହି କାରଣରୁ ସେଠାରେ ଆମର ଏଠାଭଳି ଏଡ଼େ ସହଜରେ ଆଦୌ କାମ ଚଳିଯାଏ ନାହିଁ; ପାଠ ନ ପଢ଼ି ପାଠୁଆ ହୋଇ ହୁଏନାହିଁ । ପାଠ ନ ପଢ଼ି ପାଠ ପଢ଼ାଇ ବି ହୁଏ ନାହିଁ । ସେଠି ବୁଦ୍ଧିଜୀବୀ ବୁଦ୍ଧିର ହିଁ ବିକାଶ କରେ, ବୁଦ୍ଧି ଓ ବୁଦ୍ଧିଗତ ଜିଜ୍ଞାସାକୁ ଖଟାଇ ସ୍ୱନିର୍ବାଚିତ କୌଣସି ଏକ ବିଶେଷ କ୍ଷେତ୍ରରେ ଜୀବନକୁ ଜାଣିବାର ସୌଭାଗ୍ୟ ଅର୍ଜନ କରେ ଓ ସେହି ସୌଭାଗ୍ୟରୁ ତା’ର ଜାତି ଉପକୃତ ହୁଏ; ତା’ର ଦେଶ ଉପକୃତ ହୁଏ, ସ୍ୱୟଂ ବିଦ୍ୟା ମଧ୍ୟ ଉପକୃତ ହୁଏ । ସେଠାରେ ବୁଦ୍ଧିଲକ୍ଷ୍ମୀର ଯଥାର୍ଥ ଉପାସନା କରାଯାଏ, ବୁଦ୍ଧିକୁ ପ୍ରବଞ୍ଚିତ କରି ରଖି ଆମର ଏଠାଭଳି ଏ ପାଖରେ ନିଜକୁ ବୁଦ୍ଧିଜୀବୀ ବୋଲି ଦେଖାଇ ସେ ପାଖରେ ଧନଲକ୍ଷ୍ମୀ ଓ ପଦଲକ୍ଷ୍ମୀର ପ୍ରହରଣଗୁଡ଼ାକୁ ଲୋଡ଼ାଯାଏ ନାହିଁ । ବିଦ୍ୟାକୁ କୁଳର ଭୂଷଣ ରୂପେ ବ୍ୟବହାର କରାଯାଏ, କୁଳର ଅଙ୍ଗାର କରି ରଖାଯାଏ ନାହିଁ ।

 

ପାଠ ପଢ଼ିଲାବେଳେ ଆମେ ଏଠାରେ ତଥାପି ବିଦ୍ୟାର ଯେତିକି କର୍ଷଣ କରିଥାଉ, ପାଠ ପଢ଼ିସାରି ତାହା ଅମର ପ୍ରକୃତରେ କେଉଁ କାମରେ ଲାଗେ ? ଦରମା ଦେଲାବେଳେ ଯାହା ପଢ଼ିଥାଉ, ଦରମା ନେଲାବେଳେ ତାହା ଆମର ବା କାହାର ପ୍ରକୃତରେ କେଉଁ କାମରେ ଲାଗେ ? ଏବଂ ଆମର ଦେଶ ବା ଆମର ସମାଜ ତାହାଦ୍ୱାରା କେତେଦୂର ଓ କେଉଁଭଳି ଉପକୃତ ହୁଏ ? ହଁ ଏକଥା ସତ ଯେ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଡିଗ୍ରୀଟା ପାଇ ସାରିବା ପରେ ଯେଉଁମାନେ ଅଧ୍ୟାପକ ହୁଅନ୍ତି, ସେମାନେ ହୁଏତ ବାଧ୍ୟ ହୋଇ ଆପଣାର ତଥାକଥିତ ଅଧୀତ ବିଷୟର କ୍ଷେତ୍ରଟି ସହିତ ଆପଣାର ଖିଅ ଲଗାଇ ରଖିଥାଆନ୍ତି । ଅବଶ୍ୟ ଏକଥା ମଧ୍ୟ ସତ ଯେ ଅଧିକାଂଶ ସ୍ଥାନରେ ସେମାନେ ପାଠ ପଢ଼ିଲାବେଳେ ଯେତିକି ମାତ୍ର ପଢ଼ିଥାନ୍ତି, ପାଠ ପଢ଼େଇବାବେଳେ ମଧ୍ୟ କେବଳ ସେତିକିରେ ବା ସମ୍ଭବ ହେଲେ ତା’ଠାରୁ କମ୍‌ରେ ବି କାମ ଚଳାଇ ଦିଅନ୍ତି । ସେମାନେ ଆପଣାର ବୁଦ୍ଧିର ଯନ୍ତ୍ରଟାକୁ ଖାଲି ପକାଇ ପକାଇ ଦନ୍ଥଡ଼ା କଳଙ୍କିଲଗା କରି ପକାନ୍ତି ଏବଂ ସେଥିଲାଗି ଅଧିକାଂଶ ଅଧ୍ୟାପକଙ୍କର ଦର୍ଶନ କଲାବେଳେ ଆମର ଏଠି ସତେ ଅବା ଗୋଟାଏ କଳଙ୍କିଲଗା ଓ ଅତୀତରେ କେବେ କାମରେ ଲଗିଥିବା ଗୋଟାଏ କଳ ବା ଲଙ୍ଗଳର ଦର୍ଶନଲାଭ କଲାପରି ମନେ ହୋଇଥାଏ । ମାତ୍ର ଯେଉଁ ମୁଷ୍ଟିମେୟ ଡିଗ୍ରୀଧାରୀ ଅଧ୍ୟାପକ ହୁଅନ୍ତି, ସେମାନଙ୍କୁ ଛାଡ଼ିଦେଲେ ଅବଶିଷ୍ଟ ଅନେକ ସଂଖ୍ୟକ ଆମ ଦେଶର କେତେ ବହୁବିଧ କ୍ଷେତ୍ରରେ ଯେ ବିଚିତ୍ରବୀର୍ଯ୍ୟର ଭୂମିକାରେ ଉତ୍ତୀର୍ଣ୍ଣ ହେବାକୁ ଆସନ୍ତି, ତାହା ଦେଖିଲେ ଅନେକ ସମୟରେ ଆମ ପ୍ରତିଭାର ଅଭାବନୀୟ ବହୁକ୍ଷେତ୍ରୀୟ କାର୍ଯ୍ୟକାରିତା ଅର୍ଥାତ୍‌ ଅକାର୍ଯ୍ୟକାରିତା ବିଷୟରେ ପ୍ରକୃତରେ ବିସ୍ମିତ ହିଁ ହେବାକୁ ପଡ଼େ । ଆମର ଏଠି ଦର୍ଶନଶାସ୍ତ୍ରରେ ଉଚ୍ଚତମ ଶାଢ଼ୀ ବାନ୍ଧି ଅବକାରୀ ବିଭାଗର ଉଚ୍ଚ ଖଟୁଲିରେ ବସି ଗଞ୍ଜେଇ ଅଫିମ ଅଫିସର ହେବା ବି ସମ୍ଭବ ହୋଇପାରେ ଓ ସେଇଟାକୁ କେହି ଆଦୌ ଅସ୍ୱାଭାବିକ ବୋଲି ବିଚାରନ୍ତି ନାହିଁ । ଡିଗ୍ରୀ ଦେଖି ଦରମା ଦିଆଯାଏ ଓ ପଇସା ଦେଇ ପାଠ ପଢ଼ିଥିବାର ପ୍ରତିମୂଳ ଅବଶ୍ୟ ମିଳେ ସତ, ମାତ୍ର ଦର୍ଶନ ପଢ଼ିବାଟା ଯେପରି ବେଜିତ୍‌ ହେବାର ଲାଗିଥାଏ । ଆନ୍ଥ୍ରୋପୋଲଜିରେ ଏମ୍‌.ଏ.ଟାଏ ଧରି ବ୍ୟାଙ୍କ୍‌ ଚାକିରିରେ ଭର୍ତ୍ତି ହେବା କିମ୍ୱା ଓଡ଼ିଆରେ ଉତ୍ତରସ୍ନାତକ ବୋଲାଇ ଅଡ଼ିଟ୍‌ ଓ ଆକାଉଣ୍ଟାଟ ଘରେ ଯାଇ ଟେବୁଲଚଉକି ଭିତରେ ଶୋଭା ପାଇବାଦ୍ୱାରା ଉଦରଭରଣ ଅବଶ୍ୟ ହୁଏ ଓ ବେକାର ଉଚ୍ଚ ଶିକ୍ଷିତଙ୍କର ଥଇଥାନ ହୋଇଯାଏ ସତ, ମାତ୍ର ତଦ୍ଦ୍ୱାରା କୋଉ କ୍ଷେତ୍ରର ବୁଦ୍ଧି ବା ବ୍ୟୁତ୍ପତ୍ତିକୁ କୋଉ କ୍ଷେତ୍ରରେ ଆଣି ଉପେକ୍ଷିତ କରି ରଖା ନଯାଏ ? ଆମର ଏଠି ଟ୍ରେଜେରି ଅଫିସର ହେବାକୁ ମଧ୍ୟ ଡିଗ୍ରୀଟାଏ ଦରକାର ହୁଏ, ଜେଲର ହେବାଲାଗି ଡିଗ୍ରୀ ଲୋଡ଼ା ହୁଏ । ପୋଲିସ ଅଫିସର ହେବାକୁ ମଧ୍ୟ ବି.ଏ. କିମ୍ୱା ଏମ୍‌.ଏ.ଟାଏ ପାସ୍‍ କରିଥିବା ଦରକାର ପଡ଼େ । ଏହିସବୁ ସୁଆଙ୍ଗ ଓ ବରବାଦଗୁଡ଼ାକୁ ଦେଖି ମନେହୁଏ, ସତେ ଯେପରି ଏହି ଦେଶରେ ପାଠପଢ଼ି ହାସଲ କରାଯାଇଥିବା ଡିଗ୍ରୀଗୁଡ଼ାକର ଯଥାର୍ଥରେ କୌଣସି ମୂଲ୍ୟ ନାହିଁ ବୋଲି ଆଖିବୁଜି ସେଗୁଡ଼ାକୁ ଯେଉଁଠି ଇଚ୍ଛା ସଠି ଭରଣା କରିଦିଆଯାଇ ପାରୁଚି, ଅଥବା ଆମ ଦେଶର ଉଚ୍ଚ ପଦଗୁଡ଼ାକରେ ସତେ ଅବା; ଦାୟିତ୍ୱପୂର୍ଣ୍ଣ ଭାବର ପ୍ରାୟ ସେପରି କିଛି କରିବାକୁ ପଡ଼େନାହିଁ ବୋଲି ଧୋବ ଦେଖି ଯାହାକୁ ଗୋଟାଏ ଧରି ଚଉକି ଉପରେ ବସାଇଦେଲେ ମଧ୍ୟ ସେଠି ସିଏ ବାବୁହୋଇ ବସିବାର ଦାୟିତ୍ୱଟିକୁ ବେଶ୍‌ ତୁଲାଇଦେଇ ପାରୁଚି । ମାତ୍ର ଯେଉଁମାନେ Brain Drainର ସମସ୍ୟାକୁ ନେଇ ପ୍ରକୃତରେ ମଥା ଖେଳାନ୍ତି, ସେମାନେ ଏହିସବୁ ବ୍ୟାପାରକୁ କେବେ ସୁମରୀ ଭିତରେ ନିଅନ୍ତି କି ? ଆମରି ଦେଶରେ ଆମ ସମସ୍ତଙ୍କର ବର୍ତ୍ତନ ଖାଇ ଦେଶକୁ ଚଳାଉଥିବା ବୁଦ୍ଧିଜୀବୀ ଯେ ଏ ଦେଶରେ ବୁଦ୍ଧିର ସର୍ବଦୟନୀୟ ବିନାଶ କରିବାରେ ଲାଗିଚି, ଆମେ ସେକଥାଟାକୁ କେବେ ବିଚାରକୁ ନେଇଥାଉ କି ? ଏଠରେ କ୍ଷେତ୍ର ନ ପାଇ ବୁଦ୍ଧିଗୁଡ଼ାକୁ ବିଦେଶକୁ ବୋହି ଯାଉଚନ୍ତି ବୋଲି ଭାରି ବ୍ୟସ୍ତ ହୋଇ ତେଣେ ପଡ଼ିଥିବା ଘୋଳିଆଗୁଡ଼ାକୁ ଅତିଶୀଘ୍ର ବନ୍ଦ କରିବାର ବ୍ୟବସ୍ଥା କରାଯାଉ ବୋଲି ଉଚ୍ଛନ୍ନ ପାଟି କଲାବେଳେ ମୁଗୁରାଟା ଯୋଉଠି ଅସଲ ମେଲା ହୋଇ ଉଚ୍ଛନ୍ନ ସ୍ରୋତ ବହିବାରେ ଲାଗିଚି, ସେଇଟା ଉପରେ ଆମେ ଆଦୌ କୌଣସି ଦୃଷ୍ଟି ଦେଇଥାଉ କି ? ଆମ ଦେଶରେ ଅଫିସରୀ ଯାବତୀୟ କର୍ମ ଇଂରାଜୀ ଭାଷାରେ ଚାଲେ ଓ ହୁଏତ ସେଇଥି ସକାଶେ ଉଚ୍ଚ ଚଉକିମାନଙ୍କରେ କାମ ତୁଲାଇବା ସକାଶେ ଇଂରାଜୀ ପଢ଼ିଥିବା ଦରକାର ହୁଏ । ଏବଂ ସେଥିଲାଗି ଡିଗ୍ରୀଟାଏ ନ ହେଲେ ସେଠାରେ ଆଦୌ କାମ ଚଳେ ନାହିଁ । ଆମ ଦେଶର ଉଚ୍ଚଡିଗ୍ରୀଧାରୀ ଅବକାରୀ ଅଫିସରମାନେ ଇଂରାଜୀ ଫାଇଲପତ୍ରର ପୋଷାକୀ ବେହରଣ ଭିତରେ ରହି ଯେତିକି କାମ କରନ୍ତି ବା ଯେତିକି କାମ କରି ପାରିବାର ଯୋଗ୍ୟତା ରଖିଥାନ୍ତି, ଓଡ଼ିଆରେ କାମ ଚାଲୁଥିଲେ ସେହି ବିଭାଗର ଜଣେ ସାଧାରଣ କନଷ୍ଟେବଲ କିମ୍ୱା ଅଧସ୍ତନ ଆଉ କୌଣସି କର୍ମଚାରୀ ବିଭାଗୀୟ ଚାକିରିରେ ହୁଏତ ଦଶଟା ବର୍ଷର ଅଭିଜ୍ଞତା ଲାଭ କରିବା ପରେ ତାହାର ଦଶଗୁଣ ଅଧିକ କାମକରି ପାରନ୍ତା ଓ ଦଶଗୁଣ ଅଧିକ ଯୋଗ୍ୟତା ଦେଖାଇ ପାରନ୍ତା । ତେବେ ସେହି ପଦଲାଗି ଦର୍ଶନଗହନର ଗୋଟାଏ ଡିଗ୍ରୀଧାରୀ ଲାଗି ଆଉ କୌଣସି ଆବଶ୍ୟକତା ରହନ୍ତା ନାହିଁ । ଓଡ଼ିଆରେ କାମ ଚାଲୁଥିଲେ ପ୍ରଶାସନିକ ଯେ କୌଣସି ଅଫିସରେ ଦଶ କିମ୍ୱା ପନ୍ଦରବର୍ଷ ଅଭିଜ୍ଞତା ଲାଭ କରିଥିବା ଜଣେ ଦକ୍ଷ କିରାନୀ ହୁଏତ ଆଗକୁ ଆଗକୁ ଯାଇ ସେହି ବିଭାଗରେ ସର୍ବୋଚ୍ଚ ଅଫିସରର କାମକୁ ବେଶ୍‌ ତୁଲାଇ ପାରନ୍ତା ଏବଂ ସେଥିଲାଗି ଖାସ୍‌ ଅଫିସର ହେବାପାଇଁ ପ୍ରଶିକ୍ଷିତ ହୋଇ ଆସିଥିବା ସୁକୁମାରିଆ ପାଠୁଆମାନଙ୍କୁ ବାବୁକରି ବସାଇବାର ଅବକ୍ଷୟୀ ବୃତ୍ତିଟାକୁ ଆଦୌ ଆଦରିବାକୁ ପଡ଼ନ୍ତା ନାହିଁ । ଓଡ଼ିଆରେ କାମ ଚଳୁଥିଲେ ପୋଲିସ୍‌ କନଷ୍ଟେବଲ ମଧ୍ୟ ଉପରକୁ ଉଠି ଆବଶ୍ୟକୀୟ ବିଭାଗୀୟ ଦକ୍ଷତା ଦେଖାଇ ପୋଲିସ ଅଫିସର ହୋଇ ପାରନ୍ତା, ଜେଲ ଓ୍ୱାର୍ଡ଼ର ଜେଲର ହୋଇପାରନ୍ତା, ଖଜଣାଖାନାର ନାଜର ବା ପେସ୍‌କାର ତଥାକଥିତ ଟ୍ରେଜେରି ଅଫିସର ହୋଇ ପାରନ୍ତା । ତାହାହେଲେ ଏହିସବୁ କାମ ସକାଶେ ଆଉ ‘ରସକଲ୍ଲୋଳକ’ରେ ରମିଥିବା କିମ୍ୱା ସେକ୍‌ସପିଅର ବା ଇଲିଅଟ୍‌କୁ ଘୋରି ପିଇଥିବା ବାବୁମାନଙ୍କୁ ଅଫିସ ଭିତରକୁ ଧରିଆଣି ହଟହଟା ହେବାକୁ ପଡ଼ନ୍ତା ନାହିଁ । ବାବୁ ଓ ହାକିମ ହେବାର ଏକଚାଟିଆ ବନ୍ଧଗୁଡ଼ାକ ବି ଭାଙ୍ଗି ଯାଆନ୍ତା, ଏବଂ ଯୋଗ୍ୟତା ନାମର ବର୍ତ୍ତମାନ ପ୍ରଦର୍ଶିତ ହେଉଥିବା ଅପରୀକ୍ଷିତ ଅନେକାନେକ ମିଛଦମ୍ଭ ଲାଗି ଆଉ କୌଣସି ସ୍ଥାନ ରହନ୍ତା ନାହିଁ । ସେତେବେଳେ ଆମର ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରଧାନତଃ ଚାକିରିଲାଗି ଏକ ବରଣସଭା ନ ହୋଇ ବିଦ୍ୟାଗ୍ରହର ଅନୁଶୀଳନ ତଥା ଅଭିବର୍ଦ୍ଧନ ପାଇଁ ଏକ ଉପଯୁକ୍ତ ଆସ୍ଥାନ ହୋଇ ରହନ୍ତା । ସମାଜ ଅଧିକ ସୁସ୍ଥ ହୁଅନ୍ତା, ସମାଜରେ ଅଧିକ ଚଳନଶୀଳତା ରହନ୍ତା; ମଣିଷ ଆପଣାକୁ ମଣିଷ ପରି ଗଢ଼ି ପାରିବା ଲାଗି ଏକ ଅନୁକୂଳତର କ୍ଷେତ୍ର ହୋଇ ରହନ୍ତା । ବର୍ତ୍ତମାନର ଅନେକ ରଙ୍ଗ ଓ ପ୍ରହସନ ଏକାବେଳେକେ ଧରା ପଡ଼ି ଯାଆନ୍ତା, ସରକାରୀ ଉଚ୍ଚପଦମାନଙ୍କରେ ଧରା ପଡ଼ି ଯାଆନ୍ତା ଏବଂ ଆମ ବିଶ୍ୱବିଦ୍ୟାଳୟଗୁଡ଼ାକରେ ମଧ୍ୟ ଧରା ପଡ଼ି ଯାଆନ୍ତା । ଉଭୟ ଇଂରାଜୀ ଭାଷା ତଥା ଆପଣା ଭାଷାର ଇଜ୍ଜତ ରହନ୍ତା ଓ ଇଜ୍ଜତ ବଢ଼ନ୍ତା । ବର୍ତ୍ତମାନ ଯେପରି ଦେଶର ଶତକଡ଼ା ଅଠାନବେ ଜଣକ ଉପରେ ତଥାକଥିତ ଇଂରାଜୀ ପଢ଼ୁଆ ମାତ୍ର ଦୁଇ ଜଣଙ୍କର ଗୃହସ୍ୱାମୀତ୍ୱ ଅର୍ଥାତ୍‌ ଗୃହବ୍ୟଭିଚାର ଚାଲିଚି, ତାହା ବନ୍ଦ ହୋଇ ଯାଆନ୍ତା । ବୁଦ୍ଧିର ମହତ ରହନ୍ତା, ବୁଦ୍ଧିଜୀବୀ ହେବାର ମହତ ରହନ୍ତା । କେଉଁ ମସ୍ତିଷ୍କ ପ୍ରକୃତରେ କେଉଁ ଅର୍ଜ୍ଜନ କରିଚି ଏବଂ କେଉଁ ଦକ୍ଷତାର ଅନୁଶୀଳନ କରିଚି, ତାହାର କୌରସି ବିଚାର ନ କରି ତାକୁ ଯେଉଁଠି ମନ ସେଠି ଲଗାଇ ଦେବାର ଯେଉଁ ଅପଚାର ଗୁଡ଼ାକ ବର୍ତ୍ତମାନ ସକଳ ଔପଚାରିକତା ସହିତ ଦେଶବ୍ୟାପୀ ଚାଲିଚି, ତାହାର ଅବସାନ ଘଟନ୍ତା, ସମାଜ ଉଶ୍ୱାସ ହୁଅନ୍ତା । ଜୀବନର ଭୂମିଗୁଡ଼ାକ ବି ଉଶ୍ୱାସ ହୁଅନ୍ତା ।

 

ଆମ ମାନସଜୀବନର ନାନା ବୃତ୍ତି ଭିତରୁ ଆମର ବୁଦ୍ଧି ହେଉଚି ଗୋଟିଏ । ପୃଥିବୀର ପ୍ରାୟ ସବୁ ମଣିଷ ବୁଦ୍ଧିଗତ ସମାନ ସମ୍ଭାବନା ନେଇ ପୃଥିବୀକୁ ଆସନ୍ତି ସତ, ମାତ୍ର ସାମାଜିକ ତଥା କ୍ଷେତ୍ରଗତ ଭିନ୍ନ ଭିନ୍ନ ଅନ୍ତଃପରିବେଶ ଏବଂ ବହିଃ-ପରିବେଶ ଅନୁସାରେ ଏହି ବୁଦ୍ଧିର ବିକାଶ କାହାର ଯଥାର୍ଥ ଭାବରେ ହୁଏ, ପୁଣି ଆଉ କାହାର ଯଥାର୍ଥ ଭାବରେ ହୋଇ ପାରେ ନାହିଁ । ଆପଣାର ଶୂନ୍ୟତା ଓ ଭୀରୁତାଗୁଡ଼ାକୁ ଲୁଚାଇ ରଖିବାରେ ହିଁ କିଏ ଆପଣା ବୁଦ୍ଧିର ସକଳ ସାମର୍ଥ୍ୟକୁ ପ୍ରୟୋଗ କରିବାରେ ଲାଗିଥାଏ । ଚାହାଳୀର ଚୋର ପରି ଜୀବନର ସକଳ ଚାହାଳୀରୁ ବାହାରେ ବାହାରେ ରହି ତଥାପି ଜୀବନର ଯାବତୀୟ ମଉକାକୁ ସିଆଣିଆ ହୋଇ ମାରି ନେବାକୁ ଆଉ କିଏ ଆପଣା ବୁଦ୍ଧିର ଅପପ୍ରୟୋଗ ମଧ୍ୟ କରିଥାଏ । ସୁବିଧାବାଦୀର ବୁଦ୍ଧି ସୁବିଧା ମାରି ନେବାରେ ନିୟୋଜିତ ହୁଏ, ପରବଶ ଦାସ ହୋଇ ବସିଥିବା ବୁଦ୍ଧି ବାହାରକୁ ଯେଡ଼େ ସୌଖିନ ହୋଇ ଦେଖା ଯାଉଥିଲେ ମଧ୍ୟ କେବଳ ଆପଣାର ଦାସତ୍ୱଟାକୁ ହିଁ ବଡ଼ ଜବର କରି ରଖିବାରେ ବ୍ୟବହୃତ ହେଉଥାଏ । ଏହି ମାର୍କାର ବୁଦ୍ଧିଗୁଡ଼ାକ ଅନେକ ସମୟରେ ସାରା ଦୁନିଆଟାକୁ ଜଳକା ବୋଲି ସିନା ଭାବୁଥାଏ, ମାତ୍ର ଜୀବନର ଅସଲ ଅର୍ଜନଶାଳାରେ ଆପେ ଜଳକା ହୋଇ ବସିଥାଏ । ତା’ ବୁଦ୍ଧିର କୌଣସି ଯଥାର୍ଥ କର୍ଷଣ କିମ୍ୱା ବିକାଶ ସମ୍ଭବ ହୁଏ ନାହିଁ । ଆମ ଦେଶର ବୁଦ୍ଧିଜୀବୀମାନେ ସମଗ୍ରତଃ ଆପଣାକୁ ଲୁଚାଇ ରଖିବାରେ ହିଁ ଆପଣାର ବୁଦ୍ଧି ଗୁଡ଼ାକୁ ଖଟାଇବାରେ ଲାଗିଥାନ୍ତି । ଭୀରୁପରି ବାଟକୁ ଡରି ଗୋହରି ବାଟରେ ବୁଲୁଥାନ୍ତି ଏବଂ ଆପେ ଯାହା ନୁହନ୍ତି, ନିଜକୁ ଗୋଟାସୁଦ୍ଧା ପ୍ରାୟ ସେହିଭଳି ଦେଖାଇବାରେ ବ୍ୟସ୍ତ ରହିଥାନ୍ତି । ଜୀବନରୁ ପଳାଇ ଯାଇ ଓ ଜୀବନର ସମ୍ମୁଖୀନ ହୋଇ ନ ପାରି ସବୁରି ସହିତ ସିଧା ମଣିଷଙ୍କ ଭଳି ବଞ୍ଚି ନ ପାରି ଆପଣାକୁ ନାନା ରକ୍ଷାକାନ୍ଥ ଭିତରେ ଲୁଚାଇ ରଖିବାର ଯେତେଯେତେ ମେକାନିଜମ୍‌ ବା ଫିସାଦ ରହିଚି, ଆମର ବୁଦ୍ଧିଜୀବୀ ବାବୁ ଓ ହାକିମମାନେ ସତେଅବା ସେଇଗୁଡ଼ାକ ସହିତ ଏକାଠି ଘର କରି ରହିଥାନ୍ତି । ସେମାନେ ଆପଣା ସହତି ସତେ ଅବା ସପତ୍ନୀର ଆଚରଣ କରୁଥାଆନ୍ତି ଓ ତେଣେ ବାହାର ପ୍ରଚଣ୍ଡ ହୋଇ ଦିଶିବାର ଶ୍ରମତଣ୍ଡ କରିବାରେ ଲାଗିଥାନ୍ତି; ଏଭଳି କ୍ଷେତ୍ରରେ ବୁଦ୍ଧି ଉଜୁଡ଼ିଯିବ ନାହିଁ ତ ଆଉ କ’ଣ ହେବ ? ଏବଂ ଏହି ଉଜୁଡ଼ା ଓ ଓଲଟା ବୁଦ୍ଧିଗୁଡ଼ାକ ଏଠି ସମାଜରେ ପ୍ରକୃତରେ କାହାର କି କାମରେ ଲାଗି ପାରିବ ? ତେଣୁ ଆମର ଘର ଭିତରେ ପୂର୍ଣ୍ଣ ବୈଭବର ସହିତ ଉଜୁଡ଼ି ଯିବାର ଏହି ସୁଅଗୁଡ଼ାକ ଚାଲିଥିବା ପର୍ଯ୍ୟନ୍ତ ଆମେ କ’ଣ ତଥାପି କେବଳ ବାହାରକୁ ଚାଲି ଯାଉଥିବା ମଥା ଗୁଡ଼ାକର ସମସ୍ୟାଟାକୁ ଏତେ ବଡ଼କରି ଦେଖାଇ ପାଟି କରିବାରେ ଲାଗିଥିବା ଏବଂ କେବଳ ସେତିକିର ସମାଧାନ ହୋଇଗଲେ ଆମ ଦେଶର Brain Drain ବନ୍ଦ ହୋଇ ପାରିବ କି ?

 

୧୮ ।୭ ।୭୨ [ଅନୁରାଗ, ପ୍ରଥମ ବର୍ଷ, ଚତୁର୍ଥ ସଂଖ୍ୟା]

☆☆☆

 

ଉଚ୍ଛନ୍ନ ସ୍ରୋତ (୪)

 

ମଣିଷ ମାତ୍ରକେ ମଥା ସମସ୍ତଙ୍କର ରହିଚି, ଅର୍ଥାତ୍‌ ମସ୍ତିଷ୍କ ଶକ୍ତି ରହିଚି । ଆଗେ କେତେବେଳେ ହୁଏତ ଭାବୁଥିଲେ ଯେ କେବଳ କେତେଟା ବିଶେଷ ଶ୍ରେଣୀ ବା ଜାତିର ହିଁ ମଥାରେ କିଛି ଶକ୍ତି ରହିଚି । ଅର୍ଥାତ୍‌ କେବଳ ଗୋରାଙ୍କର ଅଛି, କଳାଙ୍କର ନାହିଁ; କେବଳ ପୁରୁଷଙ୍କର ଅଛି, ସ୍ତ୍ରୀମାନଙ୍କର ନାହିଁ; ମଥାର ଶକ୍ତିକୁ ମାପୁଥିବା ତଥାକଥିତ ବୈଜ୍ଞାନିକମାନେ ମଧ୍ୟ ଏକାଦ ଏହିପରି ଭାବୁଥିଲେ ଓ ଆପଣାର ମାପମାନଯନ୍ତ୍ର ସାହାଯ୍ୟରେ ଠିକ୍‌ ସେହିଭଳି ସିଦ୍ଧାନ୍ତରେ ଆସି ପହଞ୍ଚୁଥିଲେ । ଏବେ ସେହିକାଳ ଚାଲିଗଲାଣି, ସେହି ବିଜ୍ଞାନ ଭୁଲ୍‌ ବୋଲି ସାବ୍ୟସ୍ତ ହୋଇ ସାରିଲାଣି । ମଥା ସମସ୍ତଙ୍କର ଅଛି; ଜାତି ଧର୍ମ ଓ ଦେହର ରଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ମଣିଷ ଭିତରେ ମଥାର ଅମିତଶକ୍ତି ବା ସମ୍ଭାବନା ନିହିତ ହୋଇ ରହିଚି ଓ ଯଥୋପଯୁକ୍ତ ପରିସର ପାଇଲେ ତାହା ଯଥାସମ୍ଭବ ପରିପୂର୍ଣ୍ଣଭାବରେ ଅବଶ୍ୟ ବିକଶିତ ହୋଇ ପାରିବ । ଏହାହିଁ ହେଉଚି ବର୍ତ୍ତମାନ ବିଜ୍ଞାନର ସିଦ୍ଧାନ୍ତ ଓ ଆଧୁନିକ ମଣିଷର ଜୀବନଧାରା ଗତ-ଜୀବନପ୍ରେରକ ବିଶ୍ୱାସ ।

 

ଆମ ଭାରତବର୍ଷରେ ଆଗର ସେହି ଅନ୍ଧବିଶ୍ୱାସଟା ହୁଏତ ଏପର୍ଯ୍ୟନ୍ତ ବି ଭାରି ଘନ ହୋଇ ରହିଚି, ଆଗେ ସ୍ୱୀକୃତତତ୍ତ୍ୱ ଓ ସତ୍ୟର ସମର୍ଥନରେ ରହିଥିଲା ଏବଂ ତାହା ବର୍ତ୍ତମାନ ମଧ୍ୟ ରହିଚି । ଏଠି ସବର୍ଣ୍ଣମାନେ ହୁଏତ ବର୍ତ୍ତମାନ ମଧ୍ୟ ଅଧିକାଂଶତଃ ଭାବନ୍ତି ଯେ କେବଳ ସବର୍ଣ୍ଣମାନଙ୍କର ହିଁ ମଥାର ଅନୁଶୀଳନ କରିବାର ଅଧିକାର ରହିଚି ଓ ଧର୍ମର ନିରୂପଣ କରୁଥିବା ବିଧାତାର ବିଧାନ ଅନୁଯାୟୀ ସବର୍ଣ୍ଣେତର ଆଉମାନଙ୍କୁ ସେଥିଲାଗି ଆଦୌ କୌଣସି ଅଧିକାର ଦିଆ ଯାଇନାହିଁ । ଆମ ଦେଶରେ ଧନୀମାନଙ୍କ ଭିତରେ ଏହିଭଳି ଏକ ଆତ୍ମସଚେତ ଓ ଦୁଷ୍ଟ ବିଶ୍ୱାସ ହୁଏତ ଏପର୍ଯ୍ୟନ୍ତ ମଧ୍ୟ ବଦ୍ଧମୂଳ ହୋଇ ରହିଚି ଯେ ଆପଣାର ହାତରେ ବ୍ୟବସ୍ଥାଗୁଡ଼ାକର ରଜ୍ଜୁ ରହିଥିବା ପର୍ଯ୍ୟନ୍ତ କେବଳ ଧନୀମାନେ ହିଁ ଆପଣାକୁ ଯୋଗ୍ୟରୁ ଯୋଗ୍ୟତର କରିବା ଲାଗି ଅଧିକରୁ ଅଧିକ ସୁବିଧା ପାଇବେ ଏବଂ ଧନହୀନ ଆଉ ସମସ୍ତେ ସେଥିରୁ ନ୍ୟାୟତଃ ବଞ୍ଚିତ ହୋଇ ରହିବେ । ସହରରେ ବାସ କରୁଥିବା ଅନେକ ଅବସ୍ଥାପନ୍ନ ଲୋକ ହୁଏତ ଆପଣାର ବିଶ୍ୱାସ ନାମରେ ଏହିଭଳି ଏକ ଆଣ୍ଟକୁ ଭାରି ପ୍ରୋତ୍ସାହନ ଦିଅନ୍ତି ଓ ଗାଆଁର ମଣିଷଙ୍କୁ ବୌଦ୍ଧିକ ଯାବତୀୟ କ୍ଷେତ୍ରର ବହିର୍ଭୂତ ବୋଲି ଭାବଥାନ୍ତି । ଯେଉଁ କୋଟି କୋଟି ମଣିଷ ଗାଆଁରେ ଅଛନ୍ତି ପୋକ ଓ ମାଛିପରି ଜୀବନର ବିଭିନ୍ନ ଅବସ୍ଥାଗୁଡ଼ାକୁ କଟାଇ ଶେଷରେ ଭାଗ୍ୟର ନିର୍ଘଣ୍ଟ ଅନୁସାରେ ମରିଯିବାକୁ ହିଁ ଜୀବନ ବୋଲି ଆଦରି ରହିଚନ୍ତି, ସେମାନଙ୍କର ପ୍ରକୃତରେ ଗୋଟାଏ ଗୋଟାଏ ମଥା ରହିଚି ଓ ସେଗୁଡ଼ାକର ବି ବିକାଶ ହେବା ଉଚିତ ବୋଲି ସେମାନେ ହୁଏତ ଭାବିବାକୁ ମଧ୍ୟ ଭୟ କରନ୍ତି । ସମସ୍ତେ ପାଠ ପଢ଼ିଲେ, ଅର୍ଥାତ୍‌ ସମସ୍ତଙ୍କୁ ବୁଦ୍ଧିଗତ ନୈପୁଣ୍ୟବିକାଶର ସୁଯୋଗ ଦିଆଗଲେ ସତେ ଅବା ଏପର୍ଯ୍ୟନ୍ତ ଗୁଣର ସଭାରୁ ବହିଷ୍କୃତ ହୋଇ ରହିଥିବା ଅସୁମାରି ଲୋକ ବର୍ତ୍ତମାନର ଏକଚାଟିଆ ଓ ଅନ୍ଧାରୁଆ ଆସ୍ଥାନଗୁଡ଼ିକରେ ଆସି ଭର୍ତ୍ତି ହୋଇଯିବେ ଏବଂ ତଦ୍ଦ୍ୱାରା ଦେଶରେ କେବଳ ଆପେ ହିଁ ବୁଦ୍ଧି ତଥା ଗୁଣର ଏକମାତ୍ର ଅଧିକାରୀ ବୋଲାଇବାର ମଉରସୀ ବୃତ୍ତିଟା ଯେ ଏକାବେଳକେ ଭଣ୍ଡୁର ହୋଇଯିବ, ସହରର ମଣିଷମାନେ ଏହିଭଳି ଏକ ଭୟ କରିଥାନ୍ତି !

 

୧୯୦୧ରେ ଆମର ଏହି ଦେଶରେ ଶହେ ଜଣରେ ମାତ୍ର ଛଅ ଜଣ ସାକ୍ଷର ଥିଲେ । ଦେଶ ସ୍ୱାଧୀନତା ପାଇଲାବେଳକୁ ୧୯୪୭ ରେ ଏହି ସଂଖ୍ୟା ଛଅରୁ ବଢ଼ି ପ୍ରାୟ ବାର ପର୍ଯ୍ୟନ୍ତ ଆସିଥିଲା ଏବଂ ସ୍ୱାଧୀନ ହେବାର ପଚିଶି ବର୍ଷ ପରେ ଏହା ଶତକଡ଼ା ୨୯.୩୫ ପର୍ଯ୍ୟନ୍ତ ଆସିଚି । ଅଙ୍କ ହିସାବ ଅନୁସାରେ ଅଗ୍ରଗତି ନିଶ୍ଚୟ ହୋଇଚି । ସରକାରଙ୍କ ତରଫରୁ ବି କେବଳ ଏହି ଅଗ୍ରଗତିର କଥାଟା ହିଁ କୁହା ଯାଉଚି । ବୃଦ୍ଧି ପାଖରୁ ବିଚାର କଲେ ସିନା କେବଳ ବୃଦ୍ଧିଟା ହିଁ ଆଖିକୁ ଏଡ଼େ ବଡ଼ ହୋଇ ଦିଶୁଚି, ମାତ୍ର ଅନ୍ୟ ପାଖଟାକୁ ଆଖି ପକାଇଲେ ଏ କଥାଟା ମଧ୍ୟ ଭାରି ସ୍ପଷ୍ଟ ହୋଇ ଯାଉଚି ଯେ ଆମ ଦେଶରେ ବର୍ତ୍ତମାନ ମଧ୍ୟ ପ୍ରତି ଶହେ ଜଣରେ ସତୁରି ଜଣ ମଣିଷ ସକଳ ପ୍ରକାର ଶିକ୍ଷାରୁ ବଞ୍ଚିତ ହୋଇ ରହିଚନ୍ତି । ୧୯୭୧ ମସିହାର ଜନ ସୁମାରି ଅନୁସାରେ ଆମ ଦେଶରେ ଶତକଡ଼ା ୩୯. ୪୯ ପୁରୁଷ ଓ ୧୮.୪୭ ସ୍ତ୍ରୀ ସାକ୍ଷର ଅଛନ୍ତି । ଠିକ୍‌ ଦଶବର୍ଷ ତଳେ ୧୯୬୧ ରେ ଶହକରେ ୩୫.୧୦ ପୁରୁଷ ଓ ୧୨.୯୫ ସ୍ତ୍ରୀ ସାକ୍ଷର ଥିଲେ । ୧୯୭୧ ରେ ହିସାବ ଅନୁସାରେ ସବୁଠାରୁ ଅଧିକ ସାକ୍ଷର ଚଣ୍ତୀଗଡ଼ରେ ଅଛନ୍ତି । ତା’ ପଛକୁ କେରଳ ଓ ତା’ ପଛକୁ ଦିଲ୍ଲୀ । ଏବେ ଅରୁଣାଚଳ ନାମରେ ଏକ ନୂତନ ରାଜ୍ୟରୂପେ ପ୍ରତିଷ୍ଠିତ ହୋଇଥିବା ଦେଶର ଉତ୍ତର-ପୂର୍ବ ସୀମାପ୍ରଦେଶରେ ଶହରେ ମୋଟେ ୯.୩୪ ଜଣ ସାକ୍ଷର ରହିଚନ୍ତି । ଦେଶର ଶିକ୍ଷା ସୁମାରିରେ ସର୍ବନିମ୍ନ ବୋଲାଇବାରେ ଗୌରବ ସେହି ଅରୁଣାଚଳକୁ ମିଳିଚି । ଆମ ଓଡ଼ିଶାରେ ସର୍ବଭାରତୀୟ ହାରାହାରି ସ୍ତରରୁ କମ୍‌ସଂଖ୍ୟକ ସାକ୍ଷର ଅଛନ୍ତି । ଏଠାରେ ଶତକଡ଼ା ୨୬.୧୮ ପଢ଼ି ଲେଖି ଜାଣିଛନ୍ତି ଏବଂ ହରିଜନମାନଙ୍କ ମଧ୍ୟରେ ମାତ୍ର ୧୫.୬୧% ଏବଂ ଆଦିବାସୀଙ୍କ ମଧ୍ୟରେ ମାତ୍ର ୯.୪୬% ସାକ୍ଷରତାର ସରହଦ ଭିତରେ ପ୍ରବେଶ କରି ପାରିଛନ୍ତି ।

 

ଆମ ଦେଶର ସଂବିଧାନ ଲେଖା ହେଲାବେଳେ ପରମ ଉତ୍ସାହୀ ବଡ଼ମାନେ ଏହି ମଣିଷମାନଙ୍କୁ ନେଇ କେତେ କଅଣ ସ୍ୱପ୍ନ ଦେଖିଥିଲେ । ଅନୁରୂପ ନିଷ୍ଠ ଓ ସଂକଳ୍ପ ନେଇ ସ୍ୱପ୍ନଗୁଡ଼ାକୁ କାର୍ଯ୍ୟକାରୀ କରି ପାରିଲେ ଯାଇ ଯେ ସ୍ୱପ୍ନ ଦେଖିବାର ପ୍ରକୃତରେ କୌଣସି ମର୍ଯ୍ୟାଦା ରହେ ସେ ବିଷୟରେ ହୁଏତ ଆଦୌ କୌଣସି ସଚେତନତା ନ ଥାଇ ସେମାନେ ଏହି ସ୍ୱପ୍ନଗୁଡ଼ାକୁ ଦେଖିଥିଲେ । ସମ୍ଭବତଃ ସେଥିଲାଗି ଏଡ଼େ ବଡ଼ ଦେଶର ସଂବିଧାନଟା ମୂଳତଃ ଏକ ସ୍ୱପ୍ନଚାରଣାକାଳୀନ ଶାସ୍ତ୍ର ହୋଇ ରହିଲା, ଏକ ପବିତ୍ର ପୋଥି ହୋଇ ରହିଲା ସତ, ମାତ୍ର ଆମକୁ ସାହସ ବାନ୍ଧି ଆଗକୁ ପାଦ ପକାଇବାର ପ୍ରେରଣା ଦେଇ ପାରିଲା ନାହିଁ । ସେହି ସଂବିଧାନରେ ସ୍ୱପ୍ନ ଦେଖା ହୋଇଥିଲା ଯେ ପରବର୍ତ୍ତୀ ପନ୍ଦରବର୍ଷ ମଧ୍ୟରେ ଅର୍ଥାତ୍‌ ୧୯୬୫ ସୁଦ୍ଧା ଭାରତବର୍ଷରେ ସ୍କୁଲ ଯିବାର ଯୋଗ୍ୟ ଅର୍ଥାତ୍‌ ଛଅରୁ ଚଉଦ ପର୍ଯ୍ୟନ୍ତ ବୟସର ସବୁ ପିଲାଙ୍କୁ ସ୍କୁଲକୁ ନେଇ ପାଠ ପଢ଼ାଇବାର ବ୍ୟବସ୍ଥା କରାଯିବ । ବର୍ତ୍ତମାନ ୧୯୬୫ ଯାଇ ୧୯୭୦ ହେଲାଣି, ସେହି ସ୍ୱପ୍ନ-ଦମ୍ଭଗୁଡ଼ାକ ମଧ୍ୟ କେଉଁ ଅତୀତର ଗାଡ଼ ଭିତରେ ବିସ୍ମୃତ ହୋଇ ରହିଲାଣି । କଳ୍ପିତ ସେହି ଯୋଜନାଟି କୌଣସି ପ୍ରକାରେ କାର୍ଯ୍ୟରେ ପରିଣତ ହୋଇ ପାରିବ ନାହିଁ ବୋଲି ଯେତେବେଳେ ଆମ ବଡ଼ ଓ ବିଶେଷଜ୍ଞମାନେ ସ୍ପଷ୍ଟ ଜାଣି ପାରିଲେ, ସେତେବେଳେ ସେମାନେ ୧୯୬୭ ଭିତରେ ଅନ୍ତତଃ ଛଅରୁ ଏଗାର ବର୍ଷ ବୟସର ସବୁ ପିଲାଙ୍କୁ ସ୍କୁଲଙ୍କୁ ଆଣିବାର ଏକ ଖଣ୍ଡଯୋଜନା ତିଆରି କରିଥିଲେ । ସେତିକି ମଧ୍ୟ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଶିକ୍ଷାମନ୍ତ୍ରୀମାନେ ଖୁବ୍‌ ଭାଷଣ ଦେଲେ, କିନ୍ତୁ ଦେଶର ସବୁଯାକ ପିଲାଙ୍କୁ ଲୋଡ଼ିବସିଲା ବେଳକୁ ଆଦୌ ପଇସା ଅଣ୍ଟିଲା ନାହିଁ । ବର୍ତ୍ତମାନ ସ୍ଥିତିରୁ ଯାହା ଜଣାଯାଉଚି, ୧୮୮୦-୮୫ ସରିକି ମଧ୍ୟ ଶିକ୍ଷାଯୋଜନାର ସେହି ଅଳପିକିଆ ସ୍ୱପ୍ନଟି ବି ହୁଏତ ଦେଶର ସବୁ ରାଜ୍ୟରେ କଦାପି କାର୍ଯ୍ୟକାରୀ ହୋଇ ପାରିବ ନାହିଁ ।

 

ଆମ ଜାତୀୟ ଶିକ୍ଷା ପରିମାପନର କ୍ଷେତ୍ରରେ ଏକ ସବୁଠାରୁ ବଡ଼ ବିଡ଼ମ୍ୱନା ହେଉଚି ଯେ, ଏଠି ଦେଶର ସାକ୍ଷର ସଂଖ୍ୟା ଯେମିତି ବଢ଼ି ବଢ଼ି ଚାଲିଛି, ତେଣେ ନିରକ୍ଷରମାନଙ୍କର ସଂଖ୍ୟା ମଧ୍ୟ ସେହିପରି ବଢ଼ି ବଢ଼ି ଚାଲିଛି । ଅର୍ଥାତ୍‌, ଶତାନୁପାତିକ ହିସାବ ଅନୁସାରେ ଆମ ଦେଶର ସାକ୍ଷରମାନଙ୍କର ସଂଖ୍ୟା ବେଶ୍‌ ବଢ଼ୁଚି, କିନ୍ତୁ ତେଣେ ମଣିଷଙ୍କର ମୁଣ୍ଡସୁମାରି କଲାବେଳକୁ କାର୍ଯ୍ୟତଃ ନିରକ୍ଷରଙ୍କର ସଂଖ୍ୟାଟି ବି ବଢ଼ିବାରେ ଲାଗିଚି । ଅର୍ଥାତ୍‌ ୧୯୫୧ରେ ଆମ ଦେଶରେ ଯେତେ ନିରକ୍ଷର ଥିଲେ, ୧୯୬୧ରେ ସେମାନେ ତାହାଠାରୁ ଅଧିକ ହେଲେ ଓ ୧୯୭୧ ରେ ଆହୁରି ଅଧିକ ହେଲେ । ସଂଖ୍ୟାରେ କହିଲେ, ୧୦୧ ବେଳକୁ ଭାରତବର୍ଷରେ ପ୍ରାୟ୨୨ କୋଟି ମଣିଷ ନିରକ୍ଷର ଥିଲେ; ଠିକ୍‌ ପଚାଶବର୍ଷ ପରେ, ଅର୍ଥାତ୍‌ ୧୯୫୧ରେ ଏମାନଙ୍କର ସଂଖ୍ୟା ୨୯ କୋଟିରେ ଆସି ପହଞ୍ଚିଲା । ୧୯୬୧ରେ ୩୩ କୋଟିକୁ ଟପିଲା ଓ ୧୯୭୧ ଜନଗଣନାରୁ ଭାରତବର୍ଷରେ ୩୮ କୋଟିରୁ ଅଧିକ ନିରକ୍ଷର ରହିଛନ୍ତି ବୋଲି ଜଣା ପଡ଼ିଲା । ବୃଦ୍ଧିର ଏହି ଅନୁପାତଟି ଅନୁସାରେ ବିଚାର କରିବାକୁ ଯାଇ ଆମେ ଜାଣିବାକୁ ପାଇବା ଯେ ଆମ ଦେଶରେ ଦଶବର୍ଷକୁ ଶତକଡ଼ା ପ୍ରାୟ ୨୫ ହିସାବରେ ଜନସଂଖ୍ୟା ବୃଦ୍ଧି ପାଉଚି ଏବଂ ସେହି ସମୟଟି ଭିତରେ ସାକ୍ଷରସଂଖ୍ୟା ମୋଟେ ଶତକଡ଼ା ଛଅ ବୃଦ୍ଧି ପାଉଚି । ଅର୍ଥାତ୍‌ ମଣିଷଙ୍କର ସଂଖ୍ୟା ଏହି ପରିମାଣରେ ବଢ଼ିବାରେ ଲାଗିଥିବା ପର୍ଯ୍ୟନ୍ତ ଆମଦେଶରେ ନିରକ୍ଷରଙ୍କର ସଂଖ୍ୟା ମଧ୍ୟ ଯେ ବୃଦ୍ଧି ପାଉଥିବ, ହିସାବ ଦେଖାଇ ଦେଶର ପ୍ରଗତିକୁ ମାପୁଥିବା ବିଜ୍ଞମାନେ ଆମକୁ ଏହିପରି ଏକ ସତର୍କବାଣୀ ଶୁଣାଇବାରେ ଲାଗିଚନ୍ତି । ସେମାନେ କହୁଚନ୍ତି ଯେ ଜନସଂଖ୍ୟାବୃଦ୍ଧିର ଅନୁପାତଟାକୁ ନ କମାଇବା ପର୍ଯ୍ୟନ୍ତ ଏହି ଦେଶକୁ କଦାପି ସମ୍ପୂର୍ଣ୍ଣ ସାକ୍ଷର କରାଯାଇ ପାରିବ ନାହିଁ । ବେଳେ ବେଳେ ମନେ ହୁଏ, ସେମାନେ ଯେପରି ଜନସଂଖ୍ୟା-ବୃଦ୍ଧିକୁ ହିଁ ନିରକ୍ଷରତା ବୃଦ୍ଧିର କାରଣ ବୋଲି ମଧ୍ୟ ଧରିନେଉଛନ୍ତି । ମଣିଷଙ୍କର ସଂଖ୍ୟା ବଢ଼ିଲେ ନିରକ୍ଷରଙ୍କ ସଂଖ୍ୟା ଆପେ ଆପେ ବଢ଼ିଯାଏ ନାହିଁ । ଯେଉଁଠାରେ ମଣିଷକୁ ଅବହେଳିତ କରି ରଖାଯାଏ, ସେଇଠାରେ ହିଁ ମଣିଷ ନିରକ୍ଷର ହୋଇ ରହେ, ପ୍ରବଞ୍ଚିତ ହୋଇ ରହେ, ଉଚ୍ଚ ଅଟ୍ଟାଳିକା ପାଖରେ ରହିଥିବା ନର୍ଦ୍ଦମା ହୋଇ ରହେ । ଆମର ଏହି ଦେଶରେ ସହର ଅନୁପାତରେ ସହରତଳି ଅଞ୍ଚଳ ବେଶୀ ରହିଚି । ଅଳ୍ପ କେତେକ ମଣିଷଙ୍କର ଗୌରବଗୁଡ଼ାକୁ ଅଶେଷଗୁଣ କରି ରଖିବା ଲାଗି ଅନେକକୋଟି ମଣିଷଙ୍କୁ ଅଳିଆଗଦାରେ ଫିଙ୍ଗି ଦିଆଯାଇଚି । ଏଠାରେ ମଥା କହିଲେ କେବଳ କେତେ ଜଣଙ୍କର ମଥାକୁ ବୁଝାଉଚି । ମଣିଷମାତ୍ରେ ସମସ୍ତଙ୍କର ମଥାକୁ ବୁଝାଉନାହିଁ । ସମସ୍ତଙ୍କର ମସ୍ତିଷ୍କର ବିକାଶ ଲାଗି ପରିପୂର୍ଣ୍ଣ ପରିସରର ସୃଷ୍ଟି କରାଗଲେ ତଦ୍ଦ୍ୱାରା ଦେଶ ଯେ ଅନେକ ଗୁଣ ଅଧିକ ଲାଭବାନ୍‌ ହେବ ଓ ବୁଦ୍ଧିର ଗୁଣାତ୍ମକ ବିକାଶ ମଧ୍ୟ ହୋଇ ପାରିବ, ଏହି ସତ୍ୟଟିକୁ ଭିତ୍ତିରୂପେ ମାନି ଏଠି ଯଥେଷ୍ଟ ଗୁରୁତ୍ୱ ଦିଆଯାଇ ପ୍ରାୟ କିଛି ହେଉନାହିଁ । ତେଣୁ ଉଚ୍ଛନ୍ନ ସ୍ରୋତ ବହିବାରେ ଲାଗିଚି ଏବଂ କେଉଁଠି ଜଣେ ପାଠୁଆ ଏଠା ଛାଡ଼ି ବିଦେଶକୁ ଚାଲିଗଲେ ସେଇଟା ଖବର କାଗଜରେ ବାହାରୁଚି, ତା’ ବିଷୟରେ ସଭା ବସାଇ ଆଲୋଚନା କରାଯାଉଚି । ଭାରତବର୍ଷ ଏଡ଼େ ବଡ଼ ଗୋଟାଏ ଯୋଗ୍ୟ ମଥା ହରାଇଲା ବୋଲି ହୁରି ପଡ଼ୁଚି ମାତ୍ର ଏଇଠି ଏହି ଦେଶ ଭିତରେ କୋଟି କୋଟି ମଥାକୁ ସତେ ଅବା ଗୋବର ପାଣି ପକାଇ ରଖାଯାଇଚି । ଆମ ଦେଶରେ ପ୍ରତିବର୍ଷ ଯେତେ ପିଲା ସ୍କୁଲକୁ ଆସି ପାଠ ପଢ଼ିବା ଉଚିତ, ତାହାର ଅଧେ ମଧ୍ୟ ସ୍କୁଲକୁ ଆସୁନାହାନ୍ତି । ସହର ତୁଳନାରେ ଗାଆଁର ପିଲାଏ ଅଧିକ କମ୍ ଆସୁଛନ୍ତି । ଉଚ୍ଚ ଜାତିର ପିଲାଙ୍କ ତୁଳନାରେ ତଥାକଥିତ ନୀଚ ଜାତିର ଅର୍ଥାତ୍‌ ଅଧିକ ଅସମର୍ଥ ଘରର ପିଲାଏ ଅଧିକ କମ୍‌ ଆସୁଛନ୍ତି । ଆଦିବାସୀ ପିଲାଏ ତ ସମ୍ଭବତଃ ଆଜି ମଧ୍ୟ ସଭ୍ୟ ସଭାର ଯୋଜନା ଭିତରେ ମଣିଷ ପିଲା ବୋଲି ସ୍ୱୀକୃତ ବି ହୋଇ ନାହାନ୍ତି । ଏଣେ ସହରଗୁଡ଼ାକୁ ଗଣ୍ଠି କରି କଲେଜ ବସୁଛି । ବିଶ୍ୱବିଦ୍ୟାଳୟର ଉଚ୍ଚ ଭାଡ଼ିମାନ ବସାଯାଉଚି ଏବଂ ସେଥିରୁ ଆମ ବଡ଼ଆଖିଆମାନେ ଶିକ୍ଷା ଗୌରବର ପରିକଳନା କରୁଚନ୍ତି ।

 

ସାକ୍ଷର କହିଲେ କଦାପି ଶିକ୍ଷିତକୁ ବୁଝାଏ ନାହିଁ, କେବଳ ଏକ ନିମ୍ନତମ ଅକ୍ଷରଜ୍ଞାନ ରଖିଥିବା ମଣିଷକୁ ବୁଝାଏ । ସରକାରୀ ଖାତାର ହିସାବ ଅନୁସାରେ ବର୍ତ୍ତମାନ ଆମ ଦେଶରେ ଶହକରେ ପ୍ରାୟ ତିରିଶଜଣ ସାକ୍ଷର ରହିଚନ୍ତି ବୋଲି ଯଦି ଧରି ନିଆଯାଏ, ତେବେ ସେଥିରୁ ଶିକ୍ଷିତଙ୍କର ସଂଖ୍ୟା ଯେ କେବଳ ଏକ ଅତିକ୍ଷୁଦ୍ର ଭଗ୍ନାଂଶମାତ୍ର ହୋଇଥିବ, ଆମର ଶିକ୍ଷିତ ଉତ୍ସାହରେ ଆମେ ହୁଏତ କେବେହେଲେ ତାହାର କଳ୍ପନା ହିଁ କରି ନ ଥିବା । ଗୋଟିଏ ହିସାବରୁ ଜଣାଯାଏ ଯେ ୧୯୬୧ ବେଳକୁ ଆମ ଦେଶରେ ପ୍ରାୟ ସାଢ଼େ ଦଶକୋଟି ଲୋକ ସାକ୍ଷର ଥିଲେ ଏବଂ ଏହି ସଂଖ୍ୟାର ମାତ୍ର ୭.୮% ଲୋକ ମାଟ୍ରିକ୍‍ ଏବଂ ତଦୁର୍ଦ୍ଧ୍ୱ ବିଭିନ୍ନ ଶିକ୍ଷାଯୋଗ୍ୟତା ହାସଲ କରି ପାରିଥିଲେ । ଅବଶିଷ୍ଟ ୯୨.୨% ବା ସାଢ଼େ ନଅକୋଟି କୋଡ଼ିଏ ଲକ୍ଷ ଲୋକ ମାଟ୍ରିକ୍‌ ତଳେ ହିଁ ରହିଥିଲେ । ପନ୍ଦରରୁ ତିରିଶ ବର୍ଷ ବୟସ୍କମାନଙ୍କୁ ଯଦି ମୋଟାମୋଟି ଭାବରେ ଯୁବକ ବା ତରୁଣ ବୋଲି କୁହାଯାଏ, ତେବେ୧୯୬୧ରେ ଜନଗଣନା ଅନୁସାରେ ଆମ ଦେଶରେ ପ୍ରାୟ ଏଗାର କୋଟି ଯୁବକ ଓ ଯୁବତୀ ରହିଥିଲେ, ଏବଂ ଏମାନଙ୍କର ସଂଖ୍ୟା ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ଏକ-ଚତୁର୍ଥାଂଶ ଥିଲା । ଏମାନଙ୍କ ଭିତରୁ ମୋଟେ ସାଢ଼େ ତିନିକୋଟି ଅର୍ଥାତ୍‌ ଶତକଡ଼ା ୩୯ ଜଣ ହିଁ ସାକ୍ଷର ଥିଲେ । କେତେଜଣ ଶିକ୍ଷିତ ଥିଲେ, ସେ କଥା ଯେ କେହି ଅନୁମାନ କରି ପାରିବ । ଯଦି ମନୁଷ୍ୟ ବୟଃକ୍ରମର ୧୫ ରୁ ୪୪ ପର୍ଯ୍ୟନ୍ତ ବୟସକୁ ଏକ ମୋଟାମୋଟି ଅନୁମାନରେ ଶ୍ରମକ୍ଷମ ବୟସ ବୋଲି କୁହାଯାଏ, ଏବଂ ଯେ କୌଣସି ଦେଶର ପ୍ରଧାନତଃ ଏହି ବୟସର ଲୋକଙ୍କ ହାତରେ ହିଁ ଦେଶର ଉତ୍ପାଦନ, ଦେଶର ନିର୍ମାଣ ତଥା ଦେଶର ସର୍ବବିଧ ଗତି ଓ ଅଗ୍ରଗତିର ଦାୟିତ୍ୱ ନ୍ୟସ୍ତ ହୋଇ ରହିଚି ବୋଲି ଯଦି ଧରି ନିଆଯାଏ, ତେବେ ଆମକୁ ଏକଥା ମଧ୍ୟ ଜାଣି ରଖିବାକୁ ହେବ ଯେ ୧୯୬୧ ମସିହାରେ ଭାରତବର୍ଷରେ ଏହି ବୟସର ଲୋକଙ୍କ ଭିତରେ ଶତକଡ଼ା ୬୯ ଜଣ ଜଣ ନିରକ୍ଷର ଥିଲେ । ୧୯୬୯ ବେଳକୁ ଏହି ଅନୁପାତଟି ତଳକୁ ଖସି ଶତକଡ଼ା ୬୫ ହୋଇ ଯାଇଥିଲା ସତ, ମାତ୍ର ନିରକ୍ଷରଙ୍କ ପ୍ରକୃତ ସଂଖ୍ୟା ତେର କୋଟିରୁ ବୃଦ୍ଧି ପାଇ ପନ୍ଦର କୋଟି ହୋଇଥିଲା । ଦେଶର ଭାଗ୍ୟକୁ ତିଆରି କରିବାରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏହି ଜନାଂଶ । କୁଶଳ କରାଇବା ଲାଗି ଆମ ଦେଶରେ ପ୍ରକୃତରେ କ’ଣ କରାଯାଇଚି ବା କରାଯାଉଚି ? ନା ଉଚ୍ଛନ୍ନ ସ୍ରୋତଟାକୁ ଆହୁରି ଉଚ୍ଛନ୍ନ ହୋଇ ବହିବାଲାଗି ଛାଡ଼ି ଦିଆଯାଇଛି ଓ ଏଣେ ଦାଣ୍ଡଯାକ କେବଳ ବାବୁମାନଙ୍କର ବିପଣିଟାକୁ ହିଁ ମହାସରାଗରେ ଓ ମହାମଉଜରେ ସମ୍ୱର୍ଦ୍ଧିତ ହେବାଲାଗି ଛାଡ଼ି ଦିଆଯାଇଚି ? ଯେଉଁମାନେ ବା ଯେଉଁମାନଙ୍କର ତଥାକଥିତ ଯୋଜନା ଦେଶରେ ଏହିଭଳି ଏକ ଦୟନୀୟ ପରିସ୍ଥିତିର ଅବତାରଣା କରାଇଚି, ଆମ ଦେଶର ଯାବତୀୟ ବିନାଶଗତି ସ୍ରୋତ ଓ ବିଫଳତାଜର୍ଜର ଉଦ୍ୟମଲାଗି ଆମେ ବସ୍ତୁତଃ ସେହିମାନଙ୍କୁ ଅର୍ଥାତ୍‌ ସେମାନଙ୍କର ମନୁଷ୍ୟ-ବିବେକହୀନ ଯୋଜନାକୁ ହିଁ ସବୁଠାରୁ ଅଧିକ ପରିମାଣରେ ଦାୟୀ କରିବା ନାହିଁ କି ?

 

ଯୁକ୍ତରାଷ୍ଟ୍ର ଆମେରିକାରେ କୁଆଡ଼େ ଶିକ୍ଷାଲାଗି ସର୍ବମୋଟ ଯେତିକି ଖରଚ ହୁଏ, ମଦ୍ୟପାନରେ ତାହାଠାରୁ ଅଧିକ ଖରଚ ହୁଏ । ଆମ ଦେଶରେ ପୋଲିସ୍‌ ବିଭାଗରେ ଯେତେ ଖରଚ ହୁଏ, ଶିକ୍ଷା ବାବତରେ ସରକାରଙ୍କ ତା’ଠାରୁ ହୁଏତ ଅନେକ କମ୍‌ ଖରଚ ହେଉଥିବ, ମାତ୍ର ଏଇଟା ଏକାବେଳେକେ ସତକଥା ଯେ ଏଠାରେ ଶିକ୍ଷାଲାଗି ସର୍ବମୋଟ ଯେତିକି ଖର୍ଚ୍ଚ ହୁଏ, ତାହା ମଧ୍ୟରୁ କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରରେ ଶିକ୍ଷାଲାଗି ସର୍ବନିମ୍ନ ସାର୍ବଜନୀନ ଶିକ୍ଷା ଅପେକ୍ଷା ଅନେକ ଗୁଣ ଅଧିକ ଖରଚ ହୁଏ । ଅର୍ଥାତ୍‌ ମୂଳକୁ ଦୁର୍ବଳ ଓ ଅବହେଳିତ କରି ରଖି ଅଗଗୁଡ଼ାକୁ ମୋଟା ଓ ବହଳ କରି ରଖିବାକୁ ଚେଷ୍ଟା କରାଯାଏ । ସମସ୍ତଙ୍କୁ ଗଛ ଚଢ଼ିବାର ସୁଯୋଗ ନ ଦେଇ କେବଳ କେତେକଙ୍କ ଲାଗି ଡାଳ ଉପରେ ସୁଦୃଶ୍ୟ ମଞ୍ଚାମାନ ଖଞ୍ଜାଇ ରଖାଯାଏ । ଯେଉଁଠାରେ ବାବୁମାନଙ୍କ ହାତରେ ହିଁ ଦେଶକୁ ଗଢ଼ିବାର ଅର୍ଥାତ୍‌ ଦେଶକୁ ସାଧ୍ୟକରି ରଖିବାର କ୍ଷମତାଗୁଡ଼ାକ ଠୁଳ ହୋଇ ରହିଥାଏ, କେବଳ ସେହିଠାରେ ହିଁ ଏଭଳି ହୁଏ । ଯେଉଁଠି ଦେଶ କହିଲେ ଦେଶର ସବୁ ମଣିଷଙ୍କୁ ନ ବୁଝାଇ ସୁବିଧା ସୁଯୋଗର ଏକାଧିକାରୀ ହୋଇ ରହିଥିବା ମାତ୍ର କେତୋଟି ବର୍ଗ କିମ୍ୱା କେତେଟା ସ୍ୱାର୍ଥକୁ ହିଁ ବୁଝାଏ, କେବଳ ସେହିଠାରେ ଏଭଳି ହୁଏ । ଦେଶର ପିଲା କହିଲେ ଯେଉଁଠି କେବଳ ଅପେକ୍ଷାକୃତ ଅଧିକ ଧନାଢ଼୍ୟ ଘରର ପିଲାଙ୍କୁ ଆଗ ବୁଝାଏ, ସେଇଠାରେ ହିଁ ଏପରି ହୁଏ । ସମସ୍ତଙ୍କୁ ସୁଯୋଗ ଦିଆଯାଏ ନାହିଁ, ସମସ୍ତଙ୍କର ମଥାଲାଗି ଯୋଜନା ହୁଏ ନାହିଁ, ଏବଂ ସମସ୍ତଙ୍କୁ ମଣିଷ ବୋଲି ସ୍ୱୀକାର କରାଯାଏ ନାହିଁ । ତେଣ ଦେଶଟାସାରା ଉଚ୍ଛନ୍ନ ସ୍ରୋତ ବହିବାରେ ଲାଗିଥାଏ । ତଥାପି ଉପରୁ ମଞ୍ଚାରୁ ସେଗୁଡ଼ାକ ଆଦୌ ଦେଖି ହୁଏ ନାହିଁ । ମଣିଷଗୁଡ଼ାକ ନାନାପ୍ରକାରେ ଅପମାନିତ ହେବାରେ ଲାଗିଥାନ୍ତି, ମଣିଷର ମଥାଗୁଡ଼ାକ ବଡ଼ କ୍ରୂରଭାବରେ ବଞ୍ଚିତ ହୋଇ ରହଥାନ୍ତି,–ତେଣୁ ଉପରେ ଜାତି ଓ ଦେଶର ନାମରେ ଢୋଲ ପିଟା ହେଉଥାଏ, ଶୋଷଣ ଓ ତଜ୍ଜନିତ ସଫଳତାଗୁଡ଼ାକୁ ବାହାଦୂରୀ ଦିଆ ହେଉଥାଏ, ବାବୁଗିରିକୁ ସଭ୍ୟତା ବୋଲି କୁହା ଯାଉଥାଏ, ବଡ଼ ଆସନରେ ବସିଥିବା ସିଆଣିଆ ସୁବେଶମାନଙ୍କୁ ବଡ଼ ବୋଲି କୁହା ଯାଉଥାଏ ଏବଂ ଗଣତନ୍ତ୍ର ବିଷୟରେ ବକ୍ତୃତା ଦେବାକୁ ହିଁ ମୁଖ୍ୟତଃ ଗଣତନ୍ତ୍ର ବୋଲି କୁହା ଯାଉଥାଏ । ଗଣତନ୍ତ୍ରର ଏହି ହାସ୍ୟାସ୍ପଦ ଘରଟା ଭିତରେ କ୍ଷମତା ହାସଲ କରିବା ସକାଶେ ବାବୁମାନଙ୍କ ଭିତରେ କଳହ ଲାଗି ରହିଥାଏ ଓ ସେହି କଳହକୁ ରାଜନୀତି ବୋଲି କୁହାଯାଏ । ରାଜନୀତିଦ୍ୱାରା ଯେ ଗୋଟାଏ ଦେଶର ନିର୍ମାଣ କରାଯାଇ ପାରେ, ରାଜନୀତିଦ୍ୱାରା ଯେ ପ୍ରତ୍ୟେକ ମନୁଷ୍ୟ ଭିତରେ ଜଣେ ଜଣେ ପୂର୍ଣ୍ଣତେଜ ଓ ପୂର୍ଣ୍ଣପ୍ରେରିତ ମଣିଷ ହେବାର ଜିଦ୍‌ ସୃଷ୍ଟି କରାଯାଇ ପାରେ ଏବଂ ରାଜନୀତିଦ୍ୱାରା ଯେ ଆମର ଏହି ପରିବେଶସ୍ଥ ଅନେକ ଦୁଃଖର ନିରାକରଣ କରାଯାଇ ପାରେ, ଉପରେ ରହି ଉଚ୍ଚ ବୋଲାଇବାର ନାନା ଆତ୍ମପ୍ରବଞ୍ଚନା ଭିତରେ ଜଡ଼ିତ ହୋଇ ପଡ଼ି ଦେଶର ନେତୃତ୍ୱ ସେକଥାକୁ ଅନୁଭବ ବି କରି ପାରେନାହିଁ । ଜ୍ଞାନ ମାୟାଗ୍ରସ୍ତ ହୋଇ ରହିଥାଏ, ସକଳ ଦୃଷ୍ଟି ଭ୍ରାନ୍ତିଦ୍ୱାରା ପ୍ରତାରିତ ହୋଇ ରହିଥାଏ; ଉଚ୍ଛନ୍ନ ସ୍ରୋତଗୁଡ଼ାକୁ ଉଚ୍ଛନ୍ନମୁଖ ସ୍ରୋତ ବୋଲି ଜାଣି ପାରିବାର ସର୍ବନିମ୍ନ ବିବେକିତାଗୁଡ଼ାକ ମଧ୍ୟ ହଜି ଯାଇଥାଏ ।

 

କୌଣସି କାରଣରୁ ଏଠି ହଟିଯାଇ ବା ବିଫଳ ହୋଇ ବିଦେଶକୁ ବାହାରି ଯାଇଥିବା କେତେଟା ବଡ଼ ମଥାକୁ ଉପଯୁକ୍ତ ପ୍ରଲାଭନ ଦେଇ ଏଠି ବାନ୍ଧି ରଖିବାର ବରାଦ କରିପାରିଲେ ଏଠି କଦାପି ମଥା କିମ୍ୱା ଶିକ୍ଷିତତାର କ୍ଷେତ୍ରରେ ବିପ୍ଳବ ଘଟିବ ନାହିଁ ବା ମଣିଷଣ ମଥାରେ ରହିଥିବା ସକଳ ସମ୍ଭାବନା ତଥା ସକଳ ଗୁଣର ପରିପୂର୍ଣ୍ଣ ବିକାଶ ମଧ୍ୟ ହୋଇ ପାରିବ ନାହିଁ । ସମସ୍ତଙ୍କୁ ପରିପୂର୍ଣ୍ଣ ସୁଯୋଗ ଦେଇ ପାରିଲେ ଯାଇ ଏଠି ମଥାର ପରିପୂର୍ଣ୍ଣ ବିକାଶ ଲାଗି ଅନୁକୂଳ ପରିସରର ସୃଷ୍ଟି ହୋଇ ପାରିବ । ମଥାର ବିକାଶ ସହିତ ହୃଦୟର ବିକାଶକୁ ମଧ୍ୟ ଶିକ୍ଷାର ସମଗ୍ର ଯୋଜନାଟି ମଧ୍ୟରେ ନେଇ ଯୋଡ଼ି ଦେବାକୁ ହେବ । ଦେଶର ସବୁ ପିଲାଙ୍କୁ ସ୍କୁଲକୁ ଅଣାଯିବ, ଆପଣା ଜ୍ଞାନଗତ ଯୋଗ୍ୟତାର ବିକାଶ ଓ ଅନୁଶୀଳନ ଲାଗି ସମସ୍ତଙ୍କୁ ଅନୁରୂପ ସୁଯୋଗ ଦିଆଯିବ ଏବଂ ଯିଏ ପ୍ରତିଭା ଓ ଉଚ୍ଚତର ସମ୍ଭାବନାର ପ୍ରମାଣ ଦେଖାଇ ପାରିବ, କେବଳ ସେଇ ଉପରକୁ ଯାଇ ପାରିବ । ସେଇ ବିଶ୍ୱବିଦ୍ୟାଳୟକୁ ଯିବ, ଉଚ୍ଚ ବିଜ୍ଞାନ ଓ ଉଚ୍ଚ ଗବେଷଣା ମଧ୍ୟରେ ପ୍ରବେଶ କରିବାର ଅଧିକାର ସେଇ ପାଇବ । ତେବେ ଯାଇ ବର୍ତ୍ତମାନର ଇଚ୍ଛନ୍ନ ସ୍ରୋତ ବନ୍ଦ ହେବ-। ଖାଲି ବିଦେଶ ଆଡ଼କୁ ବହୁଥିବା ତଥାକଥିତ ଉଚ୍ଛନ୍ନ ସ୍ରୋତ ନୁହେଁ, ଏଇଠି ଦେଶ ଭିତରେ ଆମକୁ ନାନାପ୍ରକାରେ ଉଚ୍ଛନ୍ନ କରି ରଖିଥିବା ବିଡ଼ମ୍ୱନା ଓ ବ୍ୟର୍ଥତାର ସ୍ରୋତଗୁଡ଼ାକ ମଧ୍ୟ ବନ୍ଦ ହେବାର ବାଟ ମିଳିଯିବ । ମାତ୍ର ସେତେବେଳେ ବାବୁମାନଙ୍କର ସ୍ୱେଚ୍ଛାଚାର ଭାଙ୍ଗି ଯୋଗ୍ୟ ମଣିଷର ଶାସନ ଚାଲିବ ଏବଂ ପଇସା କମାଇ ବଡ଼ଲୋକ ହେବାରେ ହିଁ ବିଦ୍ୟାକୁ ଏକ ପରିଚାରିକା ରୂପେ ବ୍ୟବହାର କରାଯିବ ନାହିଁ । ବିଦ୍ୟା ଦୀପ୍ତ କରିବ, ବିଦ୍ୟା ଯୁକ୍ତ କରିବ, ଜୀବନର ଦୃଷ୍ଟିକୁ ଶ୍ରଦ୍ଧ୍ୱାଦ୍ୱାରା ଉଜ୍ଜ୍ୱଳ କରି ରଖିବ ।

 

[୨୯ ।୭ ।୭୨ ଅନୁରାଗ, ପ୍ରଥମବର୍ଷ, ପଞ୍ଚମସଂଖ୍ୟା]

☆☆☆

 

ସିଦ୍ଧି-ବିନିଶ୍ଚୟ

 

ସିଦ୍ଧି ସମସ୍ତଙ୍କର ହୁଏ ନାହିଁ । ଯେଉଁମାନେ ସିଦ୍ଧିଲାଭ କରନ୍ତି, ସେମାନଙ୍କୁ ସିଦ୍ଧପୁରୁଷ ବୋଲି କୁହାଯାଏ । ଆପଣାର ଜୀବନରେ ଯେଉଁମାନେ ସିଦ୍ଧିର ଆକାଙ୍‌କ୍ଷା ରଖିଥାନ୍ତି, ସେମାନେ ସିଦ୍ଧପୁରୁଷମାନଙ୍କ ଠାରୁ ପ୍ରେରଣା ପାଆନ୍ତି । ଅସିଦ୍ଧମାନେ ସିଦ୍ଧପୁରୁଷମାନଙ୍କର ପୂଜା କରନ୍ତି । ଆମର ଇତିହାସ ଗୋଟାଯାକ ଏହି ସବୁ ଯାବତୀୟ ପ୍ରେରଣା ଓ ପୂଜାର କାହାଣୀ ଓ ଅକାହାଣୀଗୁଡ଼ିକରେ ଭର୍ତ୍ତି ହୋଇ ରହିଛି ।

 

ସିଦ୍ଧି ଅନେକ ପ୍ରକାରର ଯିଏ ଯେଉଁ ପଦାର୍ଥକୁ ଲକ୍ଷ୍ୟ ରଖିଥାଏ, ସିଏ ତାହାକୁ ହିଁ ଆପଣାର ସିଦ୍ଧି ରୂପେ ପାଏ । ଯିଏ ଯେତିକିଯାଏ ଲକ୍ଷ୍ୟ କରି ଧରିଥାଏ, ସିଏ ଠିକ୍‌ ସେତିକି ଯାଏ ସିଦ୍ଧିଲାଭ କରେ । ସିଏ ଯାହା ଖୋଜେ ସିଏ ତାହା ହିଁ ପାଏ ବା ସେତିକି ପାଏ । ଯିଏ ଧନ ଖୋଜେ, ସିଏ ଧନ ପାଏ ଏବଂ ଧନକୁ ହିଁ ସିଦ୍ଧି ବୋଲି ଉପଲବ୍‌ଧି କରେ । ଯିଏ ମାନ ଚାହେ, ପଦ ଚାହେ, କ୍ଷମତା ଚାହେ, ସିଏ ମାନ, ପଦ ଓ କ୍ଷମତା ପାଏ ଓ ସେହି ଗୁଡ଼ାକୁ ହିଁ ସିଦ୍ଧି ବୋଲି ଜାଣେ, ସେହିଗୁଡ଼ାକାର ପତାକା ଉଡ଼ାଏ । ଆଉ କିଏ ସନ୍ନ୍ୟାସ ଚାହୁଥାଏ, ଅର୍ଥାତ୍‌ ସଂସାରଭିତରୁ ପଳାଇଯିବ ବୋଲି ଚାହୁଥାଏ, ମୁକ୍ତି ଚାହୁଥାଏ, ତାକୁ ସନ୍ନ୍ୟାସ ମିଳେ, ସଂସାରଠାରୁ ବହୁ ଦୂରରେ ନିର୍ଜନ ନିକାଞ୍ଚନ ଅରଣ୍ୟ ମଧ୍ୟରେ ପର୍ବତ-କନ୍ଦରାରେ ବା ନିର୍ଝରିଣୀ ତଟରେ ଶାନ୍ତିମୟ ବାସଟିଏ ମିଳେ, ସେ ସେହିଠାରେ ବସି ଜଞ୍ଜାଳ ଛଡ଼ା ହୋଇ ପରମ-ମାର୍ଗ ଲୋଡ଼େ ଏବଂ ଯାହା ଲୋଡ଼ୁଥାଏ ତାହାକୁ ହିଁ ପାଏ । ଭାରତୀୟ ଦେବୀ ସାଧନାରେ ସ୍ୱାଭାବିକ ଭାବରେ ନାନା ପ୍ରକାରର ଓ ନାନା ସ୍ତରର ସିଦ୍ଧିକୁ ସ୍ୱୀକାର କରାଯାଇଛି, ନାନା ସିଦ୍ଧିର ଉପାୟ ବତାଯାଇଛି । ଦେବୀଙ୍କୁ ଯିଏ ଯାହା ମାଗିବ ସିଏ ତାହା ଅବଶ୍ୟ ପାଇବ ବୋଲି ଘୋଷଣା କରାଯାଇଛି । କିଏ ପୁଅ ମାଗେ, କିଏ ଶତ୍ରୁ ଉପରେ ବିଜୟ ମାଗେ, କିଲଏ ମନ୍ତ୍ର ମାଗେ, କିଏ ବଶୀକରଣ ମାଗେ, କିଏ ବୀରସାଧନା ମାଗେ, କିଏ ବିଭୂତି ମାଗେ ଅର୍ଥାତ୍‌ କରାମତି ମାଗେ । ପୂଜା ସିଦ୍ଧ ହୋଇଗଲେ ମାଗିଲା ଲୋକକୁ ହିସାବମତେ ତା’ର ସବୁ କିଛି ମିଳିଯାଏ । ସାଧକ ବଳୀୟାର ହୋଇ ବାହାରେ, ସଂସାରରେ ପ୍ରତାପୀ ବୋଲି ଗଣାହୁଏ, ସେ ଏଠାରେ କେତେକେତେ ଅସାଧ୍ୟର ସାଧନ କରିପାରେ ।

 

ଖାଲି ବ୍ୟକ୍ତି ଜୀବନରେ ନୁହେଁ, ସମୂହ, ଦେଶ ଓ ଜାତିର ଜୀବନରେ ମଧ୍ୟ ଏହିଭଳି ନାନା ସିଦ୍ଧିର ଅବତାରଣା କରାଯାଇଥାଏ । ଜାତି ବଡ଼ ହେବାକୁ ଚାହେ, ସେ ଧନରେ ବଡ଼ ହେବାକୁ ଚାହେ, ମର୍ଯ୍ୟାଦା ଓ କ୍ଷମତାରେ ବଡ଼ ହେବାକୁ ଚାହେ, ସାମ୍ରାଜ୍ୟ ଓ ବାଣିଜ୍ୟ ବିସ୍ତାରରେ ବଡ଼ ହେବାକୁ ଚାହେ, ରଣାଙ୍ଗନ ଓ ରଣସାମଗ୍ରୀରେ ବଡ଼ ହେବାକୁ ଚହେ । ଜାତିର ଶାସକମାନେ ଜାତିର ସକଳ ଧ୍ୟାନ ଓ ସକଳ ଶକ୍ତିକୁ ଇପ୍‌ସିତ ଏହି ଗୋଟିଏ ଧ୍ୟେୟର ପ୍ରାପ୍ତି ଲାଗି ନିୟୋଜିତ କରିବାକୁ ସବୁପ୍ରକାର ପ୍ରୟାସ କରନ୍ତି ଏବଂ ସେହି ପ୍ରୟାସରେ ସଫଳ ଭାବରେ ଅଗ୍ରସର ହେବାକୁ ସେମାନେ ସିଦ୍ଧି ବୋଲି କହନ୍ତି । ଏହିସବୁ ଅଭିଳଷିତ ସିଦ୍ଧିର କାମନା ତଥା ପ୍ରାପ୍ତି ସିଦ୍ଧିର ପ୍ରଶସ୍ତି-ବର୍ଣ୍ଣନା ଦ୍ୱାରା ଜାତୀୟ ସଙ୍ଗୀତମାନ ଉଚ୍ଛ୍ୱସିତ ହୋଇଉଠେ । ଏହି ସିଦ୍ଧିକୁ ଚରିତାର୍ଥ କରିବାର ମହାଶ୍ରମରେ ବ୍ୟକ୍ତିକୁ ଆଣି ରାଷ୍ଟ୍ରୀୟତାର ଅଡ଼ାଗୁଡ଼ାକରେ ବାନ୍ଧି ରଖାଯାଏ, ରାଷ୍ଟ୍ର ବଡ଼ ହେଲେ ବ୍ୟକ୍ତି ବଳେ ବଳେ ବଡ଼ ହୋଇ ଦିଶିବ ବୋଲି ପ୍ରଚାର କରାଯାଏ । ଏବଂ ଯେଉଁଠି ବ୍ୟକ୍ତିର ସିଦ୍ଧି-ଘଟଟିକୁ ସମୂହ ବା ରାଷ୍ଟ୍ରର କୁଣ୍ଡଟି ମଧ୍ୟରେ ଆଣି ଗୋଟାସୁଦ୍ଧା ଅଜାଡ଼ି ଦିଆଯାଏ, ସେତେବେଳେ ରାଷ୍ଟ୍ରୀୟତାର କବି ଓ ଇତିହାସକାରମାନେ ତାହାକୁ ହିଁ ସ୍ୱର୍ଣ୍ଣଯୁଗ ବୋଲି କହି ଉଲ୍ଲସିତ ହୋଇ ଉଠନ୍ତି । ଯୁଗର ଆଖିକୁ ମୁଗ୍‌ଧ କରି ରଖି ଦିଆଯାଏ ।

 

ଆମର ଏହି ଯୁଗଟିକୁ ଯେପରି ଅନେକ ସମୟରେ ବିଜ୍ଞାନର ଯୁଗ ବୋଲି କୁହାଯାଏ, ଆମ ପୃଥିବୀର ଅଧୁନାତମ ସିଦ୍ଧିଗୁଡ଼ିକୁ ସେହିପରି ସମଗ୍ରତଃ ବିଜ୍ଞାନର ହିଁ ସିଦ୍ଧି ବୋଲି କୁହାଯାଇ ପାରିବ । ବିଜ୍ଞାନର ସିଦ୍ଧି, ଅର୍ଥାତ୍‌ ବିଦ୍ୟାର ସିଦ୍ଧି, ମାନବୀୟ ବୃଦ୍ଧିମତ୍ତାର ସିଦ୍ଧି, ମାନବୀୟ ସମର୍ଥତା ଓ ମାନବୀୟ କର୍ମକୁଶଳତାର ସିଦ୍ଧି । ଏହି ସିଦ୍ଧି ଏକ ଅଭୂତପୂର୍ବ ସିଦ୍ଧି । ଏହି ସିଦ୍ଧି ମନୁଷ୍ୟକୁ କେତେ ନୂତନ ଆଖିର ସନ୍ଧାନ ଦେଇଛି, କେତେ ନୂତନ ସମ୍ଭାବନାର ଆହ୍ୱାନ ଆଣି ଦେଇଛି । ଅନାହାରକ୍ଳିଷ୍ଟ ପୃଥିବୀ ଲାଗି ଯଥେଷ୍ଟ ଖାଦ୍ୟର ସନ୍ଧାନ ଆଣି ଦେଇଛି, ଅଜ୍ଞାନଜର୍ଜର କୋଟି କୋଟି ମଣିଷଙ୍କୁ ଯଥେଷ୍ଟ ଆଲୋକର ସନ୍ଧାନ ଦେଇଛି । ଦୂରକୁ ନିକଟ କରାଇ ଆଣିଛି, ପ୍ରବାସକୁ ଓ ପରଦେଶକୁ ଆପଣାର ସଦନରେ ପରିଣତ କରିଛି, ମାନସିକ ତଥା ସାଂସ୍କୃତିକ ସାନ ବଡ଼ କେତେ ଦ୍ୱୀପକୁ ଏକାଠି କରି ଆଣି ଗୋଟାଏ ମହାଦେଶ କରିଛି, ଏହି ବିଶ୍ୱକୁ ଏକନୀଡ଼ କରିଛି । ଏହାରି ଫଳରେ ଏହି ମଣିଷର କେତେ ଆଦିମତା ଓ ବର୍ବରତା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡ଼ିଛି, ବିନାଶକାରୀର କେତେ ପ୍ରଚଣ୍ଡତା ଓ ପ୍ରମତ୍ତତା ଖର୍ବ ହୋଇ ଯାଇଛି । ଏହି ପୃଥିବୀରେ ସମସ୍ତେ ରହିବେ, ଅର୍ଥାତ୍‌ ଜାତି, ବର୍ଣ୍ଣ, ଧର୍ମ ଓ ଜନପଦର ନିର୍ବିଶେଷରେ ଏଠାରେ ସବୁ ମଣିଷ ରହିବେ, ମଣିପରି ବଞ୍ଚିବେ, ମଣିଷର ଆଖିରେ ଜୀବନକୁ ଜଗତକୁ ଅବଲୋକନ କରିପାରିବେ,–ପ୍ରଧାନତଃ ବିଜ୍ଞାନର ଶତଶତ ସମ୍ଭାବନା ହିଁ ମନୁଷ୍ୟର ଏହି ସ୍ୱପ୍ନଟିକୁ ସମ୍ଭବ ବୋଲି ଘୋଷଣା କରି ପାରିଛି । ଏହି ସିଦ୍ଧି ପ୍ରକୃତରେ ଏକ ଅଭିନବ ସିଦ୍ଧି, ଏବଂ ଆମ ଜୀବନର ପରବର୍ତ୍ତୀ ଆହୁରି ଅନେକ ସିଦ୍ଧି ଲାଗି ଏଇଟି ହେଉଛି ସର୍ବ ପ୍ରଥମ ସିଦ୍ଧି ଏବଂ ଅତ୍ୟାବଶ୍ୟକ ଓ ଅପରିହାର୍ଯ୍ୟ ସିଦ୍ଧି । ମଣିଷ ପରି ମଣିଷ ହୋଇ ବଞ୍ଚିବାଲାଗି ବିଶ୍ୱାସ କର ମଣିଷ ଆଜି ଯେଉଁ ଅଭିନବ ଜିଦ୍‌ ନେଇ ବାହାରିଛନ୍ତି ଓ ଯାହାକୁ ପୁରାତନ ତତ୍ତ୍ୱଧୀଶ ଓ ବ୍ୟବସ୍ଥାବିତ୍‌ମାନେ ଅଶାନ୍ତି ଓ ଅଶୃଙ୍ଖଳା ବୋଲି କହି ବିପଦ ମଣୁଚନ୍ତି, ତାହା ପ୍ରଧାନତଃ ବିଜ୍ଞାନର ହିଁ ଯାବତୀୟ ସିଦ୍ଧି ଓ ଦ୍ୱାରୋନ୍ମୋଚନ ଦ୍ୱାରା ସମ୍ଭବ ହୋଇଛି-। ବିଜ୍ଞାନ ବିଶ୍ୱ-ରାଜନୀତିକୁ ଏକ ନୂତନ ସୋପାନରେ ଆଣି ଉପନୀତ କରାଇଛି । ବିଶ୍ୱ-ଭାଗ୍ୟକୁ ଏକ ନୂତନ ଦିଗ୍‌ବଳୟ ଆଣି ଦେଇଛି, ଆଗରୁ ଅସମ୍ଭବ ବୋଲି ଗ୍ରହଣ କରି ନିଆଯାଇଥିବା କେତେ କେତେ ନୂତନ ପ୍ରସାରକୁ ଆଣି ଯୋଗାଇ ଦେଇଛି ।

 

ମାତ୍ର କେବଳ ରାଜନୀତି ଭିତରେ ଆପଣାକୁ ସୀମାୟତ୍ତ କରି ରଖି ରାଜନୀତି କେବେହେଲେ ଯୁଗର ସମାଧାନ କରି ପାରିବ ନାହିଁ, ମନୁଷ୍ୟ ଜାତିର ଇପ୍‌ସିତ ସିଦ୍ଧିଟିକୁ ତାହା କଦାପି ସିଦ୍ଧ କରି ପାରିବ ନାହିଁ । ଅର୍ଥନୀତି ମଧ୍ୟ ଆପଣାକୁ କେବଳ ଅର୍ଥନୀତି ମଧ୍ୟରେ କିଳି ରଖି ସେହି ସମାଧାନଟିକୁ ଆଣି ଦେଇପାରିବ ନାହିଁ । ଏଭଳି ଅନେକ ପଣ୍ଡଶ୍ରମ ଆଗରୁ କରାହୋଇ ସାରିଛି । ଏଗୁଡ଼ାକ ଫଳରେ ପ୍ରତାପୀର ପ୍ରତାପ ବଢ଼ିଛି, ଉଦ୍ଦଣ୍ଡୀ ଆହୁରି ଅଧିକ ଉଦ୍ଦଣ୍ଡ ହୋଇଛି, ଉଗ୍ର କ୍ଷମତା ଅତ୍ୟୁଗ୍ର ହୋଇଛି, ଆଦର୍ଶଗୁଡ଼ାକ କ୍ଷୟକାରୀ ଅଫିମରେ ପରିଣତ ହୋଇଯାଇଛନ୍ତି, ମଣିଷଦ୍ୱାରା ମଣିଷର ଶୋଷଣ ଓ ମାରଣ ଅବ୍ୟାହତ ରହିଛି । ଏଗୁଡ଼ାକ ସଂସାରରେ ଭୟ ବଢ଼ାଇଛନ୍ତି, ବର୍ବରତା ବଢ଼ାଇଛନ୍ତି, ପାଷଣ୍ଡତାକୁ ବଢ଼ାଇଛନ୍ତି । କ୍ଷମତାଦ୍ୱାରା ସ୍ଫୀତ ପାଷଣ୍ଡ ମଣିଷ ମଣିଷକୁ ବିଜ୍ଞାନ ସାହାଯ୍ୟରେ ମଧ୍ୟ ନାନା କୌଶଳରେ ଆପଣା ବର୍ବରତା ଗୁଡ଼ାକର ହିଁ ଚରିତାର୍ଥତା ଲାଗି ବ୍ୟବହାର କରିଛି । ଶିକ୍ଷା ସୁଯୋଗ ଏବଂ ସମ୍ପନ୍ନତା କେବଳ ସଭ୍ୟତାଭୋଗୀ କେତେଜଣଙ୍କର ବା କେତୋଟି ନିର୍ଦ୍ଦିଷ୍ଟ ଶ୍ରେଣୀଙ୍କର ଗୋଟିଏ ଗୋଟିଏ ବିଳାସସାମଗ୍ରୀରେ ପରିଣତ ହୋଇ ରହିଛି । ଯୁଗର ସିଦ୍ଧିପଥ ହୁଡ଼ି ଯାଇଛି, ନିୟତି ଅପନିୟତି ପରି କାର୍ଯ୍ୟ କରିଛି ।

 

ମଣିଷ କେବଳ ଗୋଟାଏ ଯନ୍ତ୍ର ନୁହେଁ, ତାହାର ଜୀବନ କେବଳ ଏକ ଅର୍ଥସର୍ବସ୍ୱ ଜୀବନ ନୁହେଁ, କେବଳ ଭୋଗସର୍ବସ୍ୱ ନୁହେଁ । ତା’ ଭିତରେ ଏକ ଅନ୍ୟ ଆକୂତି ମଧ୍ୟ ରହିଛି, ଏବଂ ଆହି ଆକୂତିକୁ ହିଁ ଆମେ ତା’ର ଅସଲ ଆକୂତି ବୋଲି କହିପାରିବା । କେବଳ କେତେଜଣଙ୍କ ମଧ୍ୟରେ ନୁହେଁ ବା କେତୋଟି ଭାଗ୍ୟବନ୍ତ ଶ୍ରେଣୀ ମଧ୍ୟରେ ନୁହେଁ, ଏହି ଆକୂତି ମଣିଷମାତ୍ରେ ସମସ୍ତଙ୍କ ମଧ୍ୟରେ ରହିଛି । ଆପଣାର ତଥାକଥିତ ଆକୁଳତା ଓ ବ୍ୟାକୁଳତା ଗୁଡ଼ାକୁ ଆହୁରି ଦଶଗୁଣ ପ୍ରଖରତା ଦେବାଲାଗି ଆମେ ନାନା ବାଦ ଓ ବିବାଦର ଦ୍ୱାହିଦେଇ ଯେଉଁମାନଙ୍କୁ ବଞ୍ଚିତ କରି ରଖିଛୁ, ଯେଉଁମାନଙ୍କର ବିଭବକୁ ଅପହରଣ କରିବାରେ ଲାଗିଛୁ, ସେମାନଙ୍କ ମଧ୍ୟରେ ବି ସେହି ଆକୂତି ରହିଛି । ଆଧ୍ୟାତ୍ମିକତାର ଭାଷାରେ କହିଲେ ପ୍ରତ୍ୟେକ ମଣିଷ ଭିତରେ ଭଗବାନ ରହିଛନ୍ତି, ଭଗବତ୍‌ସତ୍ତା ରହିଛି, ଅର୍ଥାତ୍‌ ପ୍ରତ୍ୟେକ ମଣିଷର ଜୀବନ ମଧ୍ୟ ଦେଇ ଅମିତ ଦିବ୍ୟ ସମ୍ଭାବନାର ପ୍ରୟୋଗ ଅନବରତ ଭାବରେ ଚାଲିଛି । ସୃଷ୍ଟି ଓ ଜୀବନ କହିଲେ ଆଧ୍ୟାତ୍ମିକ ଭୂମିରେ ଆମେ ପ୍ରକୃତରେ ଏହି ପ୍ରୟୋଟିକୁ ହିଁ ବୁଝିବା ।

 

ପ୍ରତ୍ୟେକ ମନୁଷ୍ୟ ଭିତରେ ସେହି ଆଧ୍ୟାତ୍ମିକ ସମ୍ଭାବନାଟିକୁ ସ୍ୱୀକୃତି ଦେବା, ଆମର ସାମାଜିକ ସମ୍ୱନ୍ଧଗତ ତଥାକଥିତ ଏହି ବାସ୍ତବଭୂମିରେ ମଧ୍ୟ ଆମେ ପ୍ରତ୍ୟେକ ମନୁଷ୍ୟକୁ ସେହି ମୁଖ୍ୟ-ସୂତ୍ରଟି ଦେଇ ଚିହ୍ନିବା, ଏଇଟି ହେଉଛି ଆମ ବର୍ତ୍ତମାନ ପୃଥିବୀର ଶୁଭତମ ବାସନା ଏବଂ ଏହି ବାସନାର ସିଦ୍ଧିଟିକୁ ହିଁ ମନୁଷ୍ୟଜାତିର ସର୍ବଶ୍ରେଷ୍ଠ ସିଦ୍ଧି ବୋଲି କୁହାଯାଇ ପାରିବ । ଏହି ଆତ୍ମୀୟତାଟିକୁ ଆମର ସର୍ବଶ୍ରେଷ୍ଠ କାମ୍ୟ ବୋଲି ଗ୍ରହଣ କରି ପାରିଲେ ଯାଇ ଆମେ ସେହି ସିଦ୍ଧିର ଯୋଗ୍ୟ ହୋଇପାରିବା । ମନୁଷ୍ୟ କୌଣସି ଏକ ରାଷ୍ଟ୍ରର ବୋଲ ମାନୁଛି ବୋଲି ଯେ ଏଠି ମଣିଷ ହେବା ଲାଗି ସେ ତା’ର ଯାବତୀୟ ଅଧିକାର ପାଇବ ତା’ନୁହେଁ, ମାତ୍ର ଆପଣା ମଧ୍ୟରେ ଏକ ଆଧ୍ୟାତ୍ମିକ ସତ୍ୟକୁ ବହନ କରି ତାହାରି ଆହ୍ୱାନକୁ ପରିପୂର୍ଣ୍ଣ କରିବା ଲାଗି ଏହି ପୃଥିବୀକୁ ଆସିଛି ବୋଲି ସେ ଏଠି ଯାବତୀୟ ସ୍ୱୀକୃତିର ଭାଜନ ହେବ । ମଣିଷ ଲାଗି ରାଜନୀତି ଗଢ଼ାହେବ, ଅର୍ଥାତ୍‌ ଏହି ମଣିଷର ଆବଶ୍ୟକତାଟି ଅନୁସାରେ ରାଜନୀତି ଭଙ୍ଗାହେବ, ରାଜନୀତି ବଦଳିବ ଓ ନୂତନ ରାଜନୀତିର ସ୍ଥାପନ ହେବ; ମଣିଷର ଆବଶ୍ୟକତା ଅନୁସାରେ ତା’ର ଅର୍ଥନୀତି ମଧ୍ୟ ବଦଳିବ, ଏହି ସିଦ୍ଧିଟି ହେଉଛି ଆମର ଏହି ପୃଥିବୀରେ ଫଳିବାକୁ ଯାଉଥିବା ପରବର୍ତ୍ତୀ ସିଦ୍ଧି । ଏହି ସିଦ୍ଧିଟି ସିଦ୍ଧ ହେବାର ବାଟରେ ପୁରାତନ ରାଜନୀତି ଅନେକ ପ୍ରକାରେ ଅନ୍ତରାୟ ହୋଇ ରହିବାକୁ ଚେଷ୍ଟା କରିବ; ମାତ୍ର ବସ୍ତୁତଃ ଆବଶ୍ୟକତା ଦ୍ୱାରା ବାଧ୍ୟ ହୋଇ ଏହି ରାଜନୀତି କ୍ରମଶଃ ବଦଳି ବଦଳି ଯାଉଥିବ ସିନା, କିନ୍ତୁ ଇପ୍‌ସିତ ସିଦ୍ଧିଟି ଫଳିବ ହିଁ ଫଳିବ । ପୁରୁଣା ମଣିଷ ବଦଳିଯିବ, ପୁରୁଣା ରୀତିଟା ନୂଆ ଅନୁରାଗଟି ଲାଗି ବାଟ ଛାଡ଼ିଦେବ, ପାରମ୍ପରିକ କ୍ଷମତାଗୁଡ଼ାକ ନୂଆ ଆତ୍ମୀୟତାଟି ଲାଗି ବାଟ ଛାଡ଼ିଦେବ ।

 

[ଦୈନିକ ‘ଧରିତ୍ରୀ’, ୨୪ । ୧୧ । ୭୪]

☆☆☆

 

ହିସାବ-ସମୀକ୍ଷା

 

ଅନେକ କହନ୍ତି ସଂସାରଟା କେବଳ ହିସାବରେ ହିଁ ଚାଲେ । ତତ୍ତ୍ୱବିତ୍‌ମାନେ ଅନେକ ସମୟରେ ଖୋଦ୍‌ ଭଗବାନଙ୍କୁ ମଧ୍ୟ ଜଣେ ସର୍ବପ୍ରଥମ ଶ୍ରେଣୀର ହିସାବୀ ବୋଲି କଳ୍ପନା କରିଥାନ୍ତି-। ହିସାବ ଜାଣି ନ ଥିଲେ ଭଗବାନ କୁଆଡ଼େ ଏହି ସଂସାରଟାକୁ ମୁହୂର୍ତ୍ତେ ସୁଦ୍ଧା ଚଳାଇ ପାରନ୍ତେ ନାହିଁ । ଅସାବଧାନତା ବା ଅନ୍ୟମନସ୍କ ହୋଇ ସେ ହିସାବ ଭୁଲିଗଲେ କୁଆଡ଼େ ଏହି ଗ୍ରହତାରା ଗୁଡ଼ାକ ଆପଣା ଆପଣାର ନିରୂପିତ ସ୍ଥାନଟି ମାନଙ୍କରୁ ଅରାଜକତା ଭିତରକୁ ଖସି ପଡ଼େନ୍ତେ-। ତାହା ଫଳରେ ଖଣ୍ଡପ୍ରଳୟ ହୋଇ ଯାଆନ୍ତା, ଭୂମିକମ୍ପ ହୁଅନ୍ତା, ବାସୁକୀ ଟଳି ଯାଆନ୍ତା, ଇତ୍ୟାଦି ଇତ୍ୟାଦି । ଏହି ହିସାବମୂଳ ନ୍ୟାୟଟି ଦ୍ୱାରା ପରିଚାଳିତ ହୋଇ ଜଣେ ଜଣେ ବୈଜ୍ଞାନିକ ବି ପରମ ଉତ୍ସାହରେ ଭଗବାନଙ୍କୁ ଜଣେ ଅତି ପ୍ରବୀଣ ଓ ନିୟମପରାୟଣ ଗଣିତଜ୍ଞ ବୋଲି କହିଛନ୍ତି-। ଗଣିତର ସୂତାରେ ସଂସାରଟାଯାକ ଯାବତୀୟ ଭିଆଣ ଓ ଅଭିଆଣ ସତେ ଅବା ଝୁଲିକରି ରହିଛି ବୋଲି ସେମାନେ ସିଦ୍ଧାନ୍ତ ବଖାଣିଛନ୍ତି ।

 

ତେଣୁ ହିସାବକୁ ଛାଡ଼ି ହୁଏ ନାହିଁ । ଯେତେଥର ଗୋଡ଼ ଖସିଗଲେ ମଧ୍ୟ ବାରବାର ସେହି ହିସାବର ମୂଳଟିକୁ ଫେରି ଆସିବାକୁ ପଡ଼େ । ହିସାବର ଖାତାମାନଙ୍କରେ ଆୟବ୍ୟୟ ଲେଖା ହୁଏ, ଲାଭ ଓ କ୍ଷତି ଲେଖା ହୁଏ; ଏବଂ ତାହାରି ସାହାଯ୍ୟରେ ନ୍ୟାୟ ଅନ୍ୟାୟର ବିଚାର ହୁଏ, ସଫଳତା ଓ ବିଫଳତାର ମଧ୍ୟ ବିଚାର ହୁଏ । ସେହି ରୀତିଟି ଅନୁସାରେ ହାତେ ମାପି ଚାଖଣ୍ଡେ ଚାଲିବାକୁ ବ୍ୟାବହାରିକ ବୁଦ୍ଧି ବୋଲି କୁହାଯାଏ; ଯେଉଁମାନେ ଚାଖଣ୍ଡେମାପି ହାତେ ଚାଲିବାକୁ ଚାହୁଥାନ୍ତି, ବା ଆଉ ଯେଉଁମାନେ ଆଦୌ କିଛି ନ ମାପି ଏକାବେଳକେ ବିଶାଶହେ ହାତ ମାଡ଼ିଯିବାକୁ ଚାହୁଥାନ୍ତି, ହିସାବର ଶାସ୍ତ୍ରଗୁଡ଼ାକ ସେମାନଙ୍କୁ କେବଳ ଲକ୍ଷ୍ମୀହୀନ ବୋଲି ହିଁ କହିଥାନ୍ତି-। ବାପ ପୁଅକୁ ହିସାବ ବତାଏ ସ୍ତ୍ରୀ ସ୍ୱାମୀକୁ ହିସାବ ବତାଏ, ବଡ଼ ହାକିମ ଛୋଟ ହାକିମକୁ ହିସାବ ବତାଏ, ପୁଣି ରାଜାମାନେ ପ୍ରଜାମାନଙ୍କୁ ହିସାବ ବତାନ୍ତି । ରାଜାମାନଙ୍କର ପଥ ପ୍ରଦର୍ଶନ କରି ପାରିବା ଲାଗି ବଡ଼ ବଡ଼ ମୁନିମାନେ ହିସାବର ନିୟମ ଓ ଆଚାରଗୁଡ଼ାକ ସୂତ୍ରରୂପେ ଦେଇ ବଡ଼ ବଡ଼ ଶାସ୍ତ୍ର ରଚନା କରିଛନ୍ତି । ଏହି ଶାସ୍ତ୍ରଗୁଡ଼ାକୁ ଆମ ସଂସ୍କୃତ ଅଭିଧାନରେ ସଂହିତା ବୋଲି କୁହାଯାଏ । ମନୁସଂହିତା ଓ ପରାଶର ସଂହିତା ଏହିପରି ଗୋଟିଏ ଗୋଟିଏ ହିସାବ-ସଂହିତା-। ସଂସାରର କଠିନ ବାଟକୁ ହିସାବର ଜରୀବ ପକାଇ ଏହିସବୁ ଶାସ୍ତ୍ର ପ୍ରକୃତରେ ବଡ଼ ସହଜ କରି ଦେଇଥାନ୍ତି । ତେଣୁ ପାର୍ଥିବ ଜୀବନର ପ୍ରାଜ୍ଞମାନେ ଏହିସବୁ ଶାସ୍ତ୍ରକୁ ଦେବତା ବୋଲି ମାନି ପୂଜା କରନ୍ତି । ଏଗୁଡ଼ିକୁ ନେଇ ଗାଦିରେ ରଖନ୍ତି, ଏମାନଙ୍କ ପାଖରେ ଭୋଗ ଲଗାନ୍ତି ଓ କୃତକୃତ୍ୟ ହୁଅନ୍ତି ।

 

ସରକାରମାନେ ହିସାବ ବ୍ୟତିରେକେ ଦଣ୍ଡେ ମଧ୍ୟ ଚଳି ପାରନ୍ତି ନାହିଁ । ଯାହା ଆସେ, ସେଠି ତାହାର ହିସାବ ହୁଏ; ଯାହା ଯାଏ, ତାହାର ମଧ୍ୟ ହିସାବ ହୁଏ । ଆବାଦ ଓ ବରବାଦ ଉଭୟର ହିସାବ ହୁଏ । କେଡ଼େ ସମ୍ଭ୍ରମର ସହିତ ଖାତା ଲେଖା ହୁଏ, ପୁଣି କେଡ଼େ ସମ୍ଭ୍ରମର ସହିତ ଖାତା ଫଡ଼ା ମଧ୍ୟ ହୁଏ । ହିସାବର ଅମାରଗୁଡ଼ାକୁ ଗଣିଗାଣି ଠିକ୍‌ କରି ରଖିବାକୁ ସରକାରୀ ଘରମାନଙ୍କରେ ସବୁଠାରେ ହିସାବ-କୁଶଳୀ ମନୀଷୀମାନେ ନିୟୋଜିତ ହୋଇ ରହିଥାନ୍ତି । ସେମାନେ ସଦାତତ୍ପର ରହି ସବୁଯାକ ଦୁଆରକୁ ଜଗି ବସିଥାନ୍ତି, କୋଉଠି ଗୋଟାଏ ହେଲେ ଛିଦ୍ର ବି ଛାଡ଼ନ୍ତି ନାହିଁ । ତଥାପି ଯଦି କୌଣସି ଛିଦ୍ର ରହି ଯାଉଥାଏ, ତେବେ ପରମ ସନ୍ତର୍ପଣର ସହିତ ଛିଦ୍ର ଗୁଡ଼ାକର ସଂଖ୍ୟାଟିକୁ ମଧ୍ୟ ସୁମାରି କରି ରଖିଥାନ୍ତା । ଖାତାପତ୍ରରେ ସବୁ ଠିକ୍‌ ରହିଥାଏ । କେଉଁଠି ହେଲେ କୌଣସି ଖିଲାପ ହୁଏ ନାହିଁ । ଲେଖାପାଳମାନଙ୍କର ରାଜ୍ୟ ପ୍ରକୃତରେ ଏହିପରି ଏକ ନିର୍ଦ୍ଦୋଷ ରାଜ୍ୟ । ହିସାବର ସିରସ୍ତା ଏହିଭଳି ଏକ ନିବୁଜ ଓ ନିଖୁଣ ସିରସ୍ତା । ଲେଖାପାଳମାନେ ଯେଉଁଠି ଆପଣାର କାମଗୁଡ଼ାକୁ ତୁଲାଇ ପାରନ୍ତି, ସେଠି ଖାତାପତ୍ର ଦୋରସ୍ତ ହୋଇ ରହିଥାଏ, ଖାତାପତ୍ର ଅନୁସାରେ ଜୀବନର ସବୁ ହିସାବଗୁଡ଼ିକୁ ଦୋରସ୍ତ କରି ରଖା ଯାଇଥାଏ । ହିସାବ ମାଗିଲା ମାତ୍ରକେ ହିସାବ ମିଳିଯାଏ । ସେହି ରାଜ୍ୟ ପ୍ରକୃତରେ ଦୋରସ୍ତ ହୋଇ ଚାଲେ । କୋଉଠି କିଛି ଭୁଲ ହୁଏ ନାହିଁ ।

 

ଏବେ ହିସାବ ରଖିବାଲାଗି ଓ ହିସାବ କରିବା ଲାଗି କେବଳ ମଣିଷର ଚଗଲା ମନଟା ଉପରେ ହିଁ ନିର୍ଭର କରି ରହିବାକୁ ଆଦୌ ପଡ଼ୁନାହିଁ । ଏବେ ସେସବୁ ଲାଗି ମଣିଷ ଅପେକ୍ଷା ଅନେକ ଅଧିକ ପରିମାଣରେ ନିର୍ଭରଯୋଗ୍ୟ ହୋଇ ପାରୁଥିବା ସାନ ସାନ କମନୀୟ ମେସିନ୍‌ ଗୁଡ଼ିଏ ମଧ୍ୟ ବାହାରିଲାଣି । ଖାଲି ବର୍ତ୍ତମାନର ନୁହେଁ, ଏହି ମେସିନ୍‌ଗୁଡ଼ିକ ଭବିଷ୍ୟତର ମଧ୍ୟ ହିସାବ କଷି ଠିକ୍‌ କରିଦେଇ ପାରୁଛନ୍ତି । ଏପରିକି, ଯେତେବେଳେ ଖୋଦ୍‌ ମଣିଷ ବଣାହୋଇ ଯାଉଛି, ଅର୍ଥାତ୍‌ ଯେତେବେଳେ ସେ ଉପସ୍ଥିତ ବା ଆସନ୍ନ କୌଣସି ଗୋଟିଏ ପରିସ୍ଥିତିରେ ନିଜର କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟକୁ ଠିକ୍‌ କରିପାରୁ ନାହିଁ, ଦ୍ୱିଧାରେ ପଡ଼ିଯାଉଛି, ସେତିକିବେଳେ ପରିଗଣନାର ଆଧୁନିକ ଓ ବୁଦ୍ଧିସମ୍ପନ୍ନ ମେସିନ୍‌ ଗୁଡ଼ାକ ତା’ଲାଗି ହିସାବ କରି ନିଷ୍ପତ୍ତିଟିକୁ ବତାଇ ଦେଇ ଯାଉଛନ୍ତି । ଭ୍ରମ ରହୁନାହିଁ କି ପ୍ରମାଦ ରହୁନାହିଁ । ପରିଗଣନା ଦ୍ୱାରା ଦୃଶ୍ୟ ଓ ଅଦୃଶ୍ୟ ସକଳ ପ୍ରକାର ଜୀବନର ନିର୍ଭୁଲ ପରିକଳ୍ପନା କରି ହେଉଛି ।

 

ହିସାବ କେବଳ ପ୍ରଦେଶରେ ହୁଏ ନାହିଁ, ଦେଶରେ ବି ହୁଏ । କେବଳ ରାଜ୍ୟରେ ହୁଏ ନାହିଁ, ରାଷ୍ଟ୍ରରେ ବି ହୁଏ । କେବଳ ଦରମା ବା ମୂଲର ହିସାବ କରାଯାଏ ନାହିଁ, ଆଧୁନିକ ବୁଦ୍ଧିଆ ମଣିଷ ଏବେ ହିସାବ କରି ନ କହିଲେ ସତେ ଅବା କିଛି ବୁଝିବା ଲାଗି ସମର୍ଥ ହେଉ ନାହିଁ, ପ୍ରସ୍ତୁତ ବି ହେଉ ନାହିଁ । ଖର୍ଚ୍ଚ କରିବାଲାଗି ପ୍ରାୟ କିଛି ହେଲେ ନ ଥାଉ ପଛକେ, ବଜେଟ୍‌ଟାଏ ନ କଲେ ଆଜି କେଉଁଠି ହେଲେ କାମ ଚଳୁନାହିଁ । ଦିଲ୍ଲୀରେ ବଜେଟ୍‌ ହେଉଛି, ଭୁବନେଶ୍ୱରରେ ବଜେଟ୍‌ ହେଉଛି, ଖଡ଼ା ନ ଥିବା ମିଉନିସିପାଲିଟିରେ ବି ବଜେଟ୍‌ ତିଆରି କରା ଯାଉଚି । ତେଣେ ପୃଥିବୀସ୍ତରରେ ବି ବଜେଟ୍‌ ତିଆରି ଚାଲିଛି, ଅଟକଳର ଅଟଳିକାମାନ ଲଗାଇ ଆର୍ଥିକ ଜୀବନର କାନ୍ଥଗୁଡ଼ାକୁ ଡେର ଦେଇ ରଖାଯାଉଛି । ଭାରତରେ ଜଣେ ମଣିଷର ଦୈନିକ, ମାସିକ ବା ବାର୍ଷିକ ଆୟ କେତେ ତାହା ହିସାବ କରି କହିଦିଆ ନ ଯାଉଥିଲେ ଆମେ ସେହି କଥାଟି କଦାପି ଜାଣି ପାରୁ ନ ଥାନ୍ତୁ । ସଂସାରରେ ହଠାତ୍‌ ବଢ଼ି, ହଠାତ୍‌ ମରୁଡ଼ି, ଓ ସେଥିରୁ ଉପୁଜୁଥିବା ଅନାଟନର ସମ୍ମୁଖୀନ ହେବାଲାଗି ପୃଥବୀରେ କେତେ ଲକ୍ଷ୍ୟ ଟନ୍‌ ଶସ୍ୟ ବା ଦାନା ମହଜୁଦ ହୋଇ ରହିବା ଉଚିତ୍‌, ହିସାବୀମାନେ ହିସାବ କରି ଆମକୁ ସେହି କଥାଟି ବତାଇ ଦେଉ ନ ଥିଲେ ଆମେ ସେ ବିଷୟରେ ଆଦୌ କିଛି ଅନ୍ଦାଜ କରି ପାରନ୍ତୁ ନାହିଁ । ପୃଥିବୀର ପ୍ରତ୍ୟେକ ଇଞ୍ଚ ଜାଗାକୁ ଅଣୁବୋମା ପକାଇ କେତେଥର ଛେଚିବାଲାଗି ବର୍ତ୍ତମାନ ମାରଣ ସାମଗ୍ରୀମାନ ଏହି ପୃଥିବୀର ଅସ୍ତ୍ରଶାଳାମାନଙ୍କରେ ମହଜୁଦ ହୋଇ ରହିଲାଣି, ବୈଜ୍ଞାନିକ ଓ ସଂଖ୍ୟା ବିଶେଷଜ୍ଞମାନେ ସେ କଥାକୁ ହରି ଗୁଣି ହିସାବ କରି କହିଦେଇ ପାରୁ ନ ଥିଲେ ଆମର ସାଧାରଣ ମୁଣ୍ଡଗୁଡ଼ାକ ତା’ ଭିତରକୁ ମୋଟେ ପଶି ପାରୁ ନ ଥାନ୍ତା । ତେଣୁ ହିସାବକୁ ବାଦ୍‌ ଦେଇ ହେବ ନାହିଁ, ହିସାବରୁ ମୁକ୍ତ ହୋଇ ହେବ ନାହିଁ; ଆଧୁନିକ ସଂସାରରେ ଘର କରି ରହିବାକୁ ହେଲେ ହିସାବଗୁଡ଼ାକୁ ସାଙ୍ଗରେ ନେଇ ଘର କରିବାକୁ ହେବ ।

 

ଖାଲି ସଂଖ୍ୟା ବା ଅଙ୍କଗୁଡ଼ାକୁ ନେଇ ହିଁ ହିସାବ ହୁଏ ନାହିଁ । ଜୀବନରେ ଏଭଳି ଆହୁରି ଅସଂଖ୍ୟ କ୍ଷେତ୍ର ରହିଛି, ଯେଉଁଠି ସଂଖ୍ୟା ବା ଅଙ୍କ ଦ୍ୱାରା ପ୍ରାୟ କିଛି ହେଲେ କରିବାକୁ ନ ଥିଲେ ମଧ୍ୟ ସେଠାରେ ବି କେତେ ପ୍ରକାରର ହିସାବ କରାହୋଇଥାଏ । ଖନ୍ଦା ନ କାଟି ହିସାବ କରାଯାଏ, ନିକିତି ନ ଧରି ଛୋଟ ବଡ଼ ଓ ବହୁତ କମ୍‌ର ହିସାବ କରାଯାଏ । ଏ ସବୁକୁ ତୁଳନା ବୋଲି କୁହା ଯାଇଥାଏ । ଏହି ଅନୁସାରେ ଓଡ଼ିଆଙ୍କ ସହିତ ତେଲେଙ୍ଗାଙ୍କର କିମ୍ୱା ବଙ୍ଗାଳୀଙ୍କ ସହିତ ବିହାରୀଙ୍କର ତୁଳନା କରା ଯାଇଥାଏ । ଆମ ଅତୀତ ଆମ ବର୍ତ୍ତମାନର ତୁଳନା କରା ଯାଇଥାଏ । ଓଡ଼ିଆଭାଷା ସହିତ ଆହୁରି ଅନ୍ୟ କେତେ କେତେ ଭାଷାର ତୁଳନା କରାଯାଏ, ତୁଚ୍ଛା ଓଡ଼ିଆରେ ଲେଖୁଥିବା ଲୋକମାନଙ୍କର ଓଡ଼ିଶାବାସୀ ହୋଇ ମଧ୍ୟ ଇଂରାଜୀରେ ଲେଖି ପାରୁଥିବା ମହାମତିମାନଙ୍କର ତୁଳନା କରାଯାଏ । ସାହିତ୍ୟରେ ସେ ଯୁଗ ସହିତ ଏ ଯୁଗର ତୁଳନା କରାଯାଏ, ସେ କାଳର ଋଷି ଆଶ୍ରମ ସହିତ ଆମ ଏ କାଳର ପାଚେରୀଦିଆ ପୋଲିସଜାଗା ଇସ୍କୁଲ ଏବଂ କଲେଜ ଗୁଡ଼ାକର ବି ତୁଳନା କରାଯାଏ । ଗୋରାଙ୍କ ବୁଦ୍ଧି ସହିତ କଳାଙ୍କ ବୁଦ୍ଧିର ତୁଳନା କରାଯାଏ, ଏ ଠାକୁରଙ୍କ ସହିତ ସେ ଠାକୁରଙ୍କର ତୁଳନା କରାଯାଏ । ଏ ଧର୍ମଟା ସହିତ ସେ ଧର୍ମର ତୁଳନା କରାଯାଏ । ଏ ଧର୍ମଟା ସହିତ ସେ ଧର୍ମର ତୁଳନା କରାଯାଏ, ଏ ଶାସ୍ତ୍ର ସହିତ ସେ ଶାସ୍ତ୍ରର ବି ତୁଳନା କରାଯାଏ । ଆହୁରି ଅନେକ ଏପରି ଗୁଣସମ୍ପନ୍ନ ମଣିଷ ରହିଛନ୍ତି, ଯେଉଁମାନେ କି ଏ ନାଚ ସହିତ ସେ ନାଚର ତୁଳନା କରି ବସନ୍ତି, ଏ ସଙ୍ଗୀତ ସହିତ ସେ ସଙ୍ଗୀତର ବି ତୁଳନା କରି ବସନ୍ତି । ଏବଂ ହିସାବର କେତେ ବହୁସ୍ଫୋଟ ମାରି ସେମାନେ ଏହି ସବୁ ତୁଳନା କରନ୍ତି ଏବଂ ଏଇଠି ଆମ ଘରେ ଯାହା ସବୁ ରହିଛି, ତା ତୁଳନାରେ ପୃଥିବୀରେ ଆଉ କେଉଁଠି ହେଲେ କିଛି ନାହିଁ ବୋଲି ପ୍ରତିପାଦିତ କରି ଦେଖାଇ ଦେବାକୁ ହିଁ ସେମାନେ ସେହି ତୁଳନା ଗୁଡ଼ିକୁ କରିଥାନ୍ତି । ଆମ ବଡ଼ ଠାକୁରଙ୍କ ସହିତ ଆଉ କୌଣସି ଠାକୁର ଯେ କଦାପି ସମକକ୍ଷ ହୋଇ ପାରିନାହାନ୍ତି ବା ପାରିବେ ନାହିଁ, ଏହି କଥାଟିର ପ୍ରତିଷ୍ଠା କରିବାଲାଗି ହିଁ ସେମାନେ ୟାଙ୍କ ସହିତ ସେମାନଙ୍କର ତୁଳନା କରିଥାନ୍ତି । ପୃଥିବୀରେ ଯେବେ କୌଣସି ଜାତିର କେବେ କୌଣସି ସଂସ୍କୃତି ଥିଲା ବା ଅଛି, ତେବେ ତାହା କେବଳ ଏହି ଜାତିର ହିଁ ରହିଛି ବୋଲି ବୋଲୁଅ ମାରି କହିବାକୁ ହିଁ ସେମାନେ ଏଇଟି ସହିତ ଆଉ ସବୁଗୁଡ଼ିକର ତୁଳନା କରିଥାନ୍ତି । ଏମିତି ହିସାବରେ କେତେ ବକ୍ତୃତା ହୁଏ, କେତେ ଶାସ୍ତ୍ର ଲେଖା ହୁଏ ଓ କେତେ ଘରର ସଂସ୍କୃତି ଚଳେ । ଆଦର୍ଶର ଡିହଗୁଡ଼ାକ ବଡ଼ ଚମତ୍କାର ଭାବରେ ସରଗରମ ହୋଇ ରହିଥାଏ । ଅତି-ଆଗ୍ରହର ବିପଣି ଗୁଡ଼ାକ ବଡ଼ ସରାଗର ସହିତ ଚାଲିବାରେ ଲାଗିଥାଏ ।

 

ଏମିତି ହିସାବ ସାହିତ୍ୟରେ ବି ହୁଏ । ଗୋଟିଏ କୋଠରୀରୁ ଅନେକ କୋଠରୀର ବିଚାର କରାଯାଏ । ସାହିତ୍ୟର ଦରବାରରେ ଆପଣାର ମନଲାଖି ସ୍ଥାନଟିକୁ ନିର୍ଣ୍ଣୟ କରି ଦିଆଯିବା ପରେ ତଳକୁ ତଳ, ଅନ୍ୟମାନଙ୍କର ସ୍ଥାନଗୁଡ଼ିକୁ ଆଣି ସେହି ଅନୁସାରେ ଖଞ୍ଜି ଦିଆଯାଏ-। ମମତା ହିଁ ସବୁଠାରୁ ବଡ଼ ହିସାବୀ ହୋଇ ବାହାରେ, ଯାହା ମୋର, ତାହା ହିଁ ସବୁଠାରୁ ବଡ଼, ସବୁଠାରୁ ଭଲ ଓ ସବୁଠାରୁ ଶ୍ଳାଘ୍ୟ, କାରଣ ତାହା ମୋର । ସବୁ ହିସାବ ଅର୍ଥାତ୍‌ ସବୁ ବିବେଚନାଗୁଡ଼ାକ ଠିକ୍‌ ଏମିତି ଭଉଁରୀ ହୋଇ ବୁଲିବାରେ ଲାଗିଥାନ୍ତି । ମମତା ଅନୁସାରେ ଯୁଗ୍ମ ବସେ, ମମତା ଅନୁସାରେ ବନ୍ଧୁତା ବନ୍ଧାଯାଏ, ମମତା ଅନୁସାରେ ସାହିତ୍ୟରେ ଗୁହାଳ ଘଣ୍ଟାଯାଏ-। ଏ ଯୁଗର ପଞ୍ଚସଖା ସେ ଯୁଗର ପଞ୍ଚସଖାଙ୍କୁ ସ୍ୱୀକାର କରିବାକୁ ହିଁ ମନ କରେ ନାହିଁ, ଆଉ ମଝିରେ ଥିବା ଆଉ ଗୋଟାଏ ପଞ୍ଚସଖା ଏହି ଘଣ୍ଟାଚକଟା ମଧ୍ୟରେ କୁଆଡ଼େ ପାସୋର ହୋଇ ରହନ୍ତି । ଉଦାରତାଗୁଡ଼ାକ କେବଳ ଅପୁଚ୍ଛା ହୋଇ ରହେ, ସାହିତ୍ୟ ଘରର ଝରକା ଓ କବାଟଗୁଡ଼ାକୁ ଅନ୍ୟ-ସଂକ୍ରମଣର ଭୟରେ କିଳିକରି ରଖି ଦିଆଯାଏ । ଉନ୍ମୋଚନ ବନ୍ଦ ହୋଇଯାଏ, ସତ୍ୟସ୍ପର୍ଶନ ବନ୍ଦ ହୋଇଯାଏ; ତଥାପି ସାହିତ୍ୟ ଚାଲେ, ହିସାବଗୁଡ଼ାକ ବି ଚାଲିଥାଏ-। ସାହିତ୍ୟ ସହିତ ସଙ୍ଗୀତ ଓ ନାଚ ମଧ୍ୟ ସରିସା ହୋଇ ବାହାରନ୍ତି । ଆମ ସଙ୍ଗୀତ ଓ ଆମ ନାଚ ପରି ଖଣ୍ଡମଣ୍ଡଳରେ ଯେ ଆଉ କିଛି କେଉଁଠି ହେଲେ ନାହିଁ, ଏହି କଥାଟାକୁ ଆମରି ଘରେ ଡଙ୍କା ବଜାଇ ଘୋଷଣା କରାଯାଏ । ଆପଣାର ଜଙ୍ଗଲଟିରେ ଆମେ ଆପଣାକୁ ରାଜା ବୋଲି ଘୋଷଣା କରୁ । ଆମ ଇଷ୍ଟଦେବଙ୍କୁ ପ୍ରତିଷ୍ଠା କରିବାର ଧୂମ୍‌ରେ ଅନ୍ୟ ସକଳ ଦେବତାଙ୍କୁ ଚୋଟେ ଚୋଟେ ମାରିଦେଇ ଆସୁ । ଯଜ୍ଞ ଅପ୍ରତିଷ୍ଠା ରହିଯାଏ, କିନ୍ତୁ ହିସାବ ଚାଲିଥାଏ, ଆତ୍ମପ୍ରସାଦର ଭୋଜୀ ଅବାରିତ ହୋଇ ରହିଥାଏ ।

 

ଆଉ ଗୋଟାଏ ପ୍ରକାରର ହିସାବ ଅଛି, ଯାହାକୁ କି ଆମ ସମସ୍ତଙ୍କୁ ପ୍ରାୟ ବାଧ୍ୟ ହୋଇ କରିବାକୁ ପଡ଼ିଥାଏ । ଏକା ଥରକେ ଅନେକ ପତ୍ନୀଙ୍କ ସହିତ ବାସ କରିବାକୁ ହେଲେ ଯେମିତି ବାଧ୍ୟ ହେବାକୁ ପଡ଼ିଥାଏ, ଗୋଟାଏ ମୁହଁକୁ ଢାଙ୍କି ରଖିବାଲାଗି ଏକାବେଳେକେ ଅଥବା ପାଳି ଅନୁସାରେ ଅନେକ ମୁଖା ପିନ୍ଧି ବିଚରଣ କରିବାକୁ ହେଲେ ଯେମିତି ବାଧ୍ୟ ହେବାକୁ ପଡ଼ିଥାଏ, ଏଥିରେ ମଧ୍ୟ ପ୍ରାୟ ସେହିପରି ବାଧ୍ୟ ହେବାକୁ ପଡ଼ିଥାଏ । ହିସାବର ଏକ ପାରମ୍ପରିକ ଭୂଗୋଳ ଅନୁସାରେ ଆମେ ସେତେବେଳେ ଜୀବନର ଇଲାକାଟାକୁ ଦୁଇ ବା ଅନେକ ଖଣ୍ଡରେ ବିଭାଜିତ କରି ଦେଇଥାଉ । ଗୋଟାଏ ସଦର ହୋଇ ରହିଥାଏ ତ ଆଉ ଗୋଟାଏ ମଫସଲ ହୋଇ ରହିଥାଏ । ଗୋଟାଏ ଆଠପହରୀ ହୋଇ ରହିଥାଏ ତ ଆଉ ଗୋଟାଏ ପୋଷାକୀ ହୋଇ ରହିଥାଏ । ଗୋଟାଏ ଦିଓ୍ୱାନ୍‌-ଇ-ଆମ୍‌ ଓ ଆଉ ଗୋଟାଏ ଦିଓ୍ୱାନ୍‌-ଇ-ଖାସ୍‌ ହୋଇ ରହିଥାଏ । କିଏ ଚାକିରି କରେ, ଅର୍ଥାତ୍‌ ପେଟ ପୋଷିବାଲାଗି କିଏ ଓକିଲ ହୁଏ, କିଏ ହାକିମ ହୁଏ, କିଏ ପୋଲିସ୍‌ରେ ଯାଏ, ପୁଣି କିଏ ଅଧ୍ୟାପନା ବି କରେ । ସେମାନେ ଯେଉଁ ଦେଶରେ ଥାଆନ୍ତି, ଅତ୍ୟନ୍ତ ସନ୍ତର୍ପଣରେ ସେହି ଦେଶର ହିଁ ଫଳ ଖାଇବାରେ ଲାଗିଥାନ୍ତି; ଗୁଣକୁ ଦଶଗୁଣ କରିବାରେ ଲାଗିଥାନ୍ତି, ସଂସାର-ହନ୍ତସନ୍ତର ନାନା ଖୋପ ଭିତରେ ଆପଣାକୁ ବଡ଼ ଚମତ୍କାର ଭାବରେ ଖାପ ଖୁଆଇ ନେଇଥାନ୍ତି । କିନ୍ତୁ ପହରେ ବା ଘଡ଼ିଏ ସାହିତ୍ୟଲାଗି ରଖିଥାନ୍ତି, ପହରେ ବା ଘଡ଼ିଏ କାଳିସୀ ଲାଗନ୍ତି । ସେତେବେଳେ ସେମାନେ ନାହିଁ ନଥିବା କଥା କରି ପାରନ୍ତି, ପଙ୍କ ଭିତରେ ପଦ୍ମବାସର ଆଘ୍ରାଣ କରନ୍ତି, ଜୀବନଟାକୁ କଳାସର୍ଗମୟ ବୋଲି ଫତୁଆ ଦିଅନ୍ତି । ଜାତିର ସାହିତ୍ୟ, ବିଶ୍ୱ-ସାହିତ୍ୟ ଓ ସାହିତ୍ୟର ଆତ୍ମା ପ୍ରଭୃତି ନାନାବିଧ ଆକର୍ଷିତ ଅଭିଧାନ ଭିତରେ ସେମାନେ ଚରି ବୁଲୁଥାନ୍ତି । ବୁଦ୍ଧି ଯେ ମଣିଷକୁ କେଡ଼େ ମନୋରମ ଢଙ୍ଗରେ ଦୁଇ ଫାଳ ବା ଅନେକ ଫାଳ କରି ଦେଇପାରେ ଓ ସେହି ଅନେକ ଫାଳକୁ ନେଇ ତଥାପି ଅନେକବଶ ଓ ଅନେକ ବିଭକ୍ତ ହୋଇ କିପରି ଯେ ସନ୍ତାପହୀନ ଭାବରେ ବଞ୍ଚି ହୁଏ, ସେମାନେ ତାହାରି ଏକ ମୂର୍ତ୍ତ ପ୍ରମାଣ ହୋଇ ରହିଥାନ୍ତି । ସେମାନଙ୍କ ଭିତରୁ କିଏ ଦିନଯାକ ବ୍ୟାଙ୍କର୍‌ ଜାଲିଘର ଭିତରେ ବସି ଟଙ୍କା ଗଣେ, ରାତି ହେଲେ ଶ୍ୟାମକୁ ମଲ୍ଲୀମାଳ ପିନ୍ଧାଇବାକୁ ବାହାରେ । କିଏ ଦିନରେ ଅଧିବାସୀ ରୂପେ ଚାକିରି ନିଏ, ଚାକିରି ଦିଏ, କଲମର ଗାରରେ ସଂସାର ବାନ୍ଧୁଥାଏ ଓ ସଂସାରକୁ ଉଚ୍ଛନ୍ନ କରିବାରେ ଲାଗିଥାଏ,–ଏବଂ ରାତିରେ କବିତାର ଚାକର ହେବାକୁ ଯାଏ, ଶୈଳୀ-ବନରେ ନୂଆ ମୃଣାଳର ସନ୍ଧାନ କରେ । ଏମାନଙ୍କର ଏହି ଦୁଇ ଫାଳଟା ଭିତରୁ କୋଉଟା ଯେ ଯଥାର୍ଥରେ ଧର୍ମ ଓ କୋଉଟା ଯେ ଯଥାର୍ଥରେ ସଉକ, ସେକଥା ସହଜରେ ଧରାପଡ଼େ ନାହିଁ ।

 

ଆଉ ଜୀବନର ଆଉ ଗୋଟାଏ ସ୍ତର ରହିଛି, ଯେଉଁଠି ପହଞ୍ଚି ଜୀବନର ସବୁକିଛି ସତେଅବା ଏକ ମନ୍ତ୍ରରେ ପରିଣତ ହୋଇଯାଏ । ଚେତନାର ଏପରି ଗୋଟିଏ ସୋପାନ ରହିଛି, ଯେଉଁଥିଲାଗି ଆକାଙ୍‌କ୍ଷା ରଖି ପାରିଲେ ଜୀବନର ସବୁ ଖଣ୍ଡ, ସବୁ ଭାଗ ଓ ସବୁ ଇଲାକା କେଉଁ ସମଗ୍ର ଆଗ୍ରହର ବେଢ଼ଟି ଭିତରେ ସତେ ଅବା ଏକାକାର ହୋଇଯାଏ, ଏକାତ୍ମ ହୋଇଯାଏ । ସେଠାରେ ମଧ୍ୟ ହିସାବ ହୁଏ । ସେଠି କେବଳ ବାଟ ଚାଲିବାର ହିସାବ ହୁଏ । ମୋତେ ପଛକୁ ପକାଇଦେଇ ଆଉ କିଏ ମୋ’ଠାରୁ ଆଗକୁ ଚାଲିଗଲା ଅଥବା ମୁଁ ଆଉ କାହାକୁ ପଛରେ ପକାଇଦେଇ ଆଗକୁ ଚାଲି ଆସିଲି । ସେଠାରେ ସେହିସବୁ ପ୍ରତିଦ୍ୱନ୍ଦିତାର ହିସାବ ହୁଏନାହିଁ । ମୁଁ ନିଜେ କେତେ ଯୋଗ୍ୟ ଓ ଯଥାର୍ଥ ଭାବରେ ନିଜର ଜନନୀ ହୋଇ ପ୍ରସ୍ତୁତ ହୋଇ ପାରିଲି, ଆପଣ ଭିତରେ ମୁଁ ଆପଣାକୁ କେତେଦୂର ଉନ୍ମୋଚିତ କରିଦେଇ ପାରିଲି, ଆପଣାର ଇସ୍ପିତତମଟି ଆଡ଼କୁ କେତେ ନିର୍ଭର ଓ ସାହସର ସହିତ ମୁଁ ହାତଟିକୁ ବଢ଼ାଇ ଦେଇ ପାରିଲି, ଏସବୁ କ୍ଷେତ୍ରରେ ସେହିଗୁଡ଼ିକରେ ହିସାବ ହୁଏ । କେବଳ ଅବଧାରଣା ହୁଏ; ପ୍ରେରଣାରେ ହିଁ ସବୁ ପାତ୍ର ଭରିଯାଏ, ଦ୍ୱେଷଣାଲାଗି ଆଉ ଜାଗା ନ ଥାଏ । ଏଠି ନିଜେ ନିଜର ହିସାବ କରିବାକୁ ହୁଏ, ଆପେ ଆପଣାକୁ ମାପିବାକୁ ହୁଏ, ଆପେ ଆପଣାକୁ ଦୀକ୍ଷିତ କରାଇବାକୁ ହୁଏ । ତା’ପରେ ତୁମେ ଓକିଲ ହୁଅ, ସାହିତ୍ୟ କର, ପାଠ ପଢ଼ାଅ କିମ୍ୱା ଅଫିସକୁ ଯାଅ, ସେଥିରେ ଆଉ କୌଣସି ବାରଣ ରହେ ନାହିଁ । ମନ୍ତ୍ରର ଅନ୍ୱେଷକ ହୋଇ ସେଠି ଜୀବନର ସବୁ କଣରେ ପ୍ରବେଶ କରିହୁଏ । ଜୀବନର ସବୁ ଗୃହରେ ପ୍ରବେଶ କରି ହୁଏ, ପରକାୟ-ପ୍ରବେଶ କରିହୁଏ, ସର୍ବକାୟ-ପ୍ରବେଶ କରିହୁଏ । ସେତେବେଳେ ଧର୍ମ ଆଉ ସଉକ ପରସ୍ପରକାତରା ସପତଣୀ ପରି ହୋଇ ରହନ୍ତି ନାହିଁ । ଜୀବନଟାଯାକ ସତେଅବା କେଉଁ ଆନନ୍ଦ ଓ ସହଭାଗିତାର ଯଜ୍ଞରେ ଏକ ଆମନ୍ତ୍ରଣ ପରି ଅନୁଭୂତ ହୁଏ, ମୁହୂର୍ତ୍ତଗୁଡ଼ାକ ଆହ୍ୱାନ ପରି ଅନୁଭୂତ ହୁଅନ୍ତି । ସେତିକିବେଳେ ସବୁ ହିସାବ ଯଥାର୍ଥରେ ମିଳିଯାଏ, ଯଥାର୍ଥ ଖାତାଫଡ଼ା ସେତିକିବେଳେ ହିଁ ହୁଏ ।

 

୧୨ । ୯ । ୭୪

Image